Unknown

 

 

 

 

 

 

 

 

 

 

 

ଅନ୍ଧକାରର ସିଡ଼ି

ବିଭୂତି ପଟ୍ଟନାୟକ

 

।। ଆରମ୍ଭ ।।

 

ଫୁଲ–ଗୋଟିଏ ଫୁଲର ନାମ କୁହ ।

 

ବଣ, ବଗିଚାରେ କେତେ ଫୁଲ । କେଉଁ ଫୁଲ ନାମ କହିବି ?

 

ଯେଉଁ ଫୁଲର ନାମ ମନେ ପଡ଼ୁଛି...ତମର ପ୍ରିୟ ଫୁଲ !

 

ଆଚ୍ଛା ଗୋଲାପ !

 

ଗୋଲାପଫୁଲ ଭାରି ଭଲ ନା !

 

ଆଶ୍ଚର୍ଯ୍ୟ ! ତମେ ଗୋଟିଏ ଫୁଲର ନାମ ପଚାରିଲ । ଗୋଲାପ ତ ଗୋଟିଏ ଫୁଲର ନାମ ! ଭଲମନ୍ଦ କଥା ଶୁଣି ପଚାରୁଛ କାହିଁକି ? ହସାନି...କୁହ–ଫୁଲ ନାଁ ପଚାରିଲ କାହିଁକି ?

 

ଫୁଲର ନାମରୁ ମୁଁ ଭବିଷ୍ୟତ ଗଣନା କରିପାରେ....

 

ଓଃ, ଜ୍ୟୋତିଷୀ ଶିଖିଲଣି ତାହାହେଲେ ! ନା–

 

ପ୍ରେମିକ ହେବା ଅପେକ୍ଷା ଜ୍ୟୋତିଷ ହେବା ଭଲ । ଆଉ ମୁଁ ଯଦି ଜ୍ୟୋତିଷୀ ଜାଣିସାରି ପ୍ରେମିକ ହୋଇଥାଆନ୍ତି, ତାହାହେଲେ ଏ ଉତ୍ତପ୍ତ ଦୀର୍ଘଶ୍ୱାସଗୁଡ଼ାକ ବାହାରକୁ ନ ଆସି ଛାତି ଭିତରେ ଶୀତଳ ହୋଇଯାଇ ଥାଆନ୍ତେ !

 

ମୋପାଇଁ ଯାହା ଅତୀତ...ଦେଖୁଛି ତମପାଇଁ ତାହା ଆଜି ସୁଦ୍ଧା ବର୍ତ୍ତମାନ ହୋଇ ରହିଯାଇଛି । ସ୍ମୃତିର ଅଗ୍ନିଦାହରେ ତମେ ଦଗ୍ଧ ହେଉଛ । ନା ! ମୁଁ କ’ଣ ମିଛ କହିଲି ? ମୋ ପ୍ରତ୍ୟାଖ୍ୟାନ ପରେବି ତମେ ମତେ ଭୁଲିନାହଁ ! ନିଜକୁ ଅଯଥାରେ କଷ୍ଟ ଦେଉଛ–

 

ନା–ମୁଁ ଦଗ୍ଧ ହେଉନି । ଆଉ ଯାହା ହରାଅ କି ନ ହରାଅ, ମୋ ଦୃଷ୍ଟିରୁ ତମେ ତମର ଦାହିକା ଶକ୍ତି ହରାଇ ବସିଛ । ତେବେ ମୁଁ ଯେ ବଦଳି ଯାଇଛି–ସେ କଥା ସତ । ମୁଁ କେମିତି ସଂସାର ପ୍ରତି ନିର୍ଲିପ୍ତ ହୋଇ ଯାଉଛି । ସାଂସାରିକ ଲାଭ ଓ ଲୋଭ ପ୍ରତି ମୁଁ ଆସକ୍ତିବିହୀନ ହୋଇପଡ଼ିଛି । ମୁଁ କ’ଣ, ଆଗେ ସେ କଥା ଜାଣି ପାରୁ ନଥିଲି । ଏବେ ନିଜକୁ ନିଜେ ଜାଣିପାରୁଛି ।

 

ଏ କିନ୍ତୁ ଭଲ କଥା ନୁହେଁ । ସଂସାର ଭିତରେ ଥାଇ ସଂସାର ବିଷୟରେ ନିର୍ଲିପ୍ତ ରହିବ, ମନରୁ ଆସକ୍ତିକୁ ବାଦ୍ ଦେବ, ଏ ବଞ୍ଚିଥାଇ ମରିବା ଭଳି କଥା । ମୁଁ ଚାହେଁ, ତମେ ସର୍ବତୋଭାବେ, ସମ୍ପୂର୍ଣ୍ଣ ଭାବରେ ବଞ୍ଚିରହ ।

 

ସେ କଥା ଆଉ ହୁଏତ ହେବା ସହଜ ନୁହେଁ । ସଂସାରଟା କ’ଣ, ସେ କଥା ଭଲ କରି ଜାଣିଗଲା ପରେ ସାଂସାରିକତା ପ୍ରତି ଆସକ୍ତି ଇଚ୍ଛା କରି ମଧ୍ୟ ଅତୁଟ ରଖିହୁଏ ନାହିଁ । ସେଥିପାଇଁ ଜ୍ଞାନୀପୁରୁଷମାନେ ସଂସାରତ୍ୟାଗୀ ହୁଅନ୍ତି.... ।

 

ଆଚ୍ଛା ! ମୁଁ ତ ଫୁଲର ନାମ କହିଲି, ମୋ ଭବିଷ୍ୟତ କଥା କୁହ ।

 

ତମ ଭବିଷ୍ୟତରେ କ’ଣ ଅଛି ମୁଁ ଜାଣେ, କିନ୍ତୁ କହିବି ନାହିଁ ।

 

ମୁଁ ମଧ୍ୟ ମୋ ଭବିଷ୍ୟତ କଥା ଜାଣେ । କାରଣ ନାରୀ ତା’ ଭବିଷ୍ୟତ ନିଜେ ନିଜ ହାତରେ ତିଆରି କରେ । ସେ ନିର୍ବୋଧ ହେଲେ ଦୁଃଖିନୀ ହୁଏ, ଚତୁରୀ ହେଲେ ସୁଖୀ ହୁଏ । ଆଉ ମୁଁ ତ ସବୁ କିଛି ପାଇଛି... ।

 

ତଥାପି ଅଦୃଷ୍ଟ ବୋଲି ଏକ ଅଦୃଶ୍ୟ ଶକ୍ତି ରହିଛି । ମୁଁ ଦିନେ ଭାଗ୍ୟରେ ବିଶ୍ୱାସ କରୁ ନଥିଲି, ଆଜି କରୁଛି । ତମେ ଆଜି କରୁନାହଁ; ଦିନେ ପୁଣି କରିବ ।

 

ଆଃ, ତମେ ମତେ ଧମକ ଦେଉଛ ?

 

ନା–ତମେ ସେମିତି ଭାବନାହିଁ । ତମକୁ ଧମକ ଦେଇକି କିଛି ଲାଭ ନାହିଁ ।

 

ହଠାତ୍ ତମେ ଦାର୍ଶନିକ ଭଳି ଗମ୍ଭୀର ହୋଇଗଲ ଯେ !

 

ଆଚ୍ଛା, ତମେ ତ ବିବାହ କରିଛ । ସୁଖୀ ହୋଇଛ ସତରେ ?

 

ବାହା ହେବାର ଗୋଟିଏ ବର୍ଷରେ ମୋର ପୁଅ ହେଲା । ପୁଅମୁହଁକୁ ଚାହିଁ ମୁଁ ସବୁ ଦୁଃଖ ଭୁଲିଯାଇଛି । ମନ ଭିତରେ ନିଜ ଉପରେ ଯେଉଁ ସନ୍ଦେହ ଥିଲା, ସେ ସନ୍ଦେହ ଦୂର ହୋଇଯାଇଛି । ଜନନୀ ହେବାପରେ ମୁଁ ମୋ ସ୍ୱାମୀଙ୍କୁ ବେଶୀ ଭଲଭାବରେ ଭଲ ପାଇଛି । ମନରେ ବିଚଳନ ନାହିଁ । ସବୁ ଶାନ୍ତ । ସବୁ ସ୍ତବ୍ଧ ।

 

ପ୍ରଣତିର କଥା ଶୁଣି ବିନୋଦ ମଧ୍ୟ ସ୍ତବ୍ଧ ହୋଇଗଲା ।

 

ହୁଏତ ଅନୁଭବ କଲା, ଆହତ ଯନ୍ତ୍ରଣାର ପୀଡ଼ା ତା’ ମନର କୌଣସି ଏକ ସୂକ୍ଷ୍ମ ଅଂଶରେ ଲାଖିରହିଛି ।

ପ୍ରଣତି କହିଲା, ଆଚ୍ଛା, ମୋ କଥା ମନେପଡ଼େ ?

ବିନୋଦ ଚମକି ଉଠିଲା ।

କହିଲା, କେଜାଣି–ଠିକ୍ କଥା ଜାଣିନି । ତମେ ମନେପଡ଼ କି ନାହିଁ; ସେ କଥା ଆଗରୁ କେବେ ଭାବି ଦେଖି ନାହିଁ । କିନ୍ତୁ ତମେ ଆଉ ଜଣଙ୍କୁ ସ୍ୱାମୀ ବୋଲି ଗ୍ରହଣ କରି ନେବାପରେ ତମେ ମୋର ମନେପଡ଼ିବା ଉଚିତ ନୁହେଁ ।

ପ୍ରଣତି କଥାଟାକୁ ଉଡ଼ାଇ ଦେବାଭଳି ହସିଲା ।

କହିଲା, ତମେ ଜଣେ ନୀତିବାଗୀଶ ସମାଜ ସଂସ୍କାରକ ଭଳି କଥା କହୁଚ । ଯାହା ଉଚିତ ତାହା ହେବ, ଯାହା ଅନୁଚିତ ତାହା ହେବନାହିଁ–ଏ କଥା ଜୀବନରେ କ୍ଵଚିତ ଘଟେ । ଦେହରେ କ୍ଷତ ହୋଇ ଆରୋଗ୍ୟ ହୁଏ । କିନ୍ତୁ ଦିନେ କ୍ଷତ ହୋଇଥିଲା, ସେ କ୍ଷତର ଯନ୍ତ୍ରଣା କଥା ଭୁଲିହୁଏ ନାହିଁ, ଏ କଥା ଅସ୍ୱୀକାର କରି ଲାଭ କ’ଣ ?

କିନ୍ତୁ ଆଜି ତମ କଥା ମନେପକାଇ ମୋର ଲାଭ ? ତମେ ଜାଣ ସେଦିନଗୁଡ଼ିକରେ ମୁଁ ତମକୁ ଯେତିକି ଭଲ ପାଉଥିଲି, ଏ ଦିନଗୁଡ଼ିକରେ ସେତିକି ଭୁଲ ବୁଝିଛି । ତମର ଉଜ୍ଜ୍ୱଳ ପ୍ରତିମା ମୋ ମନରେ ମଳିନ ପଡ଼ିଯାଇଛି । ମନେପଡ଼ିଲେ ସେହି ମଳିନ ମୂର୍ତ୍ତିହିଁ ମନେପଡ଼ିବ ।

 

ବିନୋଦର କଥା ଶୁଣି ପ୍ରଣତି ମୁହଁ କିନ୍ତୁ ମଳିନ ହେଲା ନାହିଁ । ସେ ତାକୁ ଭଲ କରି ଜାଣେ । ନାରୀ ନିଜ ପ୍ରେମିକକୁ ଯେତେ ଠିକ୍ ଭାବରେ ବୁଝିପାରିଥାଏ, ନିଜର ସ୍ୱାମୀକୁ ସେତେ ବୁଝିପାରେନାହିଁ । କାରଣ ପ୍ରେମିକକୁ ସେ ନିଜେ ବୁଝିବାକୁ ଚେଷ୍ଟା କରେ, ସ୍ୱାମୀକୁ ନିଜ ସମ୍ପର୍କରେ ବୁଝାଇବାକୁ ଇଚ୍ଛାକରେ !

 

ଝିରିଝିରି ପବନରେ ଭାସିଆସୁଛି ସ୍ମୃତିର ଦେହଉଲୁସା ସୁଗନ୍ଧ ।

 

ମୋ ମୂର୍ତ୍ତି ତମ ମନରେ ମଳିନ ପଡ଼ିଯାଉଛି, ଏକଥା ଭାବିଲେ ମୁଁ ଦିନେ ଦୁଃଖରେ ଭାଙ୍ଗିପଡ଼ୁଥିଲି । କାରଣ ସେଦିନ ତମେ ଥିଲ ମୋର ସବୁକିଛି । ଆଜି ମୋ ସୀମାନ୍ତରେ ସିନ୍ଦୂର ଦପଦପ ହୋଇ ଝଲସୁଛି ।

 

ଅବଲୀଳାକ୍ରମେ କଥାଗୁଡ଼ିକ, କହି ଚମତ୍କାର ଠାଣିରେ ପ୍ରଣତି ହସିଲା ।

 

ଆଚ୍ଛା, ଅନ୍ୟ ଜଣକୁ ଠକିପାରିଲେ ତ ମଣିଷ ସୁଖୀ ହୁଏ । ନିଜକୁ ଠକିଲେ ସେ ସୁଖୀ ହୁଏ କି ?

 

ପ୍ରଣତି ପ୍ରଶ୍ନଟିର ଗୁହ୍ୟାର୍ଥ ବୁଝିବାପାଇଁ ବିନୋଦକୁ ନିରୀକ୍ଷଣ କରି ଚାହିଁଲା ।

 

ତା’ପରେ ଖଳଖଳ ହସରେ ବାୟୁ ସ୍ତର ଶବ୍ଦାୟିତ କରି କହିଲା, ଏ ସବୁ ରହସ୍ୟମୟ କଥା ଶୁଣିବାର ଗୋଟାଏ ବୟସ ଥାଏ । ଆମେ ଦୁହେଁ ନିଜ ଅନିଚ୍ଛାରେ ସେ ବୟସ, ଜୀବନର ସେ ସ୍ତରକୁ ନିଃସନ୍ଦେହରେ ଅତିକ୍ରମ କରିସାରିଲେଣି । ନା !

 

କଲମିକରା ହୋଇଥିବା ଲେମ୍ବୁଗଛ ଉପରେ ଗୋଟାଏ ଚମତ୍କାର ନୀଳରଙ୍ଗର ଚଢ଼େଇ ବସିଥିଲା । ପର ଫଡ଼ଫଡ଼ କରି ସେ ଡେଣା ଝାଡ଼ୁଥିଲା ଏବଂ ତା’ପରେ ଅନେକଗୁଡ଼ାଏ ମନର କଥା ସ୍ୱରତୋକ୍ତି କଲା ଭଳି କହି ପକାଉଥିଲା କିଚିରି...ମିଚିରି...କିଚିରି...

 

ବିନୋଦ ଲକ୍ଷ୍ୟ କଲା, ପ୍ରଣତିର ବାଗାନ୍‍ରେ ଫୁଲଗଛ ଅପେକ୍ଷା ଫଳଗଛ ପ୍ରାଦୁର୍ଭାବ ବେଶି । ଲେମ୍ବୁ, ଲିଚୁ, ପିଜୁଳି, ଡାଳିମ୍ବ ଗଛର ଧାଡ଼ି । ସନ୍ତାନର ଜନନୀ ହେଲାପରେ ପ୍ରଣତି ମନରୁ ସମ୍ଭବତଃ ଫୁଲର ମୋହ କଟିଯାଇଛି; ଫଳଭାରରେ ଆନତ ହୋଇଛି ତା’ର ନାରୀତ୍ୱ ।

 

କିଛି କହୁନ ! ଝରକା ବାଟେ କ’ଣ ଦେଖୁଛ ?

 

ବିନୋଦର ମନେ ହେଉଥିଲା, ସେ କହନ୍ତା, ସଦର ଦରକାର ଯେତେବେଳେ ତମର ସେ ସ୍ୱାମୀ ନାମକ ଦେବତା ଜଣକ ହାତ ମେଲାଇ ବାଟ ଓଗାଳି ଠିଆ ହୋଇଛନ୍ତି, ଝରକାବାଟେ ଚାହିଁବା ବ୍ୟତୀତ ବାଟ କ’ଣ ଅଛି ?

 

ନା–ସେ କଥା ସେ କହିଲା ନାହିଁ । ତା’ର ଏହି ଏକଦା ପ୍ରେମିକା ମହିଳାଜଣକୁ ନେଇ ଆଜି କିଛି ରସିକତା କରିବାପାଇଁ ତା’ର କେମିତି ସଂକୋଚ ହେଉଥିଲା । ପୁଅ ହୋଇଛି ବୋଲି ଯେ ଭାବୁଛି ସୁଖୀ ହୋଇଛି, ତାକୁ ନେଇ କିଛି କଳ୍ପନା କରିବା କିମ୍ବା ରସିକତା କରିବା ରୀତିମତ ବିରକ୍ତିଜନକ ।

 

ଟେବୁଲ୍ ଧାରରେ ମୁହଁ ଲୁଚାଇ ପ୍ରଣତି କହିଲା, ଏଣୁତେଣୁ ଗପ କରୁଥିଲାବେଳେ ତମେ ତମେ ଭାରି ସାଧାରଣ ମନେହୁଅ, ଆଉ ହଠାତ୍ ଚୁପ୍‍ଚାପ୍, ଗମ୍ଭୀର ହୋଇଗଲେ ମନେହୁଅ ଏକ ଅନତିକ୍ରମଣୀୟ ବ୍ୟକ୍ତିତ୍ୱ !

 

ସ୍ଥିରବିଦ୍ୟୁତ ଭଳି କଥା ଶେଷରେ ହସଟା ପ୍ରଣତିର ଓଠରେ ଝଲସୁଥିଲା ।

 

ବିନୋଦ ଭାବୁଥିଲା, ପ୍ରଣତି ଓଠରୁ ହସଟାକୁ ଝାମ୍ପିଆଣି ସେ ନିଜ ଓଠରେ ଝୁଲାଇ ଦେବ କି ?

 

କିନ୍ତୁ–ନା–ସେ କଥା ହୁଏତ ସହିବ ନାହିଁ ପ୍ରଣତି । ତା’ର କୌଣସି ସୁଖ ସେ ସହିପାରେ ନାହିଁ !

 

ତା’ପରେ ପ୍ରଣତି ଆଖିରେ ଏକ ଅନତିକ୍ରମଣୀୟ ବ୍ୟକ୍ତିତ୍ୱର ଭ୍ରମ ସୃଷ୍ଟି କରିବାପାଇଁ ସେ ଗମ୍ଭୀର ହେବାର ଛଳନା କଲା ।

 

ପ୍ରଣତି ଆଖି ମିଟିମିଟି କରି କହିଲା, ଆଜି କାହିଁକି ବାଜେ କଥା ସବୁ କଥାବାର୍ତ୍ତା ହେବାପାଇଁ ଇଚ୍ଛା ହେଉଛି । କାରଣ ଯାହା ଦରକାରୀ କଥା, ସେ ସବୁଗୁଡ଼ାକ ବିରକ୍ତିକର ।

 

କୁହ–ମୁଁ ତ ଗୋଟାଏ ବାଜେ ଲୋକ । ଅବଶ୍ୟ ତମ ଦୃଷ୍ଟିରେ ।

 

ଇସ୍...ଅଭିମାନ କରି କହୁଛ ?

 

ଅନ୍ୟ ଜଣେ ପୁରୁଷର ସନ୍ତାନ–ଜନନୀ ଉପରେ ଅଭିମାନ କରାଯାଏ ନାହିଁ । ଏହା ଶାସ୍ତ୍ର-ବିରୋଧୀ । ଏ କଥା କଣ ‍ଜାଣିନାହଁ ?

 

କିନ୍ତୁ ତମ କଥାଗୁଡ଼ାକ ଭାରି ଦାମିକା ଆଉ କଣ୍ଠସ୍ୱର ଭାରି ଭାରି ମନେହେଉଛି, ତମର ଆଜି କ’ଣ ହୋଇଛି ?

 

କିଛି ଉତ୍ତର ନ ଦେଇ ବିନୋଦ ପ୍ରଗତିର ଆଖି ଡୋଳା ଉପରେ ନିଜର ଦୃଷ୍ଟିନିବଦ୍ଧ କଲା । ଦେଖିବାକୁ ଚେଷ୍ଟାକଲା ପ୍ରଣତି ଆଖି ଡୋଳାର କାଚରେ ସେ ପିଲା ହୋଇ ପ୍ରତିଫଳିତ ହେଉଛି କି ନାହିଁ ।

 

ପ୍ରଣତି ପ୍ରଗଳ୍‍ଭା ହେଲା ।

 

କହିଲା, ଆଚ୍ଛା, ତମେ ମତେ ଦିନେ ଭଲପାଉଥିଲ ବୋଲି କହୁଥିଲ । ହୁଏତ ସେ ଦିନ ତମେ ସତ୍ୟ କହୁଥିଲ । କହ ତ ଆଜି, ସେ ଭଲପାଇବାଟା କେମିତି ?

 

ବିନୋଦ ପୁଣି ସେ ଗଛ ଉପରେ ବସିଥିବା ନୀଳ ଚଢ଼େଇକୁ ଚାହିଁଲା ।

 

ଭଲ ପାଇବାଟା ହୁଏତ ସେ ଦିନ ଥିଲା ତା’ର ଏଇ ନୀଳ ଚଢ଼େଇ ଭଳି । ଫୁର୍‍କିନି କଳ୍ପନାର ଆକାଶରେ ଉଡ଼ିଯିବା ପାଇଁ ସେ ଭଲ ପାଇବାର ଚଢ଼େଇ ଅନେକ ଥର ଡେଣା ଝାଡ଼ିଥିଲା । କେହି କିଛି ପଚାରି ନଥିଲେବି କିଚିରି ମିଚିରି ହୋଇ ଆପେଆପେ ଅନେକ ଥର ନିଜର ସୁଖାନୁଭୂତିକ ସ୍ୱଗତୋକ୍ତି ଆକାରରେ ପ୍ରକାଶ କରିଥିଲା ।

 

ସେଦିନ ତା’ର ସେ ଭଲ ପାଇବାର ନୀଳଚଢ଼େଇ ଥିଲା ସ୍ୱାଧୀନ । ହାଲୁକା । ଉଷ୍ମ । ସୁନ୍ଦର ।

 

ଦିନେ କେଉଁ ମାଂସଲୋଭୀ ବ୍ୟାଧର ତୀର ଆଘାତରେ ... !

 

ଚଢ଼େଇଟା ଉଡ଼ିଗଲା ।

 

କାଗଜିଗଛ ଉପରୁ ନୀଳ ଆକାଶ ଆଡ଼େ । ଆକାଶର ନୀଳିମା ସହିତ ତା’ ପକ୍ଷର ନୀଳିମା ମିଶି ଏକାକାର ହୋଇଗଲା । ଆଉ ଚିହ୍ନି ହେଉନି । ଜାଣି ହେଉନି, କୁଆଡ଼େ ଗଲା ସେ ଛୋଟ ନୀଳ ବିହଙ୍ଗ । କିନ୍ତୁ ତା’ ଭଲ ପାଇବାର ନୀଳଚଢ଼େଇ ଉଡ଼ିବା ଆଗରୁ ଆହତ ହେଲା । ନୀଳ ନୀଳ ପର ତା’ର ହେଲା ରୁଧିରରେ ରକ୍ତିମ, ଲୋହିତ । ଆଚ୍ଛା, ପ୍ରଣତିର ଓଠ ଏତେ ଲାଲ୍ ଦିଶୁଛି କାହିଁକି ? ତା’ ଓଠରେ ଲାଗିଛି କି ସେଇ ବିକ୍ଷତ ବିହଙ୍ଗର ରୁଧିର ଧାରା ! ପ୍ରଣତି ବିରକ୍ତ ହେଲା ।

 

କହିଲା, କଥା ପଚାରିଲେ ଉତ୍ତର ଦେଉନା କାହିଁକି ? ନିଜର ଦାମ୍ ବଢ଼ାଉଛ ?

 

ଅନିଚ୍ଛାସତ୍ତ୍ୱେ ହସିଲା ବିନୋଦ । ଗାମ୍ଭୀର୍ଯ୍ୟ ତରଳିଗଲା ସେ ଅନିଚ୍ଛାକୃତ ହସରେ ।

 

କହିଲା, ତମ ପାଖରେ ଦାମ୍ ବଢ଼ାଇବି କାହିଁକି ? ଦାମ୍ କମିଗଲେବି କ୍ଷତି କ’ଣ ?

 

ବାଜେ କଥା କୁହ ନାହିଁ–କୁହ–ତମେ ମତେ ପରା ଭଲ ପାଉଥିଲ ! ସେ ଭଲ ପାଇବାଟା କେମିତି ?

 

ଭଲ ପାଇବାର ଆକୃତିଟା ମୁଁ ତୁମକୁ କେମିତି ବୁଝାଇ ପାରିବି ?

 

ଯେମିତି ମୋର ସ୍ୱାମୀ ବୁଝାଇଛନ୍ତି ! ତାଙ୍କ ଭଲପାଇବାଟା ଠିକ୍ ଆମ ପୁଅର ମୁହଁ ଭଳି...ସେ ଭଲ ପାଇବାର ରଙ୍ଗ ଆମ ପୁଅର ରଙ୍ଗ ଦେହ ରଙ୍ଗ ଭଳି...ତାଙ୍କ ଭଲ ପାଇବାର ପ୍ରକୃତି ଆମ ପୁଅ ମୁହଁର ଦରୋଟି କଥା ଆଉ ଚିକ୍‍ଚିକ୍ ହସ ଭଳି...ଆଉ ତମେ ଯେ ମତେ ଭଲ ପାଉଥିଲ, ତା’ର ଚେହେରା କେମିତି ?

 

ବିନୋଦ ଏଥର ସନ୍ତ୍ରସ୍ତ ହୋଇ ଉଠିଲା ।

 

ନା–ସେ ବୁଝାଇ ପାରିବ ନାହିଁ । ସେ ଯେ ଦିନେ ପ୍ରଣତିକୁ ଭଲ ପାଉଥିଲା । ପ୍ରଣତି ଅନ୍ୟତ୍ର ବିବାହ କରି ଯେପରି ତା’ର ପ୍ରମାଣ ନଷ୍ଟ କରି ଦେଇଛି, ପ୍ରଣତି ଦେହରେ କୌଣସି କ୍ଷତଚିହ୍ନ ନ ରଖି ସେ ମଧ୍ୟ ଭଲ ପାଇବାର ଆକୃତିକୁ ନିରାକାର କରି ଦେଇଛି ।

 

ଥରଥର ହୋଇ ଥରୁଥିଲା ବିନୋଦ । ଅସହାୟ ବୋଧରେ, ହାରି ଯାଇଥିବାର ଅବସୋସରେ ।

 

ସେ କହିଲା, ଆମେ କିଏ କାହାକୁ ଭଲ ପାଉଥିଲେ କି ନାହିଁ, ସେ ସ୍ମୃତି ରୋମନ୍ଥନ କରି ଆଜି ଆଉ ଲାଭ କ’ଣ ? ତମେ ମୋର କିଏ ? ମୁଁ ତମର କିଏ ?

 

ପ୍ରଣତିର ମୁହଁ ଫିକା ପଡ଼ିଗଲା । ସତେ ଯେପରି ତା’ ମୁହଁର ରକ୍ତକଣିକାଗୁଡ଼ିକ ହଠାତ୍ ରଙ୍ଗ ବଦଳାଇ ବସିଲା !

 

କୁହ ଚୁପ୍ ହୋଇଗଲ କାହିଁକି ? ତମେ ତ ଦିନେ କହିଥିଲ ମୁଁ ତମର କେହି ନୁହେଁ । ମୁଁ ଯେ ଦିନେ ତମକୁ ଭଲପାଇଥିଲି, ସେ କଥା ଆଜି ବାରମ୍ବାର ମନେପକାଇ ଲାଭ ?

 

ପ୍ରଣତି କମ୍ପିତ କଣ୍ଠରେ କହିଲା, ସଂସାରରେ ଦୁଇ ଜଣ ଯେତେବେଳେ ଗୋଟିଏ ଆକାଶର ଛାତତଳେ ବଞ୍ଚି ରହିଛେ, ଆମ ଦୁଇଜଣଙ୍କର କିଛି ନା କିଛି ସମ୍ପର୍କ ରହିବ । ତମକୁ ବିବାହ କରିବି ନାହିଁ ବୋଲି ସ୍ଥିର କରି ଯେଉଁଦିନ ମୁଁ ଏ ପରିବାରର ବୋହୂ ହୋଇ ଆସିଲି, ସେଦିନ ତମ ସହିତ ମୋର ସମସ୍ତ ସମ୍ପର୍କର ବନ୍ଧନ ମୁଁ ଛିଡ଼ାଇଦେଇ ଆସିଥିଲି । ତଥାପି ଦୁଇ ଜଣଙ୍କ ମଧ୍ୟରେ ଆମର ଏମିତି କେତେକ ଗୋପନ ବନ୍ଧନର ସୂତା ଅଛିଣ୍ଡା ରହିଗଲା, ଯାହା ମୃତ୍ୟୁ ବ୍ୟତୀତ ଆଉ କେହି କେବେ ଛିନ୍ନ କରିପାରେ ନାହିଁ ।

 

କଥା ଶେଷ କରି ହଠାତ୍ ନିସ୍ତବ୍ଧ ହୋଇଗଲା ପ୍ରଣତି ।

 

ଅନ୍ୟ ଦିନ ହୋଇଥିଲେ ପ୍ରଣତିର ସେ କଥା ଶୁଣି ଖୁବ୍ ଉତ୍ତେଜିତ ହୋଇଥାନ୍ତା ବିନୋଦ । ଅନେକଗୁଡ଼ିଏ ସ୍ୱପ୍ନର କଳିକା ତା’ ମନରେ ପାଖୁଡ଼ା ମେଲି ହଠାତ୍ ଫୁଲ ହୋଇ ଫୁଟି ଥାଆନ୍ତା । ଅନେକ ରଙ୍ଗରେ ରଙ୍ଗିନ ହୋଇ ଉଠି ଥାଆନ୍ତା ତା’ କଳ୍ପନାର କଳ୍ପଲୋକ । କିନ୍ତୁ ଏବେ ପ୍ରଣତିର କଣ୍ଠ କମ୍ପିତ ଭାବପ୍ରବଣ କଥାଗୁଡ଼ିକ ଶୁଣି ତାକୁ କ୍ଳାନ୍ତ ଲାଗିଲା । ସେ ମନେମନେ ଭାବିଲା, ଛଳନାର ଏ ଆଉ ଏକ ଇନ୍ଦ୍ରଜାଲ !

 

ଗୋଟାଏ ସିଗାରେଟ ବାହାର କରି ନିଆଁ ଧରାଇଲା ବିନୋଦ ।

 

ପ୍ରଣତି କହିଲା ଆଗେ ତମେ ଏତେ ସିଗାରେଟ ଖାଉ ନଥିଲ, ନା !

 

ଉତ୍ତର ଦେବା ଅପେକ୍ଷା ସିଗାରେଟକୁ ପୋଡ଼ି ପୋଡ଼ି ଧୂମ ଭକ୍ଷଣ କରିବାର କାର୍ଯ୍ୟରେ ମନଯୋଗ ଦେଲା ବିନୋଦ । ସତେ ଯେମିତି ସେ ପ୍ରଣତିର କଥା ଶୁଣି ନାହିଁ; କିମ୍ବା ସେଭଳି ପ୍ରଶ୍ନର କି ଉତ୍ତର ଦିଆଯିବ, ସେ ଜାଣେ ନାହିଁ ! !

 

ମୁଁ ଲକ୍ଷ୍ୟ କରୁଛି, ଏଇ କେଇଦିନ ହେଲା ପ୍ରତି କଥାକୁ ତମେ ଅଯଥାରେ ଖୁବ୍ ଗୁରୁତ୍ୱ ଦେଇ ଭାବୁଛ । ଏ ସବୁ ମାନସିକ ଅସୁସ୍ଥତାର ଲକ୍ଷଣ ।

 

ପ୍ରଣତି ଉପଦେଶ ଦେଲାଭଳି କଥାଗୁଡ଼ାକ କହିଗଲା ।

 

ତଥାପି କିଛି ଉତ୍ତର ଦେଲାନାହିଁ ବିନୋଦ । ଏସବୁ ନୀତିକଥା, ପୁଣି ପ୍ରଣତିଠାରୁ ଶୁଣିବାକୁ ତା’ର କିଛି ଆଗ୍ରହ ନଥିଲା ଭଳି ସେ ମୁଖଭଙ୍ଗୀ କଲା । ଏପରି ଅନେକ କଥା ସେ ଅତୀତରେ ଶୁଣିଛି । ଆଗ୍ରହରେ ମନେରଖିଛି ! କିଛି ଦରକାର ହେଲା ନାହିଁ ସେସବୁ । ସେ ଯାହା ଚାହିଁଥିଲା, ତା’ ପାଇଲା ନାହିଁ ।

 

ପ୍ରଣତି ଅନେକ ସମୟ ଭାବିଲା ।

 

କହିଲା, ମୁଁ ତମର ପ୍ରେମିକା ନୁହେଁ, ତମେ ମୋର ପ୍ରେମିକ ନୁହ...ତମ ସହ ମୋର ବିବାହ ହେବ ନାହିଁ, ଏତିକି ମାତ୍ର ମୁଁ ଚାହିଁଥିଲି । ସେହି ଦୃଷ୍ଟିରୁ ମୁଁ କହିଥିଲି ତମେ ମୋର କେହି ନୁହ । କିନ୍ତୁ ସତରେ କ’ଣ ତମେ ମୋର କେହି ନୁହ ?

 

ନିଜ ଅନିଚ୍ଛା ସତ୍ତ୍ୱେ ବିନୋଦ ପ୍ରଣତି ଆଡ଼କୁ ଦୃଷ୍ଟି ତୋଳି ଚାହିଁଲା ।

 

ମୁଁ ତମର କିଏ ? ତମେ ମୋର ବା କିଏ ?

 

କିଛି ନହେଲେବି ଶୁଭେଚ୍ଛୁ ଜଣେ କେହି । ସଂସାରରେ ବହୁ ଶୁଭାକାଂକ୍ଷୀ ବନ୍ଧୁଙ୍କ ଭଳି ତମେ ମୋର ଜଣେ ବନ୍ଧୁ । ଏମିତି କ’ଣ ହୋଇପାରେନା–ତମେ ଅସୁସ୍ଥ ଅଛ ବୋଲି ଖବର ପାଇ ମୁଁ ମନ୍ଦିରକୁ ଗଲି...ତମେ ଆରୋଗ୍ୟ ହୁଅ ବୋଲି କାମନା କରି ଘିଅଦୀପଟାଏ ଜାଳି ଦେଇ ଆସିଲି । ସେ କଥା ତମେ ଜାଣିଲ ନାହିଁ, ସ୍ୱାମୀ ଜାଣିଲେ ସେ ଘିଅଦୀପ ମୁଁ ଜାଳି ଆସିଲି କେବଳ ତାଙ୍କର ଦୀର୍ଘଜୀବନ କାମନା କରି ! ଅଥବା ତମେ ଶୁଣିଲ ମୁଁ ପୁତ୍ରସନ୍ତାନର ଭାଗ୍ୟବତୀ ଜନନୀ ହୋଇଛି...ଆନନ୍ଦରେ ନିଜ ସାଙ୍ଗମାନଙ୍କୁ ଧରି କେଉଁ ବାର୍‍ରେ ପଶିଗଲ...ସମସ୍ତଙ୍କୁ ମୋ ପୁତ୍ରର ଦୀର୍ଘଜୀବନ କାମନା କରି ଆକଣ୍ଠ ପାନ କରାଇଲ...ଆଉ ସେ କଥା ମୁଁ ମଧ୍ୟ ଜାଣିପାରିଲି ନାହିଁ ।

 

ଗୋଟିଏ ଛୋଟ ଗଳ୍ପର ଏକ ଚମତ୍କାର ଭଗ୍ନାଂଶ ଭଳି ମନେ ହେଉଥିଲା ପ୍ରଣତିର ସେ କାହାଣୀ ବର୍ଣ୍ଣନା । ସେ କହିବା ଶେଷ କଲାପରେ, ବିନୋଦ କହିଲା, ମୁଁ ପଛେ ତମ ନବଜାତକର ଅମରତ୍ୱ କାମନା କରି ଗୋଟାଏ ଭୂରିଭୋଜନ ଦେଇଦେବି...କିନ୍ତୁ ତମେ ଦୟାକରି ସ୍ୱାମୀଙ୍କ ପଇସାରେ ଘିଅଦୀପ କିଣି ମୋର ଶୁଭକାମନା କରିବ ନାହିଁ...କାରଣ ତମର ସେ ଆତ୍ମପ୍ରତାରଣା କଥା ତମ ସ୍ୱାମୀ ଜାଣି ନ ପାରନ୍ତି...କିନ୍ତୁ ଯାହାଙ୍କ ପାଖରେ ଘିଅଦୀପ ଜାଳିବ ସେ ଠାକୁର... !

 

ପ୍ରଣତି ଦୃଷ୍ଟି ତଳକୁ କଲା ।

 

ନା, ସେ ଆଜି ଯାହା କିଛି କହୁଛି ତା’ର ଏକ ଭିନ୍ନ ଅର୍ଥ ବାହାର କରୁଛି ବିନୋଦ । ଲୋକଟାକୁ ଯେତେ ଆପଣାର କଲେବି କୌଣସି ଦିନ ସେ ତା’ର ଆପଣାର ହେଲା ନାହିଁ । ଅଥଚ ଚେଷ୍ଟା କରି ମଧ୍ୟ ସେ ତାକୁ... !

 

ବିନୋଦ ସିଗାରେଟର ଅବଶିଷ୍ଟାଂଶକୁ ଆସ୍-ଟ୍ରେ ଦେହରେ ମାଡ଼ି ଦେଇ କହିଲା, ମୁଁ ଭାବୁଛି, ଆଉ ତମ ସହିତ ବେଶି ଦେଖାସାକ୍ଷାତ୍ କରିବି ନାହିଁ । କାରଣ ତମପାଇଁ ମୁଁ ଗୋଟାଏ ଦୁଃସ୍ୱପ୍ନ । ତମେ କେବଳ ଆଜି ଅନ୍ୟ ଜଣେ ପୁରୁଷର ପତ୍ନୀ ନୁହ...ଜନନୀ । ଆଉ ହୁଏତ ଅତୀତର ସେ ଦୁଃସ୍ୱପ୍ନକୁ ବାରମ୍ବାର ଦେଖି ଚମକି ଉଠିବା ଭଲ ହେବ ନାହିଁ...

 

ଏଥର ବିନୋଦର କଥା ଶୁଣି ପ୍ରକୃତରେ ପ୍ରଣତି ଆଖିରେ ଜଳ ଆସିଗଲା ।

 

ସେ କହିଲା, ମୁଁ କ’ଣ ଏମିତି ଘୃଣ୍ୟ ଯେ ମୋ ଛାଇ ସୁଦ୍ଧା ମାଡ଼ିବ ନାହିଁ ! ମୁଁ ତ ତମଠାରୁ କିଛି ଚାହିଁ ନାହିଁ... !

 

ତମେ କିଛି ଚାହିଁନାହଁ, କାରଣ ତମର କୌଣସି ଅଭାବ ନାହିଁ । କିନ୍ତୁ ତମେ ଜାଣ ମୋର ଅନେକ ଅଭାବ...ମୋ ଭିତରେ ଅନେକ ଶୂନ୍ୟତା...ମୁଁ ଯଦି ହଠାତ୍ କିଛି ତମକୁ ମାଗି ବସେ, ଆଉ ତମେ ଦେବାକୁ ଇଚ୍ଛା ଥାଇ ସୁଦ୍ଧା ନ ଦେଇ ପାରୁଥିବାର ଦୁଃଖରେ ଭାଙ୍ଗିପଡ଼... !

 

ବିନୋଦ କାନକୁ ନିଜର କଣ୍ଠସ୍ୱର ନାଟକୀୟ ଶୁଣାଯାଉଥିଲା ! ତା’ର କଥା ଶୁଣି ମଧ୍ୟ ଅବିଶ୍ୱାସରେ ଫିକ୍‍କିନି ହସିଦେଲା ପ୍ରଣତି ।

 

କହିଲା, ମୁଁ ଜାଣେ ତମେ ଏମିତି କିଛି ନିଶ୍ଚୟ ମାଗିବ ନାହିଁ, ଯାହା ମୁଁ ଦେଇ ନପାରିବି-। ଯେତେବେଳେ ତମ ପାଖରେ ଉପଯାଚିକା ଭଳି ନିଜକୁ ମୁଁ ଯାଚି ଦେଇଥିଲି, ସେଦିନ ତମେ କିଛି ଗ୍ରହଣ କରିବ ନାହିଁ ବୋଲି ମୁହଁ ଫେରାଇ ନେଇଥିଲ । ଆଉ ମୁଁ ଯାହା ଦିନେ ତମକୁ ଦେବାକୁ ଚାହିଁଥିଲି ତା’ଠାରୁ ତମେ ଆଉ କି ମୂଲ୍ୟବାନ ପଦାର୍ଥ ଅବା ମାଗିପାରିବ ?

 

ବିନୋଦ କାନ୍ଥ ଘଣ୍ଟାର ଟିକ୍‍ଟିକ୍ ଶବ୍ଦ ଶୁଣୁଥିଲା ।

 

ତା’ର ମନେ ହେଉଥିଲା, ତା’ ଛାତି ଭିତରେବି ଗୋଟାଏ ଟାଇମ୍‍ପିସ୍ ସବୁବେଳେ ଟିକ୍‍ଟିକ୍ ଶବ୍ଦ କରି ଚାଲିଛି । ଏତେ ଆଘାତ ଯନ୍ତ୍ରଣା ସହିଲା ପରେବି ସେ କଳ ଘଣ୍ଟାର ଟିକ୍‍ଟିକ୍ ଶବ୍ଦ ନିସ୍ତବ୍ଧ ହୋଇଯାଇନାହିଁ !

 

ପ୍ରଣତି କିପରି ଅସ୍ଥିର ହୋଇ ଉଠୁଥିଲା !

 

ନିଜ ମାନସିକ ଅସ୍ଥିରତାକୁ ଚାପି ରଖି ନପାରି ସେ ପଚାରିଲା, ସତ କୁହତ ମତେ ବିବାହ କରିଥିଲେ ତମେ ସୁଖୀ ହୋଇଥାଆନ୍ତ ? ହୋଇଥିଲେ ସେ ସୁଖଟା କି ପ୍ରକାର ସୁଖ !

 

ବିନୋଦର ମନେ ହେଲା ସେ ଯେମିତି ପାଞ୍ଚବର୍ଷ ତଳର ସେ ଛାଇଛାଇଆ ଅତୀତ ଭିତରକୁ ଫେରିଯାଇଛି...ସମୟର କେଉଁ ଶୀର୍ଣ୍ଣ ସ୍ରୋତା ନଈକୂଳରେ ପ୍ରଣତି ପାଖରେ ବସି ମୁହଁକୁ ମୁହଁ ଯୋଡ଼ି ଗପ କରୁଛି... ସେ ନଈ ପଠାର ଖରିବଣ...ଶୁଖିଲା ବଲଚର କିମ୍ବା ଖୁବ୍ ଦୂରରେ ନଈ ମଝିରେ ଭାସି ଯାଉଥିବା ହୁଲି ଡଙ୍ଗାକୁ ଅକାରଣରେ ନିରେଖି ନିରେଖି ଚାହୁଁଛି...ଆଉ ତା’ର ସେ ଏକାଗ୍ରତା ଭାଙ୍ଗିବାପାଇଁ ତା’ ପାଖରେ ଅଳି କଲା ଭଳି ବିନୀତ କଣ୍ଠରେ ପ୍ରଣତି ପଚାରୁଛି, ସତ କୁହ ତ... !

 

ନା–ଏମିତିବି ତା’ର ଧାରଣା ହେଉଛି; ପ୍ରଣତି ଆଉ ସେ ନିର୍ଜନ କେଉଁ ରାତ୍ରିରେ ଦୁହେଁ ହାତ ଧରାଧରି ହୋଇ ଚାଲିଛନ୍ତି ।

 

ନିଶୂନ ରାତିରେ ଶୁଭୁଛି କେଉଁ ରାସ୍ତା କୁକୁରର ଭୁକା...ଝରା ପତ୍ରର ମର୍ମର ଯୋଗୁଁ ସେ ପଥଚଲା ବୋଧହେଉଛି ଏକାନ୍ତ ଭିତ୍ତିପ୍ରଦ । ଆଉ ସେହି ଅସହ୍ୟ, ଭୟସଞ୍ଚାରୀ ନୀରବତା ଭଙ୍ଗକରିବାକୁ ପ୍ରଣତି କହୁଛି, କିଛି କୁହନା ! ଚୁପ୍ ହୋଇ ଚାଲିଲେ ଭୟ ଲାଗୁଛି...ଗୋଟାଏ କାହାଣୀ କୁହ... ।

 

ନା–ପାଞ୍ଚବର୍ଷ ତଳର ସେ ଛାୟାଚ୍ଛନ୍ନ ଅତୀତ ନୁହେଁ, ଏ ପାଞ୍ଚବର୍ଷ ପରବର୍ତ୍ତୀ ସମୟର ଏକ ନିଷ୍ଠୁର ବାସ୍ତବ ଅପରାହ୍ନରେ ଅନ୍ୟ ଜଣେ ପୁରୁଷର ପତ୍ନୀ ପ୍ରଣତି ପ୍ରଶ୍ନ କରୁଛି, ନିହାତି କୌତୂହଳ ବଶବର୍ତ୍ତୀ ହୋଇ ! ଏ ପ୍ରଶ୍ନର ଉତ୍ତର ସହିତ ତା’ର କିଛି ଯାଏଁ ଆସେ ନାହିଁ; ଏ ପ୍ରଶ୍ନ କେବଳ କିଛି ସମୟ କଟାଇବା ପାଇଁ !

 

ଆରେ ଚୁପ୍ ରହିଲ କାହିଁକି ? କୁହନା...

 

କହିବି ? କ’ଣ କହିବି ? ସତ କହିବି ନା ମିଛ କହିବି ? ନା–ଯାହା ଅଙ୍ଗେ ନିଭେଇଛି ତାହା କହିବି... !

 

ଜୀବନରେ ଅନେକ ମିଛ ତ କହିଛ ! ଅନ୍ତତଃ ଆଜି ଥରେ ସତ କୁହ... । ପ୍ରଣତି କଣ୍ଠରେ ଶିଶୁସୁଲଭ ଅନୁନୟ । ସତେ ଯେପରି ବିନୋଦ ତାକୁ ବାହା ହୋଇଥିଲେ ସୁଖୀ ହୋଇଥାଆନ୍ତା କି ନାହିଁ ସେ କଥା ଜାଣିଗଲେ ତା’ ଜୀବନର ଏକ ଜଟିଳ ସମସ୍ୟାର ସମାଧାନ ହୋଇଯିବ !

 

ବିନୋଦ କହିଲା, ବିବାହ କରିଥିଲେ ସୁଖୀ ହୋଇ ଥାଆନ୍ତି କି ନାହିଁ ସେ କଥା ମୁଁ ଆଜି ଆଉ ଅନୁମାନ କରି ଲାଭ ନାହିଁ । କିନ୍ତୁ ତମକୁ ପାଇଲେ ମୁଁ କିପରି ସୁଖୀ ହେବି,ସେ ସମ୍ପର୍କରେ ମୋ ମନରେ ଅନେକ ସ୍ୱପ୍ନ ଥିଲା । ତମେ ଅନ୍ୟତ୍ର ବିବାହ କରିଗଲା ପରେ ଆମର ବିବାହ-ଭଙ୍ଗ ନୁହେଁ, ସେହି ସ୍ୱପ୍ନଭଙ୍ଗହିଁ ହେଲା ! ଆଉ ମୋର ସେ ବହୁବାଞ୍ଛିତ ସୁଖର ରଙ୍ଗ କେମିତି ବୋଲି ଜାଣିବାକୁ ଚାହଁ ! ସେ ମୋର ସୁନେଲି ରଙ୍ଗର ସୁଖ...ଅନେକ ସମୟରେ ସେ ସୁଖ ଏଣେତେଣେ ଢାଳି ହୋଇଯାଇ ମନକୁ ମୋର ସୁନେଲି କରି ଦେଇଛି...ସେ ସୁନେଲି ସୁଖର ସ୍ୱପ୍ନରେ ମୁଁ ଅନେକ ଥର ବିହ୍ୱଳିତ ହୋଇଛି...କଳ୍ପନା କରିଛି ତମର ସୁନାର ଆଙ୍ଗୁଠି ସବୁ ଯେତେବେଳେ ମୋ ସ୍ନାୟୁତନ୍ତ୍ରୀରେ ବେହେଲା ବଜାଇବ, ସେ ସୁନେଲି ସୁଖ ମୋ ଜୀବନର ସମସ୍ତ କାଳିମାକୁ ସୁନାର ରଙ୍ଗରେ ଝଲସାଇ ଦେବ !

 

ମଝିରୁ କଥା ବନ୍ଦ କରିଦେଇ ବିନୋଦ ଦେଖିଲା ଆଖିବୁଜି ଏକଲୟରେ ତା’ କଥା ଶୁଣୁଛି ପ୍ରଣତି । ତା’ ସୁନେଲି ସୁଖର ମାୟା ପ୍ରଣତିର ଚେତନାକୁବି ତନ୍ଦ୍ରାଛନ୍ନ କରି ଦେଇଛି !

 

କିନ୍ତୁ ମୋର ସେ ସୁନେଲି ରଙ୍ଗର ସ୍ୱପ୍ନକୁ ତମେ ତ ଖୁଣ୍ କରିଛ ପ୍ରଣତି ! ମୋର ସେ ସୁଖ ରଙ୍ଗ ବଦଳାଇ ଲାଲ୍ ହୋଇ ଯାଇଛି । ଆଜି ଆଉ ସେ ସୁନେଲି ସୁଖର କଥା ମୁଁ ସ୍ମରଣ କରିବି କାହିଁକି ?

 

ପ୍ରଣତି ଚମକି ଉଠିଲା ।

 

ବିନୋଦ ଯେ ତା’ ବିରୁଦ୍ଧରେ ରୀତିମତ ଅଭିଯୋଗ କରୁଛି ! ତାକୁ ଖୁଣୀ ଆସାମୀ ବୋଲି ପ୍ରମାଣ କରୁଛି ! ତା’ର ସ୍ୱାମୀର ଘରେ... ।

 

ତମେ ଭାରି ଉତ୍ତେଜିତ ହୋଇ ଉଠୁଛ ବିନୋଦ ! ସ୍ୱପ୍ନର ପ୍ରାଣ ନାହିଁ; ପ୍ରାଣହୀନ ସ୍ୱପ୍ନକୁ ଖୁଣ୍ କଲେ ସେଥିରୁ ରକ୍ତ ବାହାରେ ନାହିଁ । ତମ କଥାରୁ ମୁଁ ବୁଝୁଛି ତମେ ଦୁଃଖୀ, ଭାରି ଦୁଃଖୀ । ଯେତେ ଦିନ ପର୍ଯ୍ୟନ୍ତ ମୋ କାର୍ଯ୍ୟରୁ ତମେ କେବଳ ଦୋଷ ବାହାର କରୁଥିବ, ସେତେଦିନ ପର୍ଯ୍ୟନ୍ତ ତମେ ସୁଖ ପାଇବ ନାହିଁ, ଶାନ୍ତି ପାଇବ ନାହିଁ । ତମର ମଙ୍ଗଳପାଇଁ କହୁଛି, ତୁମେ ଭୁଲ୍ ବୁଝନାହିଁ; ତମ ସହିତ ପ୍ରତାରଣା କରିଛି ବୋଲି ଭାବନାହିଁ... ।

 

ସେ କଥା ଭାବୁନାହିଁ । ଭାବୁଥିଲେ ତମ ସୁଖର ସଂସାର ନିଜ ଆଖିରେ ଦେଖିବାପାଇଁ ମୁଁ ଏଠାକୁ ଛୁଟି ଆସନ୍ତି ନାହିଁ । ତମେ ଏମିତି ଭାବୁଛ କାହିଁକି ? ମୁଁ କେବଳ ସତ୍ୟ କହୁଛି, ଯାହା ଦିନେ ଘଟି ଯାଇଥିଲା, ତାହାହିଁ କହୁଛି । ଯାହା ସତ୍ୟ ତାହା କହି ଯଦି ମତେ ଦୁଃଖ ପାଇବାକୁ ପଡ଼େ, ଭଗବାନଙ୍କୁ ଡାକ ସେ ଦୁଃଖ ସହିବାକୁ ସେ ଯେପରି ମତେ ଶକ୍ତି ଦେବେ ।

 

ଏଥର ମିନିଟ କଣ୍ଟା ନୁହେଁ, କାନ୍ଥ ଘଣ୍ଟାର ଘଣ୍ଟାକଣ୍ଟାହିଁ ଶବ୍ଦ କଲା ।

 

ପ୍ରଣତି କହିଲା, ତମ ସାଙ୍ଗରେ ଅନେକ ସମୟ ଧରି ଗପ କରୁଛି । ନା ! ଏଇ ଘଣ୍ଟାକୁ ଚାହଁ... !

 

ବିନୋଦ ଘଣ୍ଟାକୁ ଚାହିଁବା ଆଗରୁ ପ୍ରଣତିର ମୁହଁକୁ ଚାହିଁଲା । ଦୃଷ୍ଟି ତା’ର ଇଙ୍ଗିତମୟୀ ହୋଇ ଉଠିଛି ।

 

ଅନେକ ସମୟ ଧରି ଗପକରିଛି ବୋଲି ନୁହେଁ; ତା’ର ସ୍ଵାମୀଙ୍କ ଆସିବା ସମୟ ଯେ ପାଖ ହୋଇଗଲାଣି, ସେ କଥା ବୋଧହୁଏ ସେ ଘଣ୍ଟାକୁ ଚାହିଁ ବୁଝିବାକୁ ତ କହୁଥିଲା ।

 

ବିନୋଦ ଉଠି ଠିଆ ହେଲା ।

 

ଉଠିଲ ଯେ–ମୁଁ ଟିକିଏ ଜଳଖିଆ ଆଣେ !

 

ଅତିଥି-ପରାୟଣା ଗୃହିଣୀ ଭଳି ଉଠି ଠିଆ ହେଲା ପ୍ରଣତି ।

 

ବିନୋଦ ବାଧା ଦେଲା, କହିଲା ଆଉ–ତମର ସମୟ ନଷ୍ଟ କରିଛି, ତମ ସ୍ଵାମୀଙ୍କ ଜିନିଷ କିଛି ଖାଇ ନଷ୍ଟ କରିବି ନାହିଁ ।

 

ସେ’ତ ମୋ ମୁହଁରୁ ଆହାର କାଢ଼ି ଆଣିଛନ୍ତି, ଆଜି ତାଙ୍କ ଘର ଜଳଖିଆ ଖାଇ ଯିବି କାହିଁକି ?

 

ପ୍ରଣତିର ମୁହଁ କଳା ପଡ଼ିଗଲା ।

 

ଆଘାତରେ କି ଅପମାନରେ ସେ ଜର୍ଜରିତ ହେଲା, ସେ କଥା ଲକ୍ଷ୍ୟ କରିବାକୁ ଅପେକ୍ଷା କଲା ନାହିଁ ବିନୋଦ ।

 

ଅପରାହ୍ନର ଆଲୋକ ସେତେବେଳକୁ ମଳିନ ହେବାକୁ ଆରମ୍ଭ କରିଛି ମାତ୍ର !

 

।। ଦୁଇ ।।

 

ଏ ଯେ ବସନ୍ତ !

 

ପବନ କିପରି ସୁରଭିତ ଆଉ ରେଶମ ଭଳି ନରମ ନରମ ଲାଗୁଛି । ଉତ୍ତେଜନାର ସ୍ପର୍ଶ ଛିଞ୍ଚାଡ଼ି ଦେଉଛି ଏଣେତେଣେ; ମନ ଭିତରେ ହା-ହୁତାଶ । ବସନ୍ତ ଆସିଗଲା ଚୁପ୍‍କିନା ଶୋଇ ରହିଥିଲା ବିନୋଦ ! ଗୁଣୁଗୁଣୁ ହୋଇ ମନେମନେ ଗୀତ ଗାଉଥିଲା ବସନ୍ତ ଫେରି ଅନା... ! ରେଡ଼ିଓରେ ବୋଧହୁଏ ଏକ ଯନ୍ତ୍ର ସଙ୍ଗୀତର ରେକର୍ଡ଼ ବାଜୁଛି । ନା–ବୋଧହୁଏ ଗୋଟାଏ ରାଗ ସଙ୍ଗୀତ । ଏ ସଙ୍ଗୀତର କିଛି ମାନେ ବୁଝେନାହିଁ ବିନୋଦ । ଆଗେ କୌଣସି ରାଗ ସଙ୍ଗୀତର କାର୍ଯ୍ୟକ୍ରମ ଥିଲେ ସେ ରେଡ଼ିଓ ବନ୍ଦ କରି ଦେଉଥିଲା କିମ୍ବା ଅନ୍ୟ କୌଣସି ଷ୍ଟେସନ୍‍ ଧରାଇବାକୁ ଚେଷ୍ଟା କରୁଥିଲା । ଆଜିକାଲି ସୁଲଳିତ କଣ୍ଠ ସଙ୍ଗୀତ ଅପେକ୍ଷା ଯନ୍ତ୍ର ସଙ୍ଗୀତ ତାକୁ ବେଶୀ ଭଲ ଲାଗୁଛି । ସଙ୍ଗୀତର କଥା ଅପେକ୍ଷା ଅଧିକ ପ୍ରିୟ ହୋଇଛି ତା’ର ସଙ୍ଗୀତର ସ୍ୱର । ଜୀବନର ମୋଡ଼ ବଦଳି ଯାଇଛି । ଜୀବନକୁ ଏକ ଭିନ୍ନ ଦୃଷ୍ଟି, ନୂତନ ଦୃଷ୍ଟିକୋଣରୁ ବୁଝିବାକୁ ସେ ଚେଷ୍ଟା କରୁଛି । ସବୁ ଦିନେ ଏକପ୍ରକାର ବଞ୍ଚି ରହିବାକୁ ଭଲ ଲାଗେ ନାହିଁ । ବଞ୍ଚି ରହିବାର ପ୍ରଣାଳୀ ଜୀବନଧାରଣର ପ୍ରକାର ଅଦଳବଦଳ ନହେଲେ ଜୀବନଟା ବିରକ୍ତିକର ମନେ ହୁଏ । ପ୍ରଣତି ତା’ ଜୀବନର ସ୍ନାୟୁ ଗ୍ରନ୍ଥିରେ ଦିନେ ଉତ୍ତାପ ସଂଚାରିତ କରିଥିଲା । ଆଉ ଦିନେ ସେ ଅନୁଭବ କଲା ସେ ସ୍ନାୟୁଗ୍ରନ୍ଥି ତା’ର ଶୀତଳ, ହିମ-ବରଫରେ ପରିଣତ ହୋଇଯାଇଛି । କଳ୍ପନାର ବେଲୁନଟା ଫାଟି ଠୋ... ! ପ୍ରଣତି କଥା ମନେ ପଡ଼ିଲେ କିଛିଦିନ ତଳେ ତାକୁ ଦୁଃଖ ଲାଗୁଥିଲା । ଏବେ ହସ ଲାଗୁଛି । ପ୍ରଥମ ପ୍ରଥମ ମିଳାମିଶା ଦିନଗୁଡ଼ିକରେ ପ୍ରଣତି ତାକୁ ମନେ ହୋଇଥିଲା ଏକ ଦୁର୍ବୋଧ୍ୟ ଗଦ୍ୟ କବିତା । ଯେ ବୁଝି ନହୁଏ ତାକୁ ବୁଝିବାକୁ ସେତେ କୌତୂହଳ ବଢ଼େ । ଯେଉଁଦିନ ଦୁର୍ବୋଧ୍ୟ ଥିଲା ପ୍ରଣତି, ସେଦିନ ତାକୁ ବୁଝିବାପାଇଁ ସେ ଥିଲା ଉତ୍କଣ୍ଠିତା । ଦୁର୍ବୋଧ୍ୟତାର ଗୋଟିଏ ଫାଶ ଖୋଲି ଦେଇ ପାରିଲେ ଏକ ଅନାସ୍ଵାଦିତ ତୃପ୍ତିରେ ତା’ର ଆଖି ବୁଜି ହୋଇ ଆସୁଥିଲା । ସବୁ କାମକୁ ପଛରେ ପକାଇ ପ୍ରଣତି ମନର ଗଣ୍ଠିକୁ ଫିଟାଇବା ପାଇଁ ସେ ସାଧନା କରୁଥିଲା । କିନ୍ତୁ ଆଜି । ନା–ସେ ପ୍ରଣତିକୁ ଯାହା ବୋଲି ଭାବୁଥିଲା, ସେ ତା’ ନୁହେଁ । ଧ୍ୱନି-ମଧୁର ଗୀତିଧର୍ମୀ ଦୁର୍ବୋଧ୍ୟ ଗଦ୍ୟ କବିତା ନୁହେଁ–ପ୍ରଣତି ଏକ ସହଜବୋଧ୍ୟ ସରଳ ଗଦ୍ୟ ହୋଇଯାଇଛି ଆଜି । ସ୍ଥୂଳ ସୁଖରେ ସେ ଆଜି ସାମାନ୍ୟ ଏକ ନାରୀ । ତା’ପାଇଁ ଆଜି ଆଉ ତା’ର କୌଣସି ଆକର୍ଷଣ ନାହିଁ । ବରଂ ତା’ ନିଜ ମନ ତା’ ପାଖରେ ଆଜି ଲୁଚକାଳି ଖେଳୁଛି । ତା’ ନିଜ ମନ ତା’ ପାଖରେ ଚରମ ଅବୋଧ୍ୟ । ସେ ନିଜେ କ’ଣ ଚାହେଁ ? କ’ଣ ପାଇଲେ ସେ ନିଜେ ସୁଖୀ ହେବେ ? ବିପୁଳ ଅର୍ଥ, ପ୍ରଚୁର ସାମାଜିକ ସମ୍ମାନ ! ନା–ଏକ ସୁନ୍ଦରୀ ସୋହାଗିନୀ ପତ୍ନୀ ! ନା–ନା–ଆଜି ଚାହିଁଲେ ଏ ସବୁ ସେ ସହଜରେ ନିଜ ହାତପାଆନ୍ତାରେ ପାଇପାରେ...କିନ୍ତୁ ଏ ସବୁ କୌଣସି କଥାପାଇଁ ତା’ର ଆଉ ଆକର୍ଷଣ ନାହିଁ । ସେ କଷ୍ଟ କରି ସାଧନା କରି ନିଜ ଭିତରେ ଏକ ଶୂନ୍ୟତା, ଅଭାବବୋଧ ସୃଷ୍ଟି କରିଛି । ନିଜ ମନର ଶୂନ୍ୟତା ଭିତରେ ସେ ସନ୍ତରଣ କରି ନିଜେ ସୁଖୀ ହୋଇଛି । ସେ ଶୂନ୍ୟତା ପୂର୍ଣ୍ଣ ହୋଇଗଲେ ତା’ ବଞ୍ଚି ରହିବାର ଆବଶ୍ୟକତା ଶେଷ ହୋଇଯିବ ବୋଲି ସେ ଭୟ କରୁଛି । ହୋଇପାରେ ଏହା ଏକ କୃତ୍ରିମ, ନିଜଗଢ଼ା, ଅନାବଶ୍ୟକ ଭୟ । ମଦନ, ସୀତାନାଥଙ୍କ ଭାଷାରେ, ଏକ ଫେସନ ! କିନ୍ତୁ ଏ ସବୁରେ ତା’ର କିଛି ଯାଏଁ ଆସେ ନାହିଁ । ସଂସାରରେ ସମସ୍ତ ଯେଉଁପ୍ରକାରେ ସୁଖୀ ହୋଇଛନ୍ତି, ସେ ଠିକ୍ ସେହି ଭାବରେ ସୁଖୀ ହେବାକୁ ଚାହେଁ ନାହିଁ । କାରଣ ସେ ଏକ ଭିନ୍ନ ପ୍ରକାର ମଣିଷ । କିନ୍ତୁ ମୂଳରୁ ସେ କ’ଣ ଏମିତି ଭିନ୍ନ ପ୍ରକାର ଲୋକ ଥିଲା ? ନା–ପ୍ରଣତି ତାକୁ ଆଉ ଏକପ୍ରକାରରେ ପରିଣତ କରିଦେଲା । ପ୍ରଣତି ତା’ର ସବୁ କିଛି କ୍ଷତି କରିଛି ବୋଲି ସେ କହିବାକୁ ଚାହେଁ ନାହିଁ । ନିଜ ଅଜାଣତରେ, ନିଜ ପ୍ରଣତି ତା’ ଭିତରେ ଏପରି ଅନେକ ନୂତନ ଶକ୍ତି, ନୂତନ ଜୀବନ–ଦର୍ଶନ ସଂଚାରିତ କରିଛି, ଯାହା ଫଳରେ ସେ ଆଜି ଏକ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ ହୋଇଗଲା । ଆଜିତ ବସନ୍ତ ଆସିଛି...ଶୀତଜୀର୍ଣ୍ଣ ମଳିନ ପୃଥିବୀ ସୁରଭିତ ଏକ ହୀରା ଝଲମଲ ବାସନ୍ତୀ ପୋଷାକ ପିନ୍ଧି ଝଲସୁଛି, ମହକୁଛି । କିନ୍ତୁ ସେ ଦିନ ତା’ ଜୀବନର ନୀଳ-ନିର୍ଜନ କାଶତଣ୍ଡୀହସା ଶରତବେଳା ! ମନର ଆକାଶରେ ଅନେକ ଭସାମେଘର ଭେଳା ଭାସି ଯାଉଥିଲା । ଏକ ଉଗ୍ର ଆଗ୍ରହରେ ସେ ବ୍ୟାକୁଳ ହେଉଥିଲା, କୌଣସି ଏକ ସ୍ଵପ୍ନର କୁମାରୀ କନ୍ୟାକୁ ପ୍ରେମ କରିବାକୁ । ଆହା ! ତା’ର ସେ ସୋହାଗୀ ପ୍ରେମର ନୀଳସ୍ୱପ୍ନ ! କଳ୍ପନା ଇନ୍ଦ୍ରଧନୁର ସାତରଙ୍ଗରେ ମନର ଶରତ ଆକାଶ ସେଦିନ ତା’ର ବର୍ଣ୍ଣିଳ ହୋଇଉଠିଥିଲା । ଫୁଲରେ ଫୁଲରେ ସଜାଇଥିଲା ସେ ତା’ର ମନର ସିଂହାସନ । ତା’ କଳ୍ପନାର ରାଜକନ୍ୟାକୁ ସ୍ୱୟମ୍ବର କରିବାପାଇଁ ତା’ର ସେ ପ୍ରଥମ ତାରୁଣ୍ୟରେ କି ଗଭୀର ଉତ୍ତେଜନା ! ହଁ...ଶୁଭ୍ର ଶରତ ଆକାଶରେ ଏକ ନୀଳ–ବିହଙ୍ଗ ଭଳି ସେ ଦିନ ପକ୍ଷ ତୋଳି ଉଡ଼ି ଯାଇଥିଲା ପ୍ରଣତି ତା’ ମନର ଆକାଶରେ...ଚକିତ ଦୃଷ୍ଟିରେ ଚାହିଁ ସେ ପ୍ରଶ୍ନ କରିଥିଲା, ତମେ କିଏ ? ତମେ କିଏ ଗୋ ନିଲବିହଙ୍ଗୀ ! କେଉଁ ଦୁରନ୍ତ ଝଡ଼ ରାତିରେ ଏକ ନିଃସଙ୍ଗ...ନୀଡ଼ହରା ବିହଙ୍ଗୀ ଯେପରି ପ୍ରକମ୍ପିତ ଝାଉଁଗଛକୁ ଆଶ୍ରୟ ଭିକ୍ଷା କରେ ଠିକ୍ ସେମିତି ସେଦିନ ପ୍ରଣତି ତା’ ମନର-ଅରଣ୍ୟରେ ନୀଡ଼ ଭିକ୍ଷା କରିଥିଲା । ତା’ ଥରଥର ବୁକୁର କମ୍ପନକୁ ଶାନ୍ତ କରିବାପାଇଁ ତା’ର ଉଦ୍‍ବେଗ-ଅସ୍ଥିର ମନର ଉଷ୍ମତାକୁ ଶୀତଳ କରିବାପାଇଁ ସେ ତାକୁ କୋଳକୁ ତୋଳି ନେଇଥିଲା । ତା’ ରକ୍ତିମ ଚଞ୍ଚୁରେ ତା’ର ମୁହଁ ରଖି ସେ କହୁଥିଲା, ‘‘ଆଗୋ ମୋର ସୋହାଗିନୀ ନୀଳ-ପକ୍ଷୀ ! ମୁଁ ତୁମକୁ ମୋର ସ୍ନେହ, ପ୍ରେମ, ଭଲ ପାଇବାର ଅମୃତ ଦେଇ ସୁଖୀ କରିବି...କଥା ଦିଅ; ଝଡ଼ ଶାନ୍ତ ହୋଇଗଲା ପରେ ତମେ ମୋତେ କୋଳ ଶୂନ୍ୟ କରି ଚାଲିଯିବ ନାହିଁ ତ ?’’ ବିନୋଦର ମନେ ଅଛି ତା’ କଥା ଶୁଣି ପ୍ରଣତି ନାମକ ସେ ପକ୍ଷୀ ଯାକିଯୁକି ହୋଇ ତା’ ଦେହ ସହିତ ଘନିଷ୍ଠ ହୋଇଯାଇଥିଲା । ନୀରବ ସ୍ୱୀକୃତିର ସ୍ୱାକ୍ଷର ଆଙ୍କିଥିଲା ନିଜ ମୁଦିତ ଆଖି ପତାରେ । ତା’ପରେ ... ! ତା’ପରେ ଝଡ଼ ଉଠିଲା କୃଷ୍ଣଚୂଡ଼ାର ଅରଣ୍ୟରେ । ରକ୍ତର କୃଷ୍ଣଚୂଡ଼ା କେତେ ଲାଲ୍...କେତେ ସତେଜ ! ଝଡ଼ର ତାଳରେ ନାଚିଥିଲା ଶୋଣିତ ତରଙ୍ଗ । ସେହି ଥାଳଥାକ ରକ୍ତର ଢେଉରେ ଉଛୁଳି ପଡ଼ିଥିଲା ଉତ୍ତେଜନାରେ ଉଷ୍ଣତା । ସାରା ଜୀବନପାଇଁ ପ୍ରଣତିକୁ ନେଇ ଏକ ସୁଖର ନୀଡ଼ ରଚନାପାଇଁ ଅନେକ ସ୍ୱପ୍ନ ଖୁନ୍ଦି ହୋଇଯାଇଥିଲା ତା’ର ମନରେ । ତା’ପରେ ତା’ର ସେହି ପ୍ରଣୟିନୀ ନୀଳ ପକ୍ଷୀ ତା’ ହୃଦୟ ଆକାଶରେ ଜଳିଥିଲା ଏକ ଉଜ୍ଜ୍ୱଳ ଭୀରୁ ତାରା ହୋଇ । ବିନୋଦ ଜୀବନରେ ଅର୍ଥ ଖୋଜି ପାଇଥିଲା ପ୍ରଣତିର ସମୁଦ୍ରନୀଳ ଆଖିରେ । ସୁନେଲି ସୁଖର ରଙ୍ଗରେ ମନ ତା’ର ରଙ୍ଗିନ ହୋଇ ଉଠିଥିଲା । ଛୋଟ ଗୋଟିଏ ପରିବାର, କିଛି ଶାନ୍ତି କିଛି ତୃପ୍ତିର ନାନା ରଙ୍ଗରେ ତା’ ମନର ବିବର୍ଣ୍ଣ ଚିତ୍ରପଟ ଚିତ୍ରିତ ହୋଇ ଯାଇଥିଲା । କିନ୍ତୁ ଯେଉଁଦିନ ସେ ଦେଖିଲା ନୀଡ଼ ତା’ର ଶୂନ୍ୟ... ! ଅନ୍ୟ କାହା ନୀଡ଼ରେ ସୁନାର ଅଣ୍ଡା ଦେବାପାଇଁ ପ୍ରଣତି ନାମକ ସେହି ପ୍ରଣୟ ପକ୍ଷୀ ଉଡ଼ିଯାଇଛି ! ହଁ ସେ ଭାଙ୍ଗି ପଡ଼ିଥିଲା । ଜଣକୁ ଉତ୍ସର୍ଗ କରି ଦେଇଥିବା ନିଜ ହୃଦୟର ସ୍ନେହ ପ୍ରୀତିକୁ ପୁଣି ଫେରାଇ ଆଣି ନିଜ ମନର ଶୂନ୍ୟସ୍ଥାନରେ ସାଇତି ରଖିବାପାଇଁ ତାକୁ କାନ୍ଦ ମାଡ଼ିଥିଲା । କିନ୍ତୁ ଆଜି ତା’ର ସେଥିପାଇଁ କିଛି ଅବସୋସ ନାହିଁ । ପ୍ରଣତି ଆଜି ତା’ ପାଖରେ ସନ୍ତାନ ଜନ୍ମ ଦେବାର ଏକ ଯନ୍ତ୍ର ମାତ୍ର; ଆଉ ବିଶେଷ କିଛି ନୁହେଁ । ତା’ପାଇଁ ଶୋଚନା କରି କିଛି ଲାଭ ନାହିଁ । ପ୍ରଣତିକୁ ସେ ଭୁଲି ଯାଇଛି । ତା’ କୋଳରେ ପକ୍ଷୀ ଆଉ କାହା ନୀଡ଼ରେ ଅଣ୍ଡା ଦେଇଛି ବୋଲି କ୍ଷୋଭରେ ବୁକୁ ତା’ର ଫାଟିଯାଉ ନାହିଁ । ବରଂ ଦୟା ହେଉଛି, ଆହା ! ବିଚାରୀ ବିହଙ୍ଗ ! ସାମାନ୍ୟ ଟିକିଏ ଉଷୁମୁ ପାଇବାପାଇଁ କେତେ ଅରଣ୍ୟ, କେତେ ନୀଡ଼ ତାକୁ ବୁଲିବାକୁ ହେଲା ! ଆରେ, ରେଡ଼ିଓଟା ସେଁ ସେଁ ହେଉଛି ଯେ ! ଦିନର କାର୍ଯ୍ୟକ୍ରମ କ’ଣ ଶେଷ ହୋଇଗଲାଣି ! ଆଉ–ବନ୍ଦ କରି ଦିଆଯାଉ ରେଡ଼ିଓର ସୁଇଚ୍ । ଏଣେ ସେ ଲେଦର ପୋର୍ଟଫଓଲିଓ ଆଉ ଡାଏରିଟା ଯେ ଟେବୁଲ ଉପରେ ମୁହଁମାଡ଼ି ପଡ଼ିଛି ! ବିନୋଦ ରେଡ଼ିଓ ବନ୍ଦ କରି ଦେବାକୁ ଗଲାବେଳେ ସେ ଚମଡ଼ା ପୋର୍ଟଫୋଲିଓ ଆଉ ଡାଏରି ଦେଖି ହଠାତ୍ ସଚେତନ ହେଲା ଯେ, ସେ କେବଳ ଜଣେ ଏକଦା-ପ୍ରେମିକ ନୁହେଁ, ସେ ଆଜି କେବଳ ମାତ୍ର ଜଣେ ଇନ୍‍ସୁରେନ୍‍ସ ଏଜେଣ୍ଟ ! ଜୀବନବୀମାର ବିକଳ୍ପ ନାହିଁ ! ବିନୋଦ ବାକ୍ୟଟି ଉଚ୍ଚାରଣ କରି ମନେମନେ ହସିଲା । ଓଃ, ଜୀବନବୀମାର ବିକଳ୍ପ ନାହିଁ : ଆଉ ପ୍ରେମ, ପ୍ରଣୟର କିଛି ବିକଳ୍ପ ଅଛି କି ?

 

ଆଜି ବସନ୍ତ !

 

ଅଥଚ ଏହିପରି ଏକ ନାତିଶୀତୋଷ୍ଣ ବସନ୍ତ ସନ୍ଧ୍ୟାରେ, ମୁଗ କିଆରିରେ ଖଣ୍ଡିଆଭୂତର ଧୂଳି ଯେତେବେଳେ ସନ୍ଧ୍ୟାର ରଙ୍ଗରେ ମଳିନ ପଡ଼ି ଆସୁଥିଲା ଅଥବା ଗାଁ ଆମ୍ବତୋଟା ମାଳରେ ଚଇତାଳି ପବନ ଯେତେବେଳେ ଅନେକଗୁଡ଼ାଏ ଉଚ୍ଛ୍ୱସିତ ଭାବପ୍ରବଣତାକୁ ଉଡ଼ାଇ ନେଇ କୋଇଲି କଣ୍ଠରେ ଗୀତ ହୋଇ ପୁଣି ଝରି ଆସୁଥିଲା କିମ୍ବା ଏପରି ହୋଇପାରେ, କେଉଁ କ୍ଷୀଣସ୍ରୋତା ନଈରେ ନାଆବାହି ନେଇ ଯାଉଥିବା ନାଉରି ଯେତେବେଳେ ଗୀତର ସ୍ୱର ଧରିଥିଲା, ଗଲାଣି ତ ଗଲା କଥାରେ ସଙ୍ଗୀତ...ସେତେବେଳେ ବିନୋଦ ଚାରିଆଡ଼ୁ ଦୃଷ୍ଟିଫେରାଇ ନିଜ ମନର ଅଭ୍ୟନ୍ତରକୁ ସନ୍ଦିଗ୍ଧ ଦୃଷ୍ଟିରେ ନିରୀକ୍ଷଣ କରୁଥିଲା, ଯେଉଁ ହୃଦୟର ନାମାବଳିରେ କେବଳ ଲେଖା ହୋଇଥିଲା ପ୍ରଣତିର ନାମ । ପ୍ରଥମ ପ୍ରଣୟରେ ସବୁରି ମନ ଏମିତି ବାଉଳି ହୁଏ । ଚୈତ୍ର ସନ୍ଧ୍ୟାରେ ଝିର ଝିର ପବନରେ ଭାସି ଯିବାକୁ ମନ ହୁଏ କେଉଁ ସ୍ୱପ୍ନପରୀର ଦେଶକୁ...ଡେଣା ନଥିଲେବି ଉଡ଼ିବାର ଇଚ୍ଛା ପାଗଳ କରେ ମନକୁ । ସେମିତି...ସେଇ ଚୈତ୍ର ସନ୍ଧ୍ୟାରେ ପ୍ରଣତିକୁ...ନିଜର ପ୍ରଣୟିନୀଙ୍କୁ ଏକ ମୂଲ୍ୟବାନ ଅତର ମନେ କରି ବିନୋଦ ଯେତେବେଳେ ନିଜ ନାସାରନ୍ଧ୍ର ପାଖରେ ଶିଶିର ଠିପିଖୋଲି ଦେଇଥିଲା, ଦାମୀ ଅତରର ମୃଦୁ ସୁରଭି ବଦଳରେ ଶସ୍ତା ଫୁଲରି ଅତରର ଉତ୍କଟ ଗନ୍ଧ ବାଜି ତା’ର ନାସାରନ୍ଧ୍ରର ସ୍ନାୟୁ ସବୁ ରିଂ...ରିଂ...ହୋଇ ଉଠିଥିଲେ । ହଁ, ସେ ହେଉଛି ପ୍ରଣତିର ଆଉ ଏକ ପୁରୁଷକୁ ବିବାହ କରି ଯିବାର ଦିନ । ପ୍ରଣତି ତାକୁ ପ୍ରେମ କରିଥିଲା କିନ୍ତୁ ବିବାହ କରିବାକୁ ମନା କରି ଦେଇଥିଲା । କାରଣ ସେ କୁଆଡ଼େ ଏକାନ୍ତ ଭାବରେ ସନ୍ଦେହୀ; ଅହଂକାରୀ । ତାକୁ ବଶୀଭୂତ କରିବା ପ୍ରଣତିର ସାଧ୍ୟାତୀତ ବ୍ୟାପାର । ସେ ସବୁ ସହିପାରେ, କିନ୍ତୁ ତା’ର ସ୍ୱାମୀର ସନ୍ଦେହୀ, ଅହଂକାରୀ ସେ ସହି ପାରିବ ନାହିଁ । ସେଥିପାଇଁ... । ପ୍ରତି ନାରୀ, ପ୍ରତି ପୁରୁଷର ଭଲ ପାଇବାର ପ୍ରଣାଳୀ ଯେପରି ସ୍ଵତନ୍ତ୍ର, ପ୍ରତ୍ୟେକ ପୁରୁଷ, ନାରୀପାଇଁ ବିବାହରେ ସଂଜ୍ଞା ମଧ୍ୟ ସେହିଭଳି ପୃଥକ୍ । କିଏ କେଉଁ ପ୍ରକାର ସ୍ୱାମୀ ବା ସ୍ତ୍ରୀ ନେଇ ସୁଖୀ ହେବ, ସେ ବିଷୟରେ ବିନୋଦର କିଛି କହିବାର ନଥିଲା । କିନ୍ତୁ ପ୍ରଣତି ତାକୁ ବିବାହ ନ କରି ଅନ୍ୟ କାହାକୁ ବିବାହ କରିବ, ସେ ସମ୍ପର୍କରେ ତା’ର ଅନେକ କିଛି କହିବାର ଥିଲା । ସେ କଥା ସେ ଖୁବ୍ ଉଚ୍ଚ କଣ୍ଠରେ ଚିତ୍କାର କରି କହିବ ବୋଲି ମନ ସ୍ଥିର କରି ନେଇଥିଲା । କିନ୍ତୁ ଠିକ୍ ଚିତ୍କାର କଲାବେଳେ ସେ ଅନୁଭବ କଲା ଏ ବସନ୍ତର ମଳୟ ଭଳି ପ୍ରଣତିର ନିଃଶ୍ୱାସ ତା’ ମୁହଁ ଉପରେ ସାଉଁଳି ହୋଇ ଯାଇଛି । ଏ ଅଧୀର, ମଦିର ମଳୟ କହିଯାଉଛି, ତମେ ସ୍ତବ୍ଧ ହୁଅ, ନୀରବ ହୁଏ ବିନୋଦ ! ପ୍ରଣତି ନାମ୍ନୀ ସେହି ଆକାଶଚାରିଣୀ ସୈରିଣୀ କିନ୍ନରୀକୁ ନିଜ ଗୃହାଙ୍ଗନରେ ଆବଦ୍ଧ କରିପାରିଲ ନାହିଁ ବୋଲି ଚିତ୍କାର କର ନାହିଁ । ତା’ କଲେ ପ୍ରଣତି ଭଳି ତମେ ମଧ୍ୟ ଛୋଟ ହୋଇଯିବ ! କେବଳ କ’ଣ ଛୋଟ ହୋଇ ଯିବାର ଭୟରେ, ସେଦିନ ସେ ନିଜ କଣ୍ଠନାଳୀର ଉଦ୍‍ଗତ ଚିତ୍କାରକୁ ପାଟିରେ ହାତ ଚାପି ଅଟକାଇ ଥିଲା । ନା–ନା–ଏତେ ବଡ଼ ନିର୍ମାୟା ପୁରୁଷ ସେ ନୁହେଁ । ସେ ଦିନ ସେ ନିଜ କଣ୍ଠନାଳୀର ଚିତ୍କାରକୁ ନିଜେ ଚାପି ରଖିଥିଲା । ନିଜର ସତ୍ୟ ଶକ୍ତିକୁ ନିଜେ ପରୀକ୍ଷା କରି ଦେଖିବାପାଇଁ । ଆଉ ଆଶ୍ଚର୍ଯ୍ୟଜନକ ଭାବରେ ସେ ପରୀକ୍ଷାରେ ସେ ଉତୀର୍ଣ୍ଣ ହୋଇଗଲା ! ଅବିବାହିତ ଜୀବନରେ ପ୍ରେମ ପ୍ରତାରଣାରେ ଯେପରି ସହ୍ୟ ଶକ୍ତିର ପ୍ରୟୋଜନ, ବିବାହିତ ଜୀବନରେ ସହିଷ୍ଣୁତା ସେହିପରି ଆବଶ୍ୟକ । ସେଥିପାଇଁ ସେହି ଦୁର୍ଲ୍ଲଭ ସହ୍ୟ ଶକ୍ତିକୁ ସେ ବହୁ କଷ୍ଟ କରି ସଂଗ୍ରହ କରିଥିଲା । ଆଜି ସେ ଜୀବନର ସମସ୍ତ ଗ୍ଳାନି, ଅବଶୋଷ ଭୁଲିଛି, ସେହି ସହନଶୀଳତାର ଯାଦୁକରୀ ଶକ୍ତିରେ । ଆଉ କେବେ କୌଣସି ଝିଅକୁ ବିବାହ କରି ନିଜ ଜୀବନ ସହିତ ଖେଳ ଖେଳିବି ନାହିଁ ବୋଲି ମଧ୍ୟ ସେଥିପାଇଁ ସେ ସଂକଳ୍ପ କରିଛି-। ନିଜ ମନର ଝରକା କବାଟ ସବୁଠାରେ ସେ ଝିଅମାନଙ୍କ ପାଇଁ ଲେଖି ମାରି ଦେଇଛି 'ପ୍ରବେଶ ନିଷେଧ ।’ କିନ୍ତୁ ଏ ବସନ୍ତ ଆସିଗଲେ, ପବନରେ ପ୍ରକୃତିରେ ମହୁଆ ନିଶା ଲାଗିଗଲେ ସେ ଏମିତି ଅନ୍ୟମନସ୍କ ହୋଇ ଉଠୁଛି କାହିଁକି ? କ’ଣ ପାଇଁ ତା’ ମନବୀଣାର ସେଇ ସୂକ୍ଷ୍ମ ତାରସବୁ ବେସୁରା ରାଗିଣୀରେ ଅନୁରଣିତ ହୋଇ ଉଠୁଛି ! ବିନୋଦ ନିଜର ଦାନ୍ତରେ ଓଠକୁ ଚାପି ଧରିଲା-। ନିଜ ମନକୁ ସୁଦୃଢ଼ କରି ସ୍ୱଗତୋକ୍ତି କଲା, ହଁ ମୁଁ ସ୍ୱାର୍ଥପର, ଅହଂକାରୀ । କାରଣ ମୁଁ ପୁରୁଷ-। ମୁଁ ନିରହଙ୍କାରୀ, ସ୍ୱାର୍ଥତ୍ୟାଗୀ ମହାପୁରୁଷ ନୁହେଁ । ପୌରୁଷକୁ ବାଦ୍ ଦେଇ ପ୍ରେମିକ ହେବାରେ ମୋର କିଛି ଆନନ୍ଦ ନାହିଁ । ମୁଁ କାହାରି ଦାନ ହାତପାତି ନେଇ ନିଜକୁ ଭାଗ୍ୟବାନ କରିବାକୁ ଚାହେଁ ନାହିଁ; ମୁଁ ଏମିତି ଏକାକୀ ରହିବି, ନିଃସଙ୍ଗ, ନିର୍ଲିପ୍ତ ଭାବରେ ଜୀବନ କାଟି ଦେବି-। ଏଥିରେ ସୁଖୀ ହେବି କି ନାହିଁ ! ଆହା ମୋ ସୁନେଲି ସୁଖ ! ଏହି ସୁଖପାଇଁ କେତେ କଷ୍ଟ ମୁଁ ସହିଛି । ପୁଣି କାହିଁକି ସେ ସୁଖର କନକ-ମୃଗ ପଛରେ ଧାଇଁ ମୁଁ କଷ୍ଟ ପାଇବି ! ଆଜି ବସନ୍ତ ଆସିଛି; ଆସୁ ! ମୋ ମନରେ ରୁଦ୍ଧ ଦରଜାରେ ମଥାପିଟି କାନ୍ଦୁ ଏ ବ୍ୟାକୁଳ ବସନ୍ତ । କିନ୍ତୁ ମୁଁ ମୋ ମନର ଦରଜା ଖୋଲିବି ନାହିଁ । ମୋ ନିଜ ମନକୁ ମୁଁ...ଶୀତ ତାପ-ନିୟନ୍ତ୍ରିତ କରିଦେଇଛି-। ବାହାରକୁ ଧୂଳିଝଡ଼ ମୋ ମନର ସେ ସୌନ୍ଦର୍ଯ୍ୟକୁ ଓଲଟପାଲଟ କରିଦେବା ଲାଗି ମୁଁ ଦେବି ନାହିଁ-। କିନ୍ତୁ ପ୍ରଣତି... ! ତା’ କଥା ମନେ ପଡ଼ିଯିବାମାତ୍ରେ ବିନୋଦର ଚିନ୍ତାଧାରାର ଯୋଗସୂତ୍ର ହଠାତ୍‍ ରଟ୍‍କିନା ଛିଡ଼ିଗଲା । ବିବାହ ପରେବି ତାକୁ ଆମନ୍ତ୍ରଣ ଜଣାଇଛି ପ୍ରଣତି । ସତେ ଯେପରି ତା’ ସହିତ କୌଣସି ଦିନ କୌଣସି ସମ୍ପର୍କ ନଥିଲା, ସେଭଳି ଆଚରଣ ଦେଖାଇଛି । ପ୍ରଥମେ ଦେଖା ହୋଇଗଲେ ପରେ ସେ ତାକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଥିଲା । ଅତୀତରେ ସେ ବିବର୍ଣ୍ଣ ସ୍ମୃତିଗୁଡ଼ାକୁ ନିଜ ସାମ୍ନାରେ ଆଣି ଠିଆ କରି ଦେବାକୁ କୁଣ୍ଠିତ ହୋଇଥିଲା । କିନ୍ତୁ ପ୍ରଣତି ଛାଡ଼ିବା ଭଳି ଝିଅ ନୁହେଁ । ତା’ ଘରକୁ ଯିବାପାଇଁ ସେ ସାଙ୍ଗେ ସାଙ୍ଗେ ଆମନ୍ତ୍ରଣ କରି ବସିଲା । ସେ ଆମନ୍ତ୍ରଣ ସେ ରଖିବ କି ନାହିଁ ଅନେକ ଥର ବିନୋଦ ଭାବିଛି । କାର୍ଯ୍ୟବ୍ୟସ୍ତତାର ଛଳନା କରି ପ୍ରଣତିର ଆମନ୍ତ୍ରଣକୁ ଉପେକ୍ଷା କରିବ ବୋଲି ମନେମନେ ଯୋଜନା କରିଛି । କିନ୍ତୁ ଶେଷ ମୁହୂର୍ତ୍ତରେ ସେ ତା’ ପାରିନାହିଁ । ସେଭଳି ଆତ୍ମଗୋପନ ତା’ ନିଜ ମନ ଦୁର୍ବଳତାକୁ ପ୍ରଣତି ଆଗରେ ନଗ୍ନ କରି ଦେବ ବୋଲି ଏକ ଅଜ୍ଞାତ ଭୟ ମନକୁ ତା’ର ଆଚ୍ଛନ୍ନ କରିଛି । ଆଉ ଯେଉଁଦିନ ତା’ ସ୍ୱାମୀଙ୍କ ସହିତ ଦେଖା ହେଲା... ! ଜିଜ୍ଞାସୁ ଦୃଷ୍ଟିରେ ସ୍ୱାମୀ ତା’ର ଚାହିଁ ରହିଥିଲେ ପ୍ରଣତି ଆଡ଼କୁ-। ପ୍ରଣତି କି ଉତ୍ତର ଦେବ ସେ କଥା ହଠାତ୍ ସ୍ଥିର କରି ପାରି ନଥିଲା । ଉତ୍ତର ଦେଇଥିଲା ନିଜେ ବିନୋଦ, ‘‘ମୁଁ ଜଣେ ଇନ୍‍ସୁରାନ୍‍ସ ଏଜେଣ୍ଟ...ପ୍ରଣତିର ପିତୃ ପରିବାର ସହ ମୋର ସମ୍ପର୍କ ଦୀର୍ଘଦିନର ।’’ କଥା କହି ସାରି ସେ ଲକ୍ଷ୍ୟ କରିଥିଲା ମଣି ମୁକ୍ତା ଭଳି କେଇ ବିନ୍ଦୁ ଆନନ୍ଦ ଛଳଛଳ ହେଉଛି ପ୍ରଣତିର ଆଖିକୋଣରେ । ସେ ହୁଏତ ଭୟ କରୁଥିଲା, ସେ ନିଜର ପ୍ରକୃତ ପରିଚୟ ଦେଇ ତାକୁ ଅପଦସ୍ତ କରି ଦେବ । କିନ୍ତୁ ବିନୋଦର ଉତ୍ତର ଶୁଣି ତା’ର ସେ ସନ୍ଦେହର ମେଘ ଅପସରି ଗଲା । କେଇ ବିନ୍ଦୁ ସୂର୍ଯ୍ୟାଲୋକ ଭଳି ଖୁସି ଝଲସି ଉଠିଲା ତା’ ଆଖି କୋଣରେ-। ପ୍ରଣତି ବିଳମ୍ବ ନକରି ଉତ୍ତର ଦେଇଥିଲା, ‘‘ଇନ୍‍ସୁରାନ୍‍ସ କରିବାପାଇଁ ମୁଁ କେଉଁଦିନ ଲଗାଇଛି-। ଏଥର ଇନ୍‍ସୁରାନ୍‍ସ ନ କରି ମୁଁ ଛାଡ଼ିବି ନାହିଁ ।’’ ପ୍ରଣତିର ସ୍ୱାମୀ ଉପାଧିଧାରୀ ଭଦ୍ରଲୋକ ଜଣଙ୍କ ବିନୋଦକୁ ଉପକୃତ କଲାଭଳି ମୁଖଭଙ୍ଗୀ କରି ହସିଥିଲେ । କହିଥିଲେ ‘‘ହଠାତ୍ ଆକ୍‍ସିଡ଼େଣ୍ଟରେ ନ ମଲେ ଇନ୍‍ସୁରାନ୍‍ସରେ ଟଙ୍କା ଖଟାଇବା ଏକ ବ୍ୟାଡ଼୍ ଇନ୍‍ଭେଷ୍ଟମେଣ୍ଟ...ତଥାପି ମୁଁ ଭାବିଚିନ୍ତି ଦେଖିବି ।’’ ତା’ପରେ ନିଜର ସତୀ ସାଧ୍ୱୀ ସ୍ନେହମୟୀ ପତ୍ନୀଙ୍କୁ ଚାହିଁ ସେ କହିଥିଲେ, ‘‘ଜ୍ୟୋତିଷ ମୋ ହାତ ଦେଖି କହିଛି, ମୋର ଆୟୁଷ ଦୁଇ ଶହବର୍ଷ । ଅଯଥାରେ ଅଧିକ ପ୍ରିମିୟମ୍ ଅନେକ ଦିନ ଜାଣିବାକୁ ପଡ଼ିବ-। ଆଚ୍ଛା ଆମ କୁକୁରଟା ନାମରେ ଇନ୍‍ସୁରାନ୍‍ସ କଲେ କେମିତି ହୁଅନ୍ତା-!’’ ଏସବୁ କଥା ବିନୋଦ ବେଶ୍ ଉତ୍ସାହର ସହିତ ଉପଭୋଗ କରୁଥିଲା । ପ୍ରଣତିର ପରିବାରରେ ଯେ ଗୋଟାଏ ବଡ଼ କୁକୁର ଅଛି ଏବଂ ତା’ର ଆୟୁଷ ବେଶୀ ନୁହେଁ ବୋଲି ଜ୍ୟୋତିଷ କହିଛି, ଏ କଥା ଜାଣି ସେ ଯେତିକି ଖୁସି ହେଉଥିଲା, ନିଜ ସ୍ୱାମୀଙ୍କ ଦୀର୍ଘଜୀବନ ସମ୍ପର୍କରେ ଜ୍ୟୋତିଷ ଯାହା କହିଛି ସେଥିରେ ସନ୍ଦେହ କରୁଥିବାରୁ ପ୍ରଣତି ଇନ୍‍ସୁରାନ୍‍ସ ପାଇଁ ଜିଦ୍ କରୁଛି, ସେକଥା ଅନୁମାନ କରି ସେ ସେତିକି ବିବ୍ରତ ହୋଇ ପଡ଼ୁଥିଲା । ତା’ର ନିଜର କାମନା ପ୍ରଣତିର ସ୍ୱାମୀ କେବଳ ଦୁଇଶହବର୍ଷ ନୁହେଁ; ଦୁଇ ହଜାରବର୍ଷ ଦୀର୍ଘଜୀବୀ ହୁଅନ୍ତୁ । କାରଣ ସେ ନିଜର ପ୍ରଣୟିନୀର ସୈରିଣୀବେଶ ସହ୍ୟ କରିପାରେ, କିନ୍ତୁ ବୈଧବ୍ୟ ନୁହେଁ । ହାତରୁ ସେ ଚିକ୍‍ଚିକ୍ ସୁନା ଚୁଡ଼ିଗୁଡ଼ାକ କାଢ଼ି ଦେଲେ କେଉଁ କ୍ୟାଥେଲିକ୍ ନନ ଭଳି କେତେ ମଳିନ ଦେଖାଯିବ ସତେ ପ୍ରଣତି ! ବିନୋଦ ଭାବୁଥିଲା, ଇନ୍‍ସୁରାନ୍‍ସଟା ହୁଏତ ପ୍ରଣତି ନିଜ ନାମରେ କରିବାପାଇଁ କହିବ । କିନ୍ତୁ–ନା ସେ କଥା କହିଲା ନାହିଁ । ସମ୍ଭବତଃ ତାକୁ ମଧ୍ୟ କେଉଁ ଜ୍ୟୋତିଷ କହିଛି ସେ ବି ସହସ୍ରବର୍ଷ ଦୀର୍ଘଜୀବୀ ହେବ । ଇନ୍‍ସୁରାନ୍‍ସ ସେଥିପାଇଁ ସେମାନଙ୍କ ପାଇଁ ଏକ ବ୍ୟାଡ଼୍ ଇନ୍‍ଭେଷ୍ଟମେଣ୍ଟ... । ସେଦିନ ଭାରି ଇଚ୍ଛା ହୋଇଥିଲା ବିନୋଦର ହସିବାପାଇଁ । କିନ୍ତୁ ସେ ହାସ୍ୟ ସମ୍ବରଣ କରିଥିଲା । କାରଣ ସେ ଜାଣିଥିଲା ବଡ଼ ହାସ୍ୟାସ୍ପଦ ଉପାୟରେ ପ୍ରଣତି ତା’ର ସୁଖର ସଂସାର ସଜାଡ଼ିଛି । ସେ ସଜଡ଼ା ଘରକୁ ସେ ଉଜାଡ଼ି ଦେବାକୁ ଚାହେଁ ନାହିଁ । ପ୍ରଣତିର ସ୍ୱାମୀ କ’ଣ ଏକ ଜରୁରୀ କାମର କାରଣ ଦେଖାଇ ଚାଲିଗଲା ପରେ ସେ ଏକ ସ୍ୱସ୍ତିର ନିଃଶ୍ୱାସ ତ୍ୟାଗ କଲା । ସେ ଲକ୍ଷ୍ୟ କରି ଦେଖିଥିଲା, ଗଲାବେଳେ ପ୍ରଣତିର ସ୍ୱାମୀ ନିଜର ନିକ୍ଷିପ୍ତ ଦୃଷ୍ଟିର ତୀରରେ କୌଣସି ବିଷ ମିଶାଇ ନାହାନ୍ତି-। ପ୍ରଣତିକୁ ସେ ସନ୍ଦେହ କରନ୍ତି ନାହିଁ । ସେଥିପାଇଁ ସେ ସୁଖୀ ହୋଇଛନ୍ତି, ସ୍ୱାମୀ ହୋଇଛନ୍ତି । ସେ ପ୍ରଣତିର ସ୍ୱାମୀ ହୋଇପାରିଲା ନାହିଁ କାରଣ ପ୍ରଣତି ବିଷୟରେ ସେ ପ୍ରଣୟ-ମଧୁର ଦିନଗୁଡ଼ିକରେ ସୁଦ୍ଧା କେବେହେଲେ ସେ ନିଃସନ୍ଦେହ ହୋଇ ପାରି ନଥିଲା । ବିନୋଦ ଭାବିଲା, ନହୋଇ ଭଲ ହୋଇଛି । ନିର୍ବୋଧ ହୋଇ ସୁଖୀ ହେବା ଅପେକ୍ଷା ବୁଦ୍ଧିମାନ ହୋଇ ଦୁଃଖୀ ହେବ ଭଲ-। କିନ୍ତୁ ତାକୁ କାହିଁକି ଆମନ୍ତ୍ରଣ କରିଥିଲା ପ୍ରଣତି ! ସନ୍ତାନର ଜନନୀ ହେବାପରେ ସେ ନିଜର ଛଳନାର ସଫଳତା ସମ୍ପର୍କରେ ନିଃସନ୍ଦେହ ହୋଇଛି ବୋଲି ! ସେ ଯେ ଏକ ସୁଖୀ ସଂସାର ଗଢ଼ି ତୋଳିଛି, ସେ କଥା ତ ଆଖି ଆଗରେ ତୋଳି ଧରିବାପାଇଁ ! ହୁଁ, ବିନୋଦ ତାଚ୍ଛଲ୍ୟରେ ହସିଲା । ସେ ବହୁ ଦୁଃଖିନୀ, ସୁଖୀ ନାରୀଙ୍କ ଘରସଂସାର ଦେଖିଛି । ସମସ୍ତଙ୍କ ଘର ନିଜର ସାମର୍ଥ୍ୟ ଅନୁସାରେ ସଜାସଜି, ସୁପରିକଳ୍ପିତ, ସୁନ୍ଦର । ସୁଖୀ ନାରୀଙ୍କ ଭଳି ଦୁଃଖିନୀ ନାରୀ ମଧ୍ୟ ଜନନୀ ହୁଅନ୍ତି । ମନ ବନସ୍ତରେ ନିଆଁ ସବୁବେଳେ ସଜଡ଼ା ଘରର ଚେହେରାରୁ ବୁଝି ହୁଏନାହିଁ । ପ୍ରଣତି କ’ଣ ଭାବୁଥିଲା, ସେ ଏତେ ନିର୍ବୋଧ ଯେ ଏତିକି କଥା ସେ ବୁଝିପାରନ୍ତା ନାହିଁ ? ଆଉ ଯଦି ବା ସବୁ ପାପ କରିସାରି ସେ ସୁଖୀ ହୋଇଥାଏ, ସେଥିରେ ବିନୋଦର ଚମକି ଉଠିବାର କ’ଣ ଅଛି ! ପୃଥିବୀର ଅନେକ ପୁଅ, ଅନେକ ଝିଅ ନାନା ଉପାୟରେ ସୁଖୀ ହୁଅନ୍ତି । ସୁଖର ବାଟ ସବୁବେଳେ ସିଧା ନୁହେଁ । ସୁଖର ସ୍ୱର୍ଗକୁ ଯେଉଁ ନିଶୁଣି ଲାଗିଛି, ସବୁବେଳେ ସତ୍‍ଲୋକ ସେ ସିଡ଼ିର ପାହାଚରେ ଉପରକୁ ଉଠି ପାରନ୍ତି ନାହିଁ । କିନ୍ତୁ ନିଜର ସୁଖୀ ସଂସାରକୁ ଦେଖାଇବା ଲାଗି ଯେ ପ୍ରଣତି ତାକୁ ଡାକିଥିଲା, ସେ କଥା ବୋଧହୁଏ ଠିକ୍ ନୁହେଁ । ସେଦିନର ସେ ସୁଦୀର୍ଘ କଥାବାର୍ତ୍ତା ଭିତରେ ପ୍ରଣତିଠାରେ ଅନେକ ପରିବର୍ତ୍ତନ ସେ ଲକ୍ଷ୍ୟ କରିଛି । ଅକାରଣରେ ବହୁ ପରିମାଣରେ ପୁତ୍ର-ସ୍ୱାମୀ ସୋହାଗିନୀ ହୋଇ ଉଠିଛି । କିଛି ପରିମାଣରେ ସ୍ପଷ୍ଟବାଦିନୀ ମଧ୍ୟ । ସମ୍ଭବତଃ, ଜୀବନର ଅନେକ ମୌଳିକ ସତ୍ୟକୁ ସେ ବିବାହ ପରେ ଉପଲବ୍ଧି କରିଛି । ବିନୋଦର ମନେ ପଡ଼ୁଥିଲା, ତଥାପି ଆମ ଦୁଇଜଣଙ୍କ ମଧ୍ୟରେ ଏମିତି କେତେକ ଗୋପନ ବନ୍ଧନର ସୂତା ଅଛିଣ୍ଡା ରହିଗଲା, ଯାହା ମୃତ୍ୟୁ ବ୍ୟତୀତ ଆଉ କେହି କେବେ ଛିନ୍ନ କରିପାରେ ନାହିଁ ।’’ ଆଃ, ତା’ର ଏହି ଅସାବଧାନ କଥାପଦକ ଭିତରେ ବସନ୍ତର ଜ୍ଵାଳା କେମିତି ଗୋପନ ରହିଛି । ସେ ପଦିକ କଥା ସେ ଯେତେ ଭାବିଛି, ସେତେ ଥର ମନ ତା’ର ଯନ୍ତ୍ରଣାରେ ଅସ୍ଥିର ହେଉଛି । ବସନ୍ତ ଯେ ସତରେ ଆସିଛି, ସେ କଥା ପଦିକ ଶୁଣି ନଥିଲେ ବିନୋଦ କେବେହେଲେ ଅନୁଭବ କରି ପାରି ନଥାନ୍ତା । ବିନୋଦ ଅନୁଭବ କଲା ତା’ ଛାତିଭିତରେ ଗୋଟିଏ ପକ୍ଷୀ କୂଜନ ଶୁଣାଯାଉଛି । ଏ ବୋଧହୁଏ ପ୍ରଣୟର ସେହି ନୀଳ-ପକ୍ଷୀ, ଆଜି ବସନ୍ତରେ ଯେ ଡେଣା ତୋଳି ଉଡ଼ିବାକୁ ଚେଷ୍ଟା କରୁଛି । ଆଉ ତା’ର ସେ ପକ୍ଷ ସଞ୍ଚାଳନରେ ତା’ ମନର ରୁଦ୍ଧ ଝରକା, ଦରଜା କେମିତି ଖୋଲି ଯିବାକୁ ଆରମ୍ଭ କରିଛି-

 

ବିନୋଦ ନିଜ ଛାତିରେ ହାତ ରଖିଲା । ଚେଷ୍ଟା କଲା ଅଟକାଇବା ପାଇଁ ସେ ଫାଟକ ଖୋଲାର ଉଦ୍ୟମ ପର୍ବ !!!

 

।। ତିନି ।।

 

ରୀନାରେ ! ଏ ଡାଏରି ତୁ କେଉଁଦିନ ପଢ଼ିବୁ ନାଇଁ, ମୁଁ ଜାଣେ ତଥାପି ତୋହରି ନାମରେହିଁ ମୁଁ ଡାଏରି ଲେଖୁଛି, କାହିଁକି ? କାରଣ ତୋ ଛଡ଼ା ମତେ ଆଉ କେହି ଠିକ୍ ବୁଝି ପାରିବେ ନାହିଁ । ମୋ ଜୀବନର ସବୁ ଘଟଣା, ଦୁର୍ଘଟଣା ଉତ୍ଥାନ, ପତନର ତୁ ଏକମାତ୍ର ରାଜସାକ୍ଷୀ-। ତୁ ମୋର ପ୍ରେମିକା, ଜୀବନର ଏକମାତ୍ର ସଖୀ । ବିବାହିତା ଜୀବନର ମଧ୍ୟ ତୁ ଏକମାତ୍ର ଶୁଭାକାଂକ୍ଷିଣୀ ଜୀବନର ଘୂର୍ଣ୍ଣିବାତ୍ୟାରେ କକ୍ଷଚ୍ୟୁତ ଗ୍ରହ ଭଳି ଯେତେବେଳେ ମୁଁ ଭଉଁରୀ ଖେଳୁଥିଲି, ଆତ୍ମହତ୍ୟା କରିବି ବୋଲି ସଂକଳ୍ପ କରିଥିଲି, ତୁ ମୋର ଏକମାତ୍ର ବାନ୍ଧବୀ ଯେ ସେଥିରେ ବାଧା ଦେଇଥିଲୁ । ଅନ୍ୟ ଭାବରେ ବଞ୍ଚି ରହିବାପାଇଁ ପ୍ରେରଣା ଦେଇଥିଲୁ । ତେଣୁ ଜୀବନର ପଛ ଆଡ଼କୁ ମୁହଁ ଫେରାଇ ଚାହିଁଲେ ତୋ କଥା ବେଶି ମନେ ପଡ଼ୁଛି ।

 

ତୁ ଏ ଡାଏରି କେବେହେଲେ ପଢ଼ିବୁ ନାହିଁ । ପଢ଼ିବାର ସମ୍ଭାବନା ଥିଲେ ମୁଁ କେବେହେଲେ ଡାଏରି ଲେଖନ୍ତି ନାହିଁ । ମୁଁ ଯେଉଁଦିନ ଏ ମୋର ନୂତନ ସ୍ୱାମୀଙ୍କୁ ବିବାହ କଲି କେତୋଟି ସନ୍ତାନସନ୍ତତିଙ୍କୁ ଜନ୍ମ ଦେଇ ସୁଖୀ ହେବି ବୋଲି ପଣ କଲି, ସେଦିନ ତମେ ସମସ୍ତେ ମତେ ବୁଝାଇଥିଲ, ଏ ସୁଖ ସମ୍ଭବ, କେବଳ ଗୋଟିଏ ସର୍ତ୍ତରେ । ସେ ସର୍ତ୍ତଟି ହେଲା ପଛକୁ ଆଉ କେବେ ମୁହଁ ଫେରାଇ ଚାହିଁବି ନାହିଁ । ସେଥିପାଇଁ ମୋ ସ୍ମୃତିର ଜଉଘରେ ନିଜ ହାତରେ ମୁଁ ପ୍ରଥମେ ନିଆଁ ଧରାଇ ଦେଇଥିଲି । ସେ ପୋଡ଼ା ସ୍ମୃତିର ଗନ୍ଧ ଆକଣ୍ଠ ଆଘୃଣ କରି ମୁଁ ଲାଭ କରିଥିଲି ଏକ ନୂତନ ଜୀବନ, ନୂତନ ଜନ୍ମ !

 

ସେ କିଛି ସହଜ କଥା ନୁହ ।

 

ସେଥିପାଇଁ ଅନେକ ସାଧନା କରିବାକୁ ମତେ ହୋଇଛି । ବରଣ କରିବାକୁ ହୋଇଛି ଅନେକ ଯନ୍ତ୍ରଣା, ଅନେକ କଷ୍ଟ । କେତେ ମନସ୍ତାପ, ଦୋଦୋପାଞ୍ଚ, ନିନ୍ଦା ଅପମାନ ମୁଁ ନ ସହିଚି । ଆଉ କେହି ନ ଜାଣନ୍ତୁ, ଅନ୍ତତଃ ତୁ ତ ଜାଣୁ ।

 

ଝିଅ ଜନ୍ମ ହେଲେ ବାପା ମାଆଙ୍କର ପ୍ରଧାନ ଚିନ୍ତା ତାକୁ ବିବାହ ଦେବା । ପିଲାଦିନଠାରୁ ପରଘରକୁ ଆସିବା ପର୍ଯ୍ୟନ୍ତ; ସେଇ ବାହାଘର କଥାକୁ ଆଗରେ ରଖି ଝିଅ ଜୀବନର ପ୍ରସ୍ତୁତି ପର୍ବ ଚାଲେ । ସେ ଟିକିଏ ଜୋରରେ ହସିଦେଲେ, ଲୋକେ ଖୁଣି ଦିଅନ୍ତି, ଶାଶୁଘରେ ଯାଇ ଇମିତି ଅଣ୍ଡିରାଙ୍କ ଭଳି ଚଳିବୁ କିଲୋ ! ଅଭିମାନ କରି ମୁହଁ ସୁଖାଇଲେ ତାକୁ ଶୁଣିବାକୁ ହୁଏ, ବାପ ଘରେ ସିନା ଏତେ ଗେଲବସର ହୋଇଛୁ, ଶାଶୁଘରେ ତତେ ରୁଷିଲେ ଏତେ ଗେହ୍ଲା କରିବ କିଏ ?

 

ପିଲାଦିନରୁ ଏଇ ସବୁ କଥା ଶୁଣି ଶୁଣି ତ ଆମେ ବାହା ହେବାର ଅନେକ ଆଗରୁ ବୋହୂ ହେବାର ଏକ ଦୁରନ୍ତ ଲୋଭକୁ ମନ ଭିତରେ ସେନେହ ସରାଗ ଦେଇ ଲାଳନପାଳନ କରୁଥାଉ ! ଆଉ ମୁଁ ଯେଉଁ ପରିବାରରେ ଜନ୍ମ ହୋଇଥିଲି ସେଠାରେ ତ ‘‘ଦେଲ ନାରୀ ହେଲା ପାରି’’ ହିଁ ନିୟମ ! ତେଣୁ ଯେଉଁଦିନ ମୁଁ ମୋର ପ୍ରେମିକଙ୍କୁ ବିବାହ କରିବି ନାହିଁ ବୋଲି ତମମାନଙ୍କ ଆଗରେ ଠାକୁରଙ୍କ ଛବିଛୁଇଁ ପଣ କଲି, ମୋ ମୁଣ୍ଡରେ ଆକାଶ ଭାଙ୍ଗିପଡ଼ିଲା ଭଳି ମୁଁ ଅନୁଭବ କରିଥିଲି । ନିଜର ନିଷ୍ପତ୍ତି ନିଜ ମନକୁବି ପାଇ ନଥିଲା । ଯେତେ ପାଠ ପଢ଼ିଲେବି ଯେତେ ଗୁଣର ହେଲେବି ପିଲା ଜନ୍ମ କରି ଆଉ ଜଣକ ଶେଯ ଉଷୁମ କରିବା ଛଡ଼ା ମୋର ଆଉ କିଛି ଗୁଣ ଥିଲା ବୋଲି ନିଜେ ମୁଁ ବିଶ୍ୱାସ କରି ନଥିଲି !

 

ଆଉ ସାଙ୍ଗମାନଙ୍କ ଭିତରୁ ତ ଅନେକ ହସି ବେଦମ୍ !

 

ମୁଁ ଅବିବାହିତ ରହିପାରେ ଏ କୁଆଡ଼େ ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ କଥା !

 

ଶୁଣିଛି, ପଛରେ ସେମାନେ ଟିପ୍ପଣୀ କରନ୍ତି, ବାହା ହେବା ଆଗରୁ ଯିଏ ପ୍ରେମ ନକଲେ ବିରହିଣୀ ରାଈ ହୋଇ ନିଶି କଟୁଥିଲା ଆଖିର ଲୁହରେ ଶଯ୍ୟା ଭିଜାଇ, ସାରା ଜୀବନ ସେ ତପସ୍ଵିନୀ ହୋଇ ରହିବ !

 

ସେମାନଙ୍କ କଥା ଶୁଣି ରାଗ ହୋଇଥିଲା ଯେତିକି ଜିଦ୍ ମଧ୍ୟ ବଢ଼ୁଥିଲା ସେତିକି ।

 

ସେଥିପାଇଁ ତନ୍ତୀ ଘର କଣ୍ଡା ଭଳି ସେ କେଇ ବର୍ଷ କ’ଣ ମୁଁ କମ୍ ଏପାଖ ସେପାଖ ହୋଇଛି ! କମ୍ ଘାଟରେ ପାଣି ପିଇଛି ! ଶେଷକୁ.... !

 

ଜାଣେ ମୁଁ ଆଉ ଜଣେ ପୁରୁଷକୁ ବାହା ହୋଇଛି ବୋଲି ଶୁଣି ଯେଉଁ ଖୁବ୍ ଅଳ୍ପ କେତେଜଣ ଲୋକ ମନେମନେ ଖୁବ୍ ସୁଖୀ ହୋଇଥିଲେ, ସେମାନଙ୍କ ମଧ୍ୟରୁ ତୁ ଜଣେ । ସେଥିପାଇଁ ମୋର ଆଉ କୌଣସି ସାଙ୍ଗ ପାଖକୁ ନିମନ୍ତ୍ରଣ ପଠାଇବାକୁ ସାହାସ କୁଳେଇ ନଥିଲେବି ତୋ ପାଖକୁ ମୋ ଶୁଭ-ବିବାହ ନିମନ୍ତ୍ରଣ ପଠାଇଥିଲି.... !

 

ମୁହଁକୁ ଟିକିଏ ଥୋବରା କରିଦେଲେ, ଚମକୁ ଟିକିଏ ଟାଣି କରି ଦେଲେ ସଂସାରରେ ଅନେକ ନକଲ କାମ କରି ହୁଏ । ଅନେକ ଦୁର୍ଲ୍ଲଭ ସୁଖକୁ ହାତମୁଠାରେ ମୁଠେଇ ହୁଏ । ନିଜ ପ୍ରେମିକକୁ ଯେଉଁଦିନ ବିବାହ କରିବି ନାହିଁ ବୋଲି ମନା କରିଦେଲି, ସେଦିନ ମୁହଁକୁ ଥୋବରା କରି ଦେଇଥିଲି । ଯେଉଁଦିନ ବେଦିରେ ବସି ଆଉ ଜଣେ ପୁରୁଷକୁ ବିବାହ କଲି ସେଦିନ ସେ ଦେହର ଚମବି ମୋର ମୋଟା ହୋଇଗଲା । ଏ ସବୁ ଅଙ୍ଗେ ନିଭାଇବା କଥା, ଅନ୍ୟ କାହାକୁ ବୁଝାଇ ହୁଏ ନାହିଁ । ଜଣକୁ ଛାଡ଼ି ଆଉ ଜଣକୁ ବିବାହ କରି କିପରି ସୁଖୀ ହେବାକୁ ହୁଏ, ସେକଥା ସମସ୍ତେ ଜାଣନ୍ତି ନାହିଁ । ଆଉ ତୋ କଥା ତ ସମ୍ପୂର୍ଣ୍ଣ ଭିନ୍ନ । ପ୍ରେମପାଇଁ ତୁ କଷ୍ଟ ସହିଛୁ, ଅସହ୍ୟ ଯନ୍ତ୍ରଣା ଅନୁଭବ କରିଛୁ । କିନ୍ତୁ ନିଜ ସୁଖ ଲାଭର ଲାଳସାଠାରୁ ନିଜ ପ୍ରଣୟନକୁ ବଡ଼ କରି ଦେଖିଛୁ । ମୋ ଭଳି ଲକ୍ଷ୍ୟଚ୍ୟୁତ ହୋଇନୁ, କକ୍ଷଚ୍ୟୁତ ହେବାତ ଦୂରର କଥା ! ଆଉ ମୁଁ ଜଣଙ୍କୁ ଛାଡ଼ି ଆଉ ଜଣକ ସନ୍ତାନକୁ ଜନ୍ମ ଦେଇ କିପରି ସୁଖ ଅନୁଭବ କରୁଛି, ସେ କଥା ତୁ ଜାଣିବୁ । କେମିତି ?

 

ତୋର କ’ଣ ସନ୍ଦେହ ହେଉଛି ମୁଁ ସୁଖୀ ହୋଇନି..... !

 

ବାପାଙ୍କ ରାଣ ପକାଇ କହୁଛି, ମୁଁ ସବୁଠୁ ବଳି ସୁଖୀ । ମୁଁ ଏତେ ସୁଖୀ ଯେ ସେକଥା ମୋ ଛଡ଼ା ଆଉ କେହି ବୁଝି ପାରିବେ ନାହିଁ । ଅଥଚ ମୁଁ ସୁଖୀ ହୋଇ ନପାରେ, ଏ ଭୟରେ ଶୁଖି ଶୁଖି ଦିନେ କେମିତି ମୁଁ କଣ୍ଟା ହୋଇ ଯାଇଥିଲି, ସେ କଥା ତ ତୁ ଦେଖିଛୁ !!

 

ରୀନା ! ଜୀବନଟା ଏକ ମସ୍ତ ଯାଦୁଖେଳ । ହାତ ଛପାଇ କରି ପାରିଲେ ଅନେକ ଆଶ୍ଚର୍ଯ୍ୟଜନକ ଖେଳ ଦେଖାଇ ସମସ୍ତଙ୍କୁ ଆଚମ୍ବିତ କରି ଦେଇ ହୁଏ । ବିନୋଦ ନାମକ ସେହି ଅହଂକାରୀ, ସନ୍ଦେହୀ ପୁରୁଷକୁ ପ୍ରଣୟର ପୁତ୍ତଳିକା କରି ଯେଉଁଦିନ ମୁଁ ଖେଳୁଥିଲି, ସେଦିନ ବିସ୍ମୟରେ ସମସ୍ତେ ଅଭିଭୂତ ହୋଇ ପଡ଼ିଥିଲେ । ଆଉ ଆଜି ଯେତେବେଳେ ମୋ ସ୍ୱାମୀକୁ ଶାଢ଼ି କାନିରେ ବାନ୍ଧି ମୁଁ ନୂଆ ପ୍ରକାରର ବିସ୍ମୟ ଖେଳମାନ ଦେଖାଉଛି, ସେତେବେଳେ ମୁଁ ନିଜେ ଅବାକ୍ ହୋଇ ଯାଉଛି । ତତେ ସେ ଖେଳର ଗୋଟାଏ ଦୁଇଟା ନିୟମ କହିଦେବି କି ?

 

ମତେ ଏ ଖେଳର କୌଶଳ କିଏ ଶିଖାଇଲା ?

 

ନା–ବିନା ଗୁରୁରେ ଏ ବିଦ୍ୟା ଶିକ୍ଷାଯାଏ । ତେବେ ଏକଥା ସତ, ମୋ ଅଭିଭାବକମାନଙ୍କଠାରୁ ଉତ୍ସାହ ପାଇ ନଥିଲେ ମୁଁ ଏପରି ଭୟଙ୍କର ଖେଳ ଖେଳିବାକୁ କେବେ ସାହସ କରି ନଥାନ୍ତି । ପ୍ରଥମେ ଯେତେବେଳେ ମୁଁ ମୋର ପ୍ରେମିକାକୁ ନେଇ ଖେଳିବାକୁ ଆରମ୍ଭ କରିଥିଲି, ବାପା, ଭାଇ ଓ ଦୂର, ନିକଟର ସମସ୍ତ ଆତ୍ମୀୟ ହାତତାଳି ଦେଇ ସେ ଖେଳ ଖେଳିବାକୁ ମତେ ଉତ୍ସାହ ଦେଇଥିଲେ । ଗଛ ଅଗରେ ଚଢ଼ାଇ ଦେଇ ସାରି ମୋ ପ୍ରେମିକ ଗଛରୁ ଓହ୍ଲାଇବା ଆଗରୁ ମୁଁ କେତେବେଳେ ସେ ଗଛ ମୂଳକୁ ଆଖି ପିଛୁଳାକେ ହାଣି ଦେଲି ସେତେବେଳେ ମଧ୍ୟ ସେମାନେ ହାତତାଳି ଦେବା ବନ୍ଦ କରି ନଥିଲେ । ଆଉ ଯେତେବେଳେ ମୁଁ ଅନ୍ୟ ଜଣେ ପୁରୁଷକୁ ବିବାହ କରି ପୁଣି ଏକ ନୂଆ ସର୍କସ୍ ଦେଖାଇବାର ଆୟୋଜନ କଲି ସେତେବେଳେ ବାପାତ ହେଲେ ସ୍ଵୟଂ ରିଙ୍ଗ୍ ମାଷ୍ଟର... !

 

ରୀନାରେ ! ବାପାଙ୍କୁ ମୁଁ ବାହାରେ କେତେ ଭକ୍ତି କରେ ତୁ ଜାଣୁ । କେଉଁ ଝିଅ ଅବା ନିଜ ବାପା, ଭାଇଙ୍କୁ ଭକ୍ତି ନକରେ ! କିନ୍ତୁ ଆଜି କାହିଁକି ସ୍ୱାମୀ ସନ୍ତାନ ନେଇ ସୁଖର ସର୍କସ୍ ଦେଖାଉଥିବାବେଳେ ବାପାଙ୍କୁ ମୁଁ ମନେମନେ ଘୃଣା କରୁଛି... ! ନିଜ ବାପାଙ୍କୁ ଘୃଣା କଲା ଭଳି ମର୍ମନ୍ତୁଦ, ଦୁର୍ଭାଗ୍ୟଜନକ ଘଟଣା ସଂସାରରେ ଆଉ କିଛି ନାହିଁ । କିନ୍ତୁ ମୋର ଭାଗ୍ୟ ଏମିତି ଯେ ସଂସାରରେ ଆଉ ଅନେକ ଝିଅମାନଙ୍କ ଭଳି ନିଜର ଜନକଙ୍କୁ ମୁଁ ସମ୍ମାନ କରିବାର ସୁଯୋଗ ପାଇଲି ନାହିଁ ।

 

ବାପାଙ୍କ ଉପରୁ ମୋର ସମ୍ମାନ ତୁଟିଛି, କାରଣ.... !

 

ଯେଉଁଦିନ ମୋ ତରୁଣୀ ଦେହର ଅଶାନ୍ତ ଉନ୍ମାଦନାକୁ ଶାନ୍ତ କରିବାପାଇଁ ମୁଁ ବିବାହ ପୂର୍ବରୁ ଆଉ ଜଣେ ପୁରୁଷକୁ ପ୍ରେମ କରୁଥିଲି ସେଦିନ ସେଥିରେ ସେ ବାଧା ଦେଇ ନଥିଲେ । କିନ୍ତୁ ଯେଉଁଦିନ ମୁଁ ମୋ ପ୍ରେମିକକୁ ବିବାହ ନକରି ଅବିବାହିତା ରହିବି ବୋଲି ସଂକଳ୍ପ କଲି, ସେଦିନ ସେ ସଂକଳ୍ପରେ ବାଧା ଦେବାପାଇଁ ପିତୃସୁଲଭ ଅଧିକାର ନେଇ ସେ ଆଗେଇ ଆସିଲେ ।

 

ଅବିବାହିତା ରହି ମୁଁ ବାପାଙ୍କ ଉପରେ ବୋଝ ଦେବାକୁ ଚାହିଁ ନଥିଲି ।

 

ନିଜ ଗୋଡ଼ରେ ଠିଆ ହେବାପାଇଁ ମୁଁ ବାଛି ନେଇଥିଲି ଶିକ୍ଷୟିତ୍ରୀର ଜୀବନ । ତଥାପି ମତେ ସେ ଏକାକିନୀ ଶାନ୍ତିରେ ରହିବାକୁ ଦେଲେ ନାହିଁ । ଯଦି ପ୍ରେମିକ ପୁରୁଷର ସାମର୍ଥ୍ୟ ମୋର ଅତୃପ୍ତିକୁ ଶାନ୍ତ କରି ନପାରିଲା ଆଉ ଜଣେ ପୁରୁଷର ପତ୍ନୀ ମୁଁ ହୋଇ ସେ ଅତୃପ୍ତି ଦୂର କରେ, ସେଥିପାଇଁ ସେ ମତେ ନାନା ଭାବରେ ବାଧ୍ୟ କଲେ । ଆମ ପରିବାର ଭିତରେ ବୋଧହୁଏ ବୋଉକୁ ଛାଡ଼ି ଦେଲେ ଊଣା ଅଧିକେ ଆଉ ସମସ୍ତେ ଚାହିଁଥିଲେ ମୁଁ ଆଉ ଜଣେ ପୁରୁଷକୁ ବିବାହ କରେ.... । ମୋର ପ୍ରେମିକଙ୍କ ସହିତ ସମସ୍ତ ସମ୍ପର୍କ ଜାଣି ସୁଦ୍ଧା... !

 

ଯେତେହେଲେବି ସେ ବାପା, ସେଥିପାଇଁ ତାଙ୍କୁ ଘୃଣା କରିବି ନାହିଁ !

 

ମୋର ଏ ଦେହ, ଶୋଣିତ ତୃଷ୍ଣା ଯେପରି ସତ୍ୟ, ବାସ୍ତବ, ବାପା ମୋର ଠିକ୍ ସେମିତି ପୂଜ୍ୟ ସମ୍ମାନସ୍ପଦ ! କିନ୍ତୁ ମୋର ଦେହ, ମନ, ଆଶା, କାମନା, ଲାଳସାର ଊର୍ଦ୍ଧ୍ୱରେ ଆତ୍ମା ବୋଲି ଏକ ପଦାର୍ଥ ଯେପରି ଶାଶ୍ଵତ ସତ୍ୟ, ମୋର ବାପାଙ୍କ ପ୍ରତି ଘୃଣା ସେହିପରି ଅପରିହାର୍ଯ୍ୟ !

 

ଯେଉଁଦିନ ଅବିବାହିତା ରହି ଆଉ ଏକ ପୁରୁଷକୁ ମୁଁ ପ୍ରେମ କରୁଥିଲି, ସେତେବେଳେ କେତେ ବା ମୋର ବୟସ ! ସେ ବୟସରେ ଯଦି ମୁଁ ଭୁଲ୍ କରିଥାଏ, ବାପାଙ୍କଠାରୁ ତାହା ମୁଁ ଗୋପନ କରି ରଖି ନଥିଲି । ସେ ବୟସ ଅଭିଜ୍ଞ । ମତେ ସେଥିରେ ସେ ବାଧା ଦେଇପାରି ଥାଆନ୍ତେ । ଆଉ ଯଦି ଅଭିଜ୍ଞତା, ବୟସ ବୃଦ୍ଧି ପରେ ମୁଁ ଭଲପାଇ ଭୁଲ୍ କରିଛି ବୋଲି ଅନୁଭବ କଲି ଏବଂ ସେଥିପାଇଁ ପ୍ରାୟଶ୍ଚିତ୍ତ କରିବାକୁ ଅବିବାହିତା ରହିବି ବୋଲି ପଣ କଲି, ବାପା ସେଥିରେ ବାଧା ଦେଲେ କାହିଁକି ? କାହିଁକି ମୁଁ ବିବାହ କରିବି ନାହିଁ ବୋଲି ମନା କରିଦେଲା ପରେ ସେ ମୁଣ୍ଡରେ ହାତଦେଇ ବସିଲେ ! ଝିଅ ହୋଇ କେତେଦିନ ଆଉ ମୁଁ ସେମାନଙ୍କ ଇଚ୍ଛାରେ ବାଧା ଦେଇପାରି ଥାଆନ୍ତି ! କେତେଦିନ ଆଉ ଅନ୍ୟତ୍ର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରି ବୁଝାଇ ଥାଆନ୍ତି ଯେ, ସନ୍ତାନର ଜନନୀ ହୋଇ ସେମାନଙ୍କୁ ସୁଖୀ କରିବା ଅପେକ୍ଷା ମୋ ଭିତରେ ଥିବା ଆତ୍ମାକୁ କଳଙ୍କମୁକ୍ତ କରିବାରେ ମୋର ବେଶୀ ଆନନ୍ଦ... !

 

ରୀନାରେ ! ସବୁ ପୁରୁଷ ସମାନ । ମୋର ପ୍ରେମିକ, ମୋର ବାପା, ଭାଇ, ମୋର ବର୍ତ୍ତମାନର ସ୍ୱାମୀ ସମସ୍ତେ ସେଇ ଗୋଟିଏ ଉପାଦାନରେ ଗଢ଼ା । ନାରୀ ସେମାନଙ୍କୁ ଖିଆଲର ଖେଳନା । ମୋର ପ୍ରେମିକଙ୍କ ଅହଂକାର, ସ୍ୱାର୍ଥପରତା ମୁଁ ସହିପାରି ନଥିଲି । କିନ୍ତୁ ବାପା ଭାଇଙ୍କ ଅହଂକାର ଭାଙ୍ଗିବା ମୋ ପକ୍ଷରେ ସାଧ୍ୟାତୀତ ଘଟଣା ହେଲା । ‘‘ମୋ ଝିଅ ଯାହା କୀର୍ତ୍ତି କଲେବି ବହୁ ପୁରୁଷ ତାକୁ ବିବାହ କରିବାକୁ ମୋ ପାଖରେ ଆସି ଲାଙ୍ଗୁଳ ହଲାଇବେ’’–ବାପାଙ୍କର ଏଇ ପିତୃତ୍ୱର ଅହଂକାର ମୁଁ ଭାଙ୍ଗି ପାରିଲି ନାହିଁ । ଅବଶେଷରେ ବାପା ଯେଉଁ ପୁରୁଷର ହାତକୁ ବେଦି ଉପରେ ମୋ ହାତରେ ଧରାଇ ଦେଇଥିଲେ, ତାଙ୍କରି ସନ୍ତାନକୁ କୋଳରେ ଧରି ମୁଁ ଆଜି ସ୍ନେହମୟୀ ଜନନୀ ହୋଇଛି । ଏ ଭଦ୍ରଲୋକଙ୍କ ଛଡ଼ା ବାପା ଯଦି ଆଉ କୌଣସି ପୁରୁଷକୁ ମୋ ହାତ ଧରାଇ ଦେଇ ଥାଆନ୍ତେ, ତା’ ସନ୍ତାନ ବୁକୁର ଅମୃତ ଦେଇ ମଧ୍ୟ ମୁଁ ମାନନୀୟ ମାତୃଦେବୀ ହୋଇ ଥାଆନ୍ତି !

 

ଏ ସବୁ ଲେଖୁଛି, ଅଥଚ ସୁଖୀ ହେଲି କିପରି ?

 

ତୁ'ତ ଭିନ୍ନ ଉପାଦାନରେ ଗଢ଼ା, ତତେ ସେ ସୂତ୍ର ବୁଝାଇବା ଟିକିଏ କଷ୍ଟ । କିନ୍ତୁ ମୁଁ ନିଜକୁ ବେଶ୍ ବୁଝାଇ ଦେଇଛି । ଜଣିଏ ପୁରୁଷକୁ ପ୍ରତାରିତ କରିସାରି ଆଉ ଜଣେ ପୁରୁଷର ପତ୍ନୀ ହୋଇଛି । ଯେକୌଣସି ସାଧାରଣ ଝିଅ ପକ୍ଷରେ ଏହା ସମ୍ଭବ ନୁହେଁ । କିନ୍ତୁ ମୁଁ ପାରିଛି । କିପରି-?

 

ପାରିଛି; କାରଣ ସ୍ୱାମୀର ସଂସାରରୁ ମୁଁ କିଛି ଦୁର୍ଲ୍ଲଭ ସୁଖ କାମନା କରିନାହିଁ । ଘରସଂସାର, ସ୍ୱାମୀ, ସନ୍ତାନ କଥା ଭାବିଲେ ନାରୀ ଆଖିରେ ଯେଉଁ ପରିପୂର୍ଣ୍ଣ ପବିତ୍ର ସାଂସାରିକ ଜୀବନର ଛବି ଭାସି ଭାସିଉଠେ ମୋ ପ୍ରେମିକଙ୍କୁ ପ୍ରତ୍ୟାଖ୍ୟାନ କଲା ପରେ ମୋ ଆଖିରେ ସେ ଛବିରୁ ରଙ୍ଗ ଛାଡ଼ି ଯାଇଥିଲା । କାରଣ ବିବାହ ପରେ ଜଣେ କୁମାରୀ କନ୍ୟା ତା’ର ସ୍ୱାମୀକୁ ଯାହା ଦେଇପାରେ, ସେପରି ଦେବାଭଳି କୌଣସି ଦୁର୍ଲ୍ଲଭ ପଦାର୍ଥ ମୋ ପାଖରେ ଆଉ ଅବଶିଷ୍ଟ ନଥିଲା-। ମୋ ସ୍ୱାମୀଙ୍କୁ ନିଜର ଦେହ ଦେଇ ମୁଁ ଭିକ୍ଷା ମାଗିଥିଲି ମୋ ବାପାଙ୍କପାଇଁ କିଛି ସାମାଜିକ ସମ୍ମାନ...ସମାଜରେ ବଞ୍ଚି ରହିବାପାଇଁ ମୋ ଲାଗି କିଛି ସାମାଜିକ ମର୍ଯ୍ୟାଦା...

 

ପାଇଛି, ଖୁବ୍ ବେଶୀ ଭାବରେ ପାଇଛି ।

 

ସ୍ୱାମୀ ମୋର ମଣିଷ ନୁହନ୍ତି ଦେବତା । ସେ ମୋର ଶୂନ୍ୟ ଅଞ୍ଜଳି ପୂର୍ଣ୍ଣକରି ଦେଇଛନ୍ତି-। ସବୁ କଥା ଜାଣି ସୁଦ୍ଧା ମୋ ଅଭିଭାବକମାନଙ୍କୁ ନିଜ ଅଭିଭାବକ ଭଳି ସମ୍ମାନ ଦେଖାଉଛନ୍ତି । ସବୁ କଥା ବୁଝି ସୁଦ୍ଧା ମତେ ସେ ଦେଇଛନ୍ତି ପତ୍ନୀର ସମ୍ମାନ; ସୁଖ, ସମ୍ଭୋଗ–ସବୁ କିଛି ।

 

ତୋ ସ୍ୱାମୀଙ୍କୁ ତୁ ମଧ୍ୟ ସ୍ନେହ କରୁଥିବୁ, ସମ୍ମାନ କରୁଥିବୁ । ସେ ସ୍ନେହ ସମ୍ମାନ ମନର ଆବେଗରେ, ପତ୍ନୀର ଅଧିକାରରେ । କିନ୍ତୁ ମୁଁ ମୋର ସ୍ୱାମୀଙ୍କୁ ସ୍ନେହ କରୁଛି, ସମ୍ମାନ କରୁଛି ଗଭୀର କୃତଜ୍ଞତାରେ । ମୋର କଳଙ୍କିତ ଅତୀତ, ମୋ ଅଭିଭାବକମାନଙ୍କ ପ୍ରତାରକ୍ଷାକୁ ସେ ଉଦାର ହୃଦୟରେ କ୍ଷମା କରିଥିବା ହେତୁ !

 

ରୀନା ! ଜୀବନରେ ଅନେକ ଅବ୍ୟକ୍ତ ଘଟଣା ଘଟେ । ସଂସାରରେ ବଞ୍ଚି ରହିବାକୁ ହେଲେ ଅନେକ ପ୍ରକାର କୁତ୍ସିତ କାର୍ଯ୍ୟ କରିବାକୁ ହୁଏ । କିନ୍ତୁ ନିଜକୁ ସୁଖୀ କରିବାପାଇଁ, ନିଜ ପିତୃ ପରିବାରକୁ ସୁଖୀ କରିବା ଲାଗି ମତେ ଏମିତି ଅନେକ କଦର୍ଯ୍ୟ କାର୍ଯ୍ୟ କରିବାକୁ ହେଲା, ଯାହା ଭାବିଲେ ମରିଯିବାକୁ ଇଚ୍ଛା ହେଉଛି ।

 

ଜୀବନର ସେଇ ସବୁ ନିଷ୍ଠୁର ସତ୍ୟର ସମ୍ମୁଖୀନ ହୋଇ ମୁଁ ଆଜି ନିଜର ରୁଚି, ଭଲ, ମନ୍ଦ ବିଚାର କରିବାର ଶକ୍ତି ହରାଇ ବସିଛି । ମତେ ଚୁମୁଟିଲେ ଆଜି ଆଉ କାଟୁନାହିଁ । କୌଣସି ଆଘାତ ଆସିଲେ ତାକୁ ସହିବାପାଇଁ ଛାତି ଭୟରେ ଥରି ଉଠୁନାହିଁ ।

 

ଜୀବନରେ ଏଇସବୁ ଯନ୍ତ୍ରଣାଦାୟକ ଘଟଣା ନ ଘଟୁ, ସେଥିପାଇଁ ଆଉ ବିବାହ ନ କରିବାକୁ ମୁଁ ସ୍ଥିର କରି ନେଇଥିଲି । ଅବିବାହିତା ରହିପାରିଥିଲେ ନିଜ ପ୍ରେମିକଙ୍କୁ ସବୁ ଦୋଷ ଦେଇ ନିଜକୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଥାଆନ୍ତି । ସେଦିନ ତାଙ୍କୁ ଘୃଣା କରିବାର ଅନେକ ଯୁକ୍ତି ମୁଁ ମନରେ ସଞ୍ଚୟ କରି ରଖିଥିଲି । କିନ୍ତୁ ହଠାତ୍ ଆଉ ଜଣକୁ ବିବାହ କଲା ପରେ ମୋ ନିଜ ପ୍ରେମିକଙ୍କ ପାଖରେ ମୁଁ ନିଜେ କିପରି ମନେମନେ ଛୋଟ ହୋଇଯାଉଛି । ବାହାରକୁ ପ୍ରକାଶ କରି ନପାରିଲେ ସୁଦ୍ଧା ସେଇ ଯନ୍ତ୍ରଣା, ସେଇ ଭାବନା ମତେ ତିଳତିଳ କରି ଦଗ୍ଧ କରୁଛି ।

 

ଜଣେ ପୁରୁଷକୁ ଦେହ ଦେଇ, ପତ୍ନୀ ହୋଇ, ସନ୍ତାନ ଜନ୍ମ କରି ସୁଖୀ ହେବା ଏକ ସହଜ କଥା । କିନ୍ତୁ ନିଜ ଆତ୍ମାକୁ ସନ୍ତୁଷ୍ଟ କରି, ମନକୁ ବୁଝାଇ ନିଜକୁ ସୁଖୀ କରିବା ଭୀଷଣ କଷ୍ଟକର କଥା ।

 

ଯାହାଙ୍କୁ ପ୍ରେମ କରୁଥିଲି; ତାଙ୍କୁ ବିବାହ କରିପାରିଲି ନାହିଁ କିମ୍ବା ଯାହାଙ୍କୁ ବିବାହ କଲି ତାଙ୍କୁ ପ୍ରେମ କରିବାକୁ ଅବିବାହିତା ଜୀବନରେ ସଂଯତ ରହିପାରିଲି ନାହିଁ । ମୋର ଏଇ ଦୁର୍ବଳତା, ପ୍ରତ୍ୟୟ-ହୀନତା ମୋ ପ୍ରେମିକଙ୍କ ଜୀବନକୁ ନଷ୍ଟ କରିଦେଲା, ମତେବି ପ୍ରତିଟି ମୁହୂର୍ତ୍ତରେ ଦଗ୍ଧ କରି ମାରୁଛି ।

 

ତୁ'ତ ମୋର ଅନ୍ତରଙ୍ଗ ସଖୀ ।

 

ତତେ ଏ କଥା ନ କହିଲେ ଆଉ ବା କାହାକୁ କହିବି ?

 

ଯେଉଁଦିନ ଶିକ୍ଷୟିତ୍ରୀ ଥିଲି, ଉତ୍ତମ ଶିକ୍ଷୟିତ୍ରୀ ବୋଲି ମୋର ସୁଖ୍ୟାତି ଚାରିଆଡ଼େ ପ୍ରସାରିତ ହୋଇ ଯାଇଥିଲା । ଓଡ଼ିଶାର ମାନନୀୟା ନାରୀନେତ୍ରୀମାନେ ମୋର ଉଚ୍ଚ ପ୍ରଶଂସା କରୁଥିଲେ । କାରଣ ଅନୁଷ୍ଠାନର ଛାତ୍ରୀମାନଙ୍କୁ କୁଆଡ଼େ ମୁଁ ଜନନୀ ଭଳି ସ୍ନେହ କରୁଥିଲି ।

 

ରୀନା ! ସତରେ ମୋ ଶିକ୍ଷାଳୟର ଛାତ୍ରୀମାନଙ୍କୁ ମୁଁ ସ୍ନେହ କରୁଥିଲି, କାରଣ ସେ ଅନୁଷ୍ଠାନରେ ମୋର ଚାକିରି ନିର୍ଭର କରୁଥିଲା ସେମାନଙ୍କୁ ସ୍ନେହ କରିବା ଉପରେ ! ଛାତ୍ରୀମାନଙ୍କୁ ମୁଁ ଦେଖାଉଥିବା ସ୍ନେହରେ ରକ୍ତର ବନ୍ଧନ ସମ୍ପର୍କ ନଥିଲା, ଆନ୍ତରିକତା, ହାର୍ଦ୍ଦିକତା ମଧ୍ୟ ନଥିଲା, ଥିଲା କେବଳ ଶିକ୍ଷୟିତ୍ରୀ ଚାକିରି ହରାଇବାର ଭୟ । ଆଉ ଶିକ୍ଷାଳୟର ଛାତ୍ରୀମାନଙ୍କୁ ଜନନୀ ଭଳି ସ୍ନେହ କରିବାରେ ମୋର ଯେ ଚାକିରି ହରାଇବାର ଭୟ ବିଜଡ଼ିତ ଥିଲା, ସେ କଥା ଭ୍ରମରେ ସୁଦ୍ଧା କେହି ସନ୍ଦେହ କରି ନଥିଲେ !

 

ଆଜି ମୁଁ ମୋର ସ୍ୱାମୀଙ୍କୁ ପ୍ରେମ କରୁଛି, ପତ୍ନୀ ଭଳି ସମ୍ମାନ କରୁଛି, କାରଣ ତା’ ନହେଲେ ଆଉ ବଞ୍ଚିରହିବାର ମୋର ଅନ୍ୟ କିଛି ଉପାୟ ନାହିଁ; ନିଜର ପ୍ରତାରଣାର ପଚା ଘାଆକୁ ଗୋପନ କରିବାର ଅନ୍ୟ କିଛି ବାଟ ନାହିଁ । ପତ୍ନୀସୁଲଭ ପ୍ରେରଣା ଅପେକ୍ଷା, କୃତଜ୍ଞତାବୋଧର ଦାବି ମୋ ମନରେ ସ୍ୱାମୀଙ୍କପାଇଁ ଅଧିକ ସ୍ନେହ, ଅଧିକ ସେବା କରିବାର ଉତ୍ସ ସୃଷ୍ଟି କରିଛି ।

 

ପ୍ରେମିକଙ୍କୁ ମୁଁ ଛାଡ଼ିଦେଇ ଆସିପାରିଲି, କାରଣ ତାଙ୍କ ସହ ମୋର ସମ୍ପର୍କ ହୃଦୟର ଆବେଦନ ଉପରେ ନିର୍ଭର କରୁଥିଲା । ସେ ହୃଦୟର ବନ୍ଧନ ଶିଥିଳ ହୋଇଗଲା । ପରେ ତାଙ୍କୁ ତ୍ୟାଗ କରିବାର ଯନ୍ତ୍ରଣା, କଷ୍ଟ ମୁଁ ସହି ପାରିଲି । କିନ୍ତୁ ଆଜି ସେ ମୋର ସ୍ୱାମୀ, ପ୍ରତିଟି ରାତ୍ରିରେ ଯେ ମୋ ରକ୍ତର ଉଷ୍ମତା ଶୀତଳ କରୁଛନ୍ତି, ମୋର ଅଭିଭାବକମାନଙ୍କୁ ସମ୍ମାନ ଦେଖାଇ ସେମାନଙ୍କୁ ସାମାଜିକ ମର୍ଯ୍ୟାଦା ବଢ଼ାଉଛନ୍ତି, ତାଙ୍କ ସହ ମୋର ସମ୍ପର୍କମତେ ମୋ ଅଭିଭାବକମାନକୁ କ୍ଷମା କରିପାରିଥିବାର କୃତଜ୍ଞତାବୋଧ ଉପରେ ପ୍ରତିଷ୍ଠିତ । ନିଜ ମନକୁ ମନ ମୁଁ ତାଙ୍କର କ୍ରୀତବାସୀ ଇଚ୍ଛା କଲେବି ଏ ବନ୍ଧନ ମୁଁ ଛିନ୍ନକରି ଯାଇପାରିବି ନାହିଁ ।

 

ହୃଦୟର ଆବେଦନରୁ ଯେଉଁ ଆନ୍ତରିକତାର ଜନ୍ମ, ସେ ଆନ୍ତରିକତାର ବନ୍ଧନ ଛିନ୍ନ ହେବା ସମ୍ଭବ । କିନ୍ତୁ କୃତଜ୍ଞତାବୋଧରୁ ଯେଉଁ ଆନ୍ତରିକତାର ସୃଷ୍ଟି, ସେ ବନ୍ଧନ ଛିନ୍ନ କରିବା କଷ୍ଟ-। ଛିନ୍ନ କଲେ ସମାଜ ତାକୁ ସହଜରେ କ୍ଷମାକରିବ ନାହିଁ ।

 

ପ୍ରେମିକ ସହିତ ପ୍ରତାରଣା କରି ସାରି ସ୍ୱାମୀର ସଂସାରରେ ସୁଖୀ ହେବାର ସ୍ୱପ୍ନ ଦେଖିଲାବେଳେ ମୋର ପ୍ରଧାନ ପୁଞ୍ଜି ଥିଲା ନିଜ ଅସାମାନ୍ୟ ରୂପ, ଫେନିଳ ଯୌବନ । ପିତୃ-ପରିବାରରୁ କେବଳ ସେତିକି ମାତ୍ର ପୁଞ୍ଜି ନେଇ ସ୍ୱାମୀର ପରିବାରରେ ଶଙ୍କତ ହୃଦୟରେ ମୁଁ ପ୍ରବେଶ କରିଥିଲି । ରୂପ, ଯୌବନରେ ସେ ପୁଞ୍ଜି ଶେଷ ହୋଇ ଆସିଲେ ଆଉ କେଉଁ ଐଶ୍ୱର୍ଯ୍ୟ ନେଇ ମୁଁ ସମସ୍ତଙ୍କ ଆଖିରେ ଝଲମଲ ହେବି, ସେ କଥା ଭାବି ଦେବାମାତ୍ରେ ମୋ ଛାତି ଭିତରେ ପବନ ଅଟକିଗଲା ଭଳି ମୁଁ ଅନୁଭବ କରୁଥିଲି ।

 

କିନ୍ତୁ ଆଜି ମୁଁ ସଂସାରକୁ ମଧ୍ୟ ଜୟ କରିଛି ।

 

ଜନନୀ ହେବାପରେ ମୁଁ ଅନେକ ପରିମାଣରେ ନିଶ୍ଚିନ୍ତ ହୋଇଛି । ମୋ ରୂପ, ମୋ ଯୌବନ ଯେଉଁ ନିରାପତ୍ତା ମତେ ମୋ ସ୍ୱାମୀର ସଂସାରରେ ଦେଇପାରି ନଥିଲା, ସେ ନିରାପତ୍ତା ଆଣିଦେଇଛି ଏଇ ନବଜାତ ସନ୍ତାନ । ପ୍ରସବବେଦନା ସହ୍ୟ କରି ଏ ସନ୍ତାନକୁ ଜନ୍ମ ଦେଲାବେଳେ ମୋର ମନେ ହୋଇଥିଲା, ସତେ ଯେମିତି ମୋ ନିଜର ନବ-ଜନ୍ମ ଘଟିଛି ! କାରଣ ଜନନୀ ହେବା ସହିତ ମୋ ତରୁଣୀ ଜୀବନର ଅନ୍ଧକାରାଚ୍ଛନ୍ନ ଅତୀତ ଉପରେ ଆପେଆପେ ନାଇଁ ଆସିଛି ଏକ କଳା ପରଦା । ମୁଁ ନିଜେବି ବିସ୍ମୃତ ହୋଇଯାଇଛି ମୋର ସେଇ ହୀନ ପ୍ରତାରଣା, ଜଘନ୍ୟ ପାପର ଇତିବୃତ୍ତି !

 

ରୀନା !

 

ଡାଏରି ଲେଖା ବନ୍ଦ କରି ଚାଲି ଯାଇଥିଲି । କାରଣ ହଠାତ୍ ସ୍ୱାମୀ ପ୍ରେମ କରିବାପାଇଁ ସ୍ମରଣ କରିଥିଲେ । ତାଙ୍କର ସ୍ନେହର ସମୁଦ୍ରରେ ଗଭୀର ଜଳର ମାଛ ଭଳି ତିନି ଚାରିଥର ସନ୍ତରଣ କରି ଏଇ ଫେରୁଛି ମାତ୍ର ! ଏ ପ୍ରେମ ଦେହଜ, ଆତ୍ମା ସହିତ ଏହାର କିଛି ସମ୍ପର୍କ ନାହିଁ । ସ୍ୱାମୀଙ୍କ ପ୍ରେମରେ ସେ ଗଭୀର ଜଳରେ ବୁଡ଼ିଲାବେଳେ ମୁଁ କେବେ ଶ୍ୱାସରୋଧର ଯନ୍ତ୍ରଣା ଅନୁଭବ କରି ନାହିଁ । କାରଣ ମୁଁ ଜାଣେ, ପ୍ରେମ କହିଲେ ଆମେ ଦେହଜ ପ୍ରେମ କଥାହିଁ କହୁ । ନାରୀର ଦେହକୁ ନେଇ ପୁରୁଷର ପ୍ରେମ; ମାଛ, ମାଂସକୁ ନେଇ ମଣିଷର କ୍ଷୁଧା ନିବାରଣ ଭଳି ଏକ ଆଦିମ କଥା । ଆତ୍ମାର ସମ୍ମତି ନଥିଲେ, ପ୍ରଣୟରେ ଶୁଚିତା ନଥିଲେ ନାରୀର ଦୈହିକା ପ୍ରେମ ଗଣିକା-ସୁଲଭ । ଅବିବାହିତା ଥାଇ ମୋର ପ୍ରେମିକଙ୍କୁ ଯେତେବେଳେ ମୁଁ ମୋର ଏ ଦିହକୁ ସମର୍ପଣ କରି ଦେଇଥିଲି, ସେତେବେଳେ ସେ ଗଣିକା-ସୁଲଭ ଲଜ୍ଜା ମତେ କେବେ ସ୍ପର୍ଶ କରି ନଥିଲା । କାରଣ ସେ ଦୈହିକ ପ୍ରେମରେ ସାମାଜିକ ସ୍ୱୀକୃତି ନଥିଲେବି ମୋ ମନ, ନିଜ ଆତ୍ମାର ସମ୍ମତି ଥିଲା । କିନ୍ତୁ ସ୍ୱାମୀଙ୍କ ପାଖରେ ନିଜ ଦେହକୁ ଅର୍ପଣ କଲାବେଳେ... !

 

ହଁ ନିଜ ସାଂସାରିକ ଜୀବନରେ, ନିଜ ପରିବାରରେହିଁ ମୁଁ ଦେହଜୀବୀ ନାରୀ !

 

ହଁ, କହୁଥିଲି ପରା, ସନ୍ତାନର ଜନନୀ ହେବାପରେ ସ୍ୱାମୀର ସଂସାରରେ ସୁଖୀ ହେବି କି ନାହିଁ ବୋଲି ଥିବା ପୂର୍ବ ସଂଶୟ ମୋର ଦୂର ହୋଇଯାଇଛି । ମୋ ଅନ୍ଧକାରାଚ୍ଛନ ଅତୀତ ଉପରେ ନଇଁ ଆସିଛି ଏକ ଯବନିକା ।

 

କିନ୍ତୁ ମୋର ପ୍ରେମିକଙ୍କୁ ମୁଁ ସମ୍ପୂର୍ଣ୍ଣ ଭୁଲି ଯାଇଛି କି ?

 

ମୁଁ ସନ୍ଦେହମୁକ୍ତ ହୋଇଛି । ଦିନେ ଯେଉଁମାନେ ଭାବୁଥିଲେ ମୋର ଏକଦା ପ୍ରେମିକଙ୍କ ପ୍ରଭାବ ମୋ ମନରେ ହୁଏତ ଏବେ ସୁଦ୍ଧା ଅକ୍ଷୁଣ୍ଣ ରହିଛି, ସେମାନେ ସେକଥା ଭୁଲି ଯାଇଛନ୍ତି । ମୋ ନୂତନ ପରିବାର, ନୂତନ ସ୍ୱାମୀଙ୍କ ପ୍ରତି ମୋର ଆନୁଗତ୍ୟ ସମ୍ପର୍କରେ ସମସ୍ତେ ନିଃସନ୍ଦେହ ହୋଇଛନ୍ତି । କିନ୍ତୁ ମୁଁ ନିଜେ !

 

ହୃଦୟର... ! ବିଶ୍ୱାସ କର, ତମକୁ ମୁଁ ଭୁଲିନି । ଭୁଲି ପାରିନି ! ଚେଷ୍ଟା କରିଛି, ପାରିନି । କାରଣ ମୁଁ ନାରୀ । ସ୍ମୃତିର ଶ୍ମଶାନରେ ହୁଏତ ତମପାଇଁ ମୁଁ ଏକ ଡାଆଣୀ ହୋଇ ଭୟ ଦେଖାଉଛି, କିନ୍ତୁ ତମେ... ! ତମେ ମନର ଆକାଶରେ ସେହି ତେଜୋଦୀପ୍ତ ସୂର୍ଯ୍ୟ ଭଳି ଝଲସି ଆଲୋକ ବିକିରଣ କରୁଛି । ତମ ଦେହ ମନର ସେହି ଉଜ୍ଜ୍ୱଳ ଆଲୋକ ଧାରା ନଦୀ ହୋଇ ବହିଯାଉଛି ମୋର ହୃଦୟରେ ! ଅନେକ ଭଙ୍ଗା ଭଙ୍ଗା ଅପାସୋରା ସ୍ମୃତି, ଢେଉ ହୋଇ ସେଇ ନଦୀର ଜଳଧାରାକୁ ଚଞ୍ଚଳ କରୁଛି । ମୋ ଉପରେ ଅଭିମାନ କରୁଛ ? କର । ମୁଁ ସେଥିରେ ବାଧା ଦେବି ନାଇଁ । ମତେ ତମେ ଭୁଲ୍ ବୁଝିଲେବି ମୁଁ ତମକୁ ଭୁଲ ବୁଝିନାଇଁ । ମୁଁ କେବଳ ତମ ସହ ବିବାହ ଚାହିଁ ନଥିଲି । ବାସ୍, ସେତିକି । କିନ୍ତୁ ତମକୁ ମୁଁ ଯେ ମୋ କୁମାରୀ ଜୀବନର ପ୍ରଥମ ପ୍ରଣୟ-ଅର୍ଘ୍ୟ ବାଢ଼ି ଦେଇଥିଲି ! କିପରି ତମକୁ ମୁଁ ଭୁଲିପାରିବି ?

 

ତମ ସହିତ ମୋର ମତାବିରୋଧ ହୋଇଥିଲା । ଆଜିବି ସେ ବିରୋଧରେ ମୀମାଂସା ହୋଇନାହିଁ । ପ୍ରେମ କହିଲେ ତମେ ବୁଝୁଥିଲ ବିବାହ । ସମାଜର ନୀତି-ନିୟମ ତମ ମନକୁ ଭୟରେ ଶଙ୍କିତ କରି ରଖିଥିଲା । ସେଥିପାଇଁ ବିବାହ ବିନା ପ୍ରେମ ତମ ପାଖରେ ଥିଲା ଏକ ଘୃଣିତ ଆବର୍ଜନା । କିନ୍ତୁ ମୁଁ... ! ହୁଁ, ସମାଜ ମତେ କେବେ ଭୟଭୀତ କରିପାରି ନାହିଁ । ତା’ ହୋଇଥିଲେ ବିବାହ ନ କରି ତମ ସହ ଏତେଦିନ ଧରି ମୁଁ ଘନିଷ୍ଠ ହେବାକୁ ସାହସ କରିପାରି ନଥାନ୍ତି, କିମ୍ବା ତମ ସହ ଏତେଦିନ ସ୍ୱାମୀ ସ୍ତ୍ରୀ ଭଳି ଚଳି, ଆଉ ଜଣେ ପୁରୁଷର ସ୍ତ୍ରୀ ହୋଇ ସମାଜର କାନ ମୋଡ଼ି ସେଥିପାଇଁ ସ୍ୱୀକୃତି ଆଦାୟ କରିପାରି ନଥାନ୍ତି । ସମାଜକୁ ମୁଁ ଭୟ କରି ନଥିଲି ବୋଲି ଏ ସମାଜ ମତେ ଭୟ କରୁଛି । ସେଥିପାଇଁ ଅନେକ ଦିନ ଧରି ତମ ଦେହ-ମନ ସହ ଘନିଷ୍ଠ ହେଲାପରେବି ଆଉ ଜଣେ ପୁରୁଷର ସ୍ତ୍ରୀ ହୋଇଥିବାରୁ ଏ ସମାଜ ଭୟରେ ଜଡ଼ସଡ଼ ହୋଇ ମତେ କୁଳବଧୂର ସମ୍ମାନ ଦେଉଛି...ମୋ ସୀମନ୍ତର ସିନ୍ଦୁର ଦେଖି ମତେ, ସତୀ-ସାଧ୍ୱୀ ନାରୀର ମର୍ଯ୍ୟାଦା ଦେଉଛି ।

 

ଆଉ ତମେ... !

 

ତମେ ସମାଜକୁ ଭୟ କରୁଚ ବୋଲି ସମାଜରେ ନିଜେ ଏକଘରକିଆ ହୋଇଯାଇଛ । ଏ ସମାଜରେ ଚଳିବାପାଇଁ ଭୟ କରୁଚ । ସୁନାଟି ପରା ! ମୋ ଛୋଟକଥା ମାନ । ଏ ସମାଜ ଗୋଟାକ ମେଷଶାବକ...ତାକୁ ବ୍ୟାଘ୍ର ଶିଶୁ ବୋଲି ଭୟ କରନାହିଁ । ଏଠାରେ ବାରାଙ୍ଗନା ସୀମନ୍ତରେ ସିନ୍ଦୁର ପିନ୍ଧି ବାହାଘର ବେଦିରେ ବସି କିଛି ଲୋକଙ୍କୁ ଭୂରିଭୋଜନ ଦେଇଦେଲେ କୁଳବଧୂ ହୋଇଯାଏ...ଏ ସମାଜରେ ଶହଶହ ଲମ୍ପଟ ପୁରୁଷ ପାଖରେ ଟଙ୍କା ଥିଲେ, ମୁଣ୍ଡରେ ସଇତାନର ବୁଦ୍ଧି ଥିଲେ, ସମ୍ମାନିତ ମହାମାନବ ହୋଇପାରନ୍ତି...ଏ ସମାଜ ଉପରେ ଆସ୍ଥା ରଖି ତମେ ନିଜକୁ କଷ୍ଟ ଦିଅନାହିଁ ।

 

କ’ଣ ମତେ କହୁଛ ?

 

ମୋ ସୁଖରେ ତମେ ସୁଖୀ ? ମୁଁ ଜନନୀ ହୋଇଅଛି, ସୁଖୀ ହୋଇଛି ? ତମକୁ ଭୁଲିଯାଇଛି ? ନା–ନା–ନା । ଶହେବାର ନା– । ବରଂ ଏ ପିଲାଟା କୋଳକୁ ନ ଆସିବା ପର୍ଯ୍ୟନ୍ତ ତମକୁ ମୁଁ ଅନେକ ପରିମାଣରେ ଭୁଲିଯାଇଥିଲି; କିନ୍ତୁ ଏ ଛୁଆ ଯେତେବେଳେ ତମ ଭଳି ଦୁରନ୍ତ ହୋଇ ମୋ ବୁକୁରେ ମୁହଁ ମାଡ଼ି ଦେଉଛି, ମନେପଡ଼ୁଛି ତମର କଥା...

 

ସେଦିନ ଫାଲ୍‍ଗୁନର ଆକାଶରେ ଅସ୍ତ ସୂର୍ଯ୍ୟ ଖେଳୁଥିଲା ରଙ୍ଗର ହୋଲି । ମନରେ ମଧ୍ୟ ଆମ ଦୁହିଁଙ୍କର ଅଙ୍କା ହୋଇ ଯାଇଥିଲା ଅନେକ ସ୍ୱପ୍ନର ରଙ୍ଗ । ଆମେ ଦୁହେଁ ସ୍ୱପ୍ନ ଦେଖିଥିଲେ–ଆମରବି ପିଲା ହେବ...ଗୋଟିଏ କଅଁଳ ଛନଛନ ଶିଶୁ...ମୋର ଏ ସନ୍ତାନକୁ ଦେଖିଲେ ସେଇ ସ୍ମୃତି ଆଖିକୁ ଓଦା କରି ଦେଉଛି...ମୁଁ ଜନନୀ ହେଲି...କିନ୍ତୁ ଏ ସନ୍ତାନ ତମର ନୁହେଁ...ମୋ ଦେହ ଉପରେ ଦିନେ ତମେ ଅଧିକାର ସାବ୍ୟସ୍ତ କରିଥିଲ, କିନ୍ତୁ ଏ ସନ୍ତାନ ଉପରେ ସେ ଅଧିକାର ତମକୁ ମୁଁ ଦେଲିନାହିଁ । ବୁକୁର ତୃଷ୍ଣା ମେଣ୍ଟାଇବା ପାଇଁ ଜୀବନ ବିକଳରେ ପିଇଗଲି ଚଳଚଳ ସମୁଦ୍ରର ଜଳ !

 

ମୋର ଏ ସନ୍ତାନକୁ ସୋହାଗରେ ଯେତେ ମୁଁ ନିଜ ବୁକୁରେ ଚାପିଧରୁଛି, ମନେ ହେଉଛି, ତମଠାରୁ ସତେ ଯେମିତି ମୁଁ ଏହାକୁ ଛଡ଼ାଇ ଆଣିଛି... ! ସତେ କ’ଣ ନିଜକୁ ନୁହେଁ, ଏଇ ସନ୍ତାନକୁ ମୁଁ ତମଠାରୁ ଛଡ଼ାଇ ଆଣିଛି ?

 

ତମେ ନିଷ୍ଠୁର । ମୋର ଏ ହୃଦୟର ବ୍ୟଥା ବୁଝିବ ନାହିଁ–ତମକୁ ବିବାହ କରିବି ନାହିଁ ବୋଲି ମନା କଲି, ଏ ହେଉଛି ତମପାଇଁ ବଡ଼କଥା; କିନ୍ତୁ ତମପାଇଁ ଯେ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ଜଳୁଛି, ଦଗ୍ଧ ହେଉଛି, ଦେହଜୀବୀ ଭଳି ନିଜ ଦେହରୁ ସ୍ୱାମୀ ନାମକ ପୁରୁଷକୁ ବିକ୍ରି କରି ସଖା ସମ୍ଭୋଗ ସଉଦା କରୁଛି, ଏ କଥା ତମେ ବୁଝୁନ କାହିଁକି ?

 

ନିଜେ ନିଜପାଇଁ ମୁଁ ଏ ଦହନର ଜ୍ୱାଳା କିଣିଛି ! ଏ ମୋ ନିଜ କୃତକର୍ମର ଫଳ !

 

ମୁଁ ତମକୁ ବିବାହ କରିବାକୁ ଚାହିଁ ନଥିଲି; କିନ୍ତୁ ଅନ୍ୟ କାହାକୁ ବିବାହ କରିବାକୁ ଚାହିଁଥିଲି କି ? ତାହାହେଲେ କାହିଁକି ତିନିବର୍ଷ କାଳ ମୁଁ ବାହାଘରକୁ ଏଡ଼ାଇ ଚାଲିଥିଲି ?

 

ମୁଁ ଜାଣେ ମୋର କୌଣସି କୈଫିୟତ ତମେ ଶୁଣିବ ନାହିଁ । ତମପାଇଁ ସବୁଦିନ ଲାଗି ମୁଁ ଏକ ଦୁର୍ବୋଧ୍ୟ ଗଦ୍ୟକବିତା ହୋଇ ରହିଗଲି; କିନ୍ତୁ ନିଜ ମନ ତ ମୋ ପାଖରେ ସବୁବେଳେ ଓଢ଼ଣା ଟାଣି ବୋହୂ ହୋଇ ବସିବ ନାହିଁ ! ବିନୋଦ ! ତମେ ମୋର ସ୍ୱାମୀ ନୁହ, ତମେ ମୋର ନିଃଶ୍ୱାସ, ପ୍ରଶ୍ୱାସ । ଆନନ୍ଦ ଉଦ୍‍ବେଗରେ ମୋ ଛାତି ଭିତରେ ଏ ଯେଉଁ ଢେଉ ଉଠେ, ସେ ତମରି ସ୍ମୃତିର ଢେଉ । ତମେ ଯଦି ସୁଖୀ ହୁଅ, ମୁଁ ଏ ଦହନର ଜ୍ୱାଳା ଭୁଲିବି । ନିପୀଡ଼ିତ ଆତ୍ମା ମୋର ଶାନ୍ତି ପାଇବ...

 

ରୀନାରେ ! ଡାଏରି ଲେଖାର ଧାରା ବଦଳାଇ ଏଣୁତେଣୁ ଅନେକ କଥା ଏ ଡାଏରିରେ ଲେଖିଗଲିଣି । ସତ କହିବି ? ମତେ ଡାଏରି ଲେଖି ଆସେ ନାହିଁ । ସେଦିନଗୁଡ଼ିକରେ ବର୍ଷ ଆରମ୍ଭରେ ଲେଖିବାପାଇଁ ସେ ସୁନ୍ଦର ସୁନ୍ଦର ଡାଏରିମାନ ମତେ ଉପହାର ଦେଉଥିଲେ । ଜୀବନବୀମା କର୍ପୋରେସନର ସେ ଲୋଭନୀୟ ଡାଏରି ସବୁ । ସତ କହିବି ? ସେ ଡାଏରିରେ ଦିନେ ହେଲେ ମୁଁ ଲେଖି ନାହିଁ । କ’ଣ ଲେଖିବି ? ସବୁବେଳେ ତ ତାଙ୍କର ଚିନ୍ତା, ତାଙ୍କୁ ନେଇ ମିଠା ମିଠା ସ୍ୱପ୍ନ ଦେଖା ! ସେ ସବୁ କଥା କ’ଣ ଲେଖିହୁଏ ! ଲେଖିବାକୁ ବସିଲେ ଲାଜରେ ମନ ଭାରି ଭାରି ଜଣାପଡ଼େ । ଲେଖେ ନାହିଁ, ଲେଖିପାରେ ନାହିଁ । ସେ ମତେ ପଚାରନ୍ତି, ଲେଖିଲ ? କ’ଣ ଉଦାରତାକୁ ସୂର୍ଯ୍ୟର ଆଲୋକରେ ଝଲସିତ ହେବାକୁ ଛାଡ଼ିଦିଅ ।’’ ନିଜ ଭିତରୁ ନିଜେ ସେଦିନ ଯେଉଁ ମାନବିକତାର ଆହ୍ୱାନ ମୁଁ ଶୁଣୁଥିଲି; ତାକୁ ଅସ୍ୱୀକାର କରି ନଥିଲି । ଉଦାରତା, ମାନବିକତାର ମୂଲ୍ୟ ମତେ ଯଦି ଆଜି ନିଜକୁ ଦଗ୍ଧ କରିଦେବାକୁ ପଡ଼ୁଛି, ସେଥିପାଇଁ ମୁଁ ଭାଙ୍ଗିପଡ଼ିବି କାହିଁକି ? ବାହାରକୁ ବିଷଣ୍ଣ ଦେଖାଯାଉଥିଲେବି ଭିତରେ ମୁଁ ସତେଜ ଅଛି । ମୁଁ ଭାଙ୍ଗିପଡ଼ି ନାହିଁ, ପ୍ରଣତି ! ବିଶ୍ୱାସ କର, ତମପାଇଁ ଆଜି ମୋର ବିନ୍ଦୁଏ ହେଲେ ଶୋଚନା ନାହିଁ । ତମେ କେବଳ ମୋଠାରୁ ନିଜର ସମ୍ପର୍କ ତୁଟାଇ ଦେଇଯାଇ ନାହଁ, ନାରୀ ଓ ସେ ସମ୍ପର୍କୀୟ ସମସ୍ତ ଅକାରଣ ଆସକ୍ତିର ବନ୍ଧନରୁ ନିଜକୁ ମୁକ୍ତ କରିବାପାଇଁ ମତେ ସାହାଯ୍ୟ କରିଛ । ମତେ ତମେ ପ୍ରେମ କରୁଥିଲ, ବିବାହ କରିଥିଲେ ହୁଏତ ମୁଁ ସର୍ବାନ୍ତଃକରଣରେ ସୁଖୀ ହୋଇଥାନ୍ତି, କାରଣ ତମ ପ୍ରକୃତି ଓ ପ୍ରବୃତ୍ତିର ସେ କୁତ୍ସିତ, ଅସାମାଜିକ ଅଂଶଟି ଅନ୍ଧକାରର ଆଢ଼ୁଆଳରେ ରହିଯାଇଥାଆନ୍ତା-। ପ୍ରେମ ସହିତ ପ୍ରତାରଣା କରି ନିଜ ଚରିତ୍ରର ସେହି ବୀଭତ୍ସ ଅଂଶକୁ ତମେ ମୋ ଆଗରେ ପ୍ରକଟିତ କରିଛ । ଯେଉଁ ପ୍ରଲୋଭନକୁ ତ୍ୟାଗକରିବା ମୋ ପକ୍ଷରେ କେବେହେଲେ ସମ୍ଭବ ହୋଇ ନଥାନ୍ତା, ସେହି ନାରୀସମ୍ପର୍କୀୟ ଲୋଭ, ଆସକ୍ତି ତ୍ୟାଗ କରିବାକୁ ତମେ ମତେ ସକ୍ଷମ କରିଛ ପ୍ରଣତି ! ବିଲ୍ଵମଙ୍ଗଳ ଜୀବନରେ ବାରାଙ୍ଗନା ଚିନ୍ତାମଣି ଭଳି ତମେ... ! ଆଃ, କଲି ଚିକ୍‍ଚିକ୍ ମୁକ୍ତିର ଆଲୋକରେ ମୁଁ ଆଜି ଝିଲ୍‍ମିଲ୍ ହେଉଛି । ନାରୀକୁ ବାଦ୍ ଦେଇ ଯେ ପୁରୁଷ ଜୀବନରେ ଆହୁରି ଅନେକ ଦିଗ ରହିଛି...ପୁରୁଷ ଜୀବନର ସମସ୍ତ ସୁଖ ଯେ ନାରୀ ଦେହର ସେଇ ଆଦିମ ଅରଣ୍ୟ ଭିତରେ ସୀମିତ ନୁହେଁ; ସେ କଥା ଜାଣିଲା ପରେ, ଜୀବନର ଚରମସତ୍ୟ ଆବିଷ୍କାର କରି ପାରିଥିବା ଭଳି ମୁଁ କିପରି ସୁଖୀ, ସେ କଥା ତମେ କିପରି ଜାଣିବ ସୀତାନାଥ, ମଦନ, କୃପାମୟ-! ତମେ ସବୁ ଗୁଲ୍ଲଡ଼, ଧପ୍ପାବାଜ, ବନ୍ଧୁଗଣ ! ଜନ୍ମ ହୋଇ ଯେପରି ମାଆ କୋଳରେ ମୁହଁ ଯାକିଥିଲି, ଅଧବୁଢ଼ା ହୋଇବି ଆଉ ଜାଣେ ଇତର ନାରୀକୁ ସ୍ତ୍ରୀ ମନେକରି ତା’ କୋଳରେ ମୁହଁ ଲୁଚାଉଛି-। ତମେମାନେ କେବେହେଲେ ବୟସ୍କ ହେବ ନାହିଁ...ସବୁଦିନେ କକବାୟାର ଭୟରୁ ତମକୁ ବଞ୍ଚାଇବା ପାଇଁ ଗୋଟିଏ ନାରୀର ବସ୍ତ୍ରାଞ୍ଚଳ ଦରକାର... !

 

।। ପାଞ୍ଚ ।।

 

ଗ୍ରେ ଆମ୍ବାସାଡ଼ରର ଇଞ୍ଜିନ୍‍ଟା ଶବ୍ଦକଲାମାତ୍ରେ କୃପାମୟ ଚିତ୍କାର କଲା, ହିପ୍ ହିପ୍ ହୁର୍‍ରେ…. !

 

ପଛକୁ ମୁହଁ ଫେରାଇ ଚାହିଁଲା ବିନୋଦ । ତିନିବନ୍ଧୁ ତା’ର ସଗର୍ବରେ ଆମ୍ବାସାଡ଼ର ଆରୋହଣ କରିସାରିଛନ୍ତି, ଆଉ ଫୁଟବଲ ମ୍ୟାଚ୍‍ରେ ଜିଣି ଛାତ୍ରମାନେ ଟ୍ରକ୍‍ରେ ବସି ସ୍ଳୋଗାନ ଦେଇ ଗଲାଭଳି କୃପାମୟ ଚିତ୍କାର କରୁଛି, ହିପ୍…ହିପ୍… । ବିନୋଦ ପଚାରିଲା ତାସ୍ ମୁଠାଟା ଆଣିଛୁ ନା ପାଟି କରୁଛୁ ଖାଲି…

 

ନୂଆ ତାସ୍‍ମୁଠାଟା ପକେଟରୁ ବାହାର କରି ଦେଖାଇଲା ସୀତାନାଥ, ତା’ପରେ ମୁଚୁକି ମୁଚୁକି ହସି କହିଲା, ତାସ୍‍ମୁଠା କଥାଟା ପଚାରିଲୁ ଆଉ ବୋତଲ କଥା….

 

ସେତେବେଳକୁ ଗାଡ଼ିର ମିଟର୍ କଣ୍ଟା ଅଶୀ କିଲୋମିଟର୍‍ ଉପରେ ଜିଭ ଲହଲହ କରୁଛି । ଅଧା ଘଣ୍ଟାକର ବାଟ ଚଣ୍ଡୀଖୋଲ । ବୋତଲ କଥା ଶୁଣି ମୁହଁଟା ତା’ର ବିବର୍ଣ୍ଣ ହୋଇଗଲା । ସୀତାନାଥ ପାଇଁ ଆଜିକାଲି ବୋତଲ ନହେଲେ ଆସର ଜମୁ ନାହିଁ । ଅଥଚ ହଷ୍ଟେଲରେ ଥିଲାବେଳେ ଧୋତି ଉପରେ ଚଦର ପକାଇ ସେ ମାଳା ଗଡ଼ାଉଥିଲା ।

 

ଏବଂ ଆମିଷ ଆହାରଠାରୁ ଦୂରରେ ରହୁଥିଲା ! ଆଇ.ଏ.ଏସ୍ ଚାକିରିଟା ତା’ ଜୀବନରେ ଅନେକ ଅନାହୂତ ପରିବର୍ତ୍ତନ ଏତେ ଶୀଘ୍ର ଆଣି ଦେଇଛି ଯେ ସେ ସବୁ ସହିତ ହଠାତ୍ ଅଭ୍ୟସ୍ତ ଲାଗୁଛି ବିନୋଦକୁ । ତା’ ନିଜ ଜୀବନରେ ପ୍ରଣତି ଆଉ ସୀତାନାଥ ଜୀବନରେ ଆଇ.ଏ.ଏସ୍ ଚାକିରି ମଧ୍ୟରେ କିପରି ଏକ ଅଦୃଶ୍ୟ ସମ୍ପର୍କ ଥିବା ଭଳି ତା’ର ମନେହୁଏ । ଆଇ.ଏ.ଏସ୍ ଚାକିରି ପାଇବା ଆଗରୁ ସୀତାନାଥ ଥିଲା ସାମାନ୍ୟ ଜଣେ ଶିକ୍ଷିତ ବେକାର । ଲୋକେ ତାକୁ ଦୟା କରୁଥିଲେ । କିନ୍ତୁ ଆଇ.ଏ.ଏସ୍ ପାଇବା ପରେ ସୀତାନାଥ ହଠାତ୍ କିପରି ଜଣେ ସମ୍ମାନସ୍ପଦ ବ୍ୟକ୍ତି ବୋଲି ସମାଜରେ ସାବ୍ୟସ୍ତ ହୋଇଗଲା । ଆଉ ତା’ ଜୀବନରେ ପ୍ରଣତି ଆସିବା ଆଗରୁ... ! ସେ ଥିଲେ ଚରିତ୍ରବାନ୍, ସୁପୁରୁଷ । କିନ୍ତୁ ଯେଉଁଦିନ ପ୍ରଣତି ତାକୁ ପ୍ରତ୍ୟାଖ୍ୟାନ କରିଗଲା, ସେ ହେଲା ଚରିତ୍ରହୀନ, ଅପଦାର୍ଥ !

 

ରାସ୍ତାପାଖ କେନାଲରେ ସ୍ନାନ କରୁଥିବା ଦଳେ ଗ୍ରାମ୍ୟ ମହିଳାଙ୍କୁ ଲକ୍ଷ୍ୟ କରି ମଦନ କ’ଣ ଗୋଟାଏ ଅଶ୍ଳୀଳ ହିନ୍ଦୀ ଫିଲ୍ମ ଗୀତର ସୁର୍ କରୁଥିଲା, ତା’ ପାଟିରେ ହାତ ଦେଇଦେଲା କୃପାମୟ । କହିଲା, ହବେ…ସିନେମା ଆଜିକାଲି ମଫସଲର ଗଳିକନ୍ଦିରେ ଦେଖା ଦେଲାଣି…ତୁ ଯେଉଁ ଗୀତର ସୁର୍ ଧରୁଛୁ ସେ ଗୀତ ଗାଁପିଲାଙ୍କ ମୁଖସ୍ଥ…ଦେବେ ସେ ଧରି ଗାଡ଼ି ଅଟକାଇ ବେକରେ ଥୋଇ…

 

ସେ ଗ୍ରାମ୍ୟ କେନାଲର ସୀମା ଅତିକ୍ରମ କରି ଆମ୍ବାସାଡ଼ର ଗାଡ଼ି ସେତେବେଳକୁ ଏକ ନିରାପଦ ନିର୍ଜନ ରାସ୍ତାରେ ଗତି କରୁଥିଲା । କୃପାମୟ କଥାରେ ସମସ୍ତେ ମନଖୋଲି ଖୁବ୍ ହସିଲେ । ବିନୋଦର ମନେହେଉଥିଲା ଆସରଟା ଆଜି ନିଶ୍ଚୟ ଜମିବ । ଚାରିବନ୍ଧୁ ଯେତେବେଳେ ଅବିବାହିତ ଥିଲେ ଏହି ବନ୍ଧୁମହଲର ଆଡ଼୍‍ଡ଼ା ଖୁବ୍ ଜମୁଥିଲା କୃପାମୟ ଘରେ । ଅନ୍ୟୂନ ପ୍ରତି ରବିବାର ଦିନ ଆଡ଼୍‍ଡ଼ା ଜମିବା ଥିଲା ଏକ ଧରାବନ୍ଧା କଥା । କେହି କାହାରିକୁ କହିବା ଦରକାର ନାହିଁ । ଠିକ୍ ସମୟକୁ ସମସ୍ତେ ଆପେଆପେ ଆସି ଜୁଟି ଯାଉଥିଲେ । ବ୍ରିଜ୍ ଖେଳ, ବେଳେବେଳେ କ୍ୟାରମ–ବୋଡ଼୍‍ ଅଥବା ଖେଳ ମଝିରୁ ହଠାତ୍ ଉଠି ସେକେଣ୍ଡ ସୋ’ରେ କେଉଁଦିନ ତୃତୀୟ ଶ୍ରେଣୀର ହିନ୍ଦୀ ଫିଲ୍ମ ଦେଖିବା ଥିଲା ସମସ୍ତଙ୍କର ଏକ ଯୌଥନିଶା । ସୀତାନାଥ ପ୍ରଥମେ ପ୍ରଥମେ ଏ ଶସ୍ତା ଫିଲ୍ମ (ଅବଶ୍ୟ ଦାରାସିଂ କୁସ୍ତି ସମ୍ବଳିତ ଅଥବା କିଶୋର କୁମାର ଅତ୍ୟଶ୍ଚର୍ଯ୍ୟ ଦୃଶ୍ୟ ଅଭିନୀତ ହିନ୍ଦୀ ଫିଲ୍ମକୁ ଶସ୍ତା ଛବି ବୋଲି ସୀତାନାଥ କହିଲେ ମଦନ, କୃପାମୟ ତା’ର ତୀବ୍ର ବିରୋଧ କରୁଥିଲେ, କାରଣ ସେମାନଙ୍କ ମତରେ ପଇସା ଦେଇ ଫିଲ୍ମ ଦେଖାଯାଏ ଆମୋଦପାଇଁ...ବ୍ୟଥାରେ ଆଖିକୁ ସଜଳ କରିବାପାଇଁ ନୁହେଁ, କିମ୍ବା ଗଭୀର ଚିନ୍ତାରେ ମନକୁ ଆନ୍ଦୋଳିତ କରିବା ଲାଗି ନୁହେଁ । ମଦନ ମନ୍ତବ୍ୟ କରେ, ଘରେ ବାହାରେ ଏତେ ଦୃଶ୍ୟ ଆମେ ଦେଖୁଛୁ ଯେ ସେଥିରେ ଆଖି ଲୁହରେ ସବୁବେଳେ ଛଳଛଳ, ମନ ଚିନ୍ତାରେ ଭାରାକ୍ରାନ୍ତ, ସେହି ସବୁ କଥାପାଇଁ ପଇସା ଖର୍ଚ୍ଚ କରି ସିନେମା ଦେଖିବା କେଉଁ ଦୁଃଖରେ !) ଦେଖିଯିବାକୁ ଦ୍ୱିଧାଗ୍ରସ୍ତ ହେଉଥିଲା । କିନ୍ତୁ ବନ୍ଧୁତ୍ୱର ଚାପ ତା’ର ରୁଚି ପରିବର୍ତ୍ତନ ଘଟାଇବାରେ ବେଶି ସମୟ ନେଇ ନଥିଲା । ଜୀବନକୁ ଯେକୌଣସିମତେ ପ୍ରତ୍ୟେକ ମୁହୂର୍ତ୍ତରେ ଉପଭୋଗ କରିବାକୁ ହେବ–ସେଦିନ ତାହାହିଁ ଥିଲା ସେମାନଙ୍କର ଲକ୍ଷ୍ୟ ।

 

କିନ୍ତୁ ବିନୋଦ ଭଳି ଅନ୍ୟ ତିନି ବନ୍ଧୁ ବିବାହ କରିଗଲା ପରେ ଆଡ଼୍‍ଡ଼ା ଆପେଆପେ ଭାଙ୍ଗିଗଲା । କର୍ମବ୍ୟସ୍ତ ଜୀବନ-ସଂଗ୍ରାମ ଭିତରୁ କିଛି ସମୟ ଚୋରି କରି ତିନି ବନ୍ଧୁ ଠିକ୍ ସମୟରେ ଯାଇ କୃପାମୟ ଘରେ ପହଞ୍ଚିଗଲେବି ଦେଖାଗଲା, ଘରେ ଥାଇ ନବବିବାହିତା ପତ୍ନୀଙ୍କର ଭୟରେ ଘରେ ନାହିଁ ବୋଲି ଚାକର ହାତରେ ସମ୍ବାଦ ପଠାଇଲା କୃପାମୟ । ଇଚ୍ଛା କରି ମଧ୍ୟ କୃପାମୟକୁ ଏପରି ବନ୍ଧୁଦ୍ରୋହିତାର ଉପଯୁକ୍ତ ଶାସ୍ତି ଦେବାପାଇଁ ସେମାନେ ଆଗଭଳି ତା’ ଘର ଭିତରେ ପ୍ରବେଶ କରିପାରିଲେ ନାହିଁ । କାରଣ ବିବାହ ପରେ କୃପାମୟର ପତ୍ନୀଙ୍କ ଚୁଡ଼ି ରୁଣୁଝୁଣୁ ଶବ୍ଦ ସେମାନଙ୍କ ମନରୁ ନୂତନ ଦୁଃସାହସିକତାର ସମସ୍ତ ଅପହରଣ କରି ନେଇଥିଲା !

 

ତା’ପରେ ଶିକ୍ଷିତ–ବେକାର, ଟିଉସନ୍‍ଜୀବୀ ସୀତାନାଥ ଆଇ.ଏ.ଏସ୍ ପ୍ରାପ୍ତି ସ୍ଥାନାନ୍ତର, ବିନୋଦ ଜୀବନର ଆକସ୍ମିକ ପଟ୍ଟପରିବର୍ତ୍ତନ ଓ ସଙ୍ଗୀତଶିଳ୍ପୀ ମଦନମୋହନଙ୍କ ହଠାତ୍ ଭାର୍ଯ୍ୟାଲାଭ ଏବଂ ଅସହ୍ୟ ଚୁପ୍‍ଚାପ୍ ଭାବ, ପରିସ୍ଥିତି ଓ ପରିବେଶକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରି ଦେଲା ।

 

ଅନେକ ଦିନ ପରେ ସୀତାନାଥର ଏଠାକୁ ବଦଳି ଏବଂ ବିବାହର କିଛି ବର୍ଷ ପରେ ମଦନ ଓ କୃପାମୟ ଜୀବନରେ ଆକସ୍ମିକ ତାରୁଣ୍ୟର ପୁନଃ ଆବିର୍ଭାବ ଚାରି ବନ୍ଧୁଙ୍କୁ ପୁଣି ଆଜି ନୂତନ ଭାବରେ ଏକତ୍ରିତ ହେବାଲାଗି ପ୍ରଲୁବ୍‍ଧ କରୁଛି । କିନ୍ତୁ କିଛି ବର୍ଷ ତଳର ସେଇ ପ୍ରଗଳ୍‍ଭ ତାରୁଣ୍ୟର ବେପରୁଆ ଭାବ, ଯାହା ଆଡ଼୍‍ଡ଼ାର ଆସରକୁ ଉଷ୍ମ କରିଦେଇଥିଲା, ତାହା ସମସ୍ତଙ୍କଠାରେ ପୂର୍ବ ଭଳି ଅପରିବର୍ତ୍ତିତ ଅଛି କି ନାହିଁ, ସେ ବିଷୟରେ ପରସ୍ପର ପରସ୍ପରର ପ୍ରତି ଘୋର ସନ୍ଦେହ ।

 

କୃପାମୟ ପାଟିକଲା, ତୋ ମୁଣ୍ଡର ଇଞ୍ଜିନ୍‍ଟା କ’ଣ ଏପର୍ଯ୍ୟନ୍ତ ମରାମତି ହୋଇନି ବିନୋଦ ! କେଉଁ ରାସ୍ତାରେ ଆମକୁ ଚଣ୍ଡୀଖୋଲ ନେଉଛୁ କିରେ !

 

ବିନୋଦ ଭାବନା-ବିଚ୍ୟୁତ ହୋଇ ହଠାତ୍ ସଚେତନ ହେଲା । ସତେତ ! ସେ ବାଟ ଭୁଲି ଆଉ ଏକ ଗଳିରାସ୍ତାରେ ଗାଡ଼ି ନେଇ ଆସିଛି !

 

ସେ ପୁଣି ପଛକୁ ଚାହିଁ ଗାଡ଼ି ବୁଲାଇଲାବେଳେ ମଦନ କହିଲା, ଆଚ୍ଛା ବିନୋଦ ! ତୁ କ’ଣ ସତରେ ଆଜୀବନ ଜଣେ ଦାର୍ଶନିକ ହୋଇ ରହିଯିବୁ ! କେବଳ ଭାବୁଥିବୁ, କୌଣସି ବିଷୟରେ କିଛି ସିଦ୍ଧାନ୍ତ କରିବୁ ନାଇଁ !

 

ବିନୋଦ ପାଟିକଲା, ଗାଡ଼ି ଚଳାଇଲାବେଳେ ମତେ ବିରକ୍ତ କରିବୁ ନାହିଁ ବୋଲି ତତେ କେତେ ଥର ମନା କରିଛି ! ସେମିତି ବିରକ୍ତ କଲେ ରାସ୍ତା ଭୁଲ୍ ହେବ ନାଇଁ; କିଛି ଗୋଟାଏ ଦୁର୍ଘଟଣା ମଧ୍ୟ ଘଟିଯାଇପାରେ । ଆଉ ଆକ୍‍ସିଡ଼େଣ୍ଟ ହେଲେ ବିଧବା ହେବାକୁ ମୋ ଘରେ କେହି ସୀମନ୍ତିନୀ ନାହାନ୍ତି ଯେ… !

 

ମଦନ ହସିଉଠିଲା ।

 

ହସି ହସି ମନ୍ତବ୍ୟ କଲା ସୀତାନାଥ, ତାହାହେଲେ ତୋ ବୀମା କର୍ପୋରେସନକୁ ବହୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିବ…ମୁଁ ଗୋଟେ ଚାରିଟା ପ୍ରିମିୟମ୍ ପେମେଣ୍ଟ୍ କରିଛି…ଅଥଚ ଆକ୍‍ସିଡ଼େଣ୍ଟରେ ମୃତ୍ୟୁହେଲେ ବୀମା କର୍ପୋରେସନକୁ ଅଯଥାରେ ପଚାଶ ହଜାର ଟଙ୍କା ଦେବାକୁ ପଡ଼ିବ… ।

 

ଏଥର ଚାରି ବନ୍ଧୁଙ୍କ ହସର ମିଳିତ ଆର୍କେଷ୍ଟ୍ରା ବାୟୁସ୍ତରକୁ ଶବ୍ଦାୟିତ କରିଦେଲା ।

 

ଆସିଗଲା ଚଣ୍ଡୀଖୋଲ ।

 

ବିନୋଦ ଷ୍ଟାର୍ଟ୍ ବନ୍ଦ କରିବାମାତ୍ରେ କାର୍‍ର ଦରଜା ଖୋଲି ପଛ ସିଟ୍‍ରେ ବସିଥିବା ବନ୍ଧୁ ତିନି ଜଣ ତା’ର ଲମ୍ଫ ଦେବା ଭଳି କୁଦି ପଡ଼ିଲେ ବାହାରକୁ । ଗହଳ ଗଛପତ୍ରର ଫାଙ୍କରେ ଶେଷ ଚୈତ୍ରର ରୌଦ୍ର ଶୀତଳ ହୋଇ ଝରି ପଡ଼ୁଥିଲା । ଖରାର ରଙ୍ଗ ଥିଲା ସେଠାରେ, କିନ୍ତୁ ତେଜ ନଥିଲା । ଭାରି ଶୀତଳ, ଆରାମବୋଧ ହେଉଥିଲା ବାହାରକୁ ।

 

ବିନୋଦ ଲକ୍ଷ୍ୟ କଲା କାର୍‍ରୁ ଓହ୍ଲାଇବାମାତ୍ରେ ତା’ର ବନ୍ଧୁ ତିନି ଜଣ ସେ ଛାୟାଶୀତଳ ପାହାଡ଼ୀ ଅଞ୍ଚଳରେ ଦୌଡ଼ାଦୌଡ଼ି ଆରମ୍ଭ କରିଦେଲେ । ପାହାଡ଼ ଉପରକୁ ଉଠିଲାବେଳେ କେଉଁ ଚଳଚ୍ଚିତ୍ରର ରୋମାଣ୍ଟିକ୍ ନାୟକ ଭଳି ହାତ ଆକାଶ ଆଡ଼କୁ ଟେକି ଗୋଟାଏ ଗୀତର ଲହର ଛାଡ଼ି ଦେଇଥିଲା ମଦନ । ଆଉ ପଡ଼ି ଉଠି କୃପାମୟ ଏବଂ ସୀତାନାଥ ଇତସ୍ତତଃ ଭାବରେ ଏଣେତେଣେ ଦୌଡ଼ିଲାବେଳେ ସେମାନଙ୍କ ମୁହଁରୁ ମୁଠା ମୁଠା ହସ ଏଣେତେଣେ ଫାଟିପଡ଼ୁଥିଲା-। ସତେ ଅବା ଆଜୀବନ କାରାଦଣ୍ଡ ଭୋଗ କରୁଥିବା ତିନି ଜଣ କଏଦୀଙ୍କୁ ଅଚାନକ ଭାବରେ ଜେଲ୍‍ଖାନାରୁ ଆଣି ଏକ ମୁକ୍ତ ଅଞ୍ଚଳରେ ଛାଡ଼ି ଦିଆଯାଇଛି !

 

Unknown

ବିନୋଦ ମନେମନେ ହସିଲା ।

 

ସମ୍ଭବତଃ ବାସ୍ତବରେ ବନ୍ଧୁ ତିନି ଜଣ ତା’ର ବନ୍ଦୀଦଶା ଭୋଗ କରୁଛନ୍ତି । ବିବାହ କରି ନିଜ ପରିବାରକୁ ସେମାନେ ପରିଣତ କରିଛନ୍ତି ଜେଲ୍‍ଖାନାରେ ! ଆଜି ପରିବାରଠାରୁ ଦୂରରେ, ନିଜ ପତ୍ନୀର ଦୃଷ୍ଟି ଅନ୍ତରାଳରେ ସେମାନେ ଉପଭୋଗ କରୁଛନ୍ତି ବହୁଦିନ ପରେ ମୁକ୍ତ ସମୀରଣ…ଉନ୍ମୁକ୍ତ ଆକାଶ…ମୁକ୍ତିର ସ୍ଵାଦ ?

 

ଆଃ ବିଚାରୀ !

 

ବିନୋଦର ମନ ସମବେଦନାରେ ଓଦା ହୋଇଗଲା ।

 

ସେ ପାଟିକଲା, କାର୍‍ରୁ ଜିନିଷପତ୍ର ଓହ୍ଲା ହେଲାନାଇଁ, ତମେସବୁ ଗଲ କୁଆଡ଼େ ?

 

ସେମାନେ କିଛି ସମୟ ପରେ ଆସି କାର୍ ପାଖରେ ରୁଣ୍ଡ ହେଲେ । ନିଃଶ୍ୱାସର ଗତି ସେ ପର୍ଯ୍ୟନ୍ତ ସ୍ଵାଭାବିକ ହୋଇ ନଥିଲେ ସୁଦ୍ଧା ମୁହଁରେ ସାମାନ୍ୟ କ୍ଳାନ୍ତିର ଚିହ୍ନ ନଥିଲା । ମଦନ କହିଲା, ଅନେକ ଦିନ ପରେ ଆମେ ପୁଣି ଚଣ୍ଡୀଖୋଲ ଆସିଛେ ନା !

 

ଅନେକ ଦିନ !

 

ସତେ ତ ବର୍ଷ ମାସର ହିସାବରେ ବେଶି ଦିନ ନହେଲେବି ଅନୁଭୂତି ଓ ବିସ୍ମୃତି ଦୃଷ୍ଟିରୁ ଗତ ଥରଠାରୁ ଏଥର ଚଣ୍ଡୀଖୋଲ ଆସିବା ଭିତରେ ଅନେକ ଦିନର ବ୍ୟବଧାନ ! ବିବାହ ସେ ତିନି ଜଣଙ୍କୁ ବୁଢ଼ା କରି ଦେଇଛି ବୋଲି ଅନୁମାନ କରି ବିନୋଦ ମନେମନେ ଉଲ୍ଲସିତ ହେଲା ।

 

ଜ୍ୱଳନ୍ତ ସିଗାରେଟର ଧୂମକୁଣ୍ଡଳୀ ମଧ୍ୟରେ ବ୍ରିଜ୍ ଖେଳର ଆସର ଜମି ଉଠୁଥିଲା । ହଠାତ୍ ବିନୋଦ କହିଲା, ଝରଣାର ଜଳରେ ଗାଧୋଇବା ପାଇଁ ସେ ସ୍ତ୍ରୀଲୋକମାନେ ଠିଆ ହୋଇଛନ୍ତି । ଆଉ ଆମେ ଝରଣାକୂଳରେ ଖେଳିବସିଲେ ସେମାନେ ଅସୁବିଧାରେ ପଡ଼ିବେ–

 

ବିନୋଦର ଏ ଆପତ୍ତିରେ ପ୍ରତିବାଦ କରି ଉଠୁଥିଲା କୃପାମୟ । କାରଣ ସମସ୍ତଙ୍କ ଅଜ୍ଞାତରେ ସେ ଏଥିମଧ୍ୟରେ ସ୍ନାନାର୍ଥୀମାନଙ୍କ ମଧ୍ୟରୁ କେତେଜଣଙ୍କ ଯୌବନପୁଷ୍ଟ ସୁଗଠିତ ଦେହରେଖା ଉପରେ ନିଜର ଚିର ଅତୃପ୍ତ କୌତୂହଳୀ ଦୃଷ୍ଟି ଘୂରେଇ ଆଣି ସାରିଥିଲା । ସେମାନେ ସ୍ନାନ କଲାବେଳେ ଆଉ କିଛି ନୂତନ ରହସ୍ୟ ସେ ଉଦ୍‍ଘାଟନ କରିପାରିବ, ଏହିପରି ଏକ କଳ୍ପନାରେ ମନ ତା’ର ଯେତେବେଳେ ଉଷ୍ମ ହୋଇ ଆସୁଥିଲା, ଠିକ୍ ସେତିକିବେଳେ ବିନୋଦର ଏ ମନ୍ତବ୍ୟ ତା’ ମନକୁ ବିରକ୍ତିରେ ଭରିଦେଲା ।

 

ସେ ପ୍ରତିବାଦ କଲା, ପ୍ରଣତି ବାହା ହେବାକୁ ମନା କରିଦେଇ ତତେ ଠିକ୍ କରିଛି । ତୁ ଯେମିତି ଝିଅମାନଙ୍କୁ ଦେଖିଲେ ଲାଜକୁଳୀ ଲତା ଭଳି ଝାଉଁଳି ପଡ଼ୁଛୁ ନା କୌଣସି ଝିଅବି ତତେ କେବେ ବାହା ହେବେ ନାଇଁ… ।

 

କୃପାମୟ ଖୁବ୍ ରାଗିଗଲେ ବିନୋଦକୁ ପ୍ରଣତିର ପ୍ରତ୍ୟାଖ୍ୟାନ ଉପାଖ୍ୟାନରୁ ଉଦାହରଣ ଦେଇ ଆଘାତ କରେ । କାରଣ ପ୍ରଣତି ଏଥିମଧ୍ୟରେ ବିବାହ କରି ଜନନୀ ହୋଇ ସାରିଥିଲେ ସୁଦ୍ଧା ତା’ ପ୍ରତି ବିନୋଦ ମନରେ ଯେ ଅନେକ ଦୁର୍ବଳତା ଏପର୍ଯ୍ୟନ୍ତ ସଞ୍ଚିତ ହୋଇ ରହିଛି, ସେ ସମ୍ବାଦ ଠିକ୍ ରଖିଛି କୃପାମୟ ।

 

କୃପାମୟର ସେ ଆକ୍ଷେପରେ ଜଳାଶ୍ରୟର ସେ ଜଳ ହଠାତ୍ ଯେପରି ଆସି ବିନୋଦ ମନର ଉଷ୍ମତାକୁ ଶୀତଳ କରିଦେଲା ! ସେ ହଠାତ୍ ଚୁପ୍ ହୋଇଗଲା । କାରଣ ସେତେବେଳେ ପ୍ରଣତି ସହ ତା’ର ପ୍ରଣୟ ଥିଲା ଅତି ପ୍ରଗାଢ଼, ସେତେବେଳେ ପ୍ରଣତିକୁ କେନ୍ଦ୍ର କରି ସମସ୍ତ ମଧୁର ପରିହାସ ସେ ଯେପରି ଆନନ୍ଦରେ ସହ୍ୟ କରୁଥିଲା, ପ୍ରଣତି ଅନ୍ୟତ୍ର ବିବାହ କରିଯିବା ପରେ ତା’ ସମ୍ପର୍କରେ କୌଣସି ଆକ୍ଷେପ, ଲଘୁ ପରିହାସ ତା’ ପକ୍ଷରେ ସେହିପରି ଅସହ୍ୟ ମନେ ହେଉଥିଲା । ଆଉ ତା’ର ଭୟ ହେଉଥିଲା, ଥରେ ପ୍ରଣତି ପ୍ରସଙ୍ଗ ଆରମ୍ଭ ହେଲେ ତାହା ସହଜରେ ବନ୍ଦ ହେବାର ନୁହେଁ... ।

 

ଗୋଟିଏ ଭୁଲି ଯାଇଥିବା କଥା ହଠାତ୍ ମନେ ପଡ଼ିଗଲା ଭଳି ବିହ୍ଵଳିତ ଆନନ୍ଦରେ ଗଦଗଦ ହୋଇ ସୀତାନାଥ କହିଲା, ଆରେ ସତରେ ବିନୋଦ, ତୋର ସେ ରାଜହଂସୀ ଆଉ କାହା ଘରେ ଯାଇ ଅଣ୍ଡା ଦେଲାଣି...ଆଉ ତୁ ଇଡ଼ିଏଟ୍ ଏପଯ୍ୟନ୍ତ ତା’ପାଇଁ ବାଡ଼ୁଅ ବସିଛୁ... !

 

ପ୍ଲିଜ୍...ପ୍ଲିଜ୍...ହୋଲଡ଼୍ ୟୋର୍ ଟଙ୍ଗ... । –ବିନୋଦ ଅସହାୟ ଭାବରେ କହିଲା । ଆଉ ଅପର ତିନି ବନ୍ଧୁଙ୍କ ହସର ଲହଡ଼ୀ ତା’ର ସେ ପ୍ରତିବାଦର କଣ୍ଠସ୍ୱରକୁ ଅନେକ ଦୂରକୁ ଭସାଇ ନେଲା ।

 

ସ୍ନାନାର୍ଥିନୀମାନଙ୍କୁ ନିଃସଙ୍କୋଚରେ ସ୍ନାନ କରିବାର ସୁଯୋଗ ଦେଇ ଚାରିବନ୍ଧୁ ଦୂର ପାହାଡ଼ ଆଡ଼କୁ ଚାଲି ଚାଲି ଆସିଲେ । ବ୍ରିଜ୍ ଖେଳର ଆସର ଜମି ଉଠିବା ଆଗରୁ ମଉଳି ଗଲା । ଅନେକ ଦିନ ପରେ ସେମାନେ ଏକାଠି ହୋଇ ଯେଉଁ ଆସର ଜମାଇବା ପାଇଁ ଆସିଥିଲେ, ସେ ଆସର ଭାଙ୍ଗିଯିବା ହେତୁ କାହାରି ମୁହଁରେ ମଧ୍ୟ କିଛି ଅସ୍ୱସ୍ତିର ଚିହ୍ନ ଦେଖାଗଲା ନାହିଁ ।

 

ଅଥଚ ଚାରିବର୍ଷ ତଳେ ବିଜୁଳି ବତୀ ଲିଭିଗଲେବି ସେମାନେ ମହମବତୀ ଜାଳି ବ୍ରିଜ୍ ଖେଳିଛନ୍ତି, ବିଶେଷ କୌଣସି ଅସୁବିଧା ଯୋଗୁଁ ଯଦି କୌଣସି ବନ୍ଧୁ ଆଡ଼୍‍ଡ଼ାକୁ ନ ଆସିଛି, ସେଥିପାଇଁ ତା’ ଉପରେ କି କ୍ରୋଧ ! ଖେଳ ହୋଇ ପାରୁ ନଥିବା ଯୋଗୁଁ କି ଗଭୀର ଅସ୍ୱସ୍ତି !

 

ଦୀର୍ଘଚାରିବର୍ଷ ପରେ ସେ ବନ୍ଧନର ରଜ୍ଜୁ ପୋରିହାଁ ହୋଇ ଯାଇଛି କି ନାହିଁ, ସେ କଥା ପରୀକ୍ଷା କରି ଦେଖିବାପାଇଁ ସେମାନେ କାର୍ଡ଼ ମୁଠା ଧରି ଆସିଥିଲେ ଚଣ୍ଡୀଖୋଲ । ବିନୋଦ ମନେକରିଥିଲା ବ୍ରିଜ୍ ଖେଳଟା ଭାଙ୍ଗିଗଲା ବୋଲି ସେମାନେ ହୁଏତ ଅସ୍ଥିର ହେବେ, ଏ ପାହାଡ଼ ପାଦଦେଶରେ ଖେଳିବାପାଇଁ ଜିଦ୍ କରିବେ ।

 

କିନ୍ତୁ କାହିଁ, ସେଥିପାଇଁ କାହାରିଠାରେ ତା’ ବିନ୍ଦୁଏ ହେଲେ ଆଗ୍ରହ ନାହିଁ !

 

ପାହାଡ଼ ତଳେ ଠିଆହୋଇ ଚାରିହେଁ ଚାରିଜଣଙ୍କ ମୁହଁକୁ ଚାହିଁଲେ । ଜଣେ ଅନ୍ୟ ଜଣକ ମୁହଁର ଆରସିରେ ନିଜ ଚେହେରାକୁ ଦେଖିବାକୁ ଚେଷ୍ଟା କଲା । ସେଇ ରୌଦ୍ର ଝଲମଲ ଆସନ୍ନ ମଧ୍ୟାହ୍ନର ଆଲୋକରେ ପରସ୍ପରତଃ ମୁହଁ ଦେଖି ସେମାନଙ୍କର ମନେ ହେଲା, ସେମାନେ ସମସ୍ତେ ଏଇ ଚାରିବର୍ଷ ଭିତରେ ଅନେକ ବଦଳି ଯାଇଛନ୍ତି...ବ୍ରିଜ୍ ଖେଳର ନିଶା ଅନ୍ୟ କୌଣସି ଖେଳର ଆସକ୍ତି ଭିତରେ ମରି ଯାଇଛି...

 

ମଦନ ପ୍ରଥମେ କଥା କହିଲା ।

 

ଆଚ୍ଛା ! ବିନୋଦ, ତୋ କଥା ମନେ ପଡ଼ିଲେ ବେଳେବେଳେ ମନଟା ଅକାରଣରେ ଖରାପ ହୋଇଯାଏ । ଆମେ ଚାରି ବନ୍ଧୁ ଦିନେ ଏକ ମନ, ଏକ ପ୍ରାଣ ଥିଲେ । ପରିସ୍ଥିତିର ବିଚିତ୍ର ପରିବେଶ ଭିତରେ ଅନେକ ଝିଅ ଆମ ଚାରିଜଣଙ୍କ ଜୀବନ ଭିତରକୁ ଆସିଲେ...ଶେଷ ପର୍ଯ୍ୟନ୍ତ ଆମେ ତିନିଜଣ ବିବାହ କଲୁ...କେବଳ ତୁ ଏକା... !

 

ସୀତାନାଥ କହିଲା, ମୁଁ କିନ୍ତୁ ଜାଣିଥିଲି ସେ ଝିଅ ତତେ ପାଣି ପିଆଇବ । ସେଦିନ ତୁ ଯେହେତୁ କହୁଥିଲୁ, ସେ ତୋର ବାକ୍‍ଦତ୍ତା ପତ୍ନୀ, ମୁଁ ବନ୍ଧୁ ହେଲେବି ମୋ ମନ କଥା ଖୋଲି କହି ପାରି ନଥିଲି । ଆଜି କିନ୍ତୁ ତତେ କହିବି... । ଯେଉଁ ଝିଅମାନେ ବେଶୀ ମୁହଁ ତଳକୁ ପୋତି ଚାଲନ୍ତି; ଅଥଚ ବିବାହ ପୂର୍ବରୁ ପ୍ରେମ କରି ପ୍ରେମିକ ପାଖରେ ପ୍ରତିଜ୍ଞା କରନ୍ତି ଯେ ତମଛଡ଼ା ମୁଁ ପାତାଳକୁ ପ୍ରବେଶ କରିବି...ସେମାନେ ଅବଶେଷରେ ପ୍ରତାରଣାହିଁ କରନ୍ତି । ମଣିଷ ଚିହ୍ନିପାରୁ ବୋଲି ତୋର ଏତେ ଅହଂକାର...ତୁ କିପରି ସେ ଝିଅକୁ ଏତେ ବିଶ୍ୱାସ କରିଗଲୁ... ।

 

ବିନୋଦକୁ ପ୍ରତିବାଦ କରିବାର ସୁଯୋଗ ନ ଦେଇ କୃପାମୟ କହିଲା, ମୁଁ ଏ ଦୋସ୍ତକୁ ହଜାର ଥର କହିଛି, ସେ ହେଉଛି ଅରଣ୍ୟମରାଳୀ, ଗୃହ-ପିଞ୍ଜରାରେ ଯେତେ ସୁନାଥାଳିରେ ଦୁଧଭାତ ଦେଲେବି ସୁବିଧା ପାଇଲେ ସେ ଫୁର୍‍କିନା ଅନ୍ୟ ଆଡ଼େ ଉଡ଼ିଯିବ...ପ୍ରଣତି ଭଳି ଝିଅମାନେ ପ୍ରେମ କହିଲେ ପ୍ରେଗନେନ୍‍ସି ବୁଝନ୍ତି । ଦେଖିଲୁ ନାହିଁ ମୁଁ କେମିତି ହୁସିଆର... ।

 

କଥା ଶେଷ କରିବା ଆଗରୁ ଗର୍ବରେ ହସିଲା କୃପାମୟ ।

 

ନିଜ ପ୍ରେମିକାଙ୍କୁ ବିବାହ କରିବାର ସାତମାସ ପରେ ସେ ଗୋଟିଏ ପୁତ୍ରସନ୍ତାନର ଜନକ ହୋଇଛି । ତା’ର ପ୍ରେମିକା କୁଆଡ଼େ କୃପାମୟର ମନର ପିଞ୍ଜରାରୁ ଉଡ଼ିଯିବାପାଇଁ ଯେତେବେଳେ ଡେଣା ଝାଡ଼ୁଥିଲା ଓ ସେ ଝିଅର ସମ୍ମାନସ୍ପଦ ଅଭିଭାବକମାନେ ଯେତେବେଳେ କୃପାମୟକୁ ଏକ ସାମାନ୍ୟ କଣ୍ଟ୍ରାକ୍ଟର...ଠିକାଦାର ବୋଲି ତାଚ୍ଛଲ୍ୟ କରି କେଉଁ ସୁପାତ୍ର ସହିତ ନିଜର ଅସାମାନ୍ୟ ସୁନ୍ଦରୀ କନ୍ୟାକୁ ବିବାହ ଦେବାପାଇଁ ଆୟୋଜନ କରୁଥିଲେ, ସେତେବେଳେ ହଠାତ୍ ଜଣାପଡ଼ିଲା ଯେ ଝିଅ ମାଆ ହେବାକୁ ଯାଉଛି... ! ଆଉ 'ପ୍ରେମ'କୁ ପ୍ରେଗ୍‍ନେନ୍‍ସି ସ୍ତରକୁ କୃପାମୟ ଭଳି ନେଇପାରି ନଥିଲା ବୋଲି ଶିଶୁପାଳ ହୋଇଗଲା ବିନୋଦ... !

 

ଆହତ ଯନ୍ତ୍ରଣାରେ ମୁଖ ବିକୃତ କରି ବିନୋଦ ପ୍ରତିବାତ କରିବାକୁ ଯାଉଥିଲା ।

 

ମଦନ ବାଧା ଦେଇ କହିଲା, ମୁଁ ଭାରି ଖୁସି ଯେ ପ୍ରଣତି ସହିତ ତୋର ବିବାହ ହୋଇନାହିଁ ବିନୋଦ ! ତାହାହେଲେ ତୋ ଜୀବନ ନଷ୍ଟ ହୋଇଯାଇ ଥାଆନ୍ତା । ଯେଉଁ ଝିଅର ଅଭିଭାବକମାନେ ବିବାହ ପୂର୍ବରୁ ଜଣେ ପୁରୁଷ ସହିତ ପ୍ରଣୟ କରିବାକୁ ଝିଅକୁ ଛାଡ଼ିଦିଅନ୍ତି ଏବଂ ସବୁ ଜାଣିଶୁଣି ଝିଅକୁ ଆଉ ଜଣକର ଭୋଗ୍ୟସାମଗ୍ରୀ କରିବା ଲାଗି ଅଗ୍ନିସାକ୍ଷୀ ରଖି କନ୍ୟାଦାନ କରନ୍ତି, ସେ ପରିବାରର ଝିଅକୁ କୁଳବୋହୂ କରି ଆଣିଲେ ସପ୍ତପୁରୁଷ ନର୍କରେ ପଡ଼ିବେ...ଆଉ ସେଭଳି ଝିଅକୁ ବିବାହ କରିଥିଲେ କେବଳ ତୋ ମନର ଓରିମାନା ମେଣ୍ଟିଥାଆନ୍ତା ସିନା, କିଛି ସୁଖ ଶାନ୍ତି ମିଳି ନଥାନ୍ତା... !

 

ବିନୋଦ ଆଉ ଧୈର୍ଯ୍ୟ ଧରି ପାରିଲା ନାହିଁ ।

 

ଚିତ୍କାର କଲା । ମୋ ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରାଇବାକୁ ତମକୁ କିଏ ଅଧିକାର ଦେଇଛି ? ପ୍ରଣତି ଏକ ଦେହଲୋଭୀ ସ୍ୱୈରିଣୀ ହୋଇପାରେ, କିନ୍ତୁ ତା’ର ଅଭିଭାବକମାନଙ୍କୁ ଆକ୍ଷେପ କରିବାକୁ ତମକୁ ଲଜ୍ଜା ଲାଗୁନାହିଁ ? ଯେତେହେଲେ ପ୍ରଣତିର ବାପା ଜଣେ ମାନ୍ୟଗଣ ବ୍ୟକ୍ତି...

 

ଆହାହା...ଚ...ଚ...ଚ...କି ଭକ୍ତି ! ଏ ମଦନ, ଏ ଇଡ଼ିଅଟ୍ ଖାଲି ପ୍ରେମିକ ହୋଇ ରହିଗଲା, କେବେହେଲେ ପୁରୁଷ ହେବନାହିଁ । ପ୍ରଣତି ଠିକ୍ ଲୁହା ଦେଖି ପାଣି ଦେଇଛି । ଆବେ ଇଡ଼ିଅଟ୍ ! ଯେଉଁ ବାପାମାନେ ଅଚଳ ମୁଦ୍ରାକୁ ଅଗ୍ନି ସାକ୍ଷୀରଖି ଚଳନ୍ତି ମୁଦ୍ରା ବୋଲି ସମାଜରେ ଚଳାଇ ଦେଉଛନ୍ତି, ସେମାନେ ମାନ୍ୟ ବ୍ୟକ୍ତିଙ୍କ ଭିତରେ ଗଣ୍ୟ ହୁଅନ୍ତି ? ଏ ଶଳା ସମାଜରେ ଏମିତି ମାନ୍ୟଗଣ୍ୟ ଲୋକ ବେଶି ହୋଇଗଲେଣି ବୋଲି ସମାଜଟା ଧ୍ୱଂସ ହେବାକୁ ଯାଉଛି । ବୁଝିଲୁ... –କଥା କହିଲାବେଳେ ସୀତାନାଥର କଣ୍ଠ ଉତ୍ତେଜନାରେ ପ୍ରକମ୍ପିତ ହେଉଥିଲା ।

 

ଦୁଃଖରେ ମୁହ୍ୟମାନ ହୋଇ ବିନୋଦ କହିଲା, ଇସ୍ ! ତୋ ଭାଷା କି ଅଶ୍ଳୀଳ ହୋଇଗଲାଣି ସତେ ! ଆଇ.ଏ.ଏସ୍, ପାଇଲା ପରେ ତୋ ଜିଭରେ ଅଶ୍ଳୀଳ ଶବ୍ଦ ସବୁ ବସା ବାନ୍ଧିଗଲେଣି ଦେଖିଛି ! ଆଗରୁ ତୁ କେବେ ଭଦ୍ର, ସଂଯତ ଥିଲୁ...

 

ଇତସ୍ତତଃ ହୋଇ ସୀତାନାଥ ଚାରିଆଡ଼କୁ ଚାହିଁଲା ।

 

କହିଲା, ବ୍ୟବହାର ଯଦି ନହେବ, ଏ ଦୋଅକ୍ଷରୀ ଅଶ୍ଳୀଳଶବ୍ଦଗୁଡ଼ାକ ଭାଷାବିତ୍‍ମାନେ ସୃଷ୍ଟି କରିଛନ୍ତି କାହିଁକି ? ସ୍ତ୍ରୀକୁ ଯଦି କେବେ ସ୍ନେହରେ ଗୋଟାଏ ଅଶ୍ଳୀଳ ଶବ୍ଦ କହିଲି, ସେ କହିବ ଏ ମା’ ! ତମେ କି ଅସଭ୍ୟ... ! ଆଉ ଏ ଖୋଲା ପାହାଡ଼ତଳେ ତମ ଆଗରେ ଗୋଟାଏ ଚଳନୀୟ ଶବ୍ଦ କହିଲେ ତମେ କହୁଛ ଅଶ୍ଳୀଳ । ଆଉ ଏ ଶବ୍ଦଗୁଡ଼ାକ କ’ଣ ମୋ ବାପା ଭାଇ ଆଉ ଅଫିସ୍‍ରେ ସେକ୍ରେଟେରି, ମନ୍ତ୍ରୀଙ୍କୁ କହିବି ?

 

ଶବ୍ଦ ପ୍ରୟୋଗର ଏ ସଙ୍କଟ ଦେଖି ମଦନ କହିଲା, ସତରେ ସୀତାନାଥ ! ଆମେ ଶଳାଗୁଡ଼ାକ ସମସ୍ତେ ଭଦ୍ର ହୋଇଗଲେ । ପିଲାମାନେ ଜନ୍ମ ହେଉ ହେଉ ପ୍ୟାଣ୍ଟ ପିନ୍ଧିଲେ । ପୋଷାକ ହୋଇଗଲା ସଭ୍ୟତା । ନିଜ ଭିତରେ ଯାହା କିଛି କୁତ୍ସିତ, ପଚମାନ ପଦାର୍ଥ, ଆଉ ଉପରେ ଗୋଟାଏ ଭଦ୍ରତାର ଆବରଣ ଢାଙ୍କି ଦେଲେ ଆମେ ହୋଇଗଲେ ଭଦ୍ର, ସୁନ୍ଦର । କିନ୍ତୁ ପଚା ଘାଆର ଦୁର୍ଗନ୍ଧକୁ ତ ଗୋପନ କରି ସବୁଦିନେ ରଖି ହୁଏନାହିଁ...ଦିନେ ନା ଦିନେ ତା’ର ବିସ୍ଫୋରଣ ହୁଏ...ସମାଜରେ ସେଥିପାଇଁ ଆଜିକାଲି ଘଟଣାର ସ୍ଫୁରଣ ଅପେକ୍ଷା ଦୁର୍ଘଟଣାର ବିସ୍ଫୋରଣହିଁ ବେଶି ବେଶି ଘଟୁଛି... ।

 

କୃପାମୟ କହିଲା, ବାଃ...ବାଃ...ଭଲ ଗୀତ ବୋଲୁ ବୋଲି ତୋର ଖ୍ୟାତି ଥିଲା । କିନ୍ତୁ ଆଜିକାଲି ତ ବେଶ୍ ଭାଷଣ ଦେଇ ଜାଣିଲୁଣି...ଆଉ ଗୋଟାଏ ଗୀତ ବୋଲି...ବ୍ରିଜ୍ ଖେଳତ ହେଲାନାହିଁ; ଗୋଟାଏ ଆଧୁନିକ ହେଉ...

 

ମଦନ ଛାଟିପିଟି ହେଲା ।

 

କହିଲା, ନା–ଆଉ ଆଧୁନିକ ମୁଁ ବୋଲୁ ନାହିଁ । ବାହା ହେଲାପରେ ଭଜନ ବେଶି ବୋଲୁଛି । ଆଗେ ଝିଅମାନଙ୍କୁ ମୁଗ୍ଧା ହରିଣୀ ଭଳି ଚକିତ କରି ରଖିବା ବୋଲି ସିନା ଆଧୁନିକ ବୋଲୁଥିଲି, ଏବେ ସେ ଝିଅ ବାପା ମାଆଙ୍କପାଇଁ ଭକ୍ତି ରସାତ୍ମକ ପ୍ରାର୍ଥନା ସଙ୍ଗୀତ ବୋଲୁଛି । ଜାଣିଲୁ କୃପାମୟ ! ଝିଅମାନଙ୍କୁ ଆକୃଷ୍ଟ କରିବାପାଇଁ ଆଧୁନିକ ଗୀତ ବୋଲିବା ଅପେକ୍ଷା ଭଜନ ବୋଲି ଯଦି ସେମାନଙ୍କ ଅଭିଭାବକମାନଙ୍କୁ ମୁଗ୍ଧ କରାଯାଇପାରେ, ଗୋଟିଏ ବାଟୁଳିରେ ଦୁଇଟି ପକ୍ଷୀ–ଆଧୁନିକ ବୋଲିଲେ ସେମାନେ କହିବେ ଚରିତ୍ରହୀନ; ଭଜନ ବୋଲିଲେ କହିବେ ସଚ୍ଚରିତ୍ର, ଈଶ୍ୱରପ୍ରେମୀ ! (ତା’ପରେ ସେ ଖୁବ୍ ଛୋଟ ପାଟିରେ ଥିଏଟର ପେଣ୍ଡାଲ୍‍ର କେଉଁ ସୁରାକ ଭଳି କହିଲା–) ମୋର ଅଭିଜ୍ଞତା ହେଉଛି ଏ ଦେଉଳ ମସଜିଦର ଦେଶରେ ଆଧ୍ୟାତ୍ମିକତାକୁ ଅସ୍ତ୍ର କରି ଯେତେ ଶିକାର କରାଯାଇପାରେ, ସ୍ପଷ୍ଟବାଦିତା, ସାଧ୍ୟସାଧନାଦ୍ୱାରା ତାହା ସମ୍ଭବ ନୁହେଁ–ବୁଝିଲୁ ?

 

ତୁ ଗୋଟାଏ ପକ୍କା ଚାଲୁ ଲୋକ ଅଛୁ ଦେଖୁଛି । ଏବେ ରେଡ଼ିଓରେ ତୋର ଗୋଟାଏ ଆଧୁନିକ ଶୁଣିଛି; ଆଉ ଏଠାରେ ଗୋଟାଏ ପୁଡ଼ିଆ ଜମେଇଦେଲୁ ଯେ ମୁଁ କେବଳ ଭଜନ ବୋଲୁଛୁ ! ବୋଲୁଛୁ ନା ଦେଖିବୁ ବର୍ତ୍ତମାନ–ରୀତିମତ ରାଗି ଯାଇଥିଲା କୃପାମୟ ।

 

ଆକାଶଚାରୀ ଦଳେ ବିହଙ୍ଗମଙ୍କୁ ଲକ୍ଷ୍ୟ କରି ମଦନ ଉତ୍ତର ଦେଲା, ରେଡ଼ିଓରେ ଯେଉଁ ଆଧୁନିକ ଶୁଣୁଛୁ, ସେ ଅତୀତର ରେକର୍ଡ଼ କରାହୋଇଥିବା ଗୀତ...ଆଜିକାଲି ଆଧୁନିକ ବୋଲିଲେ ସ୍ତ୍ରୀର ଧାରଣା ମୁଁ ଅନ୍ୟ କେଉଁ ଝିଅକୁ ଲକ୍ଷ୍ୟ କରି ଏ ଗୀତ ସବୁ ବୋଲୁଛି–ବାହା ହେବାପରେ ମୁଁ ଅଭିଜ୍ଞ ହୋଇଛି...ବୁଝିଲୁ ।

 

ସେ ସବୁ ଅତୀତର ରେକର୍ଡ଼ !

 

ଆଃ, ଛାତି ଉପରେ ଗୋଟାଏ କଣ୍ଟା ଫୋଡ଼ିହୋଇଗଲା ଭଳି ଲାଗୁଛି ।–ସୀତାନାଥ ଅସ୍ପଷ୍ଟ ଭାବରେ ସ୍ୱଗତୋକ୍ତି କରି ଉଠିଲା ।

 

କହିଲା, ସତରେ ଅତୀତଟା କି ସୁନ୍ଦର ନଥିଲା ମତେ ! ସାମାଜିକ ସମ୍ମାନ ନଥିଲା ମଧ୍ୟ ତାହା ସହିତ ନଥିଲା ମଧ୍ୟ ସାମାଜିକ ଦାୟିତ୍ୱବୋଧ । ଆଇ.ଏ.ଏସ୍ ପାଇଲା ପରେ ମୁଁ ଗୋଟାଏ ମେସିନ୍ ହେଇଯାଇଛି । ମନଫୁଲାଣିଆ ଗୋଟାଏ ଗୀତ ବୋଲିଲେ ଲୋକେ କହୁଛନ୍ତି ବଜାରୀ–ଗୋଟାଏ ଅଳ୍ପ ବ୍ୟବହୃତ ଶବ୍ଦ କହିଲେ ଲୋକେ କହୁଛନ୍ତି ଅଶ୍ଳୀଳ ! ଅଫିସ୍‍ଠାରୁ ଆରମ୍ଭ କରି ଘରେ ବାହାରେ ସବୁବେଳେ ଭଦ୍ର ହେବାକୁ ପଡ଼ୁଛି । ଅଥଚ ସବୁବେଳେ ଭଦ୍ର ହେବା କି କଷ୍ଟକର ବ୍ୟାପାର !

 

ମଦନ କହିଲା, ମୋ ଅବସ୍ଥାବି ସେଇଆ । ବାହା ହେବା ଆଗରୁ ରାତି ତିନିଟାରେ ଘରକୁ ଫେରିଲେବି କାହାର କିଛି ପ୍ରଶ୍ନ ନଥିଲା । ଏବେ ନଅଟାରୁ ରାତି ବେଶି ହେଲେ ସ୍ତ୍ରୀର ଦୁଇ ଆଖିରେ ଦୁଇଟା ପ୍ରଶ୍ନବାଚକ ଚିହ୍ନ । ଆଗେ ମନଇଚ୍ଛା ଯେକୌଣସି ଗୀତ ବୋଲି ଦେଲେ ଲୋକେ ଆନନ୍ଦରେ ତାଳି ମାରୁଥିଲେ, ଏବେ ଗୋଟାଏ ରୋମାଣ୍ଟିକ୍ ଗୀତ ବୋଲି ଦେଲେ ଲୋକେ ଗମ୍ଭୀର ହୋଇ ଯାଉଛନ୍ତି । ଜୀବନଟା ଜଟିଳ ହୋଇଗଲା । ନା !

 

ଖରା ମଉଲିଳା ।

 

ଏଥର ଫେରିବାକୁ ହେବ ।

 

ଫେରିଲାବେଳେ ସୀତାନାଥ କହିଲା, ରହ–ରହ–ମୁଁ କୋଟଟା ପିନ୍ଧି ନିଏ–ଏ କୃପାମୟ-! ଟାଇଟା ଭଲ କରି ବାନ୍ଧିଦେ'ତ ! ଶଳା ରାସ୍ତାରେ ଯଦି କେହି ଦେଖାହୋଇଯିବ, ଏ ଅଧମ ଆଇ.ଏ.ଏସ୍ ଅଫିସରର ଆତ୍ମସମ୍ମାନର ଫୁଲା ବେଲୁନଟା ଠୋ'କିନା ଫାଟିଯିବ । ଖରାଦିନେବି ଅଫିସ୍‍କୁ କୋଟ୍ ପିନ୍ଧି ନଗଲେ ଚଳୁ ନାହିଁ–

 

ବିନୋଦ ଆମ୍ବାସଡ଼ରଟା ତୀର ବେଗରେ ଛୁଟେଇ ଦେଇଥିଲା ।

 

ଜୀବନଟାହିଁ ଗତି ।

 

ଗାଡ଼ିରେ ବସିଥିଲେହିଁ ତା’ର ମନେ ହୁଏ ସେ ଜିଇଁ ରହିଛି ।

 

ସୀତାନାଥ ପଚାରିଲା, ଏଥର ଫେରିବାକୁ ହେବ, ନା ! କିନ୍ତୁ ଦେଖ–ଘରେ ଆମର କେହି ଯେପରି ନକୁହେ ଯେ ମୁଁ ଚଣ୍ଡୀଖୋଲ ଆସିଥିଲି । ସ୍ତ୍ରୀ ଆଜି ବାହାରିଥିଲେ ମାଟିନ ସୋ' ସିନେମା ଯିବେ । ସେକ୍ରେଟାରି ସାହେବ କ’ଣ ଗୋଟାଏ ଜରୁରୀ କାମରେ ଡକାଇଛନ୍ତି ବୋଲି କହି ମୁଁ ବାହାରି ଆସିଥିଲି...

 

ବିନୋଦ ଡ୍ରାଇଭର ସିଟ୍‍ରୁ ପଛକୁ ଥରେ ଫେରି ଚାହିଁଲା । ନିଜର ତିନି ବନ୍ଧୁଙ୍କ ବିଷଣ୍ଣ ମୁହଁ ଦେଖି ତା’ର ମନେହେଲା ସତେ ଯେପରି ସେ ହେଉଛି ଜେଲ୍ ଭ୍ୟାନ୍‍ର ଡ୍ରାଇଭର, କଏଦୀମାନଙ୍କୁ ପୁଣି ଜେଲ ଭିତରକୁ ଫେରାଇ ନେଉଛି ! !

 

।। ଛଅ ।।

 

ହେ ମୋ ମନର ଆକାଶ ଉଜ୍ଜ୍ୱଳ ଭୀରୁ ତାରା ! କାହା ଗୃହାଙ୍ଗନର ଅନ୍ଧକାରକୁ ଆଲୋକିତ କରିବାପାଇଁ ତମେ ଆଜି ଘୃତ ଦୀପ ହୋଇ ଜଳୁଛ ! ତମର ସେ ମଖମଲ ମସୃଣ ଦେହ, ତମର ସେ ଗହମ ରଙ୍ଗର ଦେହ, ତମର ସେ ସୁବାସିତ ମଲ୍ଲିକାର ଦେହ କେଉଁ ପୁରୁଷର ସମ୍ଭୋଗ ସାମଗ୍ରୀରେ ପରିଣତ ହୋଇଛି ? ସେ ତମର ସ୍ୱାମୀ ! ଆହା’ହା–ସେ ତମ ଇହକାଳ, ପରକାଳର ଦେବତା ! ସେ ତମର ସନ୍ତାନର ଜନକ ! ତଥାପି ତମକୁ ମନେପକାଇଲେ ମୋ ଦେହର ସ୍ନାୟୁଗ୍ରନ୍ଥି ସବୁ ଏମିତି ରୁଣୁଝୁଣୁ ନୂପୁର ନିକ୍ୱଣରେ ଅନୁରଣିତ ହୋଇ ଉଠୁଛି କାହିଁକି ? ତମର ସେ କାକକୃଷ୍ଣ କେଶ; ତମର ସେ ଚୂନାଚୂନା ଉଡ଼ନ୍ତ କୁନ୍ତଳ, ତମର ସେ ମହମହ ସୁରଭିତ କଟି-ସ୍ପର୍ଶୀ ଫିଟା କବରୀର ମାୟା ଆଚ୍ଛନ୍ନ କରୁଛି କାହିଁକି ମୋର ମନ ? ମୁଁ ଏକ ଭାଣ୍ଡ, ଦେହଲୋଭୀ ପୁରୁଷ । (କିନ୍ତୁ ତମେ କ’ଣ ଏ ସୃଷ୍ଟିର ସର୍ବଶ୍ରେଷ୍ଠ ସୁନ୍ଦରୀ ରମଣୀ ! କାହିଁକି ତମ ଛଡ଼ା ଆଉ କୌଣସି ରମଣୀର ଦେହର ଉତ୍ତାପ, କେଶର ସ୍ୱଗନ୍ଧ କଥା ସ୍ମରଣ କଲେ ମୋ ମନର ମହମ ତରଳି ଜଳ ହୋଇ ଯାଉନାହିଁ ! ତମ ଦେହ କଥା ବାରମ୍ବାର ମନେପଡ଼ୁଛି ବୋଲି ମୁଁ ଏକ ମାଂସାସୀ ପୁରୁଷ ! ତାହାହେଲେ କୃପାମୟ ଭଳି ମୁଁ ତ ତମକୁ ସେ କୁତ୍ସିତ ଉପାୟରେ ବିବାହ କରିପାରିଲି ନାହିଁ କାହିଁକି ? ହେ ମୋର ମନ-ଉପବନର ନୀଳ ବିହଙ୍ଗୀ ! ତମକୁ ପିଞ୍ଜରାରେ ଆବଦ୍ଧ କରି ପ୍ରେମ କରିବାକୁ ଚାହିଁ ନଥିଲି । ଯେ ତମକୁ ପିଞ୍ଜରାରେ ରଖି ସ୍ୱାମୀ ହୋଇ ପ୍ରେମ କରୁଛନ୍ତି, ତାଙ୍କୁ ପ୍ରେମ କ’ଣ ଜଣାନାହିଁ । ମୁଁ ଚାହିଁଥିଲି ମୁକୁଳା ଆକାଶର ଛାତିରେ ତମେ ପକ୍ଷ ତୋଳି ଉଡ଼ । ଅରଣ୍ୟର ଦିଗହଜା ସବୁଜିମାରେ ହଜ । ମୁକ୍ତିର ନିଃସଙ୍ଗତା ତମକୁ ବନ୍ଧନ ଲାଗି ବ୍ୟାକୁଳ କରୁ । କେଉଁ ଝଡ଼ ଜଳ ରାତିରେ ସେହି ବ୍ୟାକୁଳତାକୁ ହୃଦୟର ନିଭୃତି କୋଣରେ ସଞ୍ଚୟ କରି ତମେ ଥରି ଥରି କାମନା କର ମୋ ପାଖରେ ଅନନ୍ତ ବନ୍ଧନ ! ସେ ହେଉ ହୃଦୟ ସହିତ ହୃଦୟର ବନ୍ଧନ, ଆତ୍ମା ସହିତ ଆତ୍ମାର ! କିନ୍ତୁ ହେ ମୋର ଦିବା ଶୟନର ଅଧା ଦେଖା ସ୍ୱପ୍ନ ! ତମେ ପ୍ରେମ କହିଲେ କେବଳ ବୁଝିଲ ଦୈହିକ-ସମ୍ଭୋଗ ! ସେଥିପାଇଁ ହଠାତ୍ ଅଜଣା ଅଶୁଣା କେଉଁ ପୁରୁଷକୁ ବାପା ଭାଇଙ୍କ ଇଙ୍ଗିତରେ ସ୍ୱାମୀ ବୋଲି ଧରିନେଇ ନିଜର ଉଚ୍ଛିଷ୍ଟ ଦେହକୁ ଉତ୍ସର୍ଗ କରିଦେଲ । ନା...ନା...ତମ ଜୀବନର ସେଇ ବିଡ଼ମ୍ବିତ ସତ୍ୟକୁ ମୁଁ ଅସ୍ୱୀକାର କରୁନାହିଁ । ତମ ସ୍ୱାମୀଙ୍କ ଭୋଗ୍ୟସାମଗ୍ରୀ ତମର ସେ ଦେହ ଉପରେ ମୋର କୌଣସି ଲୋଭ ନାହିଁ; ଯଦିଓ ଦିନେ ତା’ ଉପରେ ତମେ ଦେଇଥିଲ ମତେ ନିରଙ୍କୁଶ ଅଧିକାର ! କିନ୍ତୁ ତମର ସ୍ମୃତି ! ତମର ସେ ଅତୀତ ସ୍ମୃତିର ସାମ୍ରାଜ୍ୟରେ ମୁଁ ତ ଏକଛତ୍ରାଧିପତି ସମ୍ରାଟ ! ତମକୁ ଆଉ ଏକ ପୁରୁଷ ସହ ବିବାହ ଦେଇ ବାପା ତମର ସେ ସମ୍ରାଟର ଅଧିକାର ମୋଠାରୁ ଛଡ଼ାଇ ନେଇ ପାରିନାହାନ୍ତି । ତମେ ନିଜ ଦେହକୁ ତମ ସ୍ୱାମୀ ନାମକ ସେ ପୁରୁଷକୁ ଦାନ କରି ଦେଇ ମଧ୍ୟ ସ୍ମୃତିର ସାମ୍ରାଜ୍ୟରୁ ମତେ ନିର୍ବାସିତ କରିପାରିବ ନାହିଁ । ସେ ଦିନ ମତେ ପ୍ରେମ କରୁଥିଲ, ଆଜି ପରିସ୍ଥିତିରେ ପଡ଼ି ହୁଏତ ମୋ ଉପରେ ରାଗ କରୁଥିବ । କିନ୍ତୁ ସ୍ମୃତିର ସିଂହାସନରୁ ତମେ ମତେ ଆସନଚ୍ୟୁତ କରିପାରିବ କି-? ଗଭୀର କ୍ଷତ ଶୁଖିଗଲେ ଯନ୍ତ୍ରଣା କମିଯାଏ; କିନ୍ତୁ ଦାଗ ଲିଭେ ନାହିଁ । ସେହିପରି ଘଟଣା ଅତୀତ ହୋଇଗଲେ ସ୍ମୃତି ଲୀନ ହୋଇଯାଏ । ହେଲେ ସେ ସ୍ମୃତିର ଚିହ୍ନ ଲିଭିଯାଏ ନାହିଁ, କ’ଣ କହିଲ-? ତମ ମନ ଏକ ମରୁଭୂମି ! ସେ ମରୁବାଲିରେ ସ୍ମୃତିର ପଦଚିହ୍ନ ଚଞ୍ଚଳ ଚଞ୍ଚଳ ଲିଭିଯାଏ-? ଆଃ, ପ୍ରଣତି ! ତମେ ନିଜେ ନିଜ ସହିତ ପ୍ରତାରଣା କରୁଛ ? ଆଉ ବିଶ୍ୱାସକର... ! ଆତ୍ମପ୍ରତାରଣାଠାରୁ ବଳି ବଡ଼ ପାପ ଆଉ କିଛି ନାହିଁ । ତମ ମନରେ ଦିନେ ମୁଁ ଭଲ ପାଇବାର ଫସଲ କିଆରି ତିଆରି କରିଥିଲି । ସେ ପ୍ରେମଶସ୍ୟର ସୁରଭିରେ ଆମ ଦୁହିଁଙ୍କ ଦେହ-ମନ ସୁରଭିତ ହୋଇ ଉଠୁଥିଲା-। ମରୁଭୂମିରେ ଫସଲ ହୁଏ କି ? ହାଃ...ହାଃ...ତମେ ହାରିଗଲ । ହରାଇ ଦେଇଛ ବୋଲି ଅହଂକାର କରି ନିଜେ ହାରିଯିବା ଭଳି ଶୋଚନୀୟ କଥା ଆଉ କିଛି ସଂସାରରେ ନାହିଁ । ତମେ ବିବାହ କରିଛ, ଜନନୀ ହୋଇଛ, ସୁଖୀ ହୋଇଛ । ଭଲ କଥା ! ତମର ଅଭିଭାବକଙ୍କ ଭଳି ମୁଁ ମଧ୍ୟ ଭୀଷଣ ଖୁସି-। ବିଶ୍ୱାସ କର ତମେ ଖୁସି ହୋଇଛ ବୋଲି ମୁଁ ବିସ୍ମିତ ହୋଇଛି, କିନ୍ତୁ କେବେହେଲେ କମ୍ ଖୁସି ହୋଇ ନାହିଁ । ମୋର ସର୍ବାନ୍ତଃକରଣରେ କାମନା, ତମେ ଭୀଷଣ ଭାବରେ ସୁଖୀ ହୁଅ-। କାରଣ ସୁଖୀ ନ ହୋଇ ମୁଁ ବଞ୍ଚିରହିଛି, ତମେ ସୁଖୀ ହୋଇ ନଥିଲେ ବଞ୍ଚିପାରି ନଥାନ୍ତ । ମୁଁ ଜାଣେ, ମୁଁ ବଞ୍ଚି ନ ରହେ, ଏଥିପାଇଁ ପ୍ରତିଦିନ ତମେ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛ । ସେଭଳି ପ୍ରାର୍ଥନା ମୁଁ କରିବା ତ ଦୂରର କଥା, କେବେ କଳ୍ପନା କରିପାରୁ ନାହିଁ । କାରଣ ମୁଁ ଜାଣେ, ପ୍ରେମ ହେଉଛି ଏକ ଶେଷ ହୀନ ଯନ୍ତ୍ରଣା । ସବୁ କଥା ଜାଣିଶୁଣି ସୁଦ୍ଧା ମୁଁ ଯେତେବେଳେ ପ୍ରେମ କରୁଥିଲି, ଯନ୍ତ୍ରଣାପାଇଁ ଅନ୍ୟ କାହାକୁ ଦୋଷ ଦେବି କାହିଁକି ? ବିବାହ ତାହାହେଲେ ମୁଁ କାହିଁକି କରୁନାହିଁ ? ପ୍ରଣତି-! ବିବାହ କଥା ଚିନ୍ତା କରିବାମାତ୍ରେ ମୋ ମନ ଦିନେ ଅନେକ ସ୍ୱପ୍ନରେ ସ୍ୱପ୍ନିଳ ହୋଇ ଉଠିଥିଲା-। ତମେ ମତେ ପ୍ରତ୍ୟାଖ୍ୟାନ କରି ଯଦି ଅବିବାହିତା ରହି ଥାଆନ୍ତ, ତାହାହେଲେବି ବିବାହ ମୋ ମନରେ ଏ ସ୍ୱପ୍ନ ହୋଇ ରହିଥାଆନ୍ତା । କିନ୍ତୁ ତମେ ବିବାହ କରି ସୁଖୀ ହେବାପରେ, ବିବାହ ଉପରୁ ମୋର ସମସ୍ତ ଆକର୍ଷଣ ନଷ୍ଟ ହୋଇଯାଇଛି । ତମେ ଯେପରି ଭାବରେ ସୁଖୀ ହୋଇଛ, ସେକଥା ଜାଣିଲା ପରେ ବିବାହ କରି ସୁଖୀ ହେବାପାଇଁ ମୋର ଯେମିତି ଘୃଣା ଆସି ଯାଇଛି । ତମେ ବିବାହ ପ୍ରତ୍ୟାଖ୍ୟାନ କରି, ଝିଅମାନଙ୍କ ପ୍ରତି ମୋ ମନରେ ଘୃଣାଭାବ ସୃଷ୍ଟି କରିଥିଲ, ଆଉ ଜଣେ ପୁରୁଷକୁ ନେଇ ସୁଖୀ ହେବାପରେ ବିବାହପାଇଁ ମଧ୍ୟ ମୋ ମନରେ ବିତୃଷ୍ଣା ସୃଷ୍ଟି କରିଛ । ହେ ମୋର ମନର ଏକଦା ରଙ୍ଗିନ ନିଶା ! ଆଜି ସଂସାରରେ ଏ କୋଳାହଳମୟ ପରିବେଶ ଭିତରେ ତମେ ମୋପାଇଁ ଏକ ନିଃସଙ୍ଗତାର ଦ୍ୱୀପ ସୃଷ୍ଟି କରିଦେଇଛ । ଜୀବନର ସମସ୍ତ କଳରୋଳଠାରୁ ତମେ ମତେ ଆଶ୍ଚର୍ଯ୍ୟଜନକଭାବେ ନିଃସଙ୍ଗ କରିଦେଇଛ । ତମେ କି ଆଶ୍ଚର୍ଯ୍ୟ ଶକ୍ତିମୟୀ ନାରୀ ! ତମ ଭଳି ଏକ ସର୍ବଶକ୍ତିମୟୀ ନାରୀକୁ ମୁଁ ଦିନେ ପ୍ରେମ କରୁଥିଲି, ଏଇ ସାନ୍ତ୍ୱନା ଛଡ଼ା ଜୀବନରେ ମୋର ଅନ୍ୟ କୌଣସି ଐଶ୍ୱର୍ଯ୍ୟ ଅବଶିଷ୍ଟ ନାହିଁ । କୃପାମୟ-! ପ୍ରେମକୁ ତୁ ପ୍ରେଗ୍‍ନେନ୍‍ସି ବୋଲି ବୁଝୁଥିବାରୁ ସଂସାରରେ ତୁ ଜିତି ଯାଇଛୁ । କିନ୍ତୁ ସେଭଳି ଭାବରେ ଜୟ କରିବାରେ ମୋର କିଛି ଆଗ୍ରହ ନାହିଁ । ପ୍ରଣତି ମତେ ବିବାହ କରିବାକୁ ମନା କରିଦେଲା, କାରଣ ତା’ ମତରେ ସ୍ୱାମୀ ହେଉଛି ନାରୀଜୀବନର ଜୀବନ-ବୀମା । କିନ୍ତୁ ସେଥିପାଇଁ ଜଣେ ଜୀବନବୀମା ଏଜେଣ୍ଟକୁ ସେ ବିବାହ କରି ନିଜ ଜୀବନର ସୁଖ-ସମୃଦ୍ଧିକୁ ଅନିଶ୍ଚିତତାର ଅପଦେବତା ହାତରେ ଛାଡ଼ଦେବାକୁ ଚାହିଁ ନଥିଲା । ଜୀବନ-ବୀମା ଏଜେଣ୍ଟର ସମାଜରେ କୌଣସି ସମ୍ମାନ ନାହିଁ । ପ୍ରଣତି ! ମୁଁ ଯେତେବେଳେ ଭୁଲ୍ ବୁଝେ, ତା’ର ଯୁକ୍ତିକୁ ମୁଁ ଅସ୍ୱୀକାର କରି ପାରିବି ନାହିଁ । କାରଣ ସୀତାନାଥ ଭଳି ସାମାଜିକ ସମ୍ମାନର ଉଚ୍ଚ ସ୍ତରରେ ଥିବା ଆଇ.ଏ.ଏସ୍‍କୁ ଯେଉଁ ଝିଅ ବିବାହ କରିଛି, ସେ କିଛି ପ୍ରଣତିଠାରୁ ଦିବ୍ୟସୁନ୍ଦରୀ ଝିଅ ନୁହେଁ ! ସେଥିପାଇଁ ମୁଁ କାହାରିକୁ ଦୋଷ ଦେଉ ନାହିଁ, କାରଣ ମୁଁ ଜାଣେ, ମୁଁ ଯେଉଁ ସମାଜରେ ବାସ କରୁଛି, ସେ ସମାଜରେ ଯେ ନିଜେ ଯେତେ ଖରାପ ହେଉ, ସେ ଚାହେଁ ସବୁଠାରୁ ଭଲଝିଅ, ସତ୍‍ପାତ୍ରକୁ ବିବାହ କରି ନିଜର ସଂକୀର୍ଣ୍ଣତା, ଅପୂର୍ଣ୍ଣତାକୁ ଗୋପନ କରିବ ।

 

।। ସାତ ।।

 

ରୀନା ! ଆଜି ଭାଇ ଆସିଥିଲେ । ଆଉ ପୁଅ ତ ତାଙ୍କ ପାଖ ଛାଡ଼ିବାକୁ ନାରାଜ ! ଭାଇଙ୍କ ମୁହଁରେବି ହସ ଝଲମଲ ହେଉଥିଲା । ମୁଁ ମୋ ସ୍ୱାମୀଙ୍କ ମୁହଁକୁ ଥରେ ଏବଂ ଆଉଥରେ ଭାଇଙ୍କ ମୁହଁକୁ ଚାହିଁ ହାସ୍ୟ ସମ୍ବରଣ କରିପାରିଲି ନାହିଁ । ମୁଁ ଏକା ସୁଖୀ ହୋଇନାହିଁ । ମୋ ଜରିଆରେ ଆମ ପରିବାରର ସମସ୍ତେ ସୁଖୀ ହୋଇଛନ୍ତି । ମୋର ପ୍ରେମିକଙ୍କ ସହ ବିବାହ ଦେଇ ଦେବାକୁ ଭାଇ କମ୍ ଜିଦ୍ ଧରିଥିଲେ ! ମୁଁ ବୋଲି ତାଙ୍କର ସେ ଜିଦ୍ ପାଖରେ ମୁଣ୍ଡ ନୁଆଁଇ ନଥିଲି-। ସତେମ ରୀନା ! ଭାଇ ଭାରି ଆଶ୍ଚର୍ଯ୍ୟ ଲୋକ । ଅନେକ ଥର ସେ ମୋ ବାହାଘର କେମିତି ବିନୋଦ ସହିତ ହେବ–ସେ ପ୍ରସ୍ତାବ ନେଇଯିବାଆସିବା କରିଥିଲେ । ମୁଁ ପୁଣି ଯେତେବେଳେ ତାଙ୍କୁ ଛାଡ଼ି ଆଉ ଜଣକୁ ବିବାହ କରିବାକୁ ରାଜି ହୋଇଗଲି, ସେ ଥିରିକିନି ବରଧରା ହେଇଗଲେ ମୋ ବର୍ତ୍ତମାନ ସ୍ୱାମୀଙ୍କ ଘରକୁ !

 

ଭାଇଙ୍କର ବୋଧହୁଏ ସନ୍ଦେହ ଥିଲା ମୁଁ ଏଠାରେ ବିବାହ କରି ସୁଖୀ ହେବି ନାହିଁ । ଭଣଜାକୁ ଦେଖି ଭ୍ରମ ତାଙ୍କର ତୁଟିଲା । ମୁଁ ଯଦି ମୋ ପ୍ରେମିକଙ୍କୁ ବିବାହ କରି ଜନନୀ ହୋଇଥାଆନ୍ତି, ସେ ବୋଧହୁଏ ତାଙ୍କ ଭଣଜାକୁ ଏତେ ଗେହ୍ଲା କରନ୍ତେ ନାହିଁ । ରୀନାରେ ! ମୁଁ ଏକା ବଦଳି ନାହିଁ । ବାପା, ବୋଉ, ଭାଇ–ସମସ୍ତଙ୍କୁ ଜଣ ଜଣ କରି ବଦଳାଇ ଦେଇଛି । ଆଉ ମୁଁ ମୋ ପ୍ରେମିକାଙ୍କୁ ବିବାହ କରିଥିଲେ ସେ ଆମ ପରିବାରରୁ ଯେତିକି ଆଦର-ଅଭ୍ୟର୍ଥନା ପାଇ ନଥାନ୍ତେ, ମୋର ଏ ବର୍ତ୍ତମାନର ଇହକାଳ-ପରକାଳର ଦେବତା ତା’ଠାରୁ ଯଥେଷ୍ଟ ଅଧିକ ଆଦର-ସମ୍ମାନ ପାଉଛନ୍ତି । ସୁନା ବୋଲି ଭଣ୍ଡେଇ ଦେଇଥିବା ପିତଳ ଧରା ପଡ଼ିଗଲେବି ସ୍ୱାମୀ ମୋର ଯେମିତି ତାକୁ ଚଳେଇ ନେବେ, ସେଥିଲାଗି ତାଙ୍କ ମନ କିଣିବାପାଇଁ, ହୃଦୟ ଜିଣିବାପାଇଁ ଆମ ଘରେ ସମସ୍ତେ ବ୍ୟାକୁଳ, ବ୍ୟଗ୍ର !

 

ତତେ ଗୋଟାଏ ସତ କଥା କହିବି ?

 

ରାଣ ରହିଲା, କାହାକୁ କହିବୁ ନାହିଁ ।

 

କଥାଟା ହେଲା, ଆମ ପରିବାର ସମସ୍ତଙ୍କର ସମ୍ମିଳିତ ସମର୍ଥନ ପାଇବି ବୋଲି ଜାଣି ନଥିଲେ ମୁଁ କ’ଣ ଏଡ଼େ ଜଘନ୍ୟ ପାପ କରିବାକୁ ସାହସ କରିଥାଆନ୍ତି ?

 

ରୀନା, ଆଜି ଗୋଟାଏ ସାଧାରଣ କଥାରେ ସ୍ୱାମୀଙ୍କ ସହ ସାମାନ୍ୟ ରଗାରାଗି ହୋଇଗଲା । ସମ୍ପୂର୍ଣ୍ଣ ଘରୋଇ କଥା । ମୁଁ ମନେମନେ ଖୁବ୍ ରାଗି ଯାଇଥିଲି; କିନ୍ତୁ ମନର କ୍ରୋଧକୁ ମୁହଁରେ ପ୍ରକାଶ କଲି ନାହିଁ । ହଠାତ୍ ମନେପଡ଼ିଗଲା, ମୁଁ ସୁଖୀ ହେବାକୁ ଆସିଛି, କେବଳ ପତ୍ନୀ ହେବାକୁ ନୁହେଁ । ସ୍ୱାମୀଙ୍କ ମନ ନେଇ ନ ଚଳିଲେ ସେ ଦୁର୍ଲଭ ସୁଖ ମତେ ମିଳିବ ନାହିଁ । ସଂସାରରେ ମୁଁ ସବୁ ଭରସା ହରାଇ ଏଇ ଗଛତଳେ ଆଶ୍ରା ନେଇଛି । ଯଦି ଏ ଗଛମୂଳେ ଆଶ୍ରା ନ ମିଳେ, ଚାରିଆଡ଼େ ଧୁଧୁ ଟାଇଁଟାଇଁ ଖରା !

 

ସ୍ୱାମୀ ଅଫିସ୍ ଚାଲିଗଲା ପରେ ତକିଆରେ ମୁହଁ ଜାକି ଅନେକ କାନ୍ଦିଲି । ଏମିତି କଥା ହୋଇଥିଲେ ବିନୋଦକୁ ମୁଁ ସହଜରେ ଛାଡ଼ି ନଥାନ୍ତି । କିନ୍ତୁ ୟାଙ୍କୁ ସେକଥା କହିବା ସହଜନୁହେଁ । କେବେ କଷ୍ଟରେ ଏ ଘରସଂସାର ମୁଁ ସଜାଡ଼ିଛି ହସ ମାଡ଼ୁ ନଥିଲେବି ଅଭିନୟ କରି ହସିଛି । କାନ୍ଦ ମାଡ଼ୁ ନଥିଲେବି ଲୁହ ଝରାଇଛି । ମିଛ କଥାକୁ ସତ ବୋଲି ପ୍ରତ୍ୟୟ ସୃଷ୍ଟି କରିବାକୁ କେତେ ଜଗିରଖି ଚଳିଛି । କାହିଁକି ? କେବଳ ସୁଖୀ ହେବାପାଇଁତ ! ଯଦି ମୋ କଥା ଯୋଗୁଁ ସ୍ୱାମୀଙ୍କ ହୃଦୟରୁ ସେ କ୍ଷମାଶୀଳ ଉଦାରତା ଦୂର ହୋଇଯାଏ, ମୋ ପ୍ରକୃତସ୍ୱରୂପ କ’ଣ ବାପା, ଭାଇ କିମ୍ବା ବାହାଘରବେଳେ ଯେଉଁମାନେ ଭୋଜି ଖାଇ ଆଶୀର୍ବାଦ କରିଥିଲେ ସେମାନଙ୍କ ଭିତରୁ ଅନ୍ୟ କେହି ଗୋପନ କରିପାରିବେ ?

 

ନାରୀର ଜୀବନ ଏକ ଅଛିଣ୍ଡା ଅଙ୍କ ।

 

କିନ୍ତୁ ସାଙ୍କେତିକ ପ୍ରଣାଳୀରେ ବାପା ସେ ଅଙ୍କକୁ ମୋପାଇଁ ସରଳ କରି ଦେଇଛନ୍ତି । ବୁଝାଇ ଦେଇଛନ୍ତି, ସ୍ୱାମୀହିଁ ସବୁ ବନ୍ଦ କୋଠରୀର ଚାବିକାଠି । ସେଇ ଜଣଙ୍କୁ ହାତରେ ରଖିପାରିଲେ ସୁଖ, ସମ୍ଭୋଗର ସମସ୍ତ ରୁଦ୍ଧ ଦରଜା ସଶବ୍ଦରେ ଉନ୍ମୁକ୍ତ ହୋଇଯିବ । ମୋର ପ୍ରେମିକ ହୁଅନ୍ତୁ ବା ଅନ୍ୟ କେହି ହୁଅନ୍ତୁ ମୋର କିଛି କ୍ଷତି କରିପାରିବେ ନାହିଁ ।

 

ବାପାଙ୍କ ବାକ୍ୟକୁ ମୁଁ ବେଦର ଗାର ଭଳି ମାନିଛି ।

 

ଅଭିନୟରେ କୌଣସି ଦିନ କିଛି ହେଲେ ତ୍ରୁଟି କରିନାହିଁ । ତଥାପି କେମିତି ବେଳେବେଳେ ସବୁ ଗୋଳମାଳ ହୋଇଯାଉଛି । ପୂର୍ବର ପ୍ରକୃତି ମନେପଡ଼ୁଛି । ରୀନା ! ତୁ ଶ୍ରୀମାଆଙ୍କ ପାଖରେ ପ୍ରାର୍ଥନା କରିବୁ, ମୁଁ ଯେପରି ଅଭିନୟରେ କେତେବେଳେ କିଛି ହେଲେ ତ୍ରୁଟି ନ କରେ । ମୋର ସ୍ୱାମୀଦେବତା ସବୁବେଳେ ଯେମିତି ମୋ ହାତମୁଠାରେ ଥାଆନ୍ତି !

 

ପୁଅ ହେଲାପରେ ମୁଁ ଜାଣେ, ସ୍ୱାମୀ ଆପେଆପେ ହାତମୁଠାକୁ ମୋର ଆସୁଛନ୍ତି । ଆଜି ସେ ମୋର ଅତି ଦରକାରୀ ମନେ ହେଉଛନ୍ତି, ଆଉ ୩,୪ଟା ପିଲା ହୋଇଗଲେ ମୁଁ ତାଙ୍କପାଇଁ ଅତି ଜରୁରୀ ମନେ ହେବି । ଜୀବନର ରଥଚକ୍ରତଳେ ମୋର ଅତୀତର ସମସ୍ତ ପ୍ରତାରଣା, କୁତ୍ସିତ କଳଙ୍କ ଲିଭି ଶୁଭ୍ର, ପବିତ୍ର ହୋଇଯିବ ! କେବଳ ଧୈର୍ଯ୍ୟ, କେବଳ ସାହସ ଦରକାର ।

 

ପୋଡ଼ିଗଲା ତିଅଣରେ ଆଉ ସୁଆଦ ନଥାଏ ।

 

ହଁ–ଏ କଥା ଥରେ ମୁଁ ବିନୋଦକୁ ଲେଖିଥିଲି–ବିବାହ କରିବି ନାହିଁ ବୋଲି ତାକୁ ପ୍ରତ୍ୟାଖ୍ୟାନ କଲାପରେ । କିନ୍ତୁ ରୀନା ! ଆଜି ମନେହେଉଛି, ମୁଁ ସେଦିନ ଭୁଲ୍ ଲେଖିଥିଲି । ରାନ୍ଧୁଣୀ ଯଦି ମୋ ଭଳି ଚତୁର ଆଉ ବୁଦ୍ଧିମତୀ ହୁଏ, ପୋଡ଼ା ତିଅଣହିଁ ବେଶି ସ୍ୱାଦୁ ହୁଏ ! ଆଉ ସେ ଆଗରୁ ତରକାରୀ କେବେ ଚାଖି ନଥାଏ, ତ ।’ ପାଖରେ ପୋଡ଼ା ତିଅଣ, ଭଲ ତିଅଣ ଏକପ୍ରକାର !

 

ହଠାତ୍ ଏକଥା କାହିଁକି ମନେପଡ଼ିଲା ?

 

ସ୍ୱାମୀ ଆଜି ମତେ ଖୁବ୍ ଆଦର ସ୍ନେହରେ ଅଥୟ କରୁଥିଲେ । ବିଶ୍ୱାସ କର, ମୁଁ କିଛି କହି ନାହିଁ, ସେ ନିଜ ତରଫରୁ କହୁଥିଲେ ଯେ ମତେ ପାଇ ସେ ସବୁଠୁ ବଳି ସୁଖୀ ହୋଇଛନ୍ତି । ମତେ ନ ପାଇଥିଲେ ତାଙ୍କ ଜୀବନଟା ନଷ୍ଟ ହୋଇ ଯାଇଥାଆନ୍ତା ! ମୁଁ କେତେ ସ୍ନେହୀ, ମୁଁ କେତେ ଭଲ ଏବଂ ମୁଁ କେତେ... !

 

ତାଙ୍କ କଥାକୁ ଅବିଶ୍ୱାସ କଲାଭଳି ମୁଖଭଙ୍ଗୀ କରିଥିଲେବି ମନେମନେ ମୁଁ ହସି ହସି ଲୋଟୁଥିଲି । କୁମାରୀ-ଜୀବନର ପ୍ରଥମ ପ୍ରଣୟ ଜଣକ ପାଖରେ ଅଯାଚିତ ଭାବରେ ଉତ୍ସର୍ଗ କରିଦେଇ ମୋ ପ୍ରଣୟର ଫୁଲବନ ଦଗ୍ଧ ହୋଇଯାଇଛି ବୋଲି ମୁଁ ବିବାହ ପୂର୍ବରୁ କେତେ ଅନୁଶୋଚନା ନ କରିଛି ସତେ ! ସେହି ଦଗ୍ଧ ପ୍ରଣୟର ଅର୍ଘ୍ୟ ନେଇ ମୁଁ ଆଉ ଜଣେ ପୁରୁଷକୁ ସୁଖୀ କରିପାରେ, ଏ ଥିଲା ମୋର ସକଳ କଳ୍ପନାର ଊର୍ଦ୍ଧ୍ୱରେ ।

 

ରୀନା ! ତୁ ଜାଣୁ, ମୋ ପ୍ରଣୟ ଯେ ଦଗ୍ଧ ପ୍ରଣୟ, ସେ କଥା ମୋ ସ୍ୱାମୀକୁ ଆଜି ଆଉ ଅଛପା ନାହିଁ ଯେତିକି ନ କହିଲେ ଚଳିବ ନାହିଁ, ସେତିକି ମୁଁ ତାଙ୍କୁ କହିଛି । ଅନ୍ୟମାନଙ୍କଠାରୁ ସେ ମଧ୍ୟ ବିନୋଦ ସହ ମୋର ସମ୍ପର୍କ ସମ୍ବନ୍ଧରେ ଅନେକ କିଛି ଶୁଣିଛନ୍ତି । ତଥାପି ମତେ ପାଇ ସେ ସୁଖୀ ହୋଇଛନ୍ତି, ମତେ ପାଇ ନଥିଲେ ତାଙ୍କ ଜୀବନ ନଷ୍ଟ ହୋଇଯାଇ ଥାଆନ୍ତା !

 

ମୁଁ ତ ହସୁଛି ।

 

ତୁ ଏ ଲେଖା ପଢ଼ି ନିଜେ ହସିବୁ କି ?

 

ଶୁଣିଥିଲି, ପୁରୁଷମାନେ କୁଆଡ଼େ ନାରୀର ସତୀତ୍ଵ, ଚରିତ୍ରକୁ ବେଶି ସମ୍ମାନ ଦିଅନ୍ତି । କିନ୍ତୁ ଆଜି ନିଜ ଅନୁଭୂତିରୁ ବୁଝୁଛି, ମୁହଁରେ ସତୀତ୍ଵ ସମ୍ପର୍କରେ ସେମାନେ ଯେତେ ଯାହା କୁହନ୍ତୁ, ମୋ ସ୍ୱାମୀଙ୍କ ଭଳି ବହୁ ପୁରୁଷ ଚାହାନ୍ତି ମୋ ଭଳି ନଷ୍ଟ ଆତ୍ମା ନାରୀର ଫେନିଳ ଯୌବନ ! ବିବାହ ପରେ ଏଭଳି ପୁରୁଷ ସ୍ୱାମୀ ଭାବରେ ପରିଚିତ ହେଲେବି ବାସ୍ତବରେ ସେମାନେ ହୁଅନ୍ତି ମୋ ଭଳି ପତ୍ନୀ ଦେହର କ୍ରୀତଦାସ । ଏମାନଙ୍କର ସ୍ୱର୍ଗ କେବଳ ନାରୀର ଦେହ ! ସେଥିପାଇଁ ମୋ ଦେହ ଆଉ ଏକ ପୁରୁଷକୁ ମୁଁ ଉତ୍ସର୍ଗ କରି ଦେଇଥିଲି ବୋଲି ଜାଣି ସୁଦ୍ଧା, ମୋର ଦେହକୁ ସ୍ପର୍ଶକଲାବେଳେ ମୋ ସ୍ୱାମୀ ସ୍ୱର୍ଗରେ ପରିଭ୍ରମଣ କରନ୍ତି !

 

ମୋ ଭଳି କଳଙ୍କିନୀ ନାରୀ ଯଦି ସୀମନ୍ତିନୀ ହୋଇ ବ୍ୟଭିଚାରର ଜୀବାଣୁକୁ ସମାଜର ସର୍ବତ୍ର ସଂକ୍ରମିତ କରନ୍ତି, ସେଥିପାଇଁ କେବଳ ମୋ ଭଳି ଝିଅ ଦାୟୀ ନୁହେଁ, ମୋର ଅଭିଭାବକମାନେ ଦାୟୀ ନୁହନ୍ତି, ଏ ସମାଜ ଦାୟୀ ନୁହେଁ, ଦାୟୀ ବୋଧହୁଏ ମୋର ଏ ସ୍ୱାମୀଙ୍କ ଭଳି ପୁରୁଷମାନଙ୍କ ଦୈହିକ ସମ୍ଭୋଗର ଲାଳସା । ଏମାନେ ପତ୍ନୀର ଅତୀତର ଦୁର୍ବଳତାକୁ କ୍ଷମା କରନ୍ତି, ଉଦାର ମାନବିକତା ଯୋଗୁଁ ନୁହେଁ, ଦେହକୁ ହରାଇବାର ଭୟରେ !

 

ଅବଶ୍ୟ ତୁ ଜାଣୁ ମୁଁ ଏ ସବୁ କାର୍ଯ୍ୟକୁ ତୋ ଭଳି ପାପ ବୋଲି ଭାବେ ନାହିଁ । ଯଦି ବା ଜଣେ ପୁରୁଷକୁ ଛାଡ଼ି ଆଉ ଜଣେ ପୁରୁଷକୁ ବିବାହ କରିବା ପାପ ହୁଏ, ସେ ସେପରି କିଛି ଅକ୍ଷମଣୀୟ ପାପ ବୋଲି ସେଦିନ ମୁଁ ମାନି ନଥିଲି, ଆଜି ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ ।

 

ତୁ କ’ଣ କହୁଛୁ ? ତୋ ପିଲାପିଲି ଭଲଅଛନ୍ତି ନା !

 

କାହିଁକି ତମେ ମତେ ଭୁଲିପାରୁନାହଁ ? ସଂସାରରେ ନ୍ୟାୟ, ଧର୍ମ ସଂସ୍ଥାପନା ପାଇଁ ମୁଁ ଜନ୍ମ ହୋଇ ନଥିଲି । ମୁଁ ଜନ୍ମ ହୋଇଥିଲି ନିଜକୁ ସୁଖୀ କରିବି, ମୋ ପିତୃପରିବାରକୁ ଖୁସି କରିବି । ସେଥିପାଇଁ ଯାହା କିଛି ପାପ କଲେବି ମୋ ମନରେ ଦୁଃଖ ନାହିଁ ।

 

ତମେ ତ ଇଚ୍ଛା କଲେ ଭାବି ପାରନ୍ତ, ‘‘ସଂସାରରେ ଏମିତି ଅନେକ ଦୁର୍ଘଟଣା ଘଟେ । ଯାହା ଘଟିଗଲା; ସେଥିପାଇଁ ଅନୁଶୋଚନା କରି ଲାଭ ନାହିଁ । ଛାଡ଼, ପଛକଥାକୁ ଭୁଲି ମୁଁ ବାହାହେବି, ଘରସଂସାର କରିବି !’’

 

ତମେ ଏମିତି ଭାବିପାରିଲେ, ମତେ ଭୁଲିଯାଇପାରିଲେ ମୁଁ ବଞ୍ଚିଯାଆନ୍ତି । ସୁଖୀ ହୁଅନ୍ତି-। ମୁଁ ତମକୁ ଭୁଲିଗଲେ ତମେ ମତେ ଭୁଲିଯିବ, ସେଥିଲାଗି ନିଜକୁ ଭୁଲାଇବା ପାଇଁ ମୁଁ ଆଉ ଜଣେ ପୁରୁଷକୁ ବିବାହ କଲି । କାଳେ ଭୁଲ୍‍ରେ ତମେ ମୋର ମନେ ପଡ଼ିବ, ସେଥିପାଇଁ ଈଶ୍ୱର ଶୀଘ୍ର ଶୀଘ୍ର ମତେ ଜନନୀ ମଧ୍ୟ କରିଦେଲେ । କିନ୍ତୁ ମୁଁ ଏକୁଟିଆ ତମକୁ ଭୁଲିବି, ଆଉ ତମେ ମତେ ଭୁଲିବ ନାହିଁ, ଏକଥା କେତେଦିନ ଚାଲିପାରିବ ?

 

ମତେ ଭୁଲି ନ ଯାଇ ତମେ ମୋର ସବୁଠାରୁ ବଳି ବଡ଼ କ୍ଷତି କରିଛ । ଭାବୁଛ କି ମତେ ଏମିତି ଝୁରି ହେଲେ ମୋର ସ୍ନେହର ଚନ୍ଦ୍ରିକାରୁ ମୁଁ ତମକୁ ସ୍ୱାମୀର ସଂସାରରେ ବୋହୂ ହୋଇ ସୁଦ୍ଧା ବିନ୍ଦୁଏ ବିନ୍ଦୁଏ ଉତ୍ସର୍ଗ କରିଥିବି । ଅସମ୍ଭବ–କେବେ ନୁହେଁ– ।

 

ମୁଁ ମାନୁଛି, ତମେ ମୋପାଇଁ ଥିଲ ଦିଗହୀନ ସମୁଦ୍ର । ଯାହାଙ୍କୁ ବିବାହ କରିଛି, ସେ ସାମାନ୍ୟ ମାତ୍ର ଏକ ଆବଦ୍ଧ ପୁଷ୍କରିଣୀ । କିନ୍ତୁ ମୁଁ ଏଇ ପୁଷ୍କରିଣୀର ସଂକୀର୍ଣ୍ଣ ସୀମା ନେଇ ବେଶ୍ ସୁଖରେ ଅଛି । ତମକୁ ଚାହିଁଲେ ଆଖି ପାଉ ନଥିଲା । ହୋଇପାରେ, ତମ ମନର ସମୁଦ୍ର ସନ୍ତରଣ କରିପାରିଥିଲେ ବଞ୍ଚିରହିବାର ଏକ ପରିପୂର୍ଣ୍ଣ ନୂତନ ମହାଦେଶ ଆବିଷ୍କାର କରିପାରିଥାଆନ୍ତି । କିନ୍ତୁ ତମ ମନର ସମୁଦ୍ର ସନ୍ତରଣ କରି ବଞ୍ଚିରହିବାର ନୂତନ ମହାଦେଶ ଆବିଷ୍କାର କରିବା ଆଗରୁ, ଜଳମଗ୍ନ ହେବାର ଭୟ ମଧ୍ୟ ମୋର ଥିଲା । ସେଥିପାଇଁ ତମକୁ ବିବାହ କରି ମୁଁ ସୁଖୀ ହେବି କି ନାହିଁ, ମୋ ମନରେ ସନ୍ଦେହ, ମୋ ଅଭିଭାବକମାନଙ୍କ ମନରେ ଆଶଙ୍କା ଭରି ଯାଇଥିଲା । ସେଥିପାଇଁ ତ ସେ ସନ୍ଦେହ ଆଶଙ୍କାରୁ ନିଜକୁ ମୁକ୍ତିକରିବା ପାଇଁ ମୁଁ ତମ ସହ ବିବାହ ପ୍ରସ୍ତାବ ନିଜେ ପ୍ରତ୍ୟାଖ୍ୟାନ କରିଥିଲି !

 

ମୋର ଏ ବର୍ତ୍ତମାନର ସ୍ୱାମୀଙ୍କୁ ବିବାହ କରିଥିବାରୁ ସୁଖ ମୋପାଇଁ ସୁଲଭ ହୋଇଛି । କାରଣ ତମ ଭଳି ଏ ବିରାଟ ନୁହନ୍ତି, ସାମାନ୍ୟ ମାତ୍ର । ତାଙ୍କ ମନ-ସରୋବରର ଆରପାଖ, ମତେ ଜଳଜଳ ହୋଇ ଦେଖାଯାଉଛି । ତାଙ୍କ ମନର ପୁଷ୍କରିଣୀକୁ ଘଣ୍ଟାକ ଭିତରେ ମୁଁ ସାତ ଥର ସନ୍ତରଣ କରି ନିରାପଦରେ କୂଳକୁ ଫେରିଆସି ପାରୁଛି ! ସେଥିପାଇଁ ମୁଁ ସୁଖୀ ହୋଇଛି ।

 

ତମେ ସମୁଦ୍ର ଭଳି ବିରାଟ ।

 

ତମକୁ ଜୟକରିବା ମୋର ଶକ୍ତିର ବାହାରେ ।

 

ମୁଁ ପୁଷ୍କରିଣୀର ପଙ୍କମାଛ । ନିଜର ପଙ୍କିଳ ଜୀବନକୁ ନେଇ ସ୍ୱାମୀଙ୍କ ମନ-ପୁଷ୍କରିଣୀର ପଙ୍କ ଭିତରେ ମୁଁ ବେଶ୍ ସୁଖରେ ଅବସ୍ଥାନ କରୁଛି । ହେ ମୋର ଏକଦା ପ୍ରେମିକ ! ଦୟାକରି ମତେ ଭୁଲି ଯାଅ !

 

ମୁଁ ଆଜି ତମର ପ୍ରେମିକା ନୁହେଁ ।

 

ମୁଁ ଏକ ମରୁଶିଖା ମାତ୍ର !

 

ହେ ମୋର ଏକଦା-ପ୍ରେମିକ !

 

ମତେ ତମେ ଦୟାକରି ଭୁଲି ଯାଅ !

 

ମତେ ଭୁଲି ନ ଗଲେ ତମେ ମୋର ଅକଳ୍ପନୀୟ କ୍ଷତି କେବଳ କରିବ, ନିଜର କିଛି ଲାଭହେବ ନାହିଁ । କେହି ତମ ମନ କଥା ବୁଝିବେ ନାହିଁ । କ’ଣ ପାଇଁ ନିଜକୁ ତିଳତିଳ କରି ଦଗ୍ଧ କରୁଛ, ସେ କଥା ପଚାରିବେ ନାହିଁ । ଯାହା ଘଟିଗଲା, ତାକୁ ମାନି ନିଅ । ସ୍ରୋତର ବିପରୀତ ଦିଗରେ ସନ୍ତରଣ କରିବାର ଚେଷ୍ଟାରୁ ନିବୃତ୍ତ ହୁଅ !

 

।। ଆଠ ।।

 

ବିନୋଦ ନଥିଲା ।

 

ତିନିବନ୍ଧୁ ଜିରୋ ପାୱାରର ବଲ୍‍ବଟା ଜାଳି ମଦନର ଘରେ ବସିଥିଲେ ।

 

ମଦନର ପତ୍ନୀ ସନ୍ତାନ-ସମ୍ଭବା । ଏଠାରେ ଅନ୍ୟ କୌଣସି ସ୍ତ୍ରୀଲୋକ ନାହାନ୍ତି ବୋଲି ସେ କାଲି ତାଙ୍କ ବାପଘରକୁ ପଠାଇଦେଇଛି । ଘରଟା କିଛିଦିନ ପାଇଁ ଖାଲି ରହିଛି ।

 

ସେମାନେ ସେଇ ମଳିନ ଆଲୋକରେ ଭିଜି ଭିଜି ବସିଥିଲେ । ତାସ୍ ମୁଠା ନଥିଲା । ବ୍ରିଜ୍ ଖେଳର ନିଶା ନାହିଁ । ଆଗରେ ଥୁଆ ହୋଇଛି ତିନିଟା ବୋତଲ । ବ୍ରିଜ୍ ଖେଳର ନିଶା ଅନ୍ୟ କୌଣସି ଆସକ୍ତି ଭିତରେ ହଜିଯାଇଛି !

 

ସେତେବେଳକୁ କୃପାମୟର ଦ୍ୱିତୀୟ ପେଗ୍ ଆରମ୍ଭ ହୋଇଛି, ସୀତାନାଥ ତିନି ପେଗ୍ ତଣ୍ଟି ଆରପଟକୁ ଡିଆଁଇ ପକାଇ ରାଜକୀୟ କାଇଦାରେ ସୋଫାରେ ଆଉଜି ବସିଛି । ଆଗେ ଏ ପିଇବା ଖର୍ଚ୍ଚ କୃପାମୟ ଦେଉଥିଲା, ଆଜି ଖର୍ଚ୍ଚ ବହନ କରିଛି ସୀତାନାଥ । କାରଣ ''ଏ'' କ୍ଲାସ୍ କଣ୍ଟ୍ରାକ୍ଟର କୃପାମୟ ହାତରେ କାମ ନାହିଁ । ସରକାର କୁଆଡ଼େ ସଙ୍କଟରେ ପଡ଼ିଛନ୍ତି; ଆର୍ଥିକ ସଙ୍କଟ । ଇଞ୍ଜିନିୟର୍‍ମାନଙ୍କ ପାଇଁ ତ କାମ ନାହିଁ; କଣ୍ଟ୍ରାକ୍ଟର କଥା ପଚାରୁଛି କିଏ ?

 

କୃପାମୟ କହିଲା, କାମ ସିନା ନାହିଁ, ଖର୍ଚ୍ଚ କମୁ ନାହିଁ । ଇନକମ ଟାକ୍‍ସ୍ ଭିଡ଼ି ଦେଇଛି ଦଶହଜାର । ଅତୀତ ଆୟର ମାସୁଲ । ତୁ ଜାଣୁ ସୀତାନାଥ ! ମୁଁ ମୋ ସ୍ତ୍ରୀକୁ ଆଜିକାଲି ବାଧ୍ୟହୋଇ ବଡ଼ ଭଲପାଉଛି, କାରଣ ଟାକ୍‍ସ୍ ନ ଦେଇପାରିଲେ ସରକାର କାଳେ ମୋ ସମ୍ପତ୍ତି ନିଲାମ କରି ନେବେ, ସେଥିପାଇଁ ସବୁ ସମ୍ପତ୍ତି ଶଶୁରଙ୍କ ପରାମର୍ଶକ୍ରମେ ସ୍ତ୍ରୀ ନାମରେ ରେଜିଷ୍ଟ୍ରି କରିଦେଇଛି...

 

କଥା କହିଲାବେଳେ ଏକ ଅପ୍ରକାଶ୍ୟ ବେଦନାରେ କୃପାମୟର ମୁହଁ ବିବର୍ଣ୍ଣ ଦେଖାଯାଉଥିଲା ।

 

ମଦନ କହିଲା, ତୋ ନୂଆ ଘରୁ ତ ଅନେକ ଟଙ୍କା ଘରଭଡ଼ା ପାଉଥିବୁ !

 

ଦୀର୍ଘଶ୍ୱାସ ପକାଇ କୃପାମୟ କହିଲା, ଘରତୋଳା ଶେଷ କରି ପାରିଲି ଆଉ କେଉଁଠୁଁ ! ଏକାବେଳେ ଚାରିଟା ଫ୍ଲାଟ୍‍ତୋଳା ଆରମ୍ଭ କରିଦେଲି । ପଞ୍ଚଷଠି ହଜାର ଟଙ୍କା ଖର୍ଚ୍ଚ ପରେବି ଛାତ ପଡ଼ିନି...ଆହୁରି ତିରିଶ ହଜାର ଟଙ୍କା ଦରକାର–ଶଳା ଏତିକିବେଳକୁ ସରକାର କାମ ବନ୍ଦ...ପ୍ଲାନ୍ ହଲିଡ଼େ... !

 

କୃପାମୟର ନାସାରନ୍ଧ୍ରରୁ ନିର୍ଗତ ଦୀର୍ଘଶ୍ୱାସ ଖୁବ୍ ଉତ୍ତପ୍ତ ଜଣାପଡ଼ିଲା ମଦନକୁ ।

 

ସୀତାନାଥର ସ୍ୱପ୍ନଭଙ୍ଗ ହେଲା । ଟିପୟ ଆଡ଼କୁ ଦୃଷ୍ଟି ପକାଇ ସେ କହିଲା, ଆବେ ମଦନା ! ତୁ ଏପର୍ଯ୍ୟନ୍ତ ବୋତଲ ଛୁଇଁଲୁନାହିଁ ! ଶଳା ସରକାରୀ ବାର୍‍ରୁ ଖଣ୍ଟି ମାଲ୍ ଏତେଗୁଡ଼ାଏ ପଇସା ଦେଇ କିଣିଲି, ଏଗୁଡ଼ା ନଷ୍ଟ ହେବ ? ମୁନି, ରୁଷିମାନେ ମଦ ପିଉଥିଲେ, ତୁ ସ୍କ୍ରାଉଣ୍ଡଲ୍ କି ପିଉରିଟାନ୍ ବେ...ଦେ–ଦେ–ଢୋକେ ପିଇଦେ–ମାଫ କର ଭାଇ ! କହିଲେ ନର୍ଦ୍ଦମା ସଫା କରିବି ପଛେ ସ୍ତ୍ରୀ ଦେହ ଛୁଇଁ ଶପଥ କରିଛି ମଦ ଛୁଇଁବି ନାଇଁ ।–କାନ୍ଥରେ ଝୁଲୁଥିବା ଆସନ୍ନପ୍ରସବା ପତ୍ନୀଙ୍କ ଫୋଟୋକୁ ଚାହିଁ କାକୁସ୍ଥ ହୋଇ ଉତ୍ତର ଦେଲା ମଦନ ।

 

କୃପାମୟ କହିଲା, ତୁ ଶଳାଟା ଏକ ନମ୍ବର ବେକୁବ୍ । ଆବେ; ତୁ ଯେତେବେଳେ ସ୍ତ୍ରୀର ଦେହ ଛୁଇଁ ମଦ ଖାଇବୁ ନାହିଁ ବୋଲି ପ୍ରତିଜ୍ଞା କରିଥିଲୁ, ସେତେବେଳେ ସରକାର ନିଶାନିବାରଣ ଚାଲୁ ରଖିଥିଲେ, ଏବେ ତ ସରକାର ନିଶାନିବାରଣ ଉଠାଇଦେଲେ, ତୁ କାହିଁକି ପ୍ରତିଜ୍ଞା ପାଳନପାଇଁ ଜିଦ୍ ଧରି ବସିଛୁ ? ତା’ ଛଡ଼ା ସ୍ତ୍ରୀ ତ ଘରେ ନାହାନ୍ତି... !

 

ମୃଦୁ ହସି ମଦନ ଉତ୍ତର ଦେଲା, ସରକାର ସିନା ନିଶାନିବାରଣ ଉଠାଇଦେଲା ! ସରକାରଙ୍କ ଆୟ ବଢ଼ାଇବା ପାଇଁ, ମୋର ଆଉ ଆୟ ବଢ଼ୁଛି କୁଆଡ଼ୁ ? ଏଇ ମାସ ତଳେ ଯାଇଥିଲି ଗୋଟାଏ ମଫସଲ ଅଞ୍ଚଳକୁ ଗୀତ ବୋଲିବାକୁ...ସେ ଅଞ୍ଚଳର ଯୁବକମାନେ କ’ଣ ଗୋଟାଏ ସାଂସ୍କୃତିକ ଉତ୍ସବ କରୁଥିଲେ...ମୋ ପାଖରେ ଆସି ହାତ ଓଠ ଧରି ଏତେ ଦେବୁ ସେତେ ଦବୁ ବୋଲି ନେଇଗଲେ–ଉତ୍ସବ ସରିଲା ପରେ ଦାନ୍ତ ନିକୁଟି କହୁଛନ୍ତି, କ’ଣ କରିବୁ ଆଜ୍ଞା ! ଟିକେଟ ସବୁ ବାକିରେ ବିକ୍ରି ହୋଇଛି...ଆଦାୟ ହେଲେ ଡାକରେ ଆପଣଙ୍କର ଟଙ୍କାଟା ପଠାଇଦେବୁ...କିଛି ମନେକରିବେ ନାହିଁ । ମୁଁ ଶଳା କିଛି ମନେ ନ କରି ହାତରୁ ରାସ୍ତାଖର୍ଚ୍ଚ କରି ଘରକୁ ଫେରିଲି...ଆଉ ପ୍ରତିଦିନ ପୋଷ୍ଟ୍ ପିଅନଙ୍କୁ ମନିଅର୍ଡ଼ର୍ କଥା ପଚାରୁଛି–ଦୁଇଟା ରିମାଇଣ୍ଡର୍‍ବି ପଠାଇସାରିଲିଣି...ଅଗ୍ରଗାମୀ ଯୁବକସଂଘ ଟଙ୍କା ଦେବାତ ଦୂରର କଥା, ଚିଠିର ଉତ୍ତରବି ଦେଉନାହାନ୍ତି–ଆଉ ଏ କଟକ ସହରରେ ଦୈନିକ ଖର୍ଚ୍ଚ ହାର ତୁ ତ ଜାଣୁ...

 

ପ୍ରଚଣ୍ଡ ଭାବରେ ଅବିଶ୍ୱାସର ହସ ହସି କୃପାମୟ କହିଲା, ତୁ ଗୋଟାଏ ଏକ ନମ୍ବର ପୁଡ଼ିଆବାଜ୍ ହୋଇଗଲୁଣି । ଏବେ ଦୁଇ ଦୁଇଟା ଓଡ଼ିଆ ଫିଲ୍ମରେ ମ୍ୟୁଜିକ୍ ଡିରେକ୍ଟର୍ ହେଲୁ, ତୋ ଗୀତ ପରିବା ଦୋକାନୀବି ବୋଲୁଛି, ଆଉ ତୋ ପାଖରେ ଟଙ୍କା ନାହିଁ... !

 

ମଦନ କୈଫିୟତ ଦେବା ଭଳି ଉତ୍ତର ଦେଲା, କହିବୁ ନାହିଁ କାହିଁକି ଭାଇ ! ଦେଶର ନାମ ତ ଓଡ଼ିଶା... ଫିଲ୍ମ ପ୍ରଡ଼୍ୟୁସର ଟଙ୍କା ସବୁ କଲିକତା ଷ୍ଟୁଡ଼ିଓ, ଅଣଓଡ଼ିଆ ଡିରେକ୍ଟର୍ ଆଉ ହିରୋଇନମାନଙ୍କ ପିଛା ଉଡ଼ିଲା...ମ୍ୟୁଜିକ୍ ଡାଇରେକ୍ଟର୍ ପାଉଣା ସବୁ ବାକିରେ ବାକିରେ-ଫିଲ୍ମ ରିଲିଜ୍ ହେଲେ ଟଙ୍କା ଦିଆଯିବ...ଟଙ୍କା ଉଠୁଛି ନା ଆମ ଟଙ୍କା ମିଳୁଛି...ଯାହା ଆଡ଼୍‍ଭାନ୍‍ସ୍ ମିଳିଥିଲା ସେଇ ସର୍ବଶେଷ...

 

କଥା ଶେଷବେଳକୁ ମଦନର କଣ୍ଠସ୍ୱର ବ୍ୟର୍ଥତାର ଯନ୍ତ୍ରଣାରେ ଭାରି ଭାରି ମନେ ହେଉଥିଲା ।

 

ତିନି ବନ୍ଧୁ କିଛି ସମୟ ନିର୍ବାକ୍ ଭାବରେ ବସିରହିଲେ ।

 

ପ୍ରସଙ୍ଗ ପରିବର୍ତ୍ତନ କରିବାପାଇଁ ସୀତାନାଥ କହିଲା, ଆଚ୍ଛା, ବିନୋଦଟା ଆସିବ ବୋଲି କହି ଆସିଲା ନାହିଁ କାହିଁକି ?

 

କୃପାମୟ କହିଲା, ମୁଁ ଜାଣିଥିଲି, ସେ ଯେଉଁଠିକି ଯାଇଛି, ଇଚ୍ଛା କଲେ ମଧ୍ୟ ସେଠାରୁ ସେ ଆସି ପାରିବ ନାହିଁ । କାରଣ ଆସିବା ନ ଆସିବା ତା’ ଉପରେ ନିର୍ଭର କରୁନାହିଁ ।

 

ସୀତାନାଥ କହିଲା, ତା’ କାମ ସେମିତି । ଘର ଉପରେ ନିର୍ଭର କରିବା କଥା । ବୋଧହୁଏ କାହାର ଇନ୍‍ସୁରାନସ୍ କରିବାକୁ ଯାଇଛି ।

 

ନା–ସେ ଯାଇଛି ପ୍ରଣତିଘରକୁ–ଯେ ଦିନେ ତାକୁ ଇନ୍‍ସୁରାନ୍‍ସ ଏଜେଣ୍ଟ ବୋଲି ଘୃଣା କରି ବିବାହ କରିବ ନାହିଁ ବୋଲି ମନା କରିଥିଲା–ରହସ୍ୟମୟ ଭାବରେ କଥା ଶେଷ କଲା କୃପାମୟ !

 

ପ୍ରଣତି ଘରକୁ ! ତା’ର ବିବାହ ପରେ ! ପୁଣି କ’ଣ ସେମାନଙ୍କର ସମ୍ପର୍କ ଆଗଭଳି ଲାଗିରହିଛି ! –ବିସ୍ମୟରେ ଭ୍ରୂକୁଞ୍ଚିତ କଲା ସୀତାନାଥ ।

 

ନା–ପ୍ରତ୍ୟାଖ୍ୟାନ କଲା ପରେ ସେଦିନ ଭଳି ଆଜିବି ବିନୋଦକୁ ଘୃଣାକରେ ପ୍ରଣତି । ପ୍ରେମର ସମ୍ପର୍କ ନାହିଁ । ସେ କେବଳ ବିନୋଦକୁ ବୁଝାଉଛି, ସେ ତାକୁ ଭୁଲିଯାଇ–ଅନ୍ୟତ୍ର ତା’ ଭଳି ବିବାହ କରୁ...

 

ଆଶ୍ଚର୍ଯ୍ୟ ! ସେ ନିଜେ ତ ଅନ୍ୟତ୍ର ବିବାହ କରି ସୁଖୀ ହୋଇଛି । ଯାହାକୁ ନିଜେ ବିବାହ କରିବ ନାହିଁ ବୋଲି ପ୍ରତ୍ୟାଖ୍ୟାନ କରିଗଲା, ସେ ବିବାହ କଲା କି ନାହିଁ–ତା’ର ସେଥିରେ କ’ଣ ଅଛି ? –ସୀତାନାଥ ଜିଜ୍ଞାସୁ ଦୃଷ୍ଟିରେ ଚାହିଁଲା କୃପାମୟକୁ ।

 

କୃପାମୟ କିଛି ଉତ୍ତର ଦେଲା ନାହିଁ ।

 

ମଦନ କହିଲା, ପ୍ରଣତିର ବୋଧହୁଏ ଧାରଣା, ବାଡ଼ୁଅ ରହି ମଲେ ଭୂତ ହେବ ବିନୋଦ-। ଆଉ ତା’ର କୁଆଡ଼େ ଆବାଲ୍ୟରୁ ଭୂତକୁ ଭାରି ଭୟ... !

 

ମଦନର କଥା ଶୁଣି ସୀତାନାଥ ଆଉ କୃପାମୟ ହସିଉଠିଲେ ।

 

କିଛି ସମୟ ପରେ ସୀତାନାଥ କହିଲା, ନା–ଆମେ ଆଉ ପ୍ରଣତି ପ୍ରସଙ୍ଗ ଆଲୋଚନା କରିବା ନାହିଁ । ସେ କେବଳ ବିନୋଦ ଜୀବନକୁ ନଷ୍ଟ କରିଦେଇ ନାହିଁ; ଆମ ଜୀବନକୁ ମଧ୍ୟ ଏକ ଅଜ୍ଞାତ ଭୟର ଅନ୍ଧକାରରେ ଆଚ୍ଛନ୍ନ କରି ଦେଇଛି ।

 

ମାନେ ? –ମଦନ ପ୍ରଶ୍ନ କଲା ।

 

ସୋଫା ଆର୍ମ ଦେହରେ ମୁଣ୍ଡ ରଖି ସୀତାନାଥ ସ୍ୱଗତୋକ୍ତି କଲା ଭଳି କହିଲା, ମୁଁ ସେ ଝିଅକୁ ଥରେ ନୁହେଁ ଅନେକ ଥର ଦେଖିଚି ବିନୋଦ ସହିତ ! ସେମାନଙ୍କ ପ୍ରଣୟରେ ଏତେ ଟିକିଏ ଫାଙ୍କା ଥିଲା ବୋଲି ମୋର କେବେ ଭୁଲ୍‍ରେ ସୁଦ୍ଧା ସନ୍ଦେହ ହୋଇନାହିଁ । ସ୍ୱାମୀ ସ୍ତ୍ରୀ ଭଳି ତ ସେମାନେ ଚଳୁଥିଲେ । ଅଥଚ କି ବାଜେ କଥାକୁ ଆଳ କରି ବିନୋଦକୁ ଫାଙ୍କିଦେଇ ସେ ଝିଅ ଅବିଚଳିତ ଭାବରେ ଆଉ ଜଣକୁ ବିବାହ କରିଗଲା !

 

କିନ୍ତୁ ସେଥିରେ ଆମର ଭୟ ପାଇବାର କ’ଣ ଅଛି ? –ମଦନର କଣ୍ଠରେ ପ୍ରଶ୍ନିଳ-ବିସ୍ମୟ ।

 

ଭୟ ! ହଁ–ପ୍ରଣତିର କଥା ମନେ ପଡ଼ିଗଲେ ମୋର ନିଜ ସ୍ତ୍ରୀକୁବି ବେଳେବେଳେ ସନ୍ଦେହ ହୁଏ । ମନେହୁଏ; ପ୍ରଣତିର ସ୍ୱାମୀ ଭଳି ମୁଁ ହୁଏତ ଏକ ନିର୍ବୋଧ ପୁରୁଷ । ଅନ୍ୟ କେଉଁ ପୁରୁଷର ଉଚ୍ଛିଷ୍ଟକୁ ପବିତ୍ର ନୈବେଦ୍ୟ ଭଳି ଗ୍ରହଣ କରୁଛି । ପ୍ରଣତିର ପାପ ଯଦି ସମାଜରେ ଏକ ସାଧାରଣ ଚଳନୀୟ ସତ୍ୟ, ପାରିବାରିକ ଜୀବନର ପବିତ୍ରତା ବୋଲି ଆଉ କ’ଣ ରହିଲା ? ପ୍ରଣତି ଯାହା କରିପାରିଲା; କିଏ ଜାଣେ ଆମ ସ୍ତ୍ରୀ ମଧ୍ୟ... !

 

ମଦନ କଥାଟାକୁ ଉଡ଼ାଇ ଦେବାକୁ ଚେଷ୍ଟାକଲା ।

 

କହିଲା, ତୁ କଥାଟାକୁ ଅନେକ ଦୂରକୁ ଭାବପ୍ରବଣ ହୋଇ ନେଇ ଯାଉଛୁ । ପୃଥିବୀରେ ସମସ୍ତେ ପ୍ରଣତି ଭଳି ସୁଖଲୋଭୀ ଧୂର୍ତ୍ତମହିଳା ନୁହନ୍ତି, ତା’ର ସ୍ୱାମୀ ଭଳି ସମସ୍ତେ ନିର୍ବୋଧ, ନାରୀ ଦେହ କାଙ୍ଗାଳ ପୁରୁଷ ନୁହନ୍ତି... ପ୍ରଣତି ଓ ତା’ର ସ୍ୱାମୀ ସମ୍ପ୍ରଦାୟ ସମାଜରେ ସବୁଦିନେ ଥିଲେ, ଆଜି ମଧ୍ୟ ଅଛନ୍ତି...

 

କୃପାମୟ ନିଜର ରୁଦ୍ଧ ଆବେଗକୁ ଚାପି ରଖିପାରିଲା ନାହିଁ ।

 

କିନ୍ତୁ ମଦନ ! ମୁଁ କହି ଦେଖୁଛି, ଦିନେ ନା ଦିନେ ମୁଁ ଏକ ଭୟଙ୍କର କାଣ୍ଡ କରି ବସିବି । ସେ କାଣ୍ଡ ଏପର୍ଯ୍ୟନ୍ତ ମୁଁ କରିନି କେବଳ ବିନୋଦକୁ ଆହତ କରିବାର ସାହସ ସଂଗ୍ରହ କରିପାରି ନାହିଁ ବୋଲି । ପୃଥିବୀରେ ପ୍ରତି ମୁହୂର୍ତ୍ତରେ ଅନେକ ବ୍ୟଭିଚାର ହେଉଛି; କିନ୍ତୁ ସେ ବ୍ୟଭିଚାର ସମସ୍ତେ ସହିବେ ବୋଲି ମୁଁ ସହିପାରିବି ନାହିଁ । ଈଶ୍ୱର ଏତେ ବଡ଼ ଅନ୍ୟାୟ, ବ୍ୟଭିଚାରକୁ ମୋ ନାକ ଧରି ଚଳେଇ ନେଇ ପାରିବେ ନାହିଁ । ପ୍ରଣତି ବିନୋଦକୁ ପ୍ରତ୍ୟାଖ୍ୟାନ କଲା, ସେ ବ୍ୟଭିଚାର ମୁଁ ସହିପାରେ । କିନ୍ତୁ ଅନ୍ୟମାନଙ୍କ ଆଗରେ ନିଜକୁ ସତୀ ସାବିତ୍ରୀ ବୋଲି ପ୍ରମାଣ କରିବାପାଇଁ ବିନୋଦ ଚରିତ୍ରକୁ କଳଙ୍କିତ କରିବା ଲାଗି ମୋର ଜଣେ ଆତ୍ମୀୟ ମହିଳାଙ୍କ ସମ୍ପର୍କରେ ସେ ଯେଉଁ ଅପପ୍ରଚାର କରିଛି, ମୁଁ ତାକୁ କଦାପି ନୀରବରେ ବରଦାସ୍ତ କରିବି ନାହିଁ...

 

ସୀତାନାଥ ଲକ୍ଷ୍ୟ କଲା, କ୍ରୋଧରେ କେବଳ କୃପାମୟର ମୁହଁ ଆରକ୍ତ ହୋଇନାହିଁ, ଦୁଇ ଆଖିରୁ ଧାର ଧାର ଲୁହ ମଧ୍ୟ ଝରିପଡ଼ୁଛି । ଶକ୍ତ–ସମର୍ଥ ପୁରୁଷ କୃପାମୟ ମୁହଁରେ ସେ କାନ୍ଦ କାନ୍ଦ ଭାବ ସୃଷ୍ଟି କରିଛି ଏକ କରୁଣ ରେଖାଚିତ୍ର ।

 

କୃପାମୟ କହିଲା, ଦିନେ ନା ଦିନେ ତମେ ଖବରକାଗଜରେ ପଢ଼ିବ... ହଁ, ମୁଁ ଠିକଣା ବଦଳାଇ ନେବି... ସେ ଦେଖିବ ପ୍ରତାରଣାର ପ୍ରତିଫଳ କି ନିଷ୍ଠୁର ! ଚେହେରା ଥିଲେ ସ୍ୱାମୀକୁ ଭୁଲାଇ ହୁଏ, ସଂସାରକୁ ଭୁଲେଇ ହୁଏ ନାଇଁ... !

 

ସୀତାନାଥ ଚିତ୍କାର କରି ଉଠିଲା, ଛି...ଛି...ବିନୋଦ ଯଦି ଏକଥା ଶୁଣେ, ସେ କ’ଣ ଭାବିବ ? ପ୍ରଣତି ଅଧଃପତନର ସେ ତଳ ପାହାଚକୁ ଓହ୍ଲାଇଗଲା ବୋଲି ତୁ ବି ଏତେ ତଳକୁ ଓହ୍ଲାଇ ଯିବାକୁ ପ୍ରସ୍ତୁତ !

 

ମଦନର ମନେହେଲା କୃପାମୟ ପାଇଁ ସ୍ଥାନୀୟର ମାତ୍ରା ବୋଧହୁଏ ଅତ୍ୟଧିକ ହୋଇଯାଇଛି ।

 

।। ନଅ ।।

 

ବିନୋଦର ମୁହଁକୁ କେବଳ ଚାହିଁ ରହିଥିଲେ ଜଷ୍ଟିସ୍ ମହାପାତ୍ର ।

 

ଜିଲ୍ଲା ବିଚାରାଳୟ ବିଚାରପତି ଭାବରେ ସେ ଅନେକ ଓକିଲଙ୍କ ଯୁକ୍ତିସମ୍ମତ ଉକ୍ତି ଶୁଣିଛନ୍ତି; କିନ୍ତୁ ଜୀବନବୀମାକୁ ବାଦ୍ ଦେଇ ଏ ଭଙ୍ଗୁର ଜୀବନଧାରଣ କରିବାର ଯେ କିଛି ମାନେ ହୁଏ ନାହିଁ, ସେ ସମ୍ପର୍କରେ ବିନୋଦ ଯେଉଁ ଯୁକ୍ତି ଉପସ୍ଥାପିତ କରୁଥିଲା, ତାହା ଶୁଣି ସେ ସ୍ତମ୍ଭିତ ହୋଇ ଯାଉଥିଲେ ।

 

ଚମତ୍କାର ଭାବରେ କଥା କହିପାରେ ବିନୋଦ । ସଂସାରରେ ସମସ୍ତେ କଥା କହନ୍ତି । କିନ୍ତୁ କଥା କହି ହୃଦୟ ଜୟ କରିବାର କଳା ସମସ୍ତଙ୍କୁ ଜଣା ନଥାଏ । ସେ ଦୃଷ୍ଟିରୁ ବିନୋଦର କଥନଭଙ୍ଗୀ ତାଙ୍କୁ ଭାରି ଭଲ ଲାଗୁଥିଲା ।

 

ଚାକିରିକାଳ ଭିତରେ ଅନେକ ଜୀବନବୀମା ଏଜେଣ୍ଟ ତାଙ୍କୁ ଜୀବନବୀମା କରିବାକୁ ଅତୀତରେ ଅନୁରୋଧ କରିଛନ୍ତି । ସେ କାହାରିକୁ ଏଥିପାଇଁ ପ୍ରଶ୍ରୟ ଦେଇ ନାହାନ୍ତି । ସେ ମରିଗଲେ ଜୀବନବୀମା ଟଙ୍କା ତାଙ୍କ ସନ୍ତାନସନ୍ତତିଙ୍କୁ ନିରାପତ୍ତା ଆଣିଦେବ–ଏକଥା ଭାବିବାମାତ୍ରେ ସେ ହସି ଉଠନ୍ତି । କାରଣ ତାଙ୍କ ସୁସ୍ଥସବଳ ଯୌବନପୃଷ୍ଟ ଦେହରେ ମୃତ୍ୟୁର ଭୟ ତାଙ୍କ ମନରେ ଭୀତି ବଦଳରେ ଲଘୁ ପରିହାସର ଭାବ ଉଦ୍ରେଗ କରେ । କିନ୍ତୁ ଆଜି ଉତ୍ତର-ଚାଳିଶି ବୟସରେ ଯୁକ୍ତି ଏଡ଼ାଇ ଯିବାପାଇଁ ତାଙ୍କର ସାହସ ହେଉନାହିଁ ।

 

ତା’ ଛଡ଼ା ଝିଅ ସାଗରିକା... !

 

ଝିଅ କଥା ମନେପଡ଼ିଯିବାମାତ୍ରେ ମି: ମହାପାତ୍ର ଅସ୍ଥିର ହୋଇ ଉଠୁଥିଲେ ।

 

ଦୁଇ ପୁଅ ବିବାହ କରିଯିବା ପରେ ସେମାନଙ୍କ ଦାୟିତ୍ୱରୁ ସେ ମୁକ୍ତ ହୋଇଛନ୍ତି । ବଡ଼ପୁଅ ସସ୍ତ୍ରୀକ ଜର୍ମାନୀରେ । ଦେଶ ଅପେକ୍ଷା ବିଦେଶର ଚାକିରି ତାକୁ ବେଶୀ ଆକର୍ଷଣ କଲା । ସାନ ପୁଅ ମଧ୍ୟ ନିଜ ସ୍ତ୍ରୀ ସହ ପାଟନାରେ । ଦୁଇଜଣଯାକ ଅଧ୍ୟାପକ–ଅଧ୍ୟାପିକା ।

 

କିନ୍ତୁ ଝିଅ... !

 

ନା–ସେ ତାକୁ ଶିକ୍ଷିତା କରାଇଛନ୍ତି, କିନ୍ତୁ ଚାକିରି କରିବାକୁ ଅନୁମତି ଦେଇ ନାହାନ୍ତି । ଦୁଇ ପୁଅଙ୍କ ଚାକିରି ତାଙ୍କଠାରୁ ତାଙ୍କ ପୁଅମାନଙ୍କୁ ବିଚ୍ଛିନ୍ନ କରାଇ ଦେଇଛି ବୋଲି ତାଙ୍କର ଧାରଣା-। ସେଥିପାଇଁ ବିବାହ ଆଗରୁ ସେ ତାକୁ ନିଜଠାରୁ ଦୂରକୁ ଠେଲି ଦେବାକୁ ଚାହିଁନାହାନ୍ତି-

 

ବିଶ୍ୱବିଦ୍ୟାଳୟର ସ୍ଵର୍ଣ୍ଣପଦକ ଧାରିଣୀ ତାଙ୍କର ଝିଅ । ସେ ଭାବିଥିଲେ, ବିଶ୍ୱବିଦ୍ୟାଳୟର ସ୍ଵର୍ଣ୍ଣପଦକହିଁ ସାଗରିକାର ଭବିଷ୍ୟତ ଜୀବନର ନିରାପତ୍ତା ହେବ । କିନ୍ତୁ ଦିନ ଯେତେ ଅତୀତ ହେଉଛି, ତାଙ୍କର ସେ ଧାରଣା ସେତେ ବଦଳିବାରେ ଲାଗିଛି । ଦିନକୁଦିନ ସେ କିପରି ଝିଅର ଭବିଷ୍ୟତ ସମ୍ପର୍କରେ ଅନିଶ୍ଚିତ ହୋଇ ପଡ଼ୁଛନ୍ତି ।

 

ସାଗରିକା ସୁନ୍ଦରୀ । ନିଜ ଝିଅ ବୋଲି ସେ ଅଯଥା ପ୍ରଂଶସା କରୁନାହାନ୍ତି, ଅନେକ ଶୁଭାକାଂକ୍ଷୀ ବନ୍ଧୁଙ୍କ ମୁହଁରୁ ସେ ନିଜ ଝିଅର ପ୍ରଶସ୍ତି ଶୁଣିଛନ୍ତି । ଅଥଚ ରୂପବତୀ, ଉଚ୍ଚଶିକ୍ଷିତା ଝିଅପାଇଁବି ତାଙ୍କର ଅସ୍ୱସ୍ତିର ଅନ୍ତ ନାହିଁ !

 

ବିନୋଦ ମୁହଁରୁ ଅନିଶ୍ଚିତ ଜୀବନ ଓ ଭବିଷ୍ୟତ ନିରାପତ୍ତା ସମ୍ପର୍କରେ ଶୁଣିବାମାତ୍ରେ ସାଗରିକା କଥା ତାଙ୍କ ମନକୁ ଆନ୍ଦୋଳିତ କରିଦେଲା । ନା–କାହାରି ଚିନ୍ତା, ନିଜର ଭବିଷ୍ୟତ କଥାପାଇଁ ତାଙ୍କର ଭାବନା ନାହିଁ । ସେ ଜାଣନ୍ତି, ତାଙ୍କ ଭବିଷ୍ୟତ ଜୀବନ ଯଦି କେବେହେଲେ ଆର୍ଥିକ ପରିସ୍ଥିତି ଯୋଗୁଁ ଶୋଚନୀୟ ହୁଏ, ଜୀବନବୀମାର ଟଙ୍କା କେତେହଜାର ସେ ଶୋଚନୀୟ ଅଭାବକୁ କେବେହେଲେ ସୁଧାରି ପାରିବ ନାହିଁ । କିନ୍ତୁ ସାଗରିକାର କଥା– !

 

ବିନୋଦ ଉତ୍ସୁକ ଦୃଷ୍ଟିରେ ଟଙ୍କା ଆଡ଼କୁ ଚାହିଁ ରହିଥିଲା ।

 

ନିଜ ସାନପୁଅର ସହପାଠୀ ବିନୋଦ । ସାନପୁଅ ସହିତ ଆଗରୁ ସେ ତାକୁ ଅନେକଥର ଦେଖିଥିଲେ । ସାନ ପୁଅ ଅଧ୍ୟାପକ ହୋଇ ପାଟନା ଚାଲିଯିବାର ଅନେକ ଦିନ ପରେ ପୁଣି ତା’ ସହିତ ଦେଖା । କିନ୍ତୁ ଏତେଦିନ ପରର ଦେଖାରେ ହଠାତ୍ ଜୀବନବୀମା କଥା କହିବାକୁ ସେ ସଙ୍କୋଚବୋଧ କରିନାହିଁ । ଆଉ ତାକୁ ମୁହେଁ ମୁହେଁ ନିଜର ଜୀବନବୀମା କରିବାର ଅନିଚ୍ଛା କଥା ଜଣାଇ ଦେବାକୁ ମି: ମହାପାତ୍ର ନିଜେହିଁ ସଙ୍କୋଚବୋଧ କରୁଛନ୍ତି ।

 

କିଏ ଜାଣେ ପିଲାଟା ନିଜେ ହୁଏତ ଆର୍ଥିକ ସଙ୍କଟରେ ପଡ଼ିଛି, ତାଙ୍କଠାରୁ ପଚିଶି ହଜାର ତାଙ୍କର ବୀମା କରାଇ ନେଇ ପାରିଲେ ମୋଟା ଅଙ୍କର କିଛି ଏଜେନ୍‍ସି କମିଶନ୍ ସେ ହୁଏତ ପାଇଯିବ ବୋଲି ଆଶା କରୁଛି । ସେ ତାକୁ କେମିତି ମନା କରିଦେବେ ଯେ... !

 

ବିନୋଦ ପ୍ରତି କିପରି ଏକ ମାୟା ଆସିଲା ମନରେ । ମି: ମହାପାତ୍ର ତାକୁ ସ୍ନେହ-ସଜଳ ଦୃଷ୍ଟିରେ ଚାହିଁଲେ । ଇଚ୍ଛା ହେଉଥିଲା, ସେ ଉଠିଯାଇ ତା’ର ପିଠି ଆଉଁଷି ଦିଅନ୍ତେ । କହନ୍ତେ, ବୀମା ନ କଲେବି ମୁଁ କିଛି ଟଙ୍କା ଦେଇପାରେ ବିନୋଦ ! ଅଭାବ ଅଛି ଯଦି ମୋଠାରୁ କିଛି ଗୋପନ କରନାହିଁ ।

 

କିନ୍ତୁ ହଠାତ୍ ସେ ସଚେତନ ହୋଇ ଉଠିଲେ । ନିଜ ସାନ ପୁଅର ସାଙ୍ଗ ହେଲେବି ସେ ଜଣେ ବ୍ୟକ୍ତିତ୍ୱସମ୍ପନ୍ନ ଭଦ୍ରବ୍ୟକ୍ତି । ନିଜର ଭଦ୍ରବୃତ୍ତ ଅର୍ଥରୁ ତାକୁ ଦାନ ଦେବାକୁ ସେ କିଏ ? ହୁଏତ ତା’ର ଆତ୍ମସମ୍ମାନରେ ଆଞ୍ଚ ଆସିପାରେ... !

 

ମି: ମହାପାତ୍ର ଦୀର୍ଘସମୟର ନୀରବତା ଭଙ୍ଗକରି କହିଲେ, ଆର୍ଥିକ ଦୃଷ୍ଟିରୁ ମୁଁ ଯେ କେବେ ନିଃସହାୟ ହେବି ନାହିଁ, ସେ କଥା ତମେ ଜାଣ । ସେଥିପାଇଁ ଜୀବନବୀମା କରିବାର କୌଣସି ଆବଶ୍ୟକତା ମୋର ନାହିଁ । କିନ୍ତୁ ତମେ ଯେତେବେଳେ କହୁଛ, ମୁଁ ପଚିଶି ହଜାର ଟଙ୍କାର ବୀମା କରିବାକୁ ପ୍ରସ୍ତୁତ, କିନ୍ତୁ ଗୋଟିଏ ସର୍ତ୍ତରେ... !

 

ବିନୋଦ ବିସ୍ମୟରେ ବିମୂଢ଼ ହୋଇଗଲା ।

 

କହିଲା, ଆବଶ୍ୟକତା ନଥିଲେ ଆପଣ ବୀମା କରନ୍ତୁ ନାହିଁ ମଉସା ! ମୁଁ କହୁଛି ବୋଲି ବୀମା କରିବା କିଛି ଦରକାର ନାହିଁ । ମୁଁ ବୀମା କଥା କହୁଥିଲି, କାରଣ ଏଥିରେ ଇନ୍‍କମ୍‍ ଟାକ୍‍ସ୍ ଲାଗେନାହିଁ ଅଥଚ ସଞ୍ଚୟ ଦୃଷ୍ଟିରୁ ଏହା ଏକ ନିର୍ଭରଯୋଗ୍ୟ ମାଧ୍ୟମ–ବହୁ ସଙ୍ଗତିସମ୍ପନ୍ନ ବ୍ୟକ୍ତି କେବଳ ଏଥିପାଇଁହିଁ ବୀମା କହନ୍ତି–

 

ମି. ମହାପାତ୍ର ଅଳ୍ପ ହସିଲେ ।

 

କହିଲେ, ନା–ନା–ସେଥିପାଇଁ ତମେ ବ୍ୟସ୍ତ ହୁଅ ନାହିଁ । ମୁଁ ତମକୁ ଗୋଟିଏ କଥା କହିବି କହିବି ବୋଲି ଅନେକ ଦିନୁ ଭାବୁଛି । ମୋ ସାନପୁଅ ଚିନ୍ମୟର ତମେ ସାଙ୍ଗ । ଜୀବନବୀମା ସଂକ୍ରାନ୍ତରେ ତମେ ବହୁ ଅଭିଜାତ, ସଙ୍ଗତିସମ୍ପନ୍ନ ପରିବାରର ନିକଟ ସମ୍ପର୍କରେ ଆସୁଥିବ । ତମେ ସାଗରିକା ପାଇଁ ଗୋଟିଏ ସୁପାତ୍ର ଠିକ୍ କରିଦେଇ ପାରିବ ? ମୋ ଭବିଷ୍ୟତର ଦୁଶ୍ଚିନ୍ତା ସେ ନିଜେ...ତା’ର ବିବାହ ଦେଇ ପାରିଲେ ମୁଁ ନିଶ୍ଚିତ ହେବି । ଉପଯୁକ୍ତ ସ୍ୱାମୀହିଁ ନାରୀର ନିର୍ଭରଯୋଗ୍ୟ ଜୀବନବୀମା । ଟଙ୍କା କେତେ ହଜାର ସଞ୍ଚୟ ତା’ର ବିକଳ୍ପ ହୋଇ ନ ପାରେ...

 

ଏକ ବଡ଼ ଧକ୍କା ଖାଇଲା ଭଳି ଚମକି ଉଠିଲା ବିନୋଦ ।

 

ଉପଯୁକ୍ତ ସ୍ୱାମୀହିଁ ନାରୀର ନିର୍ଭରଯୋଗ୍ୟ ଜୀବନ-ବୀମା, ଟଙ୍କା କେତେ ହଜାରର ସଞ୍ଚୟ ତା’ର ବିକଳ୍ପ ହୋଇ ନ ପାରେ !

 

ପ୍ରଣତି ମନର ଏ ଗୋପନ ଚିନ୍ତା ମି. ମହାପାତ୍ରଙ୍କ ମନରେ ସଞ୍ଚାରିତ ହେଲା କିପରି ? ସମସ୍ତେ କ’ଣ ବିବାହକୁ ଆଜିକାଲି ଏହି ଦୃଷ୍ଟିରୁ ବିଚାର କରୁଛନ୍ତି !

 

ବିନୋଦର ହଠାତ୍ ନୀରବତାରେ ବିଚଳିତ ହୋଇ ମି. ମହାପାତ୍ର କହିଲେ, ସାଗରିକାକୁ ତମେ ଦେଖିଛ... ଫିଲସଫିରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟରୁ ଖୁବ୍ ଗୋଟାଏ ଉଜ୍ଜ୍ୱଳ ସ୍ୱର୍ଣ୍ଣପଦକ ସେ ଆଣିଥିଲା...ଟଙ୍କା ଖର୍ଚ୍ଚ କରିବାରେ ମୁଁ କେବେହେଲେ କାର୍ପଣ୍ୟ କରିବି ନାହିଁ...ମୁଁ କେବଳ ସୁସ୍ଥ, ସବଳ, ସୁନ୍ଦର ସତ୍‍ପାତ୍ର ଚାହେଁ...ଆଇ.ଏ.ଏସ୍. ଆଇ.ପି.ଏସ୍. ନହେଲେ ବ୍ୟାଙ୍କ୍ କିମ୍ବା ତମ ଇନ୍‍ସୁରାନ୍‍ସ କର୍ପୋରେସନର କୌଣସି ଫୋର୍‍ଫିଗର ବେତନଭୋଗୀ ଅଫିସର ହେଲେ ମଧ୍ୟ ଚଳିବ...

 

ମି. ମହାପାତ୍ର କ୍ଵଚିତ୍ କଥା କୁହନ୍ତି । ଆଜି ଏତେଗୁଡ଼ାଏ କଥା ଏକା ନିଃଶ୍ୱାସକେ କହିପକାଇ ସେ ଦମ୍ ନେଲେ । ତାଙ୍କ କଥା କହିବାର ଢଙ୍ଗରୁ ବିନୋଦ ବୁଝିଲା, ସାଗରିକା ପାଇଁ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି ମି. ମହାପାତ୍ର । ତା’ ନହେଲେ ତା’ ଭଳି ଏକ ଇନ୍‍ସୁରାନ୍‍ସ ଏଜେଣ୍ଟ ଆଗରେ ସେ ଏପରି ଭାବରେ ନିଜ ମତକୁ ପ୍ରକାଶ କରି ନଥାନ୍ତେ ।

 

ସେ କହିଲା, ଆପଣ କ’ଣ କେଉଁଠି ପ୍ରସ୍ତାବ ପକାଇ ନାହାନ୍ତି ?

 

ପ୍ରସ୍ତାବ ? ନା–ତମେ ଜାଣ ମୁଁ ଏପରି ଏକ ଚାକିରି କରୁଛି, ଯେଉଁଥିରେ ବାହାର ଜଗତ ସହିତ ମୋର ସମ୍ପର୍କ ଅତି ଅଳ୍ପ । ବିଚାରପତି ହେବାପରେ ମୁଁ ସ୍ଵେଚ୍ଛାରେ ସାମାଜିକ ଜୀବନରୁ ନିର୍ବାସିତ ହୋଇ ଯାଇଛି । ଆଉ ମୃଣ୍ମୟ ତ ଯାଇ ଜର୍ମାନୀରେ, ଚିନ୍ମୟ ପାଟନାରେ । ସାଗରିକା ପାଇଁ ପାତ୍ରର ସନ୍ଧାନ କରିବ କିଏ ? ସାଗରିକାକୁ ତ ତମେ ଜାଣ...ମୋ ଭଳି ସେ ବି ସାମାଜିକ ଜୀବନରୁ ବିଚ୍ଛିନ୍ନ । ତମେ ଗୋଟାଏ ଉପକାର କର...ମୋର ମତାମତ ତ ଜାଣିଲ...ଯେତେ ଶୀଘ୍ର ସମ୍ଭବ ମୁଁ ଦାୟିତ୍ୱରୁ ମୁକ୍ତହେବାକୁ ଚାହେଁ...

 

ଉପକାର !

 

ଜୀବନରେ ସେ କାହାରି କିଛି ହେଲେ ଉପକାର କେବେ କରି ନାହିଁ । ବରଂ ଅନେକ ଲୋକ କୁହନ୍ତି, ସେ ପ୍ରଣତିର ଅନେକ ଅପକାରହିଁ କରିଛି । ମି. ମହାପାତ୍ରଙ୍କ ଉପକାର କଲା ଭଳି ସାମର୍ଥ୍ୟ ତା’ର ଅଛି କି ନାହିଁ, ସେ କଥା ସେ ନିଜେ ମନେମନେ ବିଶ୍ଳେଷଣ କରିବାକୁ ଲାଗିଲା । ମି. ମହାପାତ୍ର ଯେଉଁଭଳି ପାତ୍ର ଖୋଜୁଛନ୍ତି, ସେଭଳି କେତେଜଣ ଅବିବାହିକ ତରୁଣଙ୍କ ସହ ତା’ର ଘନିଷ୍ଠତା ନିଶ୍ଚୟ ଅଛି । ସାଗରିକା ସହ ବିବାହ ସମ୍ପର୍କରେ ସେମାନଙ୍କୁ ସେ କେତେ ଦୂର ପ୍ରଭାବିତ କରି ପାରିବ, ସେ ବିଷୟରେ ତା’ର ନିଜର ଘୋର ସଂଶୟ ।

 

ଲୋକେ କହନ୍ତି, ବିବାହର ଘଟକ କାର୍ଯ୍ୟ ଭଳି ଖରାପ କାର୍ଯ୍ୟ ଆଉ କିଛି ନାହିଁ । କିନ୍ତୁ ମି. ମହାପାତ୍ରଙ୍କୁ ଏଥିପାଇଁ ସିଧାସଳଖ ମନା କରିଦେବା ପାଇଁ ସତ୍‍ସାହସ ଦରକାର । ନିଜଠାରେ ତା’ର ସେ ଅଭାବ ଅନୁଭବ କଲା ।

 

ଜୀବନରେ ଜାଣିଶୁଣି ସେ କେବେହେଲେ କିଛି ପୂର୍ଣ୍ଣ ସଞ୍ଚୟ କରିନାହିଁ । ଯଦି ସେ ସାଗରିକା ପାଇଁ ଏକ ସତ୍‍ପାତ୍ର ସ୍ଥିର କରିଦେଇପାରେ, ତାହାହେଲେ କିଛି ପରିମାଣରେ ହେଲେ ପୁଣ୍ୟ ସେ ସଞ୍ଚୟ କରିପାରନ୍ତା !

 

ବହୁ ଭାବିଚିନ୍ତି ସେ ଉତ୍ତର ଦେଲା, ମୁଁ ଆପଣଙ୍କ ଅନୁସାରେ ଜଣେ ଦୁଇଜଣ ପାତ୍ରର ସନ୍ଧାନ ନେବି । କିନ୍ତୁ ଆପଣ ରାଜି ହେଲାପରେ ସେ ବିଷୟରେ ଯାହା କରାଯିବାର କଥା କରିବି...

 

ମି. ମହାପାତ୍ର ଉଲ୍ଲସିତ ହେବା ଭଳି ମୁଖଭଙ୍ଗୀ କରି କହିଲେ, ଆରେ ମୋର ରାଜି ହେବା ନ ହେବା କଥା ଉଠୁଛି କାହିଁକି ? ଆମେ ତ ସେ ଯୁଗର ଲୋକ । ତମେ ବରଂ ସାଗରିକା ସହ କଥାବାର୍ତ୍ତା କର । ମାଆ ସାଗରିକା...ସାଗରିକା... !

 

ବ୍ୟତିବ୍ୟସ୍ତ ହୋଇ କକ୍ଷରେ ପ୍ରବେଶ କଲା ସାଗରିକା । କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ କରି ଛାଡ଼ି ଆସିଥିବା ଭଳି ବିବ୍ରତ ଭାବରେ ମୁହଁ ତା’ର ବିଷଣ୍ଣ ଦେଖାଯାଉଥିଲା । ଅନେକ...ଅନେକ...ଦିନ ପରେ ସାଗରିକାକୁ ଦେଖିଲା ବିନୋଦ । ବୟସର ଛାପରେ ମୁହଁରେ ତା’ର ଘନୀଭୂତ ଗାମ୍ଭୀର୍ଯ୍ୟ । ବିନୋଦ ମନେପକାଇବାକୁ ଚେଷ୍ଟାକଲା, ନା–ସାଗରିକାକୁ ସେ ଅତୀତରେ ଯେତେ ଥର ଦେଖିଛି, ସବୁଦିନେ ସେ ଏମିତି ଗମ୍ଭୀର । କେବେହେଲେ ସେ ପ୍ରଗଳ୍‍ଭ ନଥିଲା । ବରଂ ସେଦିନ ସେ ବୟସରେ ଗାମ୍ଭୀର୍ଯ୍ୟ ଯଦି ତା’ ମୁହଁରେ ଅଶୋଭନ ମନେ ହେଉଥିଲା, ଏ ବୟସରେ ଗାମ୍ଭୀର୍ଯ୍ୟ ତା’ର ବ୍ୟକ୍ତିତ୍ୱକୁ ଆହୁରି ଭାବବ୍ୟଞ୍ଜକ କରିଦେଇଛି ।

 

ବିନୋଦବାବୁଙ୍କୁ ତୁ ଚିହ୍ନିଛୁ ମାଆ ! ଚିନ୍ମୟର ଅନ୍ତରଙ୍ଗ ସାଙ୍ଗ । ତାଙ୍କ ଉପରେ ମୁଁ ଗୋଟିଏ ଗୁରୁଦାୟିତ୍ୱ ଦେଇଛି । ତୋ ପଢ଼ାଘରକୁ ଦୁହେଁ ଯାଅ–ସେ ବିଷୟରେ ଆଲୋଚନା କରିବ । –ନିଜ ଦାୟିତ୍ୱ ତୁଟାଇ ଦେଇପାରିଥିବାର ପରିତୃପ୍ତରେ ମି. ମହାପାତ୍ରଙ୍କ ମୁହଁ ପ୍ରଫୁଲ୍ଲ ଦେଖାଯାଉଥିଲା ।

 

ପଢ଼ାଘରେ ପ୍ରଥମେହିଁ କଥା କହିଲା ସାଗରିକା ।

 

ବାପା ଯେଉଁ ଦାୟିତ୍ୱ ଆପଣଙ୍କୁ ଦେଇଛନ୍ତି, ନ ଶୁଣିଥିଲେବି ମୁଁ ଅନୁମାନ କରିପାରୁଛି । ମୋ ବାପା ଆଜିକାଲି ବହୁ ସମୟରେ ଚିନ୍ତିତ । ଆପଣ କିଛି ମନରେ ଭାବିବେ ନାହିଁ । ଆପଣଙ୍କ କଥା ଆପଣ ବାପାଙ୍କୁହିଁ କହିବେ । ମୋର କୌଣସି କଥାରେ ଆପତ୍ତି ନାହିଁ । –ଧୀର ଅଥଚ ଶାନ୍ତ ଭାବରେ ସାଗରିକା ତା’ର ବକ୍ତବ୍ୟ ଉପସ୍ଥାପିତ କଲା । କଥା କହିବା ମଧ୍ୟରେ ସେ ଥରେ ହେଲେ ମୁହଁ ଟେକି ବିନୋଦ ଆଡ଼କୁ ଚାହିଁ ନାହିଁ । ବିନୋଦର ମନେହେଉଥିଲା, । ଏହି ବୁଦ୍ଧିମତୀ ଝିଅ ନିଜ ବିବାହ ସମ୍ପର୍କରେ ଯେପରି ନିର୍ଲପ୍ତ, ଅନାସକ୍ତ ହୋଇ ଉଠିଛି !

 

ସେ ସଂକ୍ଷେପରେ କହିଲା, ବିବାହ ଏକ ବ୍ୟକ୍ତିଗତ କଥା । ମୁଁ କେବଳ କେତେକ ସୂତ୍ରର ସନ୍ଧାନ ନେଇପାରେ, ଆଉ କ’ଣ କରି ପାରିବି ?

 

ସାଗରିକା ଏଥର ମୁଣ୍ଡ ଟେକି ଚାହିଁଲା ।

 

କହିଲା, ଆପଣ ଅନ୍ୟ କଥା କୁହନ୍ତୁ, ମତେ ନିଜ ବିବାହ ସମ୍ପର୍କରେ ଆଉ ଅଧିକ କିଛି କହି କିମ୍ବା ପ୍ରଶ୍ନ କରି ଲଜ୍ଜା ଦିଅନ୍ତୁ ନାହିଁ ।

 

ଲଜ୍ଜା !

 

ବିନୋଦ ପୁଣି ଥରେ ଚମକି ଉଠିଲା ।

 

ବୟସ ଯେତେ ହେଲେବି ବିବାହ କଥା ଉଠିଲେ ସବୁ ଝିଅ ଲଜ୍ଜାରେ, ଉତ୍ତେଜନାରେ ଅସ୍ଥିର ହୋଇ ଉଠନ୍ତି ।

 

ସାଗରିକା ପକ୍ଷରେ ତାହା ଅସ୍ଵାଭାଭିକ ନୁହେଁ ।

 

ମନେମନେ ଭାରି ଖୁସିହେଲା ବିନୋଦ । ଭାରି ଭଲ ଝିଅଟିଏ ସାଗରିକା । ଅହଂକାର ନାହିଁ, ଔଦ୍ଧତ୍ୟ ନାହିଁ । ଅଥଚ ଜଷ୍ଟିସ୍ ମହାପାତ୍ରଙ୍କ ରୂପବତୀ କନ୍ୟା ଭାବରେ ସେ ସବୁ ପ୍ରଚୁର ଭାବରେ ଥିଲେବି ଆଶ୍ଚର୍ଯ୍ୟ ହୋଇ ନଥାନ୍ତା ବିନୋଦ !

 

।। ଦଶ ।।

 

ରମେଶ ଚାହିଁଥିଲା ଅବିଶ୍ୱାସ କଲା ଭଳି ଚକିତ ଦୃଷ୍ଟିରେ । ''ଜଷ୍ଟିସ୍ ମହାପାତ୍ର ସତରେ ମତେ ଝିଅ ଦେବାକୁ ଆଗ୍ରହୀ ହେବେ ?''–ତା’ର ସେ ପ୍ରଶ୍ନର ଅନ୍ତରାଳରେ ଗୋପନ ରହିଥିଲା ଅଧୀର ଆଗ୍ରହ, ଅଯଥା ସନ୍ଦେହ । ଆଉ ଜଷ୍ଟିସ୍ ମହାପାତ୍ର ନିଜ ମନ ଭିତରର ଗଭୀର ଆନନ୍ଦକୁ ସଂଯତ କରୁ କରୁ ଅସଂଯତ ହୋଇପଡ଼ି କହିଥିଲେ, ''ମୁ ଠିକ୍ ଯେମିତି ଗୋଟିଏ ପାତ୍ର ଖୋଜୁଥିଲି, ରମେଶ ଠିକ୍ ସେମିତିକିଆ ଗୋଟିଏ ପିଲା । ଈଶ୍ୱରଙ୍କ ଦୟା ଥିଲେ ବାହାଘରଟା ହୋଇଯିବ । ''ବିନୋଦ ସ୍ୱସ୍ତିର ନିଃଶ୍ୱାସ ତ୍ୟାଗ କରି ଚାହିଁଥିଲା ସାଗରିକା ମୁହଁକୁ । ମୁହଁରେ ତା’ର ଲଜ୍ଜାର ବକ୍ତାଭା ଝଲସୁଥିଲା, ''ମୋ ମତ ? ବାପା ଯେତେବେଳେ ରାଜି ହୋଇଛନ୍ତି, ଆଉ ଆପଣଙ୍କର ସେ ବନ୍ଧୁ–ମୋର ଖୁସି ହେବାର କଥା । ହଁ, ମୁଁ ବି ଖୁସି ! ''ସାଗରିକା କଥା ଶୁଣି ନିଜେ ଖୁସି ହୋଇଥିଲା ବିନୋଦ । ଯାହାହେଉ, ତା’ ଭଳି ଅପାରଗ ହାତରେ ବିବାହ ଭଳି ଜୀବନ-ସଉଦା କାମ ହୋଇଯାଇ ପାରିଲା, ସେଥିରେ ତା’ ନିଜ ଭିତରେ ଏକ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି ହୋଇଥିଲା । ରମେଶ ଆଇ.ଏ.ଏସ୍. ନୁହେଁ; ଆଇ.ପି.ଏସ୍ ମଧ୍ୟ ନୁହେଁ । ବ୍ୟାଙ୍କ୍ ଲାଇଫ୍ ଇନ୍‍ସୁରାନ୍‍ସର ଚାରି ଅଙ୍କର ବେତନଭୋଗୀ କର୍ମଚାରୀ ନୁହେଁ, ଜଣେ ଇଞ୍ଜିନିୟର୍ । ଦେଖିବାକୁ ସୁଶ୍ରୀ, ସ୍ୱାସ୍ଥ୍ୟବାନ୍ । ଅଭିଜାତ ପରିବାରର ସନ୍ତାନ । ବାପା ବିଜିନେସ୍‍ମାନ । ସହରରେ ଗୋଟିଏ ସିନେମା ହାଉସ୍ ଅଛି । ଘନିଷ୍ଠତା ନଥିଲେବି ରମେଶ ସହ ତା’ର ପରିଚୟ ଦୀର୍ଘଦିନର । ସେ ବ୍ୟକ୍ତିଗତ ଭାବରେ ତାକୁ ଯେତିକି ଜାଣେ, ସେ ନିଶ୍ଚିତ, ବିବାହ କଲେ ସାଗରିକ ଅସୁଖୀ ହେବ ନାହିଁ । ବିବାହଟା ଏକପ୍ରକାର ସ୍ଥିର ହୋଇଗଲା ପରେ ସାଗରିକ ସହ ରମେଶର ପରିଚୟ କରାଇଦେଇ ବିନୋଦ ଜଷ୍ଟିସ୍ ମହାପାତ୍ରଙ୍କ ଘର ସହିତ ଯିବାଆସିବା ସମ୍ପର୍କ ଏକବାରେ କମାଇଦେଲା । କାରଣ ତା’ପରେ ବେଶୀ ଯିବା ଆସିବା କଲେ ଜଷ୍ଟିସ୍ ମହାପାତ୍ରଙ୍କ ଧାରଣା ହୋଇପାରେ ଯେ ଘଟକ କାର୍ଯ୍ୟର ପୁରସ୍କାରସ୍ୱରୂପ ସେ ପଚିଶି ହଜାର ଟଙ୍କାର ଏକ ଇନ୍‍ସୁରାନ୍‍ସ କରାଇ ନେବାପାଇଁ ବିବାହ ସ୍ଥିର ହୋଇଗଲା ପରେବି ତାଙ୍କ ଘରକୁ ଯିବାଆସିବା କରୁଛି ! କିନ୍ତୁ ବିନୋଦ ନ ଗଲେବି ମିଷ୍ଟର୍‍ ମହାପାତ୍ର କେତେବେଳେ ଆସି ତା’ ବସାରେ ଉପସ୍ଥିତ ହେବାକୁ ଲାଗିଲେ । ଥରେ ଦୁଇଥର ଇନ୍‍ସୁରାନ୍‍ସ କଥା ମଧ୍ୟ ଉଠାଇଥିଲେ । ବଡ଼ ସଂକୁଚିତଭାବରେ ତା’ର ସେ ଅନୁରୋଧକୁ ଗୁରୁତ୍ୱ ଦେଇ ନ ଭାବିବାପାଇଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲା ବିନୋଦ । ମିଷ୍ଟର୍‍ ମହାପାତ୍ର ଜିଦ୍ କଲାପରେ ଅଗତ୍ୟା ତାକୁ ମୁହଁଖୋଲି କହିବାକୁ ଦେଲା, ''ଆପଣ ଯଦି ସତରେ ଇନ୍‍ସୁରାନ୍‍ସ ମୋ ପାଖରେ କରିବାପାଇଁ ଜିଦ୍ କରିବେ, ତାହାହେଲେ ମୁଁ ଭାବିବି ଯେ ଆପଣ କେବଳ ମତେ ଜଣେ ଇନ୍‍ସୁରାନ୍‍ସ ଏଜେଣ୍ଟ ବୋଲି ଭାବୁଛନ୍ତି, ନିଜର ଆତ୍ମୀୟ ବୋଲି ମନେ କରିପାରୁ ନାହାନ୍ତି ! ସେଥିପାଇଁ ମୋର ସାମାନ୍ୟ କାର୍ଯ୍ୟକୁ ଏକ ଋଣ ବୋଲି ମନେକରି ଋଣ ଶୁଝିବାପାଇଁ ବ୍ୟଗ୍ର ହୋଇ ପଡ଼ୁଛନ୍ତି... । ''ତା’ର କଥା ଶୁଣି ଚୁପ୍ ହୋଇ ଯାଇଥିଲେ ଜଷ୍ଟିସ୍ ମହାପାତ୍ର, ଜଳନ୍ତ ନିଆଁରେ ପାଣି ପଡ଼ିଲା ଭଳି, ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ପୁଣି କାନ ସ୍ତବ୍ଧ ହୋଇଗଲା ଭଳି । ତା’ପରେ ବିନୋଦ ଲକ୍ଷ୍ୟ କରିଥିଲା, ଆହତ ଅଭିମାନ, ଅପ୍ରକାଶ୍ୟ ଯନ୍ତ୍ରଣା ଓ ଅସହାୟ କୃତଜ୍ଞତାବୋଧରେ ଟଙ୍କାର ଦୁଇ ଆଖିପତା ଭାରି ଭାରି ହୋଇ ଉଠିଛି । ସେ ନିଜେ ତାଙ୍କୁ ସେପରି ଆଘାତ କଲା ଭଳି କଥା କହୁଛି ବୋଲି କ୍ଷମାଭିକା କଲା । ତା’ କଥାକୁ ଭୁଲ ନ ବୁଝିବାକୁ ଅନୁରୋଧ କରିଥିଲା । ତା’ପରେ ସେ ଶୁଣିଥିଲା, ମିଷ୍ଟର୍‍ ମହାପାତ୍ର କହୁଛନ୍ତି, ''ଆମେ ଏପରି ଏକ ସମୟରେ ବାସ କରୁଛୁ, ଯେତେବେଳେ କେହି କାହାର ଗୋଟିଏ ଗ୍ରାମ ଓଜନର ଉପକାର କଲେ ଏକ କିଲୋ ଓଜନର ପ୍ରତିଦାନ କାମନା କରୁଛି-! ଆଉ ଆପଣାର ଆତ୍ମୀୟ ଲୋକ ତ ସବୁବେଳେ ପର ହୋଇ ରହିଯାଉଛନ୍ତି ! ତମର ଶ୍ରମ, ତମର ଆନ୍ତରିକତାର ଋଣ ମୁଁ କିପରି ଅବା ଶୁଝିପାରିବି ? ''ମିଷ୍ଟର୍‍ ମହାପାତ୍ର ଚାଲିଗଲା ପରେ ଫୋନ୍ କରିଥିଲା ସାଗରିକା । ରମେଶ ତାକୁ ଚା’ ଭୋଜିକୁ ନିମନ୍ତ୍ରଣ କରିଛି ବୋଲି ସମ୍ବାଦ ଦେଇଥିଲା । ଅନୁରୋଧ କରିଥିଲା, ''ମୋ ସାଙ୍ଗରେ ମାଆ ଯିବେ–ଆପଣ ଗଲେ ଭାରି ଭଲ ହୁଅନ୍ତା ।’’ ପ୍ରଥମେ କଥା କହିଲାବେଳେ ଖୁସିର ଆବେଗରେ ସାଗରିକାର କଣ୍ଠ ଥରଥର ଉଠୁଥିଲା-। କିନ୍ତୁ ଶେଷ ଆଡ଼କୁ ମନେହେଲା ସେ ଯେପରି ଅପ୍ରତିଭ ହୋଇ ପଡ଼ିଛି । ହୁଏତ ଏକାକିନୀ ମାଆଙ୍କ ସାଙ୍ଗରେ ଯିବାକୁ ସେ କୁଣ୍ଠିତା ହେଉଛି । ଫୋନ୍‍ରେ କଥା କହିବା ଆଗରୁ ବିନୋଦ ବଡ଼ କ୍ଳାନ୍ତ ଭାବରେ ହସିଥିଲା । ଉତ୍ତର ଦେଇଥିଲା, ‘‘ମୋର ଖୁବ୍ ଗୋଟାଏ ଜରୁରୀ କାମ ଅଛି, ଯାଇ ପାରିବିନି । ତମେବି ମାଆଙ୍କୁ ନ ନେଇ ଏକାକିନୀ ଗଲେ ଭଲ ହେବ । ତମ ଦୁହିଁଙ୍କ ଘର-ସଂସାରର ଅନ୍ଦରମହଲର ଅନ୍ୟ କେହି ପ୍ରବେଶ କରିବା ମୁଁ ଚାହେଁନାହିଁ ।’’ ତା’ପରେ ଆଉ ସାଗରିକାର କଣ୍ଠସ୍ୱର ଶୁଣାଯାଇ ନଥିଲା । ସମ୍ଭବତଃ ସେ ରାଗରେ ରିସିଭର୍ ଥୋଇ ଦେଇଥିଲା-। ଏଇ କେଇ ଦିନ ହେଲା ସାଗରିକାକୁ ସେ ଖୁବ୍ ନିକଟରେ ଦେଖିବାକୁ ସୁଯୋଗ ପାଇଛି । ସେହି ସଦା–ଗମ୍ଭୀର ଝିଅଟିର ମନ ଯେ ସରଳତାର ଥାକଥାକ ମହମରେ ତିଆରି ହୋଇଅଛି, ସେକଥା ବୁଝିବାକୁ ତାକୁ ବିଳମ୍ବ ଲାଗିନାହିଁ । ଜୀବନ ଯନ୍ତ୍ରଣାର ଜଟିଳତାରେ ସେ ମହମ ତରଳି ନାହିଁ-। କିନ୍ତୁ ବିନୋଦର ମନେହେଉଥିଲା, ଏଥର ସେ ସରଳତାର ମହମ ତରଳିବାକୁ ଆରମ୍ଭ କରିବ, ଅନ୍ୟ ଏକ ଜୀବନର ଉତ୍ତାପରେ । ଏ ଚା'ଭୋଜି ତା’ର ପ୍ରଥମ ପର୍ବ । ସେ ପକାଇଥିବା ବିବାହ ପ୍ରସ୍ତାବ ଏଥର ନୀଡ଼ ରଚନାର ଆଶା-ଆଶଙ୍କାରେ ଆନ୍ଦୋଳିତ ହେବାକୁ ଆରମ୍ଭ କରିବ !

 

ସାଗରିକାର ବିବାହ କଥା କୃପାମୟଙ୍କୁ କହିଥିଲା ବିନୋଦ । ସେ ବିବାହ ଆୟୋଜନରେ ତା’ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାଣି ଆକଣ୍ଠ ମନ ଭରି ହସିଥିଲା କୃପାମୟ । ଆକ୍ଷେପ କରିଥିଲା, ଯାହାର ନିଜ ଜୀବନର ସୁନା ଫସଲକ୍ଷେତ ଉଜୁଡ଼ି ଯାଇଛି; ସେ ଅନ୍ୟ ଜୀବନର ପଡ଼ିଆଭୂମିକୁ ଶସ୍ୟରେ ସୁନେଲି କରିବା ବଡ଼ ଆନନ୍ଦର କଥା । ମିଷ୍ଟର୍‍ ମହାପାତ୍ରଙ୍କୁ କହି ଆମ ନାମରେ କେତେଟା ନିମନ୍ତ୍ରଣ ତୁ ନିଶ୍ଚୟ ପଠାଇବା ଉଚିତ । ତାହାହେଲେ ଆମେ ପେଟ ଭରି ଭୋଜି ଖାଇବୁ ଆଉ ମନଭରି ହସିବୁ ! ପେଟ ଭରି ଖାଇବୁ, ସାଗରିକାର ବିବାହ ରମେଶ ଇଞ୍ଜିନିୟର୍ ସାଙ୍ଗରେ ହୋଇପାରିଲା ବୋଲି ଆଉ ମନଭରି ହସିବୁ, କାରଣ ତୋ ଭଳି ପରିତ୍ୟକ୍ତ ପ୍ରେମିକ ସେ ବିବାହର ଘଟକ ଯେତେବେଳେ ! କୃପାମୟର ଆକ୍ଷେପ ଛୁଞ୍ଚି ଭଳି ଦେହରେ ଫୋଡ଼ି ହୋଇଗଲାବେଳେ ନିଜ ଦେହର ଚର୍ମକୁ ବଧିର କରିଦେଲା ବିନୋଦ । କିନ୍ତୁ ସେ ଯେତେବେଳେ କହିଲା, ରମେଶ ଇଞ୍ଜିନିୟର୍ ଯେଉଁ ତିଥିରେ ବାହା ହେବ, ତୋ ବାହାଘର ମଧ୍ୟ ଆମେ ସେଇ ତିଥିରେ କରିବୁ ଏବଂ ତୋପାଇଁ କନ୍ୟା-ସନ୍ଧାନ କରିବା ଲାଗି ସମ୍ବାଦପତ୍ରରେ କାଲି ବିଜ୍ଞାପନ ଛପାଯିବ,–ସେତେବେଳେ ରୀତିମତ ଆତଙ୍କରେ ଶିହରି ଉଠିଥିଲା ବିନୋଦ । ସେ ଯେତେବେଳେ ପ୍ରତିବାଦ କରିବାକୁ ଚେଷ୍ଟା କଲା, ଆଖି ଡୋଳା ବଡ଼ବଡ଼ କରି ଧମକ ଦେଲା କୃପାମୟ, ‘‘ସେ ବିଜ୍ଞାପନରେ ସବୁ କଥା ଖୋଲି ଲେଖାଯିବ । ପ୍ରଣତି ନାମ୍ନୀ ପ୍ରେମିକାଦ୍ୱାରା ପ୍ରତାରିତ ପ୍ରେମିକ ବିନୋଦଚନ୍ଦ୍ରଙ୍କ ପାଇଁ ଆବଶ୍ୟକ–ଏହାହିଁ ହେବ ବିଜ୍ଞାପନର ଶିରୋନାମା । ଜଣେ ପରିତ୍ୟକ୍ତ ପ୍ରେମିକକୁ ବିବାହ କରିବାକୁ ଯେଉଁ ଝିଅର ସତ୍‍ସାହସ ଥିବ, ସେହିଭଳି ଝିଅ କେବଳ ଆବେଦନ କରିବା ଉଚିତ ବୋଲି ସେଥିରେ ଉଲ୍ଲେଖ କରାଯିବ । ତୁ ଯଦି ବେକୁବ୍ ବାଧା ଦବୁ, ଦେଖିବୁ ।’’ କଥା ଶେଷକରି ବଦ୍ଧମୁଷ୍ଟି ଉତ୍ତୋଳନ କରୁଥିଲା କୃପାମୟ । ବିନୋଦ ଜାଣେ କୃପାମୟଦ୍ୱାରା ଅସମ୍ଭବ–ଏପରି କଥା କିଛି ନାହିଁ, ସବୁ ବନ୍ଧୁମାନଙ୍କ ମଧ୍ୟରେ ଏହି ବିପୁଳକାୟ କୃପାମୟକୁହିଁ ତା’ର ବେଶି ଭୟ, କାରଣ ଶାରୀରିକ ଗଠନ ଭଳି ମାନସିକ ଗଠନ ମଧ୍ୟ ତା’ର ଅତି ସ୍ଥୂଳ । ସେ କହିଲା, ‘‘ବିବାହକୁ ତୋ ଭଳି ସ୍ଥୂଳଦୃଷ୍ଟିରେ ବିଚାର କରିଥିଲେ, ମୋ ପଛରେବି ଏତେବେଳକୁ ଦୁଇ ତିନୋଟି ପିଲା ବାପା ବାପା ଡାକି ଗୋଡ଼ାଇ ଥାଆନ୍ତେ । ତମମାନଙ୍କ ସହ ମୋର ସବୁ କଥାରେ ମେଳ ଥିଲେବି ଏଇ ଗୋଟିଏ କଥାରେ ଅମେଳ । ଏ ଅମେଳର ମେଳ କେବେହେଲେ ହୋଇପାରିବ ନାହିଁ । ସେ ଭଳି ଉଦ୍ୟମ କଲେ ତମେ ସମସ୍ତେ ଅପଦସ୍ତ ହେବ ।’’ ତା’ର କଥା ଶୁଣି ଚୁପ୍ ହୋଇ ଯାଇଥିଲା କୃପାମୟ । ବିଦାୟ ନେଇ ଚାଲିଯାଇଥିଲା । କିନ୍ତୁ କୃପାମୟକୁ ଚୁପ୍ କରି ଦେଇ ପାରିଥିଲେବି ନିଜ ମନକୁ ନୀରବ କରିପାରି ଦେଇ ନଥିଲା ବିନୋଦ । ସେ ଅନୁଭବ କରିଥିଲା, ତା’ ମନ ଭିତରେ ଅନେକଗୁଡ଼ାଏ ଅନୁଚ୍ଚାରିତ ଶବ୍ଦ ହଠାତ୍ ଆପେଆପେ ଉଚ୍ଚାରିତ ହେଉଛନ୍ତି । ହୃଦୟର ଗଳିକନ୍ଦିରେ କିଲ୍ କିଲ୍ ହୋଇ ବର୍ତ୍ତମାନ ଦୌଡ଼ାଦୌଡ଼ି କରୁଥିବା ସେହି ଶବ୍ଦସବୁ ବହୁଦିନ ଧରି ଚାପା ପଡ଼ି ଯାଇଥିବା ଫଳରେ ନିଜର ତୀକ୍ଷ୍ଣତା ହରାଇଛନ୍ତି ସତ୍ୟ; କିନ୍ତୁ ଦାଗ ରଖିଲା ଭଳି ଶକ୍ତି ହରାଇ ନାହାନ୍ତି । ବିନୋଦ ବିଚଳିତ ହେଲା । ଗୃହର, ଗବାକ୍ଷ, ଦରଜା ବନ୍ଦ କଲା । ବିଜୁଳିବତୀର ଆଲୋକ ଲିଭାଇ ଚୁପ୍‍କିନି ଆସି ଶୋଇପଡ଼ିଲା ନିଜର ଅବିବାହିତ ଏକାକୀ-ଶଯ୍ୟା ଉପରେ । ନା–ତଥାପି ହୃଦୟର ସେହି ଉତ୍ସରିତ ଶବ୍ଦଗୁଡ଼ିକର ଗୁଞ୍ଜନ ଶୁଣିପାରୁଛି ସେ ସ୍ପଷ୍ଟଭାବରେ । ନିଜ ଚାରିପଟେ ଘୋଡ଼ାଇ ହେଲା ମଶାରିର ଜାଲ । ଏଥର ସେ ନିଶ୍ଚିନ୍ତରେ ଶୋଇବ–ମଶାରିର କ୍ଷୁଦ୍ର ରନ୍ଧ୍ରବାଟ ଦେଇ ସେହି ଅନୁଚ୍ଚାରିତ ବିପୁଳକାୟ ଶବ୍ଦଗୁଡ଼ିକ ହୁଏତ ପ୍ରବେଶ କରିପାରିବେ ନାହିଁ । ତା’ର ମନକୁ ପ୍ରଶ୍ନର ଆଘାତରେ ରକ୍ତାକ୍ତ କରିବେ ନାହିଁ । କିନ୍ତୁ ଶୋଇବାକୁ ଚେଷ୍ଟା କରି ମଧ୍ୟ ଶୋଇପାରିଲା ନାହିଁ ବିନୋଦ । ଅବାକ୍ ହୋଇ ସେ ଚାହିଁଲା ନିଜ ହୃଦୟ ଆଡ଼କୁ । ସେଇ ଗୋଟିଏ ପ୍ରଶ୍ନ, ପ୍ରତାରଣା କରି ସୁଦ୍ଧା ପ୍ରଣତି ବିବାହ କରି ସୁଖୀ ହେଲା; ଆଗରୁ ପ୍ରଣୟର ବନ୍ଧନ ନଥାଇ ସୁଦ୍ଧା ବିବାହ କରି ସୁଖୀ ହେବେ ରମେଶ-ସାଗରିକା, ଆଉ ତମେ କାହିଁକି ବିବାହ କରିବ ନାହିଁ ବିନୋଦ ? ପ୍ରଣତି ବିଶ୍ୱାସଘାତକତାର ପ୍ରତିଶୋଧ ନିଜ ଉପରେ ଅତ୍ୟାଚାର କରି ତମେ ନେଇ ପାରିବ ନାହିଁ । ପ୍ରତାରଣାକୁ ସହ୍ୟକରିବା ଯେପରି କାପୁରୁଷତା, ନିଜ ଉପରେ ଅକାରଣରେ ଉତ୍ପୀଡ଼ନ କରିବା ମଧ୍ୟ ସେହିପରି ଅମାନୁଷିକତା ବିନୋଦ ! ତମେ କ’ଣ କାପୁରୁଷ ? ତମେ କ’ଣ ଅମଣିଷ ? ତମେ କ’ଣ ପ୍ରଣତି ଭଳି ଏକ ସାମାନ୍ୟ ନାରୀକୁ ଅସାମାନ୍ୟ କରିବାପାଇଁ ନିଜକୁ ଏହିପରି ଭାବରେ ଅକାରଣେ ନିଃଶେଷ କରିଦେବ ? ନିଜ ହୃଦୟ ମଧ୍ୟରୁ ଉଚ୍ଚାରିତ ଏହିସବୁ ଶବ୍ଦ ଶୁଣି ନିଜ ଦୁଇ କାନରେ ହାତ ଦେଇ ଦେଲା ବିନୋଦ । କିଛି ଅଶ୍ରୁ, କିଛି ସମବେଦନାରେ ନିଜ କଣ୍ଠସ୍ୱରକୁ ଓଦା କରି ଦେଇ ସେ କହିଲା, ପୁରୁଷ ଦେହରେ ଯେଉଁସବୁ ସ୍ନାୟୁଗ୍ରନ୍ଥୀ ନାରୀର ଉଷ୍ଣ ସାନ୍ନିଧ୍ୟରେ ଉତ୍ତେଜିତ ହୁଏ, ସାଗର ସନ୍ତରଣର ଶକ୍ତିସଞ୍ଚାର କରେ ଦେହରେ, ପ୍ରଣତି ନାମକ ସେହି ରମଣୀ ତା’ର ଭଲ ପାଇବାର ତୀକ୍ଷ୍ଣ ଦାନ୍ତରେ ମୋର ସେ ସ୍ନାୟୁଗ୍ରନ୍ଥୀ ସବୁକୁ ଟିକ ଟିକ କରି ଦୀର୍ଣ୍ଣ ବିଦୀର୍ଣ୍ଣ କରିଦେଇ ଯାଇଛି । ବିଶ୍ୱାସ କର, ସ୍ନାୟୁଗ୍ରନ୍ଥୀ ନୁହେଁ, ମୋ ଦେହର ମାଂସପେଶୀ ତଳେ ସେସବୁ କେବଳ ଗୁଚ୍ଛ ଗୁଚ୍ଛ ଛିନ୍ନ ତା’ର...ସେ ତାରରେ ସଙ୍ଗୀତର ସ୍ଵରଲହରୀ ସୃଷ୍ଟି ହୁଏ ନାହିଁ, ସେ ସ୍ନାୟୁଗ୍ରନ୍ଥୀରେ ଅନ୍ୟ କୋଣସି ନାରୀର ସ୍ପର୍ଶ ନୂଆ ଜୀବନର ଶିହରଣ ଖେଳାଏ ନାହିଁ । ସେହି ଉତ୍ତେଜନା-ରହିତ, ସଂସାର-ନିର୍ଲିପ୍ତ ଦେହ-ମନ ନେଇ ଆଉ ଗୋଟାଏ ଝିଅକୁ ବିବାହ କରିବାର କିଛି ଅର୍ଥ ହୁଏ ନାହିଁ । ଆଉ ପ୍ରୟୋଜନ ପାଇଁ ବିବାହ ? ହୁଁ, ହୃଦୟର ଆବେଦନ ଯେଉଁଠାରେ ଶୂନ୍ୟ, ଦେହର ପ୍ରୟୋଜନ ପାଇଁ ବିବାହ ସେଠାରେ ପାଶବିକତା । ନିଜ ମନ ସହିତ ମୁଁ ଲୁଚକାଳି ଖେଳିବାକୁ ଚାହେଁ ନାହିଁ । ସେଥିପାଇଁ ପ୍ରଣତି ଉପରେ ପ୍ରତିଶୋଧ ନେବାର ଇଚ୍ଛା ମୋ ଭିତରେ ମରିଯାଇଛି । କେବଳ ଅଣ୍ଡା ଦେବାପାଇଁ ଯେଉଁ ରାଜହଂସୀର ଜନ୍ମ, ତା’ର ମାନସରୋବର ଯିବା ଦରକାର ନାହିଁ । ଯେକୌଣସି ବଦ୍ଧ ପଲ୍ଵଳର କୋଳ ତା’ପାଇଁ ଯଥେଷ୍ଟ । ଅବଶ୍ୟ ଏ କଥା ମୁଁ ମାନୁଛି, ବିବାହ କଥାକୁ ମନରୁ ପାସୋରିଦେବା ପରେ ମୋ ଭିତରେ କର୍ମତତ୍ପରତା କମିଯାଇଛି । ସେ ଯେଉଁ ସୁନେଲି ଦିନଗୁଡ଼ିକରେ ମୋ ମନର ଆକାଶରେ ପ୍ରଣତି ନାମକ ନୀଳବିହଙ୍ଗ ପକ୍ଷ ତୋଳି ଉଡ଼ି ବୁଲୁଥିଲା, ସେ ଦିନମାନଙ୍କରେ ଗୋଟିଏ ଗୋଟିଏ ବର୍ଷ ମୁଁ ତିନି ଲକ୍ଷ ଟଙ୍କର ବୀମା କରାଇଛି...କମିଶନ୍ ବାବଦ ମାସକୁ ହଜାର ହଜାର ତାଙ୍କ ରୋଜଗାର କରିଛି । କିନ୍ତୁ ଆଜି ଯେତେବେଳେ ମୋ ମନ-ଆକାଶରେ ରାତ୍ରର ଅନ୍ଧକାର ଡେଣା ମେଲିଛି, ସେତେବେଳେ ଅର୍ଥ ଅର୍ଜ୍ଜନ କରିବାର ଇଚ୍ଛା ନାହିଁ–ବୀମା ଏଜେନ୍‍ସି ଆଜି ମୁଁ କରୁଛି କେବଳ ସମୟ କଟାଇବା ପାଇଁ ! ହଁ–ଆଜି ମୋ ଜୀବନର ବଡ଼ ସମସ୍ୟା, ଆଗକୁ ବଢ଼ିବା ନୁହେଁ–ଅବଶିଷ୍ଟ ଜୀବନର ସମୟତକ ଚଞ୍ଚଳ ଖର୍ଚ୍ଚ କରିବା । ଜୀବନଟା ଯେହେତୁ ବୋଝ ଭଳି ମନେହେଉଛି, ସମୟ କଟାଇବାପାଇଁ ମୁଁ ଯେକୌଣସି କାମ କରିବାକୁ ତିଆର । ସୀମାହୀନ ସମୟର ସ୍ରୋତରେ ଭାସିବାପାଇଁ ପାଣି ଚହଲିବା ଦରକାର–କାରଣ ନିସ୍ତରଙ୍ଗ ପାଣିରେ ପହଁରିବାର ଗତି ପ୍ରଖର ହୁଏ ନାହିଁ–ଆଉ ସମୟ ସମୁଦ୍ର ପାଣି ଚହଲାଇ କୌଣସିମତେ ଭାସିଯିବା ପାଇଁ କାହାର ସାହାଯ୍ୟ ଦରକାର ହୁଏ...କେହି ଯଦି ସେଥିପାଇଁ ଆଗେଇ ଆସେ...ଆ, ସମୟ କେତେ ହେଲା ? ଛାତିଭିତରେ ଦୁକ୍‍ଦୁକ୍ ଶବ୍ଦ କରି ଚାଲିଥିବା ଟାଇମ୍‍ପିସ୍‍ଟା ହଠାତ୍ ବନ୍ଦ ହୋଇଗଲା ଭଳି ଲାଗୁଛି ଯେ !

 

।। ଏଗାର ।।

 

ହାଲୋ...ହଁ ମୁଁ ବିନୋଦ କହୁଛି ! ନା-ଚିହ୍ନିବାରେ କିଛି ଅସୁବିଧା ହୋଇନାହିଁ । ତମେ ଏତେଗୁଡ଼ାଏ ଦିନ ଆଉ ଜଣେ ପୁରୁଷ ପାଖରେ ସ୍ତ୍ରୀ ହୋଇ ରହିଥିଲେ ସୁଦ୍ଧା ତମ କଣ୍ଠସ୍ୱର ଆଦୌ ବଦଳି ନାହିଁ । ତମେ ଅବଶ୍ୟ ବଦଳିଛ, କିନ୍ତୁ କଣ୍ଠସ୍ୱର ବଦଳି ପାରି ନାହିଁ । ଆଚ୍ଛା, ତମ ପାଖରେ ସେଠାରେ କେହି ନାହାନ୍ତିତ ?

 

ଆରପଟୁ ଉତ୍ତର ଆସିଲା, ତାହାହେଲେ ତମେ ଭଦ୍ରଲୋକ ଭଳି କଥାବାର୍ତ୍ତା କରିବ । ଏଇ ତ ! ମୋ ସ୍ୱାମୀଙ୍କୁ ତ ତମର ଭାରି ଖାତିର ! ନା–ଆଚ୍ଛା, ତାଙ୍କ ପ୍ରତି ତମ ମନରେ କେବେ ଈର୍ଷା ହୁଏ ନାହିଁ ? ତମେ ଯାହାକୁ ଚାହିଁଥିଲ ସେ ତାକୁ ପାଇଲେ ବୋଲି କ୍ଷୋଭ...

 

ନା–ବିଚାରୀ ପ୍ରତି ବେଳେବେଳେ ମନରେ ଦୟା ହୁଏ । ଉଚ୍ଛିଷ୍ଟକୁ ଯେଉଁମାନେ ମହାପ୍ରସାଦ ବୋଲି ଭକ୍ତିରେ ପାଇ ଦିଅନ୍ତି, ଶୁଣିଛି ସେମାନେ ସ୍ୱର୍ଗକୁ ଯାଆନ୍ତି । ତମ ସ୍ୱାମୀ ସ୍ୱର୍ଗକୁ ଯିବେ ପ୍ରଣତି !

 

ବାଜେ କଥା କହିବ ନାହିଁ ବୋଲି କେତେଥର କହିଛି ! ମତେ ତମେ ଜାଣି ଜାଣି ରଗାଅ କାହଁକି ? ଛି...ଛି...ତମକୁ ପ୍ରଶ୍ରୟ ଦେଇ ମୁଁ କି ଭୁଲ୍ କରିଛି... !

 

ପ୍ରଣତି...ପ୍ରଣତି...ଫୋନ୍‍ଟା ଛାଡ଼ିଦେଲ ନା କ’ଣ ? ହାଲୋ...ହାଲୋ...

 

ଆରପଟୁ ବିକ୍ଷୁଧ କଣ୍ଠର ଉତ୍ତର ଆସିଲା, ଭାବିଥିଲି, ମୁଁ ଅନ୍ୟ ଜଣକୁ ବିବାହ କରିଗଲେ ପରର ସ୍ତ୍ରୀକୁ ତମେ ସମ୍ମାନ କରି ଶିଖିବ...କିନ୍ତୁ sense of chivalry ବୋଲି ଗୋଟିଏ ଜିନିଷ ତମଠାରେ କେବେହେଲେ ମୁଁ ଦେଖିଲି ନାହିଁ...ତମ ଉପରେ ଭୀଷଣ କ୍ରୋଧ ହେଉଛି...

 

ପାଖରେ ଥିଲେ ନିଶ୍ଚୟ ଆମ୍ପୁଡ଼ି ବିଦାରି ପକାନ୍ତ...କିନ୍ତୁ ଫୋନ୍‍ରେ ଯେ ମୁଁ କଥା କହୁଛି-!

 

ଫୋନ୍‍ ଛାଡ଼ି ଦେଉଛି !

 

ଡାକୁଥିଲ କାହିଁକି ଏପର୍ଯ୍ୟନ୍ତ କହିଲ ନାହିଁ ତ !

 

(ତା’ପରେ କିଛି ସମୟ ଆରପଟୁ କିଛି ଉତ୍ତର ନାହିଁ ।)

 

ପ୍ରଣତି ! ପ୍ରଣତି ! କଥା କହୁନ ଯେ... ! ଆଚ୍ଛା...ଆଚ୍ଛା...ମୁଁ ବର୍ତ୍ତମାନ ଭୁଲିଯାଉଛି ଯେ ତମେ ଏକଦା ମୋର ପ୍ରେମିକା ଥିଲ...ମତେ ନ ପାଇଲେ ପାତାଳ ପ୍ରବେଶ କରିବ ପଛେ ଆଉ କାହା ଶଯ୍ୟା ଧାରରେ ଫୁଲ ହୋଇ ଫୁଟିବ ନାହିଁ ବୋଲି କହିଥିଲ । ମୁଁ ବର୍ତ୍ତମାନ କେବଳ ମନେକରୁଛି, ତମେ ଆଉ ଜଣେ ଭଦ୍ରଲୋକର ସତୀ, ସାଧ୍ୱୀ ପତ୍ନୀ...ତେଣୁ ମୁଁ ତମକୁ ମାତୃବତ୍ ଭକ୍ତି କରୁଛି । ଆଚ୍ଛା ପ୍ରଣତି ! ଏକଦା-ପ୍ରେମିକାକୁ ମାତୃବତ୍ ଭକ୍ତି କଲେ ମାତୃଜାତିର କିଛି ସମ୍ମାନ ବଢ଼ିବ ତ ?

 

ବିନୋଦ ! ତମେ ଭାରି ଇତର ଭଳି କଥାବାର୍ତ୍ତା କରୁଛ, ତମେ କାହିଁକି ଭୁଲିଯାଉଛ ଯେ ମୁଁ କେବଳ ଆଜି ଅନ୍ୟ ଜଣେ ଲୋକର ପତ୍ନୀ ନୁହେଁ; ଗୋଟିଏ ପୁତ୍ରସନ୍ତାନର ଜନନୀ ମଧ୍ୟ... !

 

ନା–କିଛି ଭୁଲିନି । ଏ ସବୁ ତ ଭୁଲି ହେବାର କଥା ନୁହେଁ, ଅନେକ ଥର ଚେଷ୍ଟା କରିଛି, ତମେ ଅନ୍ୟ ଜଣକୁ ବିବାହ କରିଗଲା ପରେ ତମକୁ ଭୁଲିଯିବି । କିନ୍ତୁ ପାରିଲ ନାହିଁ, ସମ୍ଭବତଃ ପାରିବି ନାହିଁ । ତମେ ମତେ ଭୁଲିଯାଇ ପାରିଲ; କାରଣ ବୋଧହୁଏ ମୁଁ ନିଜକୁ ତମ ପାଖରେ ସମ୍ପୂର୍ଣ୍ଣ ଭାବରେ ଦେଇପାରି ନଥିଲି । ଆଉ ମୁଁ ତମକୁ ଭୁଲିପାରୁ ନାହିଁ ତା’ର କାରଣ ଆଉ କିଛି ଅବଶିଷ୍ଟ ନ ରଖି ସବୁ କିଛି ମୋ ପାଖରେ ତମେ ଦିନେ ଉତ୍ସର୍ଗ କରି ଦେଇଥିଲ...

 

ବିନୋଦ ! ସୁନାଟି ପରା, ତମେ ଆଉ ଏତେ ଭାବପ୍ରବଣ ହୁଅ ନାହିଁ । ମୁଁ ଭାବିଥିଲି ମୁଁ ବିବାହ କଲା ପରେ ତମେ ମତେ ଭୁଲିଯିବ, କାରଣ ମୋଠାରୁ ଆଉ ତମର ପାଇବାର କିଛି ଆଶା ନଥିବ । କିନ୍ତୁ ଆଶ୍ଚର୍ଯ୍ୟ ! ତମେ କିଛି ପାଇବାର ଆଶା ନଥାଇ ସୁଦ୍ଧା ମୋତେ ଭୁଲି ପାରୁ ନାହଁ ?

 

ବିନୋଦ ଚୁପ୍ ହୋଇଗଲା । ଇଚ୍ଛା କରି ମଧ୍ୟ ସାଙ୍ଗେ ସାଙ୍ଗେ ସେ କିଛି ଉତ୍ତର ଦେଲା ନାହିଁ ।

 

ହାଲୋ ! କିଛି କହୁ ନାହଁ ଯେ... !

 

ଯାହା କହିବି, ଆଜି ତମକୁ ସେ ସବୁ ଆଉ ଭଲଲାଗିବ ନାହିଁ, ଅଥଚ ଦିନେ କେବଳ ମୋ କଥା ଶୁଣିବ ବୋଲି ତମେ ପାଗଳିନୀ ହୋଇ ଛୁଟି ଆସୁଥିଲ...

 

ତମର ସେ ସବୁ କଥା ମନେଅଛି ? ଛାଡ଼...

 

ତମେ ମୋ ପାଖରେ ଥିଲେ ହୁଏତ ସେ କଥା ସବୁ ମୁଁ ଭୁଲି ଯାଇଥାଆନ୍ତି, କିନ୍ତୁ ତମେ ଆଜି ପାଖରେ ନାହଁ, ସେ ସ୍ମୃତିସବୁ କିନ୍ତୁ ମହୁମାଛି ଭଳି ମୋ ଚାରିପଟେ ଗୁଣୁଗୁଣୁ ହୋଇ ଗୀତ ଗାଉଛନ୍ତି...

 

ମୁଁ କିନ୍ତୁ ତମକୁ ଅନ୍ୟପ୍ରକାର ଭାବିଥିଲି । ମୋର ସବୁ ଭାବନା ଭୁଲ ହୋଇଗଲା । ସଂସାରରେ ଅନେକ ପୁଅଝିଅ ଅବିବାହିତ ଜୀବନରେ ଠାଏ ଦୁଇ ଠାଆ ପ୍ରେମ କରନ୍ତି; ପୁଣି ପରିସ୍ଥିତିର ଚାପରେ ଅନ୍ୟ ଜାଗାରେ ବାହାହୋଇ ଯାଆନ୍ତି । ପଛକଥା ପାସୋର ଯାଏଁ । ଛୁଆପିଲାଙ୍କ ଜଞ୍ଜାଳରେ ଅତୀତର ସ୍ମୃତି ଆପେଆପେ ଝାପ୍‍ସା ହୋଇଯାଏ, ଯେମିତି ଠିକ୍ ମୋର ହୋଇଛି ।

 

ତମେ ସତ କହୁଛ ? ମୋ କଥା ହୁଏତ ପାସୋରି ଦେଇଛ ? କିନ୍ତୁ ନିଜ ଜୀବନର ପ୍ରଥମ ପ୍ରଣୟକୁ ତମେ ସତରେ ପାସୋରି ଦେଇଛ ?

 

ବିନୋଦ ! (କେବଳ ଚମକି ଉଠିଲା ଭଳି ସେଇ ଗୋଟିଏ ଶବ୍ଦ, ଆଉ କିଛି ଫୋନ୍‍ରେ ଆରପଟୁ ଶୁଣାଗଲା ନାହିଁ ।)

 

ଛାଡ଼, ମୁଁ ବି ତମକୁ ଆଜି ଝୁରି ହେଉନାହିଁ । ମନେ ଅଛି, ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲାବେଳେ ତମେ ଅନୁଯୋଗ କରିଥିଲ ମୁଁ ତମ ଦେହକୁ କେବଳ ଭଲପାଏ...ତମ ପରିବାରର ଅଭିଭାବକମାନେ ମଧ୍ୟ ସେଇ କଥା ଧରି ନେଇଥିଲେ । କିନ୍ତୁ ତମେ ବୋଧହୁଏ ଜାଣନାହିଁ, ଅନେକ ଥର ଦେହର ଅନେକ ଅଂଶ ତମେ ମୋ ଆଗରେ ନଙ୍ଗଳା କରି ଦେଇଥିଲେବି ମୁଁ ସେଥିପାଇଁ କେବେ ଆକର୍ଷଣ ଅନୁଭବ କରିନାହିଁ...

 

ମିଛ...ମିଛ...ତମେ ଆଜିକାଲି ଏତେ ମିଛ କହୁଛ ! ମୁଁ ପାତଳୀ ଥିଲି ବୋଲି ତମେ ଅନେକଥର କହିନାହଁ ମୋଟା ହବାକୁ... !

 

ମୋ କଥା ଭୁଲି ଯାଇଥିଲ ବୋଲି କହୁଥିଲ ପରା ! ଏତେ କଥା ପୁଣି ମନେରଖିଛ କେମିତି ? ହଁ–ମନେ ଅଛି । ଅନେକଥର ଲେଖିଥିଲ ମୋପାଇଁ ତମେ ମୋଟୀ ହେବାପାଇଁ ସାଧନା କରୁଛ; କିନ୍ତୁ ସେ ମୋଟା ଦେହକୁ ଶେଷରେ ଆଉ କାହା ଶଯ୍ୟାରେ ଲୋଟାଇଦେଲ ! ଅବଶ୍ୟ ମତେ ଭୁଲାଇବା ପାଇଁ ତମେ ମୋଟୀ ହୋଇଛ ବୋଲି କହୁଥିଲ, ବିବାହ ପୂର୍ବରୁ ପ୍ରକୃତରେ ତମ ମନ ମୋଟା ହୋଇଥିଲା, ଦେହ ନୁହେଁ...

 

ବିନୋଦ ! ଗଲା କଥାକୁ ଏତେ ମନେପକାଇ ଲାଭ ନାହିଁ । ମୁଁ ତମକୁ ଫୋନ୍ କରୁଥିଲି ଗୋଟିଏ କଥା କହିବାପାଇଁ ।

 

କୁହ । ମୁଁ ମନଦେଇ ଶୁଣୁବି ।

 

କିନ୍ତୁ ଯାହା କହିବି, ରଖିବ ତ ?

 

ତମେ ମୋ କଥା ଦିନେ ରଖି ନଥିଲ, କିନ୍ତୁ ଆଜିବି ଆଶା କରୁଛ ତମ କଥା ମୁଁ ରଖିବି-?

 

ନା–ନା–ବିନୋଦ ! ତମକୁ ମୋର ଏ ଶେଷ ଅନୁରୋଧ ରଖିବାକୁହିଁ ପଡ଼ିବ । ମୋପାଇଁ, ତମ ନିଜର ମଙ୍ଗଳପାଇଁ–ତମେ ମତେ ଭୁଲିଯାଅ...ଭୁଲିଯାଅ ମୋ ଉପରେ ପଛେ ରାଗ, ମତେ ପଛେ ଘୃଣା କର, କିନ୍ତୁ ଭୁଲିଯାଅ । ମତେ ଭୁଲିବାର ଗୋଟିଏ ମାତ୍ର ବାଟ–ତମେ ଅନ୍ୟ ଗୋଟିଏ ଝିଅକୁ ବିବାହ କର...ବିଶ୍ୱାସ କର, ମୋ ଭଳି ତମେ ମଧ୍ୟ ସୁଖୀ ହେବ...ଆଉ ଯେଉଁ ଝିଅ ତମକୁ ବିବାହ କରିବ, ସେ ତ ପରମ ଭାଗ୍ୟବତୀ... !

 

ପରିହାସ କରୁଛ !

 

ଏସବୁ କଥା ଭାବି ଭାବି ରାତିରେ ମତେ ନିଦ ହେଉନାହିଁ, ଆଉ ତମେ କହୁଛ ମୁଁ ପରିହାସ କରୁଛି ? ସୁନାଟି ପରା ! ମୋ ଶେଷକଥା ରଖ...

 

ମୁଁ କାହିଁକି ବିବାହ କରୁନାହିଁ ତମେ ଜାଣ ?

 

କାହିଁକି ? ମତେ ହଇରାଣ କରି ମାରିବାକୁ ତ...

 

ନା–ମୋର ମନେହେଉଛି, ଆଉ ଗୋଟିଏ ଝିଅକୁ ସ୍ପର୍ଶକଲେ ଯଦି ତମ କଥା ମନେପଡ଼େ ? ମୁଁ ଆଉ ଯାହା କରେ କି ନ କରେ, ନିଜ ସୁଖପାଇଁ ଅନ୍ୟ ଏକ ଝିଅ ସହିତ ପ୍ରତାରଣା କରି ପାରିବି ନାହିଁ । ତା’ ଛଡ଼ା ନିଜ ସ୍ତ୍ରୀ ସହ ପ୍ରତାରଣା କରିବା ଭଳି ଜଘନ୍ୟ କାମ କିଛି ନାହିଁ । ଆଚ୍ଛା, ତମ ସ୍ୱାମୀ ତମ ଦେହ ସ୍ପର୍ଶ କଲାବେଳେ ମୋ ସ୍ପର୍ଶ କଥା ତମର ମନେ ପଡ଼େନାହିଁ-?

 

ତମେ ଏକବାରେ ଛୋଟପିଲାଙ୍କ ଭଳି କଥା କହୁଛ । ପଥର ଦେହରେ ଗୋଡ଼ ବାଡ଼େଇଲେ ଗୋଡ଼କୁ କାଟେ, ପଥରକୁ କାଟେ କି ? ବିବାହ ପରେ ତ ମୁଁ ପାଷାଣୀ ହୋଇଯାଇଛି-! ତମ ଭାଷାରେ ମୁଁ ଏକ ଅଭିନେତ୍ରୀ ମାତ୍ର ! ଘାତ ପ୍ରତିଘାତ ସହି ସହି ଦେହ ମୋର ବଧିରା ହୋଇଯାଇଛି...ମୁଁ କେବଳ କର୍ତ୍ତବ୍ୟ ପାଳନ କରୁଛି...

 

ପ୍ରଣତି ! ତମେ ଏତେ ଛୋଟ ହୋଇଗଲ କାହିଁକି ? ମତେ ବିବାହ ନ କରି ଅବିବାହିତା ରହିଥିଲେ ଅନ୍ତତଃ ମୁଁ ତମକୁ ଦେବୀ ଭଳି ପୂଜା କରିଥାଆନ୍ତି !

 

ତମେ ପୁରୁଷ, ତେଣୁ ଏସବୁ ଅବାନ୍ତର କଥା ଭାବିପାରୁଛ । କିନ୍ତୁ ମୁଁ ଯେ ନାରୀ ! ମୋର ଇଚ୍ଛା-ଅନିଚ୍ଛାର ତମ ଭଳି ଖୁବ୍ ବେଶି ନୁହେଁ...ଯେଉଁଦିନ ତମକୁ ପ୍ରତ୍ୟାଖ୍ୟାନ କରି ଅବିବାହିତା ରହିବି ବୋଲି ଠିକ୍ କରିଥିଲି, ସେଦିନ ମୋ ମନରେ ଅନେକ ଦମ୍ଭ ଥିଲା...କିନ୍ତୁ ଅବିବାହିତା ରହିବାର ବର୍ଷ କେତୋଟି ପରେ ମୁଁ ବୁଝିଲି, ମୁଁ କେଉଁ ଅପଦେବତା ହାତରେ ଏକ କ୍ରୀଡ଼ନକ ମାତ୍ର...

 

ତମର ସ୍ୱାମୀ ହୁଏତ ତମର ଦେହ, ରୂପ ଲୋଭରେ ତମର କଳଙ୍କିତ ଅତୀତକୁ କ୍ଷମା କରିଛନ୍ତି, କିନ୍ତୁ ତମର ସନ୍ତାନସନ୍ତତି ଯଦି ତମକୁ କ୍ଷମା ନ କରନ୍ତି ? ତମର ଏ ହୀନ ପ୍ରତାରଣା, ବୀଭତ୍ସ କଳଙ୍କର ଇତିହାସ ଜାଣିଲା ପରେ ସେମାନେ ଦିନେ ଯଦି ତମ ତଣ୍ଟିରେ ହାତ ପକାଇ ପ୍ରଶ୍ନ କରନ୍ତି–ବୋଉ ! ତୁ ଏତେ ତଳକୁ ଗଲୁ କିପରି ?–ତମେ କି ଉତ୍ତର ଦେବ ? ମିଥ୍ୟା ଅପପ୍ରଚାରର ମାୟାଜାଲରେ ସତ୍ୟକୁ ତ ସବୁଦିନେ ତମେ ଗୋପନ କରିପାରିବ ନାହିଁ ! ପ୍ରଣତି...ପ୍ରଣତି ! ତମେ କାନ୍ଦୁଛ !

 

ସ୍ତବ୍ଧ ହୋଇ ବସି ରହିଲା ବିନୋଦ । ଫୋନ୍ ଆରପଟ କେବଳ ସୁଁ ସୁଁ କାନ୍ଦଣାର ସ୍ୱର ଶୁଣା ଯାଉଛି ।

 

Unknown

ମୋ ରାଣଟି ! ତମେ କାନ୍ଦ ନାହିଁ...

 

କିଛି ସମୟ ପରେ ପ୍ରଣତିର କ୍ରନ୍ଦନକାତର କଣ୍ଠରୁ ଉତ୍ତର ଆସିଲା, ଆଜିବି ତମେ ଭାବୁଛ ତମ ରାଣକୁ ମୁଁ ସମ୍ମାନ କରିବି ? ତମେ ମୋର କିଏ ?

 

କେହି ନୁହେଁ–ମୁଁ ତ ତମ ଜୀବନର ଅଦିନ ଧୂଳିଝଡ଼ !

 

କିନ୍ତୁ ସେ ଝଡ଼ କ’ଣ କେବେହେଲେ ଶାନ୍ତ ହେବ ନାହିଁ ? ମୁଁ କ’ଣ ଜୀବନରେ ଗୋଟିଏ ମୁହୂର୍ତ୍ତ ହେଲେ ଶାନ୍ତି ପାଇବି ନାହିଁ ? ପ୍ରେମ, ପ୍ରତାରଣା ଏସବୁ କଥା କିଛିହେଲେ ବୁଝେନାହିଁ । ମୁଁ ରକ୍ତମାଂସର ସାମାନ୍ୟ ଏକ ନାରୀ । ସୁଖଶାନ୍ତିରେ ବଞ୍ଚିରହିବି ବୋଲି ସେ ନିର୍ବୋଧ କୁମାରୀ ଜୀବନରେ ତମ ପାଦତଳେ ମୋ ପ୍ରୀତିର ଅର୍ଘ୍ୟ ଅଜାଡ଼ି ଦେଇଥିଲି । ଯେଉଁ କାରଣରୁ ହେଉ, ଯାହା ଦୋଷରୁ ହେଉ, ସେଥିରେ ଶାନ୍ତି ପାଇଲି ନାହିଁ । ପୁଣି ସେଇ ବିନ୍ଦୁଏ ସୁଖଶାନ୍ତି ପାଇବାପାଇଁ ଆଉ ଜଣେ ପୁରୁଷ ପାଖରେ କ୍ରୀତଦାସୀ ଭଳି ନିଜକୁ (୫୫)ଅର୍ଷଣ କରିଦେଇଛି...ତଥାପି ମୋର ଜୀବନର ଝଡ଼ ଶାନ୍ତ ହେଉନାହିଁ କାହିଁକି ।

 

ପ୍ରଣତି ! ଫୋନ୍‍ରେ ସେ କଥା ମୁଁ ସବୁ କହିପାରିବି ନାହିଁ । ତମ ଦେହ ଉପରେ ମୋର କୌଣସି ଲୋଭ ନାହିଁ । ତମ ସ୍ୱାମୀଠାରୁ ତମକୁ ଛଡ଼ାଇ ଆଣିବା ଲାଗି ମୋଟେ ଚେଷ୍ଟା କରି ନାହିଁ, କରୁ ନାହିଁ, କରିବି ନାହିଁ । ମୁଁ ଏକ ଅଶାନ୍ତ ଧୂଳିଝଡ଼ ! ସ୍ୱପ୍ନର ମରୁଭୂମିରେ ମୁଁ ଘୂରି ବୁଲୁଛି । ତମ ଘର-ସଂସାର ଉପବନକୁ ବିପର୍ଯ୍ୟସ୍ତ କରିବାକୁ ମୁଁ ଚାହେଁ ନାହିଁ । ତମ ଘରକୁ ଗଲେ କେବେ ସବୁ କଥା ବୁଝାଇଦେବି...

 

ଆମ ଘରକୁ ଆସିବ ? ନା–ନା–ବାରମ୍ବାର ଆସିଲେ ସ୍ୱାମୀ ହୁଏତ ମୋର ସନ୍ଦେହ କରିବେ । ଏତେ କଷ୍ଟରେ ଯେଉଁ ସଂସାର ମୁଁ ସଜାଡ଼ିଛି, ତାହା ହୁଏତ ଉଜୁଡ଼ିଯିବ । ମତେ ତମେ ଭୁଲିଯାଅ–ଏତିକି ମୋର ପ୍ରାର୍ଥନା । ଏ ସମ୍ପର୍କରେ ଯଦି ତମର କିଛି ସମ୍ବାଦ ଦେବାର ଥାଏ, ସ୍ୱାମୀ ଅଫିସ୍‍ରେ ଥିବାବେଳେ ଫୋନ୍ କରିବ...

 

ହାଲୋ ! ହାଲୋ !

 

ନା–ତା’ର କଥାକୁ ଅପେକ୍ଷା ନ ରଖି ଫୋନ୍ ଛାଡ଼ିଦେଇଛି ପ୍ରଣତି । ଘଣ୍ଟାରେ କେତେଟା ବାଜିଲା ? ବୋଧହୁଏ ପ୍ରଣତିର ସ୍ୱାମୀ ଅଫିସ୍‍ରୁ ଫେରିଲେଣି । ନନ୍‍ସେନ୍‍ସ !

 

।। ବାର ।।

 

ମି. ମହାପାତ୍ର ନିମନ୍ତ୍ରଣ କରିଥିଲେ ।

 

ସାଗରିକାର ଜନ୍ମଦିନ । କାର୍ଯ୍ୟବ୍ୟସ୍ତତା ହେତୁ ଠିକ୍ ସମୟରେ ପହଞ୍ଚିପାରି ନଥିଲା ବିନୋଦ । ବାଟରେ ତିନି ବନ୍ଧୁ ଅଟକାଇ ଦେଇଥିଲେ । ମଦନ ଯୁକ୍ତି କରିଥିଲା, ବେକୁବ୍ ! ବୁଲି ବୁଲି କେତେ ଜଣକ ଘରେ ଆଉ ଭୋଜି ଖାଇବୁ ? ନିଜେ ବାହା ହୁଅ...ପିଲାଛୁଆ ହୁଅନ୍ତୁ । ବାହାଘର, ପୁଅ ଏକୋଇଶାରେ ଡାକି ଅନ୍ୟମାନଙ୍କୁ ଭୋଜି ଦେ । ତାହାହେଲେ ସିନା ମଣିଷ ବୋଲି ସମାଜରେ ଗଣା ହେବୁ !

 

ସମାଜରେ ଯେଉଁମାନେ ବାହାହୋଇ, ପୁଅ ଏକୋଇଶା-ଉତ୍ସବ କରି ସମାଜରେ ମଣିଷ ବୋଲି ଗଣ୍ୟ ହେଲେଣି, ସେଭଳି ସାଙ୍ଗମାନଙ୍କ ଆମନ୍ତ୍ରଣ ଏଡ଼ାଇ ସେ ଆସିପାରି ନଥିଲା । ଚାରି ବନ୍ଧୁ ମିଶି ଗୋଟିଏ ସିନେମା ଫାଷ୍ଟ ଶୋ' ଚାଲି ଯାଇଥିଲେ ।

 

ଫେରୁ ଫେରୁ ରାତି ଦଶ ।

 

ସାଗରିକାର ଜନ୍ମଦିବସର ଭୋଜି ଖାଇବାକୁ ଏତେ ରାତିରେ ଆଉ ଯିବ କି ନାହିଁ, ଭାବି ସ୍ଥିର କରୁ କରୁ ମଧ୍ୟ ଆଉ କିଛି ସମୟ ଅତୀତ ହୋଇଗଲା । ଅବଶେଷରେ ଯାଇ ପହଞ୍ଚିଲା ବିନୋଦ । ମି. ମହାପାତ୍ର ଉଦ୍‍ଗ୍ରୀବ ହୋଇ ଅପେକ୍ଷା କରିଥିଲେ...

 

ନିମନ୍ତ୍ରିତ ଅତିଥିମାନେ ସେତେବେଳକୁ ଚାଲିଯାଇଥିଲେ ।

 

ମି. ମହାପାତ୍ର ନିଜେ ସମ୍ବାଦ ଦେଲେ, ରମେଶ ଓ ତା’ର ମାଆ ଆସିଥିଲେ । କଥା ପ୍ରସଙ୍ଗରେ କୁଆଡ଼େ ତିଥିକୁ ଅପେକ୍ଷା ନ ରଖି ଏଇ ମାସକ ମଧ୍ୟରେ ରେଜିଷ୍ଟ୍ରି ବିବାହ କରିନେବା ପାଇଁ ପ୍ରସ୍ତାବ ଦେଉଥିଲେ । ନମ୍ରତାର ସହ ସେ ପ୍ରସ୍ତାବରେ ରାଜି ନୁହନ୍ତି ବୋଲି ସେ ଜଣାଇ ଦେଇଛନ୍ତି । କାରଣ ଯାହାହେଲେବି ତିଥି ନଥାଇ ବାହାଘରଟା ଶୋଭନୀୟ ହେବ ନାହିଁ ବୋଲି ତାଙ୍କର ମତ । ଆଉ ମାସ ଛଅଟା କଥା । ତରତର ହେଲେ ଲୋକେ କ’ଣ କହିବେ ?

 

ବିନୋଦର ମତ ପଚାରିଥିଲେ ମି: ମହାପାତ୍ର ।

 

ବିନୋଦ କହିଲା, ଥରେ ପ୍ରସ୍ତାବ ସ୍ଥିର ହୋଇଗଲା ପରେ ବିଳମ୍ବ କରିବା ଉଚିତ ନୁହ । କିନ୍ତୁ ଆପଣ ଯେତେବେଳେ ତିଥି ଉପରେ ଜୋର୍ ଦେଇଛନ୍ତି, ମୁଁ ସେ କଥା ରମେଶକୁ ବୁଝାଇଦେବି ।

 

ସାଗରିକା ସାଙ୍ଗରେ ଦେଖାହେଲା ।

 

ସେ କହିଲା, ମୁଁ ନିଜେ ଖାଇବା ବାଢ଼ିଛି । ଉଠି ଆସନ୍ତୁ ।

 

ଉଠିଯାଇଥିଲା ବିନୋଦ ।

 

ଜନ୍ମଦିନ ଉପଲକ୍ଷେ ଆଣିଥିବା କିଛି ଉପହାର ତା’ ହାତକୁ ବଢ଼ାଇଦେଇ ସେ ଉଠିଗଲା ପଛେ ପଛେ ।

 

ସାଗରିକା ଏହି କେତୋଟି ଦିନ ଭିତରେ ତା’ ସହିତ ବେଶ୍ ସ୍ୱଚ୍ଛନ୍ଦରେ କଥାବାର୍ତ୍ତା କରୁଛି । ଆଗର ଲଜ୍ଜା, ଅପ୍ରତିଭ ଭାବକୁ ସେ ବେଶ୍ ସ୍ଵାଭାବିକ ଭାବରେ ଅତିକ୍ରମ କରିଆସିଛି । ବିନୋଦ ଜାଣିଥିଲା, ବିବାହ ପରେ ଏ କୁମାରୀ-ସୁଲଭ ଲଜ୍ଜା, ସଂକୋଚ ଝିଅମାନଙ୍କଠାରୁ କମିଯାଏ । ବିବାହ ପୂର୍ବରୁ କିନ୍ତୁ ସାଗରିକା ସେ ସବୁକୁ ଦୂର କରି ଦେଇ ପାରିଛି !

 

ଖାଇ ବସି ବିନୋଦ କହିଲା, ପାଖରେ କେହି ଥିଲେ ଖାଇ ବସିଲାବେଳେ ଗପ କରିବାକୁ ଭାରି ମଜାଲାଗେ । ଆଉ ଗପ କଲେ ପ୍ରକୃତରେ ମୁଁ ବେଶି ଖାଇଦେଇପାରେ–

 

ସାଗରିକା ହସିଲା ।

 

କହିଲା, କି ଗପ କରିବି କୁହନ୍ତୁ ! ଆଚ୍ଛା, ବାପା କହୁଥିଲେ ଆପଣ ଏବେ ଏକୁଟିଆ ରହୁଛନ୍ତି ବସାରେ । ପ୍ରଣତି ତ ବାହା ହୋଇଗଲା, ଆପଣ କ’ଣ ବିବାହ କରି ନାହାନ୍ତି !

 

ସାଗରିକା ସହିତ ଗପ କରିବାକୁ ଚାହୁଁଥିଲା ବିନୋଦ । କିନ୍ତୁ ସେ ଗପ ଯେ ତା’ ଜୀବନର ଟ୍ରାଜିକ୍ ଘଟଣାକୁ ନେଇ ଆରମ୍ଭ ହେବ, ସେ କଥା ସେ କଳ୍ପନା କରି ନଥିଲା । ସାମାନ୍ୟ ଅପ୍ରତିଭ ହୋଇ ସେ କହିଲା, ପ୍ରଣତି କଥା ତମେ ଶୁଣିଲ କେଉଁଠୁଁ ?

 

ସାଗରିକା ଉତ୍ତର ଦେଲା, ସାନଭାଇଙ୍କଠାରୁ ଶୁଣିଥିଲି । କିନ୍ତୁ ସେ ନ କହିଲେବି ସେ କଥା ଜାଣିବାରେ ତ କିଛି ଅସୁବିଧା ନଥିଲା ! ଏ ସହରରେ ଖୁବ୍ ଅଳ୍ପ ଲୋକ ହୁଏତ ସେ କଥା ଜାଣି ନଥିବେ...

 

ସାଗରିକା କଥାରେ ପ୍ରତିବାଦ କଲା ନାହିଁ ବିନୋଦ । ପ୍ରତିବାଦ କରି କିଛି ଲାଭ ନାହିଁ । ତା’ର ଅନିଚ୍ଛା ସତ୍ତ୍ଵେ ବିବାହ ପୂର୍ବରୁ ପ୍ରଣତି ସେ କଥାକୁ ଏତେ ଉଚ୍ଚକଣ୍ଠରେ ପ୍ରଚାର କରିଥିଲା ଯେ ବଧିର ଲୋକବି ସେ କଥା ଶୁଣିଥିବା ସମ୍ଭବ । ସେ କେବଳ ଉତ୍ତର ଦେଲା, ଯେଉଁଠୁ ପ୍ରଣତି ପ୍ରସଙ୍ଗ ଶୁଣିଲ, ମୋ ବିବାହ ନ କରିବାର କାରଣ ମଧ୍ୟ ସେଇ ସୂତ୍ରରୁ ଇଚ୍ଛା କଲେ ତମେ ଜାଣିପାରିବ । ଛାଡ଼, ସେ ଗୋଟାଏ ବିୟୋଗାନ୍ତକ କାହାଣୀ । ଆଉ ଅନ୍ୟ କିଛି କଥା ଥିଲେ କୁହ । ରମେଶ କ’ଣ ଉପହାର ଆଣିଥିଲା ?

 

ସାଗରିକା କିନ୍ତୁ ମୂଳ କଥାର ସୂତ୍ର ଛାଡ଼ିବାକୁ ନାରାଜ ।

 

ସେ କହିଲା, ନା–ଆପଣଙ୍କୁ କହିବାକୁ ହେବ । ଆପଣ କ’ଣ ପାଇଁ ଏତେଦିନ ଧରି ଅବିବାହିତ ଅଛନ୍ତି ! ଆପଣ ତ ସାନଭାଇଙ୍କ ସାଙ୍ଗ । ସାନଭାଇଙ୍କର ଦୁଇଟି ପିଲା ହେଲେଣି ।

 

କଥାଟାକୁ ହସରେ ଉଡ଼ାଇ ଦେବାକୁ ଚେଷ୍ଟାକରି ବିନୋଦ କହିଲା, ଯେଉଁ କାରଣରୁ ମତେ ପ୍ରଣତି ବିବାହ କରିବାକୁ ମନାକଲା, ସେହି କାରଣରୁ ଅନ୍ୟମାନେ ମଧ୍ୟ ମତେ ବିବାହ କରିବାକୁ ରାଜି ନୁହନ୍ତି । ଏତେଦିନର ଘନିଷ୍ଠତା ପରେ ଯଦି ପ୍ରଣତିକୁ ବିବାହ କରିବାକୁ ବାଧ୍ୟ କରି ନ ପାରିଲି, ଆଉ କେଉଁ ଅପରିଚିତା ଝିଅକୁ ସେଥିପାଇଁ ମୁଁ ରାଜି କରିପାରିବି ?

 

ବିନୋଦର କଥା ଶୁଣି ସାଗରିକା ମୁହଁର ରେଖାଗୁଡ଼ିକ ଏକ ଅତୃପ୍ତ ଦୀର୍ଘଶ୍ୱାସରେ କୁଞ୍ଚିତ ହୋଇଗଲା । ସେ କରୁଣ କଣ୍ଠରେ କହିଲା, ତାହାହେଲେ କ’ଣ ସାରା ଜୀବନ ଆପଣ ଅବିବାହିତ ରହିବେ ?

 

ବିନୋଦ କହିଲା, ଚେଷ୍ଟା କରୁଛି । ଅବିବାହିତ ରହିଲେ କ୍ଷତି କ’ଣ ? ବିବାହ ନାରୀଜୀବନର ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇପାରେ, ପୁରୁଷ ଜୀବନର ନୁହେଁ । ଜୀବନର ଆହୁରି ଅନେକ ଦିଗ ଅଛି । ବିବାହ କରିବାର ସ୍ୱପ୍ନରେ ମଗ୍ନ ରହି ମୁଁ ଅଯଥାରେ ଅନେକ ଶକ୍ତି, ଅନେକ ସମୟ ନଷ୍ଟ କରିଛି । ସେ ସମୟ, ସେ ଶକ୍ତି ମୁଁ ଅନ୍ୟ ଦିଗରେ ବିନିଯୋଗ କରିବି ।

 

ବିନୋଦ ମୁହଁରେ ହତାଶା, କାରୁଣ୍ୟ ବଦଳରେ ଦୃଢ଼ତାର ବ୍ୟଞ୍ଜନା ଦେଖି ଅବାକ୍‍ ହେଲା ସାଗରିକା । ପଚାରିଲା, କିନ୍ତୁ ଜୀବନରେ ଶୃଙ୍ଖଳା ଆଣିବାପାଇଁ ତ ବିବାହ ଦରକାର ! ଏକାକୀ ନିଃସଙ୍ଗ ଭାବରେ ଆପଣ ଜୀବନ-ସଂଗ୍ରାମରେ ଲିପ୍ତ ରହିବେ ? ଆଉ ଆପଣଙ୍କୁ ଝିଅ ମିଳିବେ ନାହିଁ, ଏ କଥା ବିଶ୍ୱାସ କଲାଭଳି ନିର୍ବୋଧ ମୁଁ ନୁହେଁ ।

 

ଝିଅ ହୁଏତ ମିଳିବେ । ପ୍ରଣତିକୁ ଯଦି ବର ମିଳିଲେ, ମତେ କନ୍ୟା ମିଳିବା କିଛି ଅସମ୍ଭବ କଥାନୁହେଁ । କିନ୍ତୁ ସେଥିପାଇଁ ମୋର ଆଉ ମନରେ ଆସକ୍ତି ନାହିଁ । ସାଗରିକା ! ବିବାହ ଏକ ନିଶା । ସେ ନିଶାର ରଙ୍ଗ ମୁଁ ତମ ଆଖିରେ ଦେଖିଛି, ଦେଖିଛି ମଧ୍ୟ ରମେଶ ମୁହଁରେ । ମୋ ମନରେବି ସେ ନିଶା ଲାଗିଥିଲା ଦିନେ । ଆଜି କିନ୍ତୁ ସେ ନିଶା ମୋର ନାହିଁ । ବିବାହ, ନାରୀ, ଏସବୁ ମୋପାଇଁ ଅବାନ୍ତର କଥା । ଏ ମୋର ମୁହଁର କଥା ନୁହେଁ, ହୃଦୟର କଥା–କୋଣସି ଏକ ଗୋପନୀୟ ସତ୍ୟ ପ୍ରକାଶ କଲାଭଳି ନିମ୍ନ କଣ୍ଠରେ ଶଦ୍ଧଗୁଡ଼ିକ ଉଚ୍ଚାରଣ କରି ଖାଇବା ଶେଷ କଲା ବିନୋଦ । ଶେଷକୁ କହିଲା, ଏକଥା ତମେ ବାପା, ବୋଉ କିମ୍ବା ଅନ୍ୟ କାହାରିକୁ କହିବନାହିଁ-। କାରଣ ସେମାନେ ଏହାକୁ ଏକ ଅସାମାଜିକ ମନୋବୃତ୍ତି ବୋଲି ମନେ କରିପାରନ୍ତି ।

 

ମି: ମହାପାତ୍ରଙ୍କ ଘର ଛାଡ଼ି ଆସିବା ଆଗରୁ ସାଗରିକାଆଖିରେ ଅନେକ କୌତୂହଳ, ସନ୍ଦେହ ଓ ବିସ୍ମୟର ଚିହ୍ନ ଲକ୍ଷ୍ୟ କଲା ବିନୋଦ ।

 

ସାଗରିକା କହିଲା, ଆପଣ ଏକ ଅଦ୍ଭୁତ ଲୋକ । ବାହାରକୁ ଯେମିତି ଜଣାପଡ଼ନ୍ତି ଭିତରେ ଆପଣ ସେମିତି ନୁହନ୍ତି ।

 

ତା’ କଥା ଶୁଣି ଚମିକି ପଡ଼ିଲା ବିନୋଦ ।

 

ଝିଅଟି ହଠାତ୍ ତା’ ଭିତରର ଦୃଶ୍ୟ ଦେଖି ପାରିଲା କିପରି ?

 

ବସାକୁ ଫେରିବା ବାଟରେ ତା’ର ମନେହେଲା, ନିଜକୁ ସମସ୍ତଙ୍କ ଦୃଷ୍ଟିରୁ ସେ ଗୋପନ କରିବାକୁ ଯେତେ ଉଦ୍ୟମ କରୁଛି, ସେ ସେତେ ସେତେ ଅନ୍ୟମାନଙ୍କ ଆଗରେ ପ୍ରକାଶିତ ହୋଇ ଯାଉଛି । ତା’ ଭିତରର ବିଷଣ୍ଣ ଦୁଃଖ ସମସ୍ତଙ୍କ ଆଖିରେ ଧରା ପଡ଼ିଯାଉଛି । ନା–ସେ ଏଣିକି ବେଶି ସଂଯତ ହେବ, ସତର୍କ ହେବ । ତା’ ଦୁଃଖରୁ ସେ କାହାରିକୁ ଭାଗ ଦେବାକୁ ଚାହେଁ ନାହିଁ । ଅନ୍ୟମାନଙ୍କ ପାଇଁ ଅଭିଶାପ ହେଲେବି ଦୁଃଖଟା ତା’ ଜୀବନର ପରମ ଐଶ୍ୱର୍ଯ୍ୟ । ତା’ ଦୁଃଖରେ କାହାରି ସହାନୁଭୂତି ସେ ସହ୍ୟ କରିପାରିବ ନାହିଁ ।

 

।। ତେର ।।

 

ସ୍ୱାମୀ ଶୋଇଛନ୍ତି । ପୁଅବି ଶୋଇ ଯାଇଚି ।

 

ଆଞ୍ଜୁଳା ଆଞ୍ଜୁଳା ଜ୍ୟୋତ୍ସ୍ନା । ଝରକା ଫାଙ୍କ ବାଟ ଦେଇ ବିଛାଡ଼ି ହୋଇ ପଡ଼ିଛି ଆସି ପଲଙ୍କ ଉପରେ । ରାତ୍ରି ନିର୍ଜନ, ମନ ନିଃସଙ୍ଗ । ପ୍ରଣତି ଆଖି ମେଳି ଥରେ ବାହାରକୁ ଚାହିଁଲା ଏବଂ ପୁଣି ଆଖି ବୁଜି ଦେଲା । ଚେଷ୍ଟା କଲା, ପୁଣି ସେଇ ସ୍ୱପ୍ନର ସାମ୍ରାଜ୍ୟକୁ ଫେରିଯିବାପାଇଁ ।

 

ଭାରି ମିଠା ସ୍ୱପ୍ନଟିଏ !

 

କ’ଣଟି ସେ ସ୍ୱପ୍ନ ।

 

ସେ ଶୋଇଛି ପୁଅକୁ କୋଳରେ ଧରି । ତା’ର ବାମ ପଟେ ବିନୋଦ ଆଉ ଏପଟେ ତା’ର ସ୍ୱାମୀ । ସ୍ୱାମୀଙ୍କ ହାତ ଗୋଟାଏ ଛାତି ଉପରେ ସେ ଚାପି ଧରିଛି ଆଉ ବିନୋଦ ହାତ ବାହା ଉପରେ ନିଜେ ମୁଣ୍ଡ ଦେଇ ଶୋଇଛି । ବିନୋଦ, ତା’ର ସ୍ୱାମୀ ଓ ତା’ର ସନ୍ତାନ । ତା’ର ଅତୀତ, ବର୍ତ୍ତମାନ ଆଉ ଭବିଷ୍ୟତ ! ସେ କାହାରିକୁ ଛାଡ଼ିଦେଲେ ବଞ୍ଚିପାରିବ ନାହିଁ । ଦିନେ ବିନୋଦ ଥିଲା, ତାକୁ ସେ ଭୁଲି ପାରେନା । ଆଜି ତା’ର ସ୍ୱାମୀ ଅଛନ୍ତି, ତାଙ୍କୁ ସେ ଛାଡ଼ି ପାରେନା । ଆଉ ପୁଅ ! ସେ'ତ ଜୀବନ-ମରଣ ଦୁଇ ନଦୀ ମଝିରେ ଏକମାତ୍ର ସେତୁବନ୍ଧ !

 

ସ୍ୱାମୀ କହୁଛନ୍ତି, ଏ ପୁଅ ମୋର, କାରଣ ମୁଁ ରକ୍ତ ଦେଇ ତାକୁ ସୃଷ୍ଟି କରିଛି ।

 

ବିନୋଦ ହସୁଛି । କହୁଛି, କିନ୍ତୁ ଯେଉଁ ନାରୀ ତାକୁ ଜନ୍ମ ଦେଇଛି, ସେ ନାରୀ ନିଦ୍ରିତ ଯୌବନ ମୋରି ରକ୍ତର ଉଷ୍ମତାରେ ଦିନେ ଜାଗ୍ରତ ହୋଇଥିଲା । ସେ ଯେଉଁ ବୁକୁରୁ ଅମୃତ ଆହରଣ କରି ଜୀବନଧାରଣ କରିଛି, ସେ କୋରକିତ ବୁକୁ ଦିନେ ମୋ... !

 

ସ୍ୱାମୀ ଅଭିମାନ କରୁଛନ୍ତି । କହୁଛନ୍ତି, ପ୍ରଣତି ! ତୁମେହିଁ କୁହ ନିଜ ରକ୍ତ ଦେଇ ଯେଉଁ ସନ୍ତାନକୁ ମୁଁ ସୃଷ୍ଟି କଲି ସେ ସନ୍ତାନ କ’ଣ ମୋର ନୁହେଁ ?

 

ପ୍ରଣତି ନିଜେ ହସୁଛି । କହୁଛି, ମୁଁ ସନ୍ତାନର ଜନନୀ । ତମେ ମୋର ସ୍ୱାମୀ, ସେ ମୋର ପ୍ରେମିକ । ତମେ ଦୁହେଁ ଶିକ୍ଷିତ, ସୁପୁରୁଷ, ବୁଦ୍ଧିମାନ୍ । ନିଜେ ସ୍ଥିର କର ମୋ ସନ୍ତାନ ସହିତ କାହାର ସମ୍ପର୍କ କ’ଣ ?

 

ତା’ ଉତ୍ତର ଶୁଣି ବିନୋଦ ଓଠରେ ହସର-ବିଦ୍ୟୁତ୍ ଚପଳ ହୋଇ ଉଠିଲା । ଆଉ ବିକ୍ଷୁବ୍ଧ ବେଦନା, ଅଭିମାନରେ ସ୍ଫୁରିତ ହେଲା ସ୍ୱାମୀଙ୍କ ନାସାଗ୍ର ।

 

ନିଜ ପ୍ରେମିକ, ନିଜ ସ୍ୱାମୀ, ନିଜ ସନ୍ତାନକୁ ଚାହିଁ ପରମ ପରିତୃପ୍ତିରେ ନୟନ ମୁଦ୍ରିତ କରିଥିଲା ପ୍ରଣତି । ହଠାତ୍‍ ପୁଅର ବିକଳ କାନ୍ଦଣାରେ ତା’ର ନିଦ ଭାଙ୍ଗିଗଲା । ସେ ଚମକି ଉଠି ସ୍ୱାମୀଙ୍କ ଉଦ୍ଦେଶ୍ୟରେ କହିଲା, ତମେ ଏ କ’ଣ କରୁଛ ? ତମେ ମଣିଷ ନା ରାକ୍ଷସ... !

 

ସ୍ୱାମୀବି ଭୟରେ ଚମିକି ଉଠିଲେ ।

 

କହିଲେ, ଭୁଲ୍ ହୋଇଗଲା ପ୍ରଣତି ! ନିଦ୍ରିତ ଅବସ୍ଥାରେ ତମ ପ୍ରେମିକଙ୍କ ତଣ୍ଟି ଚିପିଦେବାକୁ ଚେଷ୍ଟା କଲାବେଳେ ପିଲାଟାର ବେକରେ ପଡ଼ିଯାଇଛି ଭୁଲ୍‍ରେ !

 

ହଁ–ଠିକ୍ ଏଇ ଅବସ୍ଥାରେ ତା’ର ନିଦ ଭାଙ୍ଗିଗଲା । ସ୍ୱପ୍ନ ତୁଟିଗଲା । ଭଲକରି ଆଖି ମଳି ମଳି ସେ ଦେଖିଲା ପୁଅର କିଛି ହୋଇନାହିଁ । ସେ ଗହନ ନିଦରେ ଶୋଇ ଯାଇଛି । ସ୍ୱାମୀ ମଧ୍ୟ ଶୋଇ ଯାଇଛନ୍ତି ଗଭୀର ନିଦ୍ରାରେ । ରାତ୍ରି ନିର୍ଜନ, ମନ ନିଃସଙ୍ଗ ।

 

ସ୍ୱାମୀ ଅଛନ୍ତି । ପୁଅ ଅଛି । କିନ୍ତୁ ବିନୋଦ କାହିଁ ?

 

ଆରେ, ସେ କି ବୋକି ! ଏ ତା’ର ସ୍ୱାମୀଙ୍କର ସୁରକ୍ଷିତ ସଂସାର । ଏହା ମଧ୍ୟରେ ତା’ ଜୀବନର ପ୍ରଥମ ପୁରୁଷର ପ୍ରବେଶ ନିଷେଧ । ସ୍ୱାମୀଙ୍କୁ ସ୍ନେହ-ସଜଳ ଦୃଷ୍ଟିରେ ଚାହିଁଲା । ତା’ପରେ ମଧୁର ଆବେଗରେ ନିଜର ନୟନ ମୁଦ୍ରିତ କରିଦେଲା ।

 

ସ୍ନିଗ୍ଧ ଶୁଭ୍ର ଜ୍ୟୋତ୍ସ୍ନାର ସ୍ପର୍ଶରେ ରାତ୍ରିର ନିର୍ଜ୍ଜନତା କିପରି ରେଣୁ ରେଣୁ ହୋଇ ଭାଙ୍ଗି ଯାଉଛି । ମନ ଭାସି ଯାଉଛି ସକଳ ଆକଟ ଅମାନ୍ୟ କରି ସୁଦୂର ଅତୀତ ଆଡ଼କୁ...ଯେଉଁ ଅତୀତକୁ ସ୍ଵେଚ୍ଛାରେ ସେ ନିଜ ପଛରେ ଛାଡ଼ିଦେଇ ଆସିଥିଲା !

 

ଏତେଦିନ ପରେ ସେ ବିନୋଦକୁ ସ୍ୱପ୍ନ ଦେଖିଲା କାହିଁକି ?

 

ନିଜ ମନକୁ ମନ ହସି ଉଠିଲା ପ୍ରଣତି । ବିନୋଦ କ’ଣ ଆଜି ତା’ର କେବଳ ଅବଚେତନ ମନର ରାଜକୁମାର ।

 

ଯେଉଁଦିନ ବିନୋଦର ପତ୍ନୀ ଭାବରେ ନିଜକୁ କଳ୍ପନା କରି ସେ ସ୍ୱପ୍ନର ପରୀମହଲରେ ଉଡ଼ି ବୁଲୁଥିଲା, ସେଦିନ ସେ ସ୍ୱପ୍ନ ଦେଖୁଥିଲା, ବିନୋଦର ବାପା, ବୋଉଙ୍କ ସହ ତା’ ବାପା ବୋଉ, ପରିବାରର ଅନ୍ୟମାନେ ଏକାଠି ରହିବେ । ତାହାହେଲେ ପରିବାର ତା’ର ସମ୍ପୂର୍ଣ୍ଣ ହେବ । ପୂର୍ଣ୍ଣ ହେବ ତା’ର କାମନା । କାରଣ ନିଜ ସ୍ୱାମୀର ପରିବାରକୁ ଯେତେ ଭଲ ପାଉଥିଲେବି ନିଜ ପିତୃପରିବାରଠାରୁ ଦୂରରେ ରହିବା କଥା କଳ୍ପନା କଲେ, ତାକୁ କେମିତି ସବୁ କିଛି ଅସମ୍ପୂର୍ଣ୍ଣ ମନେ ହେଉଥିଲା ।

 

ଆଉ ଆଜି ବିନୋଦ... !

 

ବିନୋଦକୁ ବିବାହ କରିବାପାଇଁ ସେ ନିଜେ ମନା କରିଥିଲା । କିନ୍ତୁ ତା’ଠାରୁ ସେ ନିଜେ ସବୁଦିନେ ଦୂରରେ ରହିବ ବୋଲି କାମନା କରିଥିଲା କି ? ନା–ଅତୀତକୁ ଛାଡ଼ି ବର୍ତ୍ତମାନ ଓ ଭବିଷ୍ୟତର ଯେପରି କିଛି ସ୍ଥିତି ନାହିଁ, ନିଜ ଜୀବନର ପ୍ରଥମ-ପୁରୁଷକୁ ବାଦ୍ ଦେଇ ନାରୀ ଜୀବନର କିଛି ମୂଲ୍ୟ ନାହିଁ । ତଥାପି ନାରୀ ସ୍ୱାମୀର ସଂସାରରେ ନିଜ ପ୍ରେମିକର କଥା ଭାବିବାର ସ୍ୱାଧୀନତା ପାଏ ନାହିଁ । କାହିଁକି ?

 

ପ୍ରଣତି ଏଥର କର ନେଉଟାଇ ସ୍ୱାମୀଙ୍କ ଆଡ଼କୁ ପିଠି କରି ଶୋଇଲା ।

 

ଭାବିଲା, ସେ ଯାହା ନିଜ ପ୍ରେମିକକୁ ଦେଇଛି, ସେ ଯେତେ ଖରାପ ହୁଅନ୍ତୁ ପଛେ, ତାହା ଆଉ ସେ ନିଜ ସ୍ୱାମୀଙ୍କୁ ଦେଇପାରିବ ନାହିଁ । ଆଉ ଯାହା ଆଜି ସେ ନିଜ ସ୍ୱାମୀଙ୍କୁ ଦଉଛି, ଇଚ୍ଛା କଲେ ମଧ୍ୟ ତା’ର ପ୍ରେମିକ ତାହା ପାଇବେ ନାହିଁ । ତା’ପାଇଁ ତା’ର ପ୍ରେମିକ, ତା’ର ସ୍ୱାମୀ, ଦୁଇ ସମାନ୍ତରାଳ ସରଳ ରେଖା । ସେ ଦୁହେଁ ଦୁହିଁଙ୍କୁ କୌଣସି ଏକ ବିନ୍ଦୁରେ ମଧ୍ୟ ସ୍ପର୍ଶ କରୁନାହାନ୍ତି । ଆଉ ସେ ଦୁଇ ସମାନ୍ତରାଳ ସରଳରେଖାର ମଧ୍ୟବିନ୍ଦୁ !

 

ବିବାହ କରିବି ନାହିଁ ବୋଲି ମନା କରିଦେଲା ପରେ ବିନୋଦ ବିରୁଦ୍ଧରେ ସେ ଅନେକ ଅପପ୍ରଚାର କରିଛି । କାରଣ ତାହା କରି ନଥିଲେ ଅନ୍ୟତ୍ର ବିବାହପାଇଁ ସେ ନିଜ ବାପ ଭାଇଙ୍କୁ ମଧ୍ୟ ପ୍ରବର୍ତ୍ତାଇ ପାରି ନଥାନ୍ତା । କିନ୍ତୁ ମୁହଁରେ ବିନୋଦକୁ ସେ ଯେମିତି ଘୃଣା କରେ ବୋଲି ବାହାରେ ଦେଖାଇ ହୋଇଛି, ମନରେ ସେ ତାକୁ ସେତିକି ଘୃଣା କରି ପାରିଛି କି ?

 

ତା’ପାଇଁ ଗୋଟିଏ ନିର୍ଦ୍ଦୋଷ ତରୁଣ ସର୍ବନାଶ ହୋଇଗଲା ।

 

ତା’ର ଯେଉଁ ଶୁଭାକାଂକ୍ଷୀମାନେ ବୁଝାଇଥିଲେ ଯେ ସେ ଅନ୍ୟତ୍ର ବିବାହ କଲାପରେ ତାକୁ ମଧ୍ୟ ଘୃଣାକରି ବିନୋଦ ଅନ୍ୟତ୍ର ବିବାହ କରିଯିବ, ସ୍ଥିର ଜଳରେ ଉଠୁଥିବା ଢେଉ ପୁଣି ସମତଳ ହୋଇଯିବ, ସେ କଥା ମିଥ୍ୟା ବୋଲି ପ୍ରମାଣିତ ହୋଇଗଲା ।

 

ଯେଉଁ ମିଥ୍ୟା କଥାକୁ ସେ ସତ୍ୟ ବୋଲି ପ୍ରଚାର କରିଥିଲା, ନିଜେ ମଧ୍ୟ ନିଜ ମନକୁ ତାହା ସତ୍ୟ ହେବା ଅସମ୍ଭବ ନୁହେଁ ବୋଲି ବୁଝାଇ ଅନ୍ୟତ୍ର ବିବାହପାଇଁ ନିଜ ମନରେ କିଛି ଶକ୍ତି ସଞ୍ଚୟ କରିଥିଲା, ବିନୋଦ ଜୀବନରେ ସେ ଧ୍ଵଂସଲୀଳା ଦେଖି ସେ ବିଶ୍ଵାସ, ସେ ଦମ୍ଭ ତା’ର ଭୁଶୁଡ଼ି ପଡ଼ିଛି । ପ୍ରତ୍ୟାଖ୍ୟାନ କରି ଆସିବାର ଦିନଗୁଡ଼ିକରେ ଯଦି ବିନୋଦ ତା’ର ମନେ ହୋଇଥିଲା, ଏକ ଦେହଲୋଭୀ ପୁରୁଷ, ଆଜି ତା’ ପ୍ରତି ତା’ର ଅସରନ୍ତି ଅନୁରକ୍ତି ଲକ୍ଷ୍ୟକରି, ବିନୋଦ ତା’ ଆଖିରେ ଏକ ପୁରୁଷ ନୁହେଁ, ମହାପୁରୁଷ ହୋଇଯାଇଛି !

 

ଆଜିକାଲି ସବୁ କଥା ଭାବି ବସିଲେ ତା’ର ଭୀଷଣ ମୁଣ୍ଡବ୍ୟଥା ହେଉଛି ।

 

ଅନେକ ଥର ଭାବିଛି, ଆତ୍ମହତ୍ୟା କରି ସେ ନିଜେ ପାପର ପ୍ରାୟଶ୍ଚିତ୍ତ କରିବ । କିନ୍ତୁ ନିଜର ଜିଦ୍, ନିଜର ଅହଂକାର ତାକୁ ସେଥିରେ ବାଧା ଦେଇଛି । କାରଣ ବିନୋଦକୁ, ନିଜ ପ୍ରଣୟର ବନ୍ଧନରେ ଆବଦ୍ଧ କରିବାପାଇଁ ନିଜେ ଯେପରି ସେ ସମସ୍ତଙ୍କ ଇଚ୍ଛା ବିରୁଦ୍ଧରେ ଉଦ୍ୟମ କରିଥିଲା, ତାକୁ ପ୍ରତ୍ୟାଖ୍ୟାନ କଲା ପରେ ଏ ନୂତନ ସଂସାର ଗଢ଼ି ତୋଳିବାପାଇଁ ମଧ୍ୟ ସେ ନିଜେ ସମ୍ମତି ଦେଇଥିଲା । ସ୍ୱାମୀ ତା’ର ନିର୍ଦ୍ଦୋଷ । ଆତ୍ମହତ୍ୟା କଲେ ନିଜ ଉପରେ ପ୍ରତିଶୋଧ ନ ନେଇ ସେ ହୁଏତ ନିଜ ସ୍ୱାମୀ, ନିଜ ସନ୍ତାନ ଉପରେହିଁ ପ୍ରତିଶୋଧ ନେବ !

 

କେବଳ ଏହି କାରଣରୁହିଁ ସେ ନିଜ ସ୍ୱାମୀର ସଂସାରରେ ନିଜକୁ ସେ ବେଶି ଭାବରେ ନିୟୋଜିତ କରିଛି । ଭୁଲିଯିବାକୁ ଚେଷ୍ଟା କରିଛି ନିଜର ଅତୀତର ସ୍ମୃତି । କିନ୍ତୁ ଯାହା ମଣିଷ ଚାହେଁ, ତାହା ସବୁବେଳେ ପାଏ ନାହିଁ । ଅତୀତଠାରୁ ନିଜକୁ ବିଚ୍ଛିନ୍ନ କରି ବର୍ତ୍ତମାନକୁ ଶୁଭ୍ର-ସୁନ୍ଦର କରିବାକୁ ଚେଷ୍ଟା କରି ସେ ପାରିନାହିଁ ।

 

ଏଇ କେଇଦିନ ଧରି ତା’ର ମନେ ହୋଇଛି, ନିଜ ସ୍ୱାମୀଙ୍କ ସହ ନିଜ ପ୍ରେମିକକୁ ଯଦି ସେ ଫେରି ପାଆନ୍ତା ! ତା’ର ସ୍ୱାମୀଙ୍କ ଭଳି ବିନୋଦ ଯଦି ତା’ ପାଖରେ ଆଗ ଭଳି ସବୁବେଳେ ଲାଗି ରହନ୍ତା, ତାହାହେଲେ ହୁଏତ ଜୀବନର ସମସ୍ତ ଗ୍ଳାନି ସେ ପାସୋରି ଦେଇପାରନ୍ତା ! ଆଉ ସ୍ୱାମୀ ଯଦି ତା’ର ଅତୀତ କଳଙ୍କକୁ ସହ୍ୟ କରି ପାରିଲେ, ବିନୋଦର ଉପସ୍ଥିତିକୁ ସହ୍ୟ କରି ସେ ପାରିବେ ନାହିଁ କାହିଁକି ?

 

ପ୍ରଣତି ମନେମନେ ହସି ଉଠିଲା ।

 

ନା–ବିନୋଦ ଓ ଅନ୍ୟ ପୁରୁଷଙ୍କ ଭଳି ସ୍ୱାମୀ ମଧ୍ୟ ତା’ର ଭୀଷଣ ସ୍ୱାର୍ଥପର । ସେ ତା’ର ଅତୀତକୁ କ୍ଷମାକରିଛନ୍ତି, କାରଣ ତା’ ଛଡ଼ା ତାଙ୍କର ଅନ୍ୟ କିଛି ଉପାୟ ନଥିଲା । କିନ୍ତୁ ସେ ଜାଣି ଜାଣି ନିଜ ପତ୍ନୀର ଦେହ-ମନରୁ ଆଉ କାହାକୁ ଭାଗ ଦେବେ, ଏହା ତାଙ୍କ ପକ୍ଷରେ ଏକାନ୍ତ ଅସହ୍ୟ !

 

ତା’ ସ୍ୱାମୀ ଭଳି ପୁରୁଷମାନେ ଚାହାନ୍ତି, ସ୍ତ୍ରୀ ଯଦି ତା’ର ବ୍ୟଭିଚାରିଣୀ ହେବ, ତାହାହେଲେ ସେ ବ୍ୟଭିଚାର ତାଙ୍କ ଦୃଷ୍ଟିର ଅନ୍ତରାଳରେ ହେଉ, କିନ୍ତୁ ଦୃଷ୍ଟିର ସୀମା ଭିତରେ ସେପରି କୌଣସି ଘଟଣା ରକ୍ତମାଂସର ଦେହ ଧରି ସେମାନେ ବରଦାସ୍ତ କରି ପାରିବେ ନାହିଁ !

 

କିନ୍ତୁ ନିଜ ମନ ସହିତ ଲୁଚକାଳି ଖେଳି କେତେଦିନ ଅଭିନୟ କରିବ ପ୍ରଣତି ?

 

ସେ ଶଯ୍ୟା ତ୍ୟାଗ କରି ଧୀରେ ଧୀରେ ଉଠିଲା ।

 

ଖୁବ୍ ଆସ୍ତେ ଦରଜା ଖୋଲି ବାହାରକୁ ଗଲା ।

 

ରାତ୍ରିର ଆକାଶରେ ଚାଲିଛି ଭୀରୁ ଚନ୍ଦ୍ରିକାର ଅଭିସାର । ଧୀର ପ୍ରବାହିନୀ ସମୀରଣର ସ୍ପର୍ଶରେ ତନୁ ମନ ଉଚ୍ଚକିତ ହୋଇ ଉଠିଛି । ସେ ଚାରିଆଡ଼କୁ ଚାହିଁଲା, କେହି ନାହାନ୍ତି । ଚାରିଆଡ଼ ଚୁପ୍‍ଚାପ୍ । ଏମିତି ନିଶୁନ ଏକାକିନୀ ରାତ୍ରିରେ ପ୍ରଣତିର ମନ ଅକାରଣରେ ଏବେ କାହିଁକି ଉଦାସ ହୋଇ ଉଠେ । ସ୍ୱାମୀଙ୍କ ରକ୍ତର ସନ୍ତାନକୁ ଜନ୍ମ ଦେଇ ସାରିବା ପରେ ତା’ର ଏବେ ମନେହେଉଛି, ଯେଉଁ ପାପକୁ ସେ ଗୋପନ କରି ନିଜ ଭିତରେ ରଖିଥିଲା, ସେ ପାପକୁ ଜୀବନ୍ୟାସ ଦେଇ ସେ ଏବେ ପୃଥିବୀ ଉପରେ ଠିଆ କରାଇଛି । ନିଲଜ ଭାବରେ ସୁଖୀ ହେବାପାଇଁ ସେହି ପାପକୁ ସେ ବୁକୁର ଅମୃତ ଦେଇ ବଡ଼ କରୁଛି !

 

ଏକ ଅବରୁଦ୍ଧ କ୍ରନ୍ଦନର ଉଚ୍ଛ୍ୱାସରେ ମନ ତା’ର ଭାରି ଭାରି ହୋଇ ଉଠିଲା ।

 

ଅସହାୟ ଭାବରେ, ବିକଳ ଦୃଷ୍ଟିରେ ଚାହିଁ ସେ ରହିଲା ଦୀଗହୀନ ଆକାଶ ଆଡ଼େ । ତା’ର ଇଚ୍ଛା ହେଉଥିଲା, ପୁଣି ସେ ଫେରିଯିବ ତା’ର କୁମାରୀ ଜୀବନକୁ...ପ୍ରଣୟର ନୀଳ ବିହଙ୍ଗୀ ହୋଇ ସ୍ୱାଧୀନ ଭାବରେ ଉଡ଼ିଯିବ ବିନୋଦର ନିଃସଙ୍ଗ ନୀଡ଼କୁ । ଥରି ଥରି ଭିକ୍ଷା କରିବ, ମତେ କୋଳକୁ ନିଅ । ବାହାରର ଝଡ଼ ବତାସରୁ ରକ୍ଷା କରିବାପାଇଁ ମତେ ତମ କୋଳରେ ଆଶ୍ରୟ ଦିଅ । ମୁଁ ଆଉ କେବେ ସୁଖ ଲୋଭରେ ଲକ୍ଷ୍ୟଚ୍ୟୁତ ହେବି ନାହିଁ...କକ୍ଷଚ୍ୟୁତ ହେବିନାହିଁ...

 

ପ୍ରଣତି ଅନୁଭବ କଲା, ତା’ ଦୁଇ ଆଖି ବିନ୍ଦୁ ବିନ୍ଦୁ ଲୁହରେ ଭରିଉଠିଛି ।

 

ସତରେ ସେ କାନ୍ଦୁଛି ।

 

ପାଖରେ ବିନୋଦ ନାହିଁ । ସ୍ୱାମୀ ନାହାନ୍ତି । ବାପା, ଭାଇ ମଧ୍ୟ ନାହାନ୍ତି ।

 

ପୁଅ ବୋଧହୁଏ କାନ୍ଦୁଛି । ସ୍ୱାମୀଙ୍କର ନିଦ ବୋଧହୁଏ ଭାଙ୍ଗିଲାଣି ।

 

ଅଭିନୟ କରିବାପାଇଁ ଆଖିରୁ ଲୁହ ପୋଛିନେଲା ପ୍ରଣତି । ତାକୁ ଏଥର ଫେରିଯିବାକୁ ହେବ ।

 

।। ଚଉଦ ।।

 

ସେମାନେ ଜଙ୍ଗଲକୁ ଯାଉଥିଲେ ।

 

ସହରଠାରୁ ଅନେକ ଦୂରରେ...ଯେଉଁ ଜଙ୍ଗଲ ଆକାଶର ସ୍ତର ସ୍ତର କଳା ମେଘ ଭଳି ଦୂରରୁ ଦେଖା ଯାଉଥିଲା...ଶିକାର କରିବାକୁ । ବିନୋଦ ଆଉ ମଦନକୁ ଛାଡ଼ିଦେଲେ (ଜଙ୍ଗଲ କହିଲେ ସେ ଦୁହିଁଙ୍କର ନନ୍ଦନ କାନନ କଥାହିଁ କେବଳ ମନେ ପଡ଼େ !) କୃପାମୟ, ସୀତାନାଥର ଜଙ୍ଗଲ ସହିତ ନିବିଡ଼ ପରିଚୟ । କିନ୍ତୁ ଚାରିବନ୍ଧୁ ମିଳିମିଶି ଶିକାରକୁ ଯିବେ...ଜଙ୍ଗଲ ଭିତରେ ବାଟ ହଜାଇ ଏଣେତେଣେ ଘୂରି ବୁଲିବେ, ଏ ଯୋଜନା ସେମାନଙ୍କର ଅନେକ ଦିନର ।

 

ଜିପ୍ ଆଗର ୪୭୫ ଡବଲ୍ ବ୍ୟାରେଲ୍ ରାଇଫଲଟା କାନ୍ଧରେ ପକାଇ ସୀତାନାଥ ଶିକାରୀ କାଇଦାରେ ବସିଥିଲା । ଜଙ୍ଗଲକୁ ଆସିବ ବୋଲି ଅନେକ ଦିନୁ ମନ ତା’ର ଉଚ୍ଛନ୍ନ ହେଉଛି । କିନ୍ତୁ ଅଫିସ୍‍ ଫାଇଲ୍‍ର ଅରଣ୍ୟରୁ ମୁକ୍ତି ନେଇ ସବୁଜ, ଘଞ୍ଚ ଘାସ-ଗଛର ଅରଣ୍ୟକୁ ଆସିବାପାଇଁ ତା’ର ଭୀଷଣ ସମୟ ଅଭାବ !

 

ନା, ଆଜି ଯାହା ହେଉ ସେ ଗୋଟାଏ କିଛି ଶିକାର କରିବ । ହରିଣ ନହେଲେ ବାର୍‍ହା, ଆଉ ତା’ ଯଦି ନହୁଏ ଗୋଟାଏ କୋଚିଳାଖାଇ ପକ୍ଷୀ... ! ଫରେଷ୍ଟର୍ କହୁଥିଲେ, ପଶୁ ଶିକାର ହୁଏତ ମୂଳରୁ ମିଳି ନପାରେ । ସେଥିପାଇଁ ଫରେଷ୍ଟବଙ୍ଗଳାରେ ଦୁଇଟା ମୁର୍ଗିପାଇଁ ସେ ଅଡ଼ର୍ ଦେଇଛନ୍ତି । ଫେରିଲାବେଳେ ଖାଇ ଯିବାକୁ ପଡ଼ିବ । ଫରେଷ୍ଟରଙ୍କ ଉପରେ ମନେମନେ ଭୀଷଣ ବିରକ୍ତ ହୋଇଗଲା ସୀତାନାଥ । ଯେଉଁ ପକ୍ଷୀ ଆକାଶଚାରୀ ନୁହେଁ, ତା’ ମାଂସର ସ୍ୱାଦ ଥାଇପାରେ, କିନ୍ତୁ ତାକୁ ଖାଇଲାବେଳେ ମନରେ କିଛି ଉଦ୍ଦାମ ଆନଦ ସୃଷ୍ଟି ହୁଏ ନାହିଁ । ଆଉ ଜଙ୍ଗଲ ଭିତରୁ ପଶୁଗୁଡ଼ାକ ହଠାତ୍ ଉଭାନ ହୋଇ ଗଲେ କୁଆଡ଼େ ?

 

ମଦନ ଗୋଟାଏ କ’ଣ ଗୀତର ସୁର୍ ଧରିଛି । ଶିକାର ଗୀତ । କୃପାମୟ ସିଗାରେଟ ଟାଣୁଛି ଏବଂ ବେଳେବେଳେ ନିଜ ଶିକାର ଅଭିଜ୍ଞତା ସମ୍ପର୍କରେ ଛୋଟ ଛୋଟ ସ୍ମରଣୀୟ ଘଟଣା ସମସ୍ତ କର୍ଣ୍ଣ ଗହ୍ୱରକୁ ଫିଙ୍ଗି ଦେଉଛି । କିପରି ଗୋଟାଏ ଚିତାବାଘକୁ ଫାୟାର୍ କଲାବେଳେ ହଠାତ୍ ଗୁଳି ସରିଗଲା, ଆଉ ସଙ୍କଟର ଘୂର୍ଣ୍ଣି ମଧ୍ୟରୁ ପ୍ରାଣନେଇ ପଳାଇ ଆସିଲାବେଳେ ଜଙ୍ଗଲରେ ସେ ବାଟ ଭୁଲିଗଲା...ଇତ୍ୟାଦି ଇତ୍ୟାଦି ।

 

ହଠାତ୍ ମଦନ ପାଟିକରି ଉଠିଲା, ଏଇ ସେ ଜଙ୍ଗଲ... ।

 

ପ୍ରଧାନ ରାସ୍ତା ଛାଡ଼ି ଡ୍ରାଇଭର ସେତେବେଳକୁ ଜିପ୍‍ଟାକୁ ଘୂରେଇ ନେଇଥିଲା ସେହି ସରୁ ସର୍ପିଳ ତିଖ ପାହାଡ଼ୀ ରାସ୍ତାରେ । ରାସ୍ତାର ଦୁଇପଟେ ପାହାଡ଼ । ଆଉ ଅଳ୍ପ ବାଟ ଗଲେ ଅରଣ୍ୟ ପ୍ରବେଶ ପଥ । ବିନୋଦ ଜଙ୍ଗଲ ଆଡ଼କୁ ଚାହିଁଲା ।

 

ଶାଳ, ସାଗୁଆନ ଆଉ କେନ୍ଦୁ, କୋଚିଳା ଗଛର ଧାଡ଼ି ଲମ୍ବି ଯାଇଛି । ଜିପ୍ ଯିବାପାଇଁ ଯେଉଁ ସରୁ ରାସ୍ତା ପଡ଼ିଛି ତା’ ଚାରିପଟେ କାଇଚା ଆଉ ଅମରୀ ଗଛର ବୁଦୁବୁଦିକିଆ ଜଙ୍ଗଲ । ଗୋଟାଏ ଗଛରେ ଏତେ ବାଇଗଣୀ ଫୁଲ ଭର୍ତ୍ତି ହୋଇଛି ଯେ ଗଛର ପତ୍ର ସୁଦ୍ଧା ଦେଖାଯାଉ ନାହିଁ-!

 

ସୀତାନାଥ କହିଲା, ଫ୍ଲାସ୍‍ରୁ କିଛି କଫି ଢାଳ୍ ମଦନ ! ମୁଁ ଆଗ ମୋ କଣ୍ଠନଳୀଟାକୁ ଓଦା କରି ନିଏ !

 

ଫରେଷ୍ଟ ବଙ୍ଗଳାର ସେ ଡ୍ରାଇଭର କହିଲା, ଆଗରେ ଗୋଟିଏ ଜଳପ୍ରପାତ ଅଛି । ଚାଲନ୍ତୁ, ସେଠାରେ ଜିପ୍ ରଖିବା–ଆଉ ତ ଆଗରୁ ଯିବାପାଇଁ ରାସ୍ତାବି ନାହିଁ...

 

ଜଙ୍ଗଲ ମଧ୍ୟରେ ପ୍ରବେଶ କରି ସାରିଲା ପରେ ମନେ ହେଉଥିଲା ରାତି ହୋଇ ଆସୁଛି-! ନିଘଞ୍ଚ ଗଛଲତାର ପତ୍ର ଫାଙ୍କରେ ଯେଉଁ ସୂର୍ଯ୍ୟ କିରଣ ଝରି ପଡ଼ୁଥିଲା, ଆଚ୍ଛନ୍ନ ଅନ୍ଧକାରକୁ ଦୂର କରିବାପାଇଁ ତାହା ସାମାନ୍ୟ ମାତ୍ର...ସେଇ ସୁନେଲି କିରଣରେ ଛୁଆର ଥଣ୍ଟ ଭଳି ଅଙ୍କୁରିତ ଶାଳଗଜା ଦେଖା ଯାଉଥିଲା ଲାଲ୍ ଚହଚହ...

 

ଜଳପ୍ରପାତ ଆଗରେ ଜିପ୍ ଠିଆ କରିଦେଇ ଡ୍ରାଇଭର କହିଲା, ଦୁଇବର୍ଷତଳେ ଏଇ ଜଳପ୍ରପାତ ପାଖରେ ଗୋଟାଏ ଆକ୍‍ସିଡ଼େଣ୍ଟ ହୋଇଥିଲା । ଦୁଇଜଣ ବାବୁ ଆଉ ବାବୁଆଣୀ ଆସିଥିଲେ ଜଙ୍ଗଲ ଦେଖି...ଜଣେ ବାବୁ ନିଜେ ଗାଡ଼ି ଚଳାଉଥିଲେ...ଆଗରେ ହଠାତ୍ ଜଳପ୍ରପାତ ପଡ଼ିଗଲା...ବ୍ରେକ୍ ଦବା ଆଗରୁ ତିଖ ପାହାଡ଼ିଆ ରାସ୍ତାରେ ଗାଡ଼ିର ଚକା ଖସିଗଲା...ତା’ପରେ ସେ ପାହାଡ଼ ଖାଲରେ ବାବୁ ବାବୁଆଣୀ ଦୁଇଜଣ...

 

ଡ୍ରାଇଭର କଥା ଶେଷକରି ପାରିଲା ନାହିଁ । କଥାର କାରୁଣ୍ୟରେ ତା’ର ଦୁଇ ଆଖିପତାରେ ଯେଉଁ ଲୁହ ଛଳଛଳ ହେଉଥିଲା, ସେଥିରୁ ଜଙ୍ଗଲ-ଦର୍ଶନର ସେ ବିୟୋଗାନ୍ତକ ପରିଣତି କଥା ବନ୍ଧୁ ଚାରିଜଣ ବେଶ୍ ଅନୁମାନ କରିପାରୁଥିଲେ ।

 

ଡ୍ରାଇଭର କହିଲା, ଅଳ୍ପ ଦୂରରେ ସେମାନଙ୍କ ସମାଧି ଅଛି...ଯେଉଁମାନେ ଜଙ୍ଗଲ ଦେଖି ଆସନ୍ତି, ସେ ସମାଧି ଉପରେ ସେମାନେ ଫୁଲ ରଖି ଲୁହ ଢାଳି ଯାଆନ୍ତି...

 

ଡ୍ରାଇଭର କଥା କହିବା ଭଙ୍ଗୀଟି ବେଶ୍ ଚମତ୍କାର ।

 

କିନ୍ତୁ ସେ ଚାରି ବନ୍ଧୁଙ୍କ ମଧ୍ୟରୁ କାହାରି ଜଣକଠାରେ ହେଲେ ସମାଧି ଉପରେ ଫୁଲ ଚଢ଼େଇବାର ଇଚ୍ଛା ଜାଗ୍ରତ ହେଲା ନାହିଁ । ଅଶ୍ରୁ ତର୍ପଣର ଦୂରର କଥା ! କାରଣ ବୋଧହୁଏ ସେମାନଙ୍କ ନିଜ ହୃଦୟ ଗୋଟିଏ ଗୋଟିଏ ସମାଧି ମନ୍ଦିର, ଯାହା ଉପରେ ରାତ୍ରି-ଦିବା ସେମାନେ ଅଶ୍ରୁ ପୁଷ୍ପ ଅର୍ପଣ କରୁଛନ୍ତି !

 

ସେମାନେ ଜଳପ୍ରପାତ ପାଖରେ ଠିଆହେଲେ ।

 

କଳକଳ ଜଳର ଉଚ୍ଛ୍ୱାସ ସୃଷ୍ଟି କରି, ପାହାଡ଼ ବୁକୁ ବିଦୀର୍ଣ୍ଣ କରି ରୌଦ୍ରସ୍ନାତ ଉତ୍ସରିତ ଜଳଧାରା ସୃଷ୍ଟି କରିଥିଲା ବିଚିତ୍ର ଏକ ଦୃଶ୍ୟ । ପ୍ରପାତର ପାଦଦେଶରେ ସେହି ପାହାଡ଼ୀ ଜଳାଶ୍ରୟ, ବୁକୁରେ ଯାହାର ଭାସି ଯାଉଥିଲା ନାମ-ଅଜଣା ଅନେକ ବନ୍ୟ-କୁସୁମ ! ଏହି ଜଳପ୍ରପାତ, ପାହାଡ଼ୀ ଜଳାଶୟ, ଆଖିରେ ଯିଏ ଲଗାଇଦିଏ ସ୍ୱପ୍ନର ଅଞ୍ଜନ, ସେଠାରେ ଏପରି ଏକ କରୁଣ ଦୁର୍ଘଟଣା ଘଟିଥିଲା ?

 

ଜଳପ୍ରପାତର ସୀମା ଛାଡ଼ି ବିନୋଦ ଗୋଟିଏ ମୁଣ୍ଡା ପାହାଡ଼ ଉପରେ ଅନଭ୍ୟସ୍ତ ଭାବରେ ଉଠିବାକୁ ଚେଷ୍ଟା କରୁଥିଲା ! ଆର୍କିଡ଼ ଫୁଲର ସୁଗନ୍ଧ କେଉଁଠୁ ବୋଧହୁଏ ଭାସି ଆସୁଛି । ପାହାଡ଼ ତଳେ ଲମ୍ବା ଲମ୍ବା ଘାସ । ଜଙ୍ଗଲର ଗୋଟିଏ ପାର୍ଶ୍ୱ ଯଦି ସମତଳ, ଅନ୍ୟ ଏକ ଅଂଶ ସମୁଚ୍ଚ, ବନ୍ଧୁର । ଗୋଟିଏ ପଟେ ଯଦି ଝାଉଁ ଗଛ ଖୁନ୍ଦାଖୁନ୍ଦି, ଅନ୍ୟପଟେ ଧାଡ଼ି ଧାଡ଼ି ଶାଳ, ଶାଗୁଆନ ଗଛ ଭିଡ଼ । ଆଇ ଏଇ ପାହାଡ଼ ଉପରୁ ସେ ଜଳପ୍ରପାତ କି ସୁନ୍ଦର ଦିଶୁଛି ସତେ !

 

ବିନୋଦ ତିନି ବନ୍ଧୁଙ୍କୁ ହାତ ଠାରି ଡାକିଲା, ଆସ...ଆସ...

 

ଜଣକ ପରେ ଜଣେ–ତିନି ବନ୍ଧୁ ଉଠିଗଲେ ସେ ମୁଣ୍ଡା ପାହାଡ଼ ଉପରକୁ ।

 

ଏତେଗୁଡ଼ାଏ ମଣିଷଙ୍କୁ ପାହାଡ଼ ଉପରେ ଦେଖି ଫଡ଼୍‍ଫଡ଼୍ ଡେଣା ଝାଡ଼ି ପଞ୍ଝାଏ ବନ୍ୟ ବିହଙ୍ଗ ଆକାଶ ଉପରକୁ ଉଠିଗଲେ ।

 

ଓଠରେ ଏକ ସୁନ୍ଦର ଭଙ୍ଗୀ କରି ସୀତାନାଥ ସୁସୁରି ବଜାଇବାକୁ ଲାଗିଲା ।

 

ମନଦ କହିଲା, ତୁ ତ ବେଶ୍ ସିଟି ବଜାଇ ଜାଣୁରେ ସୀତାନାଥ... !

 

ସୀତାନାଥ ହସି ହସି କହିଲା, ଏତ ମୋର ଏକ ବିସ୍ମୃତ କଳା ! ଆଇ.ଏ.ଏସ୍‍. ପାଇଲା ପରେ ଚେଷ୍ଟା କରି ମଧ୍ୟ ସୁସୁରି ବଜାଇବାକୁ ମୁଁ ଚେନାଏ ନିରୋଳା ସ୍ଥାନ ପାଉନାହିଁ । ଆଉ ରେଭେନ୍‍ସା କଲେଜରେ ପଢ଼ୁଥିଲାବେଳେ ଗୋଟିଏ ଝିଅକୁ ଦେଖି ସୁସୁରି ମାରି ଦେଇଥିଲି ବୋଲି ପ୍ରିନ୍‍ସିପାଲଙ୍କୁ ଦଶଟଙ୍କା ଜୋରିମାନା ଦେଇଥିଲି ଜାଣୁନା !

 

ସୀତାନାଥର ସୁସୁରିମରା ସଂସ୍କୃତି କଥା ତା’ର ବନ୍ଧୁମାନଙ୍କୁ ଅଜ୍ଞାତ ନୁହେଁ । କିନ୍ତୁ ସେଠାରେ ସେ ସମ୍ପର୍କରେ କେହି କିଛି ମନ୍ତବ୍ୟ କଲେ ନାହିଁ ।

 

ସୀତାନାଥ ମନଦୁଃଖରେ କହିଲା, ଆଜିକାଲିବି ଅଫିସ୍‍ରେ କୌଣସି କ୍ଷୀଣମଧ୍ୟା ଲେଡ଼ି ଆସିଷ୍ଟାଣ୍ଟକୁ ଦେଖିଦେଲେ ସୁସୁରି ମାରିବାପାଇଁ ମୋ ଓଠ ସେଟ୍ ହୋଇଯାଏ, କେବଳ ମୋର ସରକାରୀ ଆଇ.ଏ.ଏସ୍. ଆତ୍ମା ତଣ୍ଟି ଚିପି ଧରେ ବୋଲି ସୁସୁରିର ସ୍ୱର ଓଠର ହିଡ଼ ଡେଇଁ ବାହାରକୁ ବାହାରେ ନାହିଁ । ଅନେକ ସୁସୁରିର ସ୍ୱର ମୋ ଛାତି ଭିତରେ ଚାପା ପଡ଼ ଫସିଲ୍‍ ହୋଇ ଯାଉଛି ମଦନ ! ତୁ ଶଳା ସେକଥା କ’ଣ ବୁଝିବୁ !

 

ମଦନ ହଠାତ୍ ରାଗିଗଲା ।

 

କହିଲା, ଆଇ.ଏ.ଏସ୍. ହୋଇଗଲେ ଲୋକ ମହାପୁରୁଷ ହୋଇଯାଏ ନାହିଁ । ତୁ ବିରାଡ଼ି ବୈଷ୍ଣବ ବୋଲି ଯାହା ଦେଖାଇ ହେଉଛୁନା, ସେ କଥା ମୁଁ ଜାଣେ । ଜଣେ କଣ୍ଟ୍ରାକ୍ଟର ତୋ ଅଫିସ୍‍କୁ ଟେଣ୍ଡର ନେଇ ଯାଇଥିଲା, ତୁ ତା’ ସ୍ତ୍ରୀକୁ ତିନିଥର କାର୍‍ରେ ବସାଇ ଶଳା ଚିଲିକା ପିକ୍‍ନିକ୍ କରି ଯାଇଥିଲୁ । ତୁ ଭାବୁଛୁ ମୁଁ ପତ୍ରପତ୍ରିକା ପଢ଼େ ନାହିଁ !

 

ହଠାତ୍ ଗୋଟିଏ ସାମ୍ବାଦିକ କୁତ୍ସା ମଦନ ମୁହଁରୁ ଶୁଣି ସୀତାନାଥ ମିଜାଜ୍ ବରଫ ପାଲଟିଗଲା । କେଉଁ ଧର୍ମଯାଜକ ପାଖରେ ନିଜର ମୃତ୍ୟୁକାଳୀନ ସ୍ୱୀକାରୋକ୍ତି ପାଠ କଲାଭଳି ସେ ଶୀତଳ କଣ୍ଠରେ କହିଲା, ତୋ ରାଣ ଖାଉଛି ମଦନ ! ଆଇ.ଏ.ଏସ୍. ପାଇ ବାହାହେବା ଆଗରୁ ମୁଁ କେତେ ଚଢ଼େଇଙ୍କୁ ଉଡ଼େଇଛି ତୁ ଜାଣୁ, କିନ୍ତୁ ବାହାହେବା ପରେ ଚଢ଼େଇ ତ ଦୂରର କଥା, ଗୋଟିଏ ଚଢ଼େଇର ଡେଣା ସୁଦ୍ଧା ଦେଖିନାହିଁ । ଘରେ ତ ଦୁଧଭାତ ଦେଇ କାଳସର୍ପିଣୀ ପୋଷିଛି, ଆଉ ମୁହଁ ଆମିଷ କରିବାକୁ ଉପାୟ କ’ଣ ?

 

କିନ୍ତୁ ମୁଁ ଯାହା କହିଲି, ତାହା ତ ଗୋଟିଏ ଦୈନିକ ପତ୍ରିକାରେ ପ୍ରକାଶ ପାଇଥିଲା ! –ମଦନ କୈଫିୟତ୍ ଦେବାଭଳି ବାକ୍ୟଟି ଉଚ୍ଚାରଣ କଲା ।

 

ସୀତାନାଥ କହିଲା, ସମ୍ବାଦପତ୍ର କଥା ଯଦି ସତ୍ୟ ହୁଅନ୍ତା, ତାହାହେଲେ ମୋ ଚାକିରି ଖଣ୍ଡକ ଅନେକ ଦିନୁ ହାତଛଡ଼ା ହୋଇ ଯାଆନ୍ତାଣି । କିଛିଦିନ ତଳେ ମୋର ଜଣେ ସହକର୍ମୀଙ୍କ ଘରକୁ ଜଣେ ଭଦ୍ରଲୋକ ଟେଣ୍ଡର ନେଇ ଆସିଥିଲେ । ବିଚାରୀ ଅଫିସର ବନ୍ଧୁଜଣକ ସଚ୍ଚୋଟପଣିଆ ଦେଖେଇବାକୁ କହିଲେ, ଅଫିସ୍ କାମ ଅଫିସ୍‍ରେ କଥାବାର୍ତ୍ତା ହେବା । ତାଆରଦିନ ଭଦ୍ରଲୋକ ନିଜେ ନଯାଇ ସ୍ତ୍ରୀଙ୍କୁ ପଠାଇଲେ ଅଫିସ୍‍କୁ । ଆଉ ଜାଣିଛୁ କ’ଣ ହେଲା ? ଟେଣ୍ଡର ଗ୍ରହଣ ସମ୍ପର୍କରେ ଭଦ୍ରମହିଳାଙ୍କୁ ଯେତେବେଳେ ଅଫିସର ଜଣକ ବୁଝାଇଲେ ଏବଂ କିଛି ଅନ୍ୟାୟ କାର୍ଯ୍ୟ କରିପାରିବେନାହିଁ ବୋଲି କହିଲେ, ଅଫିସର ଜଣଙ୍କୁ ମାଡ଼ି ବସି ଭଦ୍ରମହିଳା ଚିତ୍କାର କଲେ, ମୋ ସତୀତ୍ୱର ବାର ବାଜିଗଲା... ! ତା’ପରେ ସେ ଯେଉଁ ହୁଲସ୍ତୁଲ କାଣ୍ଡ...ତୁ ଶଳା ତ ଏତେ ଖବରକାଗଜ ପଢ଼ୁ, ଏ ରାଗବୁଟ, ବାରମଜା ସମ୍ବାଦ ତ ନିଶ୍ଚୟ ପଢ଼ିଥିବୁ ? ବର୍ତ୍ତମାନ ସେ ଅଫିସର ଜଣକ ସସ୍‍ପେଣ୍ଡ୍ ହୋଇ ବସିଛନ୍ତି...ବୁଝିଲୁ, ଖବରକାଗଜ ବିକ୍ରି କରିବାପାଇଁ ଯାହା ତାହା ସମ୍ବାଦ ଯେତେ ସହଜ, ଅସଲ କାର୍ଯ୍ୟ କରିବା ସେଡ଼େ ସହଜ ନୁହେଁ । ଆଉ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଏଣୁତେଣୁ ଲେଖିବା ଆମ ପତ୍ରପତ୍ରିକାମାନଙ୍କର ଗୋଟିଏ ଗୋଟିଏ ଫେସନ ହୋଇଗଲାଣି, କାରଣ ବାଦ ପ୍ରତିବାଦ କରିବାର ସୁବିଧା ସେମାନଙ୍କର ସଂକୁଚିତ !

 

କଥା ଶେଷ କରି ସୀତାନାଥ ରୁମାଲରେ ମୁହଁ ପୋଛିଲା ।

 

ଏପର୍ଯ୍ୟନ୍ତ ନୀରବ ଶ୍ରୋତା ଭୂମିକା ଗ୍ରହଣ କରିଥିବା କୃପାମୟ ମୁହଁରେ ଚାଞ୍ଚଲ୍ୟ ଦେଖାଦେଲା । ସେ କହିଲା, ଆସ ଆଜି ଏ ଅରଣ୍ୟରେ ନିଜ ନିଜ ଶାଢ଼ିପିନ୍ଧା ମନକୁ ନଗ୍ନ କରି ଦେବା । ଏଠାରେ ସମାଜ ନାହିଁ, ସରକାରୀ ଅଫିସର ନିୟମ କାନୁନ ମଧ୍ୟ ନାହିଁ । ଯେଉଁ କଥା କାହାକୁ କେବେହେଲେ ସମାଜ ଭିତରେ ଭୟରେ କହିହେବ ନାହିଁ, Let us confess that truth here and now । ସତକୁହ, ବିବାହ କଲେ ଯେଉଁ ବାଞ୍ଛିତ ତୃପ୍ତି ପାଇବା ବୋଲି ପୂର୍ବରୁ ଆମେ ଆଶା କରିଥିଲେ, ତା’ କ’ଣ ଆମେ ପାଇ ପାରିଛେ ?

 

ଜୀବନର ଏକ ଜଟିଳ, ବାସ୍ତବ ସତ୍ୟ !

 

ମଦନ ଇତଃସ୍ତତଃ ହେଲା ।

 

କହିଲା, ମୁଁ ସ୍ୱର ଶିଳ୍ପୀ । କାଳହିଁ ମୋର ସାଧନା । ବିବାହିତ ଜୀବନରେ ମୁଁ କିଛି ଦୁର୍ଲ୍ଲଭ ପଦାର୍ଥ କେବେହେଲେ କାମନା କରି ନଥିଲି, ତେଣୁ ବିବାହ ପରେ ତଜ୍ଜନିତ ବ୍ୟର୍ଥତା ମତେ କେବେ ବ୍ୟଥିତ କରିନାହିଁ । ମୋର ହତାଶା ମୋର ଆର୍ଥିକ ଦୁରବସ୍ଥା ନେଇ...ମୋ ସନ୍ତାନର ଜନନୀଙ୍କ ଉପରେ ମୋର ରାଗ, କାରଣ ସେ ମୋର ଆର୍ଥିକ ଦୁରବସ୍ଥାକୁ ଆହୁରି ଶୋଚନୀୟ କରିବାପାଇଁ ଗୋଟିଏ ପରେ ଗୋଟିଏ ସନ୍ତାନ ଜନ୍ମଦେଇ ଚାଲିଛନ୍ତି... ।

 

କୃପାମୟ ପ୍ରତିବାଦ କଲା, ତୁ ଗୋଟାଏ ମାଇଚିଆ । ତୋ କଳନାର ପରିଧି ସଂକୀର୍ଣ୍ଣ । ତୁ କେବଳ ପିଲାଛୁଆଙ୍କ ବାପା ହେବାପାଇଁ ଏ ସଂସାରରେ ଜନ୍ମ ହୋଇଥିଲୁ... ।

 

ସୀତାନାଥ କହିଲା, ତୁ କିନ୍ତୁ ଭାଗ୍ୟବାନ କୃପାମୟ ! ତୋ ସ୍ତ୍ରୀଙ୍କ ଉଦାରତା ପାଖରେ ବେଳେବେଳେ ଆଣ୍ଠୁମାଡ଼ି ବସି ତାଙ୍କର ସ୍ତୁତି ଗାଇବାକୁ ମୋର ଇଚ୍ଛା ହୁଏ ! ତୁ ଯେକୌଣସି ଝିଅ ସାଙ୍ଗରେ ମିଶିଲେବି ତୋ ସ୍ତ୍ରୀ ତାକୁ ଯେପରି ହସି ହସି ସମର୍ଥନ କରନ୍ତି... !

 

କୃପାମୟ ମୁହଁରେ ବେଦନାର ଛାୟା ଘନୀଭୂତ ହୋଇ ଆସିଲା ।

 

ସେ କହିଲା, ପାକସ୍ଥଳୀ ଖରାପ କରି ଦେଇ ସାରିଲା ପରେ ଗୁରୁପାକ ଖାଦ୍ୟ ଆଣି ବାଢ଼ି ଦେଲେ ଯାହା ଅବସ୍ଥା ହୁଏ, ମୋ ଅବସ୍ଥା ଠିକ୍ ସେମିତି । ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବାପାଇଁ ଟଙ୍କା ରୋଜଗାର କରି କରି ମୋର ଅକାଳ ବାର୍ଦ୍ଧକ୍ୟ ଆସି ଗଲାଣି । ମୋ ପ୍ରେମିକ-ହୃଦୟ ପୂରାପୂରି ଜଖମ ହୋଇ ଯାଇଛି...ଆଉ ମରାମତି ପ୍ରଶ୍ନହିଁ ନାହିଁ...

 

ତିନିବନ୍ଧୁଙ୍କ ମୁହଁରେ ବ୍ୟର୍ଥତାର ଏକ ମ୍ଳାନ ହସ ଉଇଁ ଆସି ପୁଣି ସାଙ୍ଗେ ସାଙ୍ଗେ ଅସ୍ତ ହୋଇଗଲା ।

 

ବିନୋଦ ସେତେବେଳେ ଏ ତିନିଜଣଙ୍କଠାରୁ ଦୂରରେ ଠିଆ ହୋଇ ଗୋଟାଏ ଫୁଲଫୁଟା ପଲାଶ ଗଛକୁ ଚାହିଁ ରହିଥିଲା । ଏମାନଙ୍କ କଥା ଶୁଣି ମଧ୍ୟ ନ ଶୁଣିଲା ଭଳି ସେ ନିଜ ମନକୁ ନିଜେ ସାନ୍ତ୍ୱନା ଦେଉଥିଲା !

 

ସୀତାନାଥ ପାଟି କଲା, କେତେଦିନ ଆଉ ଗୋଟିଏ ଗଛର ଶୋଭା ଦେଖିବାପାଇଁ ଅରଣ୍ୟର ସାମଗ୍ରିକ ଜାଙ୍ଗଳିକ ସୁଷମା ଆଡ଼ୁ ଦୃଷ୍ଟି ଫେରାଇ ଠିଆ ହୋଇଥିବୁ ବିନୋଦ ! ବ୍ୟକ୍ତିଗତ ଜୀବନରେ ତୁ ଗୋଟିଏ ବିରାଟ ବ୍ୟର୍ଥତା ! ପ୍ରଣତି ଭିନ୍ନ ଆହୁରି ସୁନ୍ଦରୀ, ଶିକ୍ଷିତା, ସ୍ନେହମୟୀ ରମଣୀ ଯେ ଅଛନ୍ତି, ଏକଥା ଆମେ ଆଉ ତତେ କେମିତି ବୁଝାଇପାରିବୁ ?

 

ବିନୋଦ ସେମାନଙ୍କ ପାଖକୁ ଚାଲି ଆସି ତୀକ୍ଷ୍ଣଦୃଷ୍ଟିରେ ଚାହିଁଲା । ତା’ର ମନେ ହେଲା ତିନିଜଣ କ୍ଳାନ୍ତ ଭାଣ୍ଡ ସତେ ଯେପରି ଯୌବନର ମଧୁ ନିଃଶେଷ ପରେ କେବଳ ଓଠ ଚାଟୁଛନ୍ତି କିନ୍ତୁ ସ୍ୱାଦ ପାଉ ନାହାନ୍ତି ! ଅଥଚ ବର୍ଷ କେତୋଟି ତଳେ, ଅବିବାହିତ ବୟସରେ ଏ ତିନିଜଣଙ୍କଠାରେ କେତେ ପ୍ରାଣ-ପ୍ରାଚୁର୍ଯ୍ୟ, ନୀଳସ୍ୱପ୍ନ, ସରସତା ଭରି ରହି ନଥିଲା !

 

ପଲାଶ ଗଛକୁ ଚାହିଁଲା ବିନୋଦ । ରାଶି ରାଶି ଫୁଲରେ ଗଛ ପତ୍ର ମଧ୍ୟ ଦେଖାଯାଉ ନାହିଁ । ଫୁଲର ରଙ୍ଗରେ ଅରଣ୍ୟକୁ ରଙ୍ଗିନ କରି ଦେଇଛି ଏ ଗଛ ! କିନ୍ତୁ ସେ ଫୁଲରେ ବାସ ନାହିଁ-। ଠିକ୍ ତା’ର ଏଇ ତିନି ବନ୍ଧୁଙ୍କ ଜୀବନ ଭଳି !

 

ସମସ୍ତଙ୍କ ହାତ ଧରି ଟାଣିଲା ବିନୋଦ । ସେ ମୁଣ୍ଡା ପାହାଡ଼ ଛାଡ଼ି ସେମାନେ ଜଙ୍ଗଲର ଆଉ ଏକ ଅଂଶକୁ ଗଲେ, ଯେଉଁଠି ଛୋଟ ଛୋଟ ହଳଦିଆ ମହୁଲ ଫୁଲ ଝଡ଼ି ଗୋଟିଏ ଫୁଲର ବିଛଣା ତିଆରି କରିଥିଲା । ପଞ୍ଝାଏ ଦୁରାଗତ ବନ-ବିହଙ୍ଗ ଗଛ ଶାଖାରେ ଉଡ଼ି ବୁଲୁ ବୁଲୁ ଆରମ୍ଭ କରି ଦେଇଥିଲେ ସଙ୍ଗୀତ ସଭା । ପକ୍ଷ ତୋଳି ଉଡ଼ି ଗଲାବେଳେ ଡେଣାର ରଙ୍ଗରେ ସେମାନେ ଅରଣ୍ୟସାରା ରଙ୍ଗର ମୁରୁଜ ବିଞ୍ଚି ଦେଇ ଯାଉଥିଲେ ।

 

ହିଂସ୍ର ଦୃଷ୍ଟିରେ ସେମାନଙ୍କୁ ଚାହିଁ କୃପାମୟ କହିଲା, ସୀତାନାଥ ! ଫାୟାର୍...ଫାୟାର୍...

 

ଛି...ଛି...ଏ ପାଗଳାମୀ କର୍ ନାହିଁ ସୀତାନାଥ ! –ମଦନ ବାଧା ଦେଲା । କହିଲା, ଅରଣ୍ୟର ଏ ପ୍ରାକୃତିକ ନିର୍ଜ୍ଜନତା ନିସ୍ତବ୍ଧ ପ୍ରଶାନ୍ତିକୁ ଶିକାର କରି କିଛି ଲାଭ ମିଳିବ ନାହିଁ କୃପାମୟ-! ଶୁଣ, ନିଜର ନାନାରଙ୍ଗୀ ଚଞ୍ଚୁରେ ସଙ୍ଗୀତର କି ଅପୂର୍ବ ସୃଷ୍ଟି କରୁଛନ୍ତି !

 

ସୀତାନାଥବି କ୍ଳାନ୍ତ କଣ୍ଠରେ କହିଲା, ବିବାହ କରି ମୁଁ ମୋ ନିଜ ସ୍ୱାଧୀନତାକୁ ଶିକାର କରିଛି । ଏ ବନ ବିହଙ୍ଗଗୁଡ଼ାଙ୍କ ସ୍ୱାଧୀନତାକୁ ମୁଁ ଶିକାର କରିବାକୁ ଚାହେଁ ନାହିଁ !

 

ତୁ'ତ ବେଶ୍ ଏକ ଦାର୍ଶନିକ ଭଳି ଆଜି କଥା କହୁଛୁରେ ସୀତାନାଥ ! –ବିନୋଦ ବିସ୍ମିତ ଭାବରେ ପ୍ରଶ୍ନ କଲା ।

 

ତୁ ବେକୁବ୍ ତ ଏପର୍ଯ୍ୟନ୍ତ ସ୍ୱପ୍ନ ସାମ୍ରାଜ୍ୟରେ ସମ୍ରାଟ ହୋଇ ବସିଛୁ...ଯେତେ ଚେଷ୍ଟା କଲେବି ତତେ କେହି ରୂପସୀ-ଉର୍ବଶୀ ସିଂହାସନଚ୍ୟୁତ କରିପାରୁ ନାହାନ୍ତି...ଆଉ ମତେ ଥଟ୍ଟା କରିବୁ ନାହିଁ କାହିଁକି ? ମୁଁ ଯେ କି ଯନ୍ତ୍ରଣାରେ ଛଟପଟ ହେଉଛି, ତମେ ଶଳା ଯଦି ସବୁ ସେ କଥା ବୁଝନ୍ତ ନା... । କଥା ଶେଷ କରିବା ଆଗରୁ ଗୋଟିଏ ସିଗାରେଟରେ ଅଗ୍ନିସଂଯୋଗ କଲା ସୀତାନାଥ ।

 

ବିନୋଦ ସତରେ ଅବାକ୍ ହୋଇ ଯାଇଥିବାଭଳି ମୁଖଭଙ୍ଗୀ କରି କହିଲା, ମୁଁ ସମସ୍ତଙ୍କ କଥା ବୁଝେ...ତୋ ଦୁଃଖରେ କାରଣ ଆଦୌ ବୁଝିପାରେ ନାହିଁ । ମଦନ ତା’ ସ୍ତ୍ରୀ ଉପରେ ବିରକ୍ତ ହୁଏ ସ୍ତ୍ରୀର ଦୋଷ ଯୋଗୁଁ ନୁହେଁ, ନିଜ ଆର୍ଥିକ ଦୁରବସ୍ଥା ଯୋଗୁଁ...କୃପାମୟ ତା’ ସ୍ତ୍ରୀ ଉପରେ ରାଗେ, କାରଣ ଶଶୁରଙ୍କ କଥାରେ ସେ ତା’ ସମ୍ପତ୍ତି ସବୁ ସ୍ତ୍ରୀ ନାମରେ ରେଜିଷ୍ଟ୍ରି କରି ଦେଇଛି ବୋଲି–ତୁ'ତ ବୁଦ୍ଦୁ ଗୋଟାଏ ଏତେ ବଡ଼ ଅଫିସର ହୋଇଛୁ–ଏତେବଡ଼ ବଡ଼ଲୋକର ଶିକ୍ଷିତା ଝିଅକୁ ବିବାହ କରିଛୁ । ତୋର ଏ ହା-ହୁତାଶ କାହିଁକି ? ତୋ ସ୍ତ୍ରୀ ଅନ୍ୟ ଝିଅମାନଙ୍କ ସହିତ ତୋର ସମ୍ପର୍କକୁ ସହ୍ୟ କରି ପାରୁନାହିଁ ବୋଲି ? ଆମ ବାପ, ଅଜା, ଅଣଅଜା ତ ପୁଣି ଗୋଟିଏ ଗୋଟିଏ ନାରୀକୁ ନେଇ ସୁଖୀ ହେଉଥିଲେ !

 

କୃପାମୟ, ସୀତାନାଥ ଦୁହେଁ ଏକ ସ୍ୱରରେ ଆକ୍ରମଣ କଲେ ବିନୋଦକୁ ।

 

ହେ, ବିନୋଦ ! ତୁ ଆଉ ଆମକୁ ବେଶୀ ନୀତିଶିକ୍ଷା ଦେ ନାହିଁ ! ପିଲାଦିନୁ 'ବର୍ଣ୍ଣବୋଧ'ରୁ ଆରମ୍ଭ କରି ଅଫିସ୍ ରୁମ୍‍ରେ ଝୁଲୁଥିବା ମହାତ୍ମାଗାନ୍ଧୀଙ୍କ ବାଣୀରୁ ଆମେ ଏ ନୀତିବାଣୀମାନ ଶୁଣି ଆସୁଛୁ । ତୁ ଯେଉଁ ଯୁଗର କଥା କହୁଛୁ, ସେ ଯୁଗରେ ସ୍ୱାମୀ ଥିଲେ ଦେବତା, ପତ୍ନୀ ଥିଲେ ଦେବୀ । ଆଉ ଏ ଯୁଗରେ... ! ପ୍ରଣତି ଉପାଖ୍ୟାନରୁ ତୁ କିଛି ନୀତିବାଣୀ ଶିକ୍ଷା କଲୁନାହିଁ... !

 

ବିନୋଦ ଚୁପ୍ ହୋଇଗଲା ।

 

ଡ୍ରାଇଭରକୁ ଆଦେଶ ଦେଲା ସୀତାନାଥ ।

 

ଫ୍ରଣ୍ଟ୍ ସିଟ୍ ପାଖରେ ଥିବା ଦୁଇଟା ବୋତଲ ଆଣି ସେ ବଢ଼ାଇ ଦେଲା । ନିର୍ବିକାର ଭାବରେ ସୀତାନାଥ ଆଉ କୃପାମୟ ବିଅର୍‍ଗୁଡ଼ାକ ପାଣି ପିଇଲା ଭଳି ପିଇଗଲେ । କି ଉତ୍କଟ ବାସ ! ବିନୋଦ ଉଠିଗଲା ସେ ଜଳପ୍ରପାତ ପାଖକୁ ।

 

ମହୁଲ ଫୁଲର ବାସ, ବିଅର୍‍ ବୋତଲର ନିଶାରେ ପ୍ୟାଣ୍ଟ୍-କୋଟ୍ ପିନ୍ଧା ଅବସ୍ଥାରେବି ସୀତାନାଥ ଆଉ କୃପାମୟ ଭୂମିରେ ଶୋଇଗଲେ । କୃପାମୟ ସୀତାନାଥର ଗୋଟିଏ ହାତକୁ ପାପୁଲିରେ ଚାପିଧରି କହିଲା, କେତେ ଆଶାରେ ଆମେ ବାହା ହୋଇଥିଲେ । ବିବାହ ପରେ ଜୀବନର ସମସ୍ତ ଗ୍ଳାନି ଭୁଲିଯିବା ବୋଲି କଳ୍ପନା କରିଥିଲେ । କିନ୍ତୁ କାହିଁକି ଆମେ ତାହା ପାଇଲେ ନାହିଁ ସୀତାନାଥ ! ଅଥଚ ମୋ ସ୍ତ୍ରୀକୁ ତ ମୁଁ ଏଥିପାଇଁ ଦୋଷ ଦେଇ ପାରିବି ନାହିଁ...ତା’ର ସେବା, ଭକ୍ତି ଦେଖିଲେ କେହି କହିବ ନାହିଁ ଯେ...

 

ଓଃ...ଓଃ...ମତେ ତୁ ଟିକିଏ ଶୋଇବାକୁ ଦେ । ସ୍ତ୍ରୀ କଥା ଆଉ ମନେପକାଇ ମୋର ମୁଡ଼୍ ନଷ୍ଟ କରି ଦେ ନାହିଁ । ମୋ ସ୍ତ୍ରୀ, ମୋ ଜୀବନର ସେ ସର୍ବଗ୍ରାସୀ ଝିଅଟା...ବାପ ଘରର ଯୌତୁକ ଜିନିଷ ଭଳି ସେ ଯେ ବ୍ୟବହୃତ ହେଲାପରେ ପୁରୁଣା ହୋଇ ଯାଉଛି...ସେ କଥା ସେ ଆଦୌ ମାନିବାକୁ ରାଜିନୁହେଁ...ମତେ ସେ ଯେମିତି ଜଳାଉଛିନା...ଦେଖିବୁ ଦିନେ ମୁଁ ତାକୁ ମର୍ଡ଼ର କରି ଦେବି...ହଁ...ହଁ... ।

 

ଅରଣ୍ୟର ସେ ଶୀତଳ ପବନରେ କୃପାମୟ ଆଖିପତା ମୁଦ୍ରିତ ହୋଇ ଯାଇଥିଲା । କଥା ଶେଷ କରିବା ଆଗରୁ ସୀତାନାଥ ମଧ୍ୟ ଅନୁଭବ କଲା ତା’ ଆଖିପତା ଦୁଇଟି ଭାରି ଭାରି ଜଣାପଡ଼ୁଛି ।

 

ଜିପ୍‍ର ବମ୍ପର ଉପରେ ବସି ସେ ଅଳ୍ପ ଶିକ୍ଷିତ ଡ୍ରାଇଭର ଲକ୍ଷ୍ୟ କରୁଥିଲା ଏ ଚାରି ବନ୍ଧୁଙ୍କୁ । ସେ ଦୁଇଜଣ ବାବୁ ଶୋଇ ଯାଇଛନ୍ତି । ଉପରେ ସେମାନଙ୍କର ମହୁଲ ଫୁଲର ପାଖୁଡ଼ା ଝରୁଛି । ଆଉ ଜଣେ ବାବୁ ଜଳପ୍ରପାତ ପାଖରେ ବସି ଜଳାଶୟ ଦେହକୁ ଛୋଟ ଛୋଟ ଗୋଡ଼ି ପକାଉଛନ୍ତି । ଅନ୍ୟ ବାବୁ ଜଣକ ସେ ମୁଣ୍ଡା ପାହାଡ଼ ଉପରେ ବସି ଶୁଣୁଛନ୍ତି ସେ ବଣୁଆ ଚଢ଼େଇଙ୍କ ଗୀତ ।

 

ଆସିଲାବେଳେ ବାବୁ ଚାରିଜଣ ସାଙ୍ଗ ହୋଇ ଶିକାର କରିବାକୁ ଆସିଥିଲେ । ଜିପ୍‍ରୁ ଓହ୍ଲାଇଲା ପରେ ଚାରିଜଣ ପୁଣି ଅଲଗାଅଲଗା ହୋଇଗଲେ । ବର୍ତ୍ତମାନ କାହାରି ସହିତ କାହାରି ସମ୍ପର୍କ ନାହିଁ । ଶିକାରପାଇଁ ଆସିଥିବା ରାଇଫଲଟା ମୁହଁମାଡ଼ି ଜିପ୍ ଭିତରେ ପଡ଼ିଛି !

 

ଡ୍ରାଇଭର ବ୍ୟସ୍ତ ହେଲା ।

 

ଅନେକବେଳ ସେ ଅଟକି ଗଲାଣି । ବାବୁମାନେ ଯେ ଶିକାର କରିବେ, ତା’ର କିଛି ଠିକଣା ନାହିଁ । ବକ୍ସିସ୍ ମିଳିବ କି ନାହିଁ କିଏ ଜାଣେ ?

 

ଡ୍ରାଇଭରର ଡାକରେ ସମସ୍ତେ ଯେତେବେଳେ ପ୍ରକୃତିସ୍ଥ ହେଲେ, ସେତେବେଳକୁ ସନ୍ଧ୍ୟା ହେବାପାଇଁ ଖୁବ୍ ବେଶି ସମୟ ଆଉ ଅବଶିଷ୍ଟ ନାହିଁ । ଅଥଚ ଦିନ ଥାଇ ଫେରି ନ ଗଲେ ଅସୁବିଧା । ସହର ତ ବେଶ୍ ଅନେକ ଦୂରରେ !

 

ଗାଡ଼ି ଷ୍ଟାର୍ଟ୍ ଦେଲା ।

 

ବିନୋଦ ଡ୍ରାଇଭରକୁ ପଚାରିଲା, ଏଠାକୁ କାର୍‍ରେ ଆସି ହେବ ?

 

ହେବ ନାହିଁ କାହିଁକି ବାବୁ ! ହେଲେ ଜଙ୍ଗଲ ଭିତରକୁ ଆଉ ଯାଇ ହେବ ନାହିଁ । ଦୂରକୁ ଆଉ ରାସ୍ତା ନାହିଁ । ଜଳପ୍ରପାତ ପାଖରେ କାର୍ ରଖି ଚାଲି ଚାଲି ଯିବାକୁ ହେବ ।–ଡ୍ରାଇଭର ଉତ୍ତର ଦେଲା । ସେମାନେ ମେନ୍ ରୋଡ଼୍ ଧରିଲାବେଳକୁ ଦୂରରେ ସହରର ବିଜୁଳିବତୀ ଡାଆଣୀ ଆଲୁଅ ଭଳି ଦେଖା ଯାଉଥିଲା ।

 

ମଦନ ପଚାରିଲା, ଜଙ୍ଗଲ ଦେଖି ଦିନଟା ଗଲା, ଶିକାର ହୋଇ ପାରିଲା ନାହିଁ । ନା !

 

ସୀତାନାଥ ତା’ କାନ୍ଧ ଉପରେ ହାତ ପାପୁଲିର ଚାପ ଦେଇ କହିଲା, ବୁଝିଲୁ ମଦନ ! କର୍ମବ୍ୟସ୍ତ ଜୀବନ ଆମକୁ ବାଘ ହୋଇ ଡରାଉଛି । କିଛି ସମୟ ଆନନ୍ଦରେ ଆମେ ଏ ଜଙ୍ଗଲ ଭିତରେ ସେ ବ୍ୟସ୍ତତାର ବାଘକୁ ମାରି ଘାଏଲ କରି ଦେଇଗଲେ । ଆମେ ସବୁ ସମୟ ଶିକାରୀ ! ମୁହୂର୍ତ୍ତଟା ଆମପାଇଁ ଯଥେଷ୍ଟ । ମୁଁ ଆଜି ପ୍ରଚୁର ଆନନ୍ଦ ପାଇଛି...

 

ସେହି ସରୁ-ସର୍ପିଳ ତିଖ ପାହାଡ଼ିଆ ରାସ୍ତାରେ ହେଡ଼୍ ଲାଇଟର୍ ବିଞ୍ଚି ବିଞ୍ଚି ବିଞ୍ଚି ଜିପ୍‍ଟା ଯେତେବେଳେ ଦ୍ରୁତବେଗରେ ଆଗଉଥିଲା, ବିନୋଦ ଭାବୁଥିଲା, ସେଇ ଜଳପ୍ରପାତ କଥା, ଯାହା ଜଳାଶୟ ନିକଟରେ ଥରେ ଏକ ଶୋଚନୀୟ ଦୁର୍ଘଟଣା ଘଟିଥିଲା !

 

।। ପନ୍ଦର ।।

 

ସାଗରିକା ସେଦିନ ପଚାରିଥିଲା, ‘‘ଆପଣ ବାହା ହେବେ ନାହିଁ, ଏ କେମିତି କଥା ? ସଂସାରରେ ବଞ୍ଚିରହିବା ପାଇଁ ଜୀବନର ଏକ କ୍ରମ ଅଛି । ବିବାହ ନ କରି ଆପଣ ସେଥିରୁ ବାହାରିଯିବେ ?’’ ସାଗରିକାର କଥା ଶୁଣି ସେଦିନ ମନେମନେ ହସିଥିଲା ବିନୋଦ । ଆଉ ମାସ କେତୋଟି ପରେ ଯେଉଁ ଝିଅ ବାହା ହେବ ବୋଲି ନିଜ ମନକୁ ଫୁଲଚନ୍ଦନରେ ସଜାଉଛି, ବିବାହିତ ଜୀବନକୁ ଏକ ଶ୍ମଶାନ ବୋଲି ତାକୁ ବୁଝାଇବାର କିଛି ଅର୍ଥ ହୁଏ ନାହିଁ । ସେ କେବଳ କହିଥିଲା, ‘‘ବିବାହ ପ୍ରତି ମୋର ବୈରାଗ୍ୟ ଆସିନାହିଁ, ଆସକ୍ତି ତୁଟି ଯାଇଛି କେବଳ ମୋର ଝିଅମାନଙ୍କ ଉପରୁ । ଅବଶ୍ୟ ବିନ୍ଦୁଏ ଜଳରୁ ସିନ୍ଧୁର ସ୍ୱାଦ ଚାଖି ପାରିଥିବାର ଯୁକ୍ତି ନେଇ ମୁଁ ଏକଥା କହୁଛି । ଏ ସଂସାରରେ ପୁରୁଷପାଇଁ ନାରୀଠାରୁ ବଳି ବଡ଼ ମାଦକଦ୍ରବ୍ୟ ଆଉ କିଛି ନାହିଁ । ନାରୀକୁ ବାଦ୍ ଦେଇ ପୁରୁଷର ଜୀବନ, ଏ କଥା ଯେପରି ଚିନ୍ତା ମଧ୍ୟ କରାଯାଇପାରେ ନାହିଁ । ସେ କଥା ବୁଝି ମଧ୍ୟ ମୁଁ ନିଜକୁ ବିବାହପାଇଁ ବୁଝାଇ ପାରୁନାହିଁ । ପ୍ରଣତି ମୋ ମନରେ ଦିନେ ନିଶା ଧରାଇ ଦେଇଥିଲା । ଆଉ ଜଣକ ଜୀବନକୁ ନିଶାଗ୍ରସ୍ତ କରିବାପାଇଁ ସେ ଚାଲିଗଲା ପରେବି ହାଙ୍ଗ୍ଓଭର୍ ଅବସ୍ଥାରେ ମୁଁ ଅନେକ ଦିନ ଧରି ଚେତନା ହରାଇ ବାଟ ଅବାଟରେ ପଡ଼ିଛି । ନିଜ ଦେହକୁ କ୍ଷତବିକ୍ଷତ କରିଛି । ନିଶା-ମୁକ୍ତ ହେବାପରେ ଆଉ ନିଶାପାଇଁ ଆସକ୍ତି ନାହିଁ । ତମେ ଠାକୁରଙ୍କୁ ଡାକ ଆଉ, ଯେପରି କୌଣସି ଝିଅପାଇଁ ମୋ ମନରେ କେବେହେଲେ ସେ ନିଶା ନ ଲାଗୁ ।’’

 

ବିନୋଦର କଥା ଶୁଣି ସାଗରିକା ଦୀର୍ଘସମୟ ତଳକୁ ମୁହଁ ପୋତି ନଖରେ ଗାର କାଟିଥିଲା । ତା’ପରେ ପ୍ରଶ୍ନ କରିଥିଲା, ‘‘ତାହାହେଲେ ଆପଣ ମୋ ବିବାହ ସ୍ଥିର କରୁଛନ୍ତି ଯେ... !’’ ଲଜ୍ଜିତ ହୋଇ ଆଶୀର୍ବାଦ କଲାଭଳି ଅନୁରାଗ ଭରା କଣ୍ଠରେ ବିନୋଦ ବୁଝାଇଥିଲା, ‘‘ତମେ ସୁଖୀ ହୁଅ । ସ୍ନେହ, ପ୍ରେମ, ତ୍ୟାଗର ଆଲୋକରେ ଆଉ ଏକ ଜୀବନକୁ ଆଲୋକିତ କର । ଅଙ୍ଗୁରରୁ ମଦ ତିଆରି ହୁଏ ବୋଲି ଅଙ୍ଗୁରରେ ନିଶା ନଥାଏ । ସଂସାରରେ ସବୁ ଝିଅଙ୍କ ପ୍ରେମ ମଦ ଭଳି ନିଶା ଧରାଏ ନାହିଁ ପୁରୁଷର ମନରେ...ତମ ଭଳି ସଂଖ୍ୟାହୀନ ଝିଅ ଅଙ୍ଗୁରର ମଧୁର ସ୍ଵାଦରେ ପୁରୁଷ ଜୀବନକୁ ନିଶାଗ୍ରସ୍ତ ନ କରି ମଧୁସିକ୍ତ କରି ଜୀବନକୁ ସୁନ୍ଦର କରି ଗଢ଼ନ୍ତି ବୋଲି ତ ଏ ସଂସାର ତିଷ୍ଠି ରହିଛି !’’ ନିଜ ଅଜାଣତାରେ ନିଜ ଅନିଚ୍ଛାସତ୍ତ୍ୱେ ସାଗରିକାକୁ ସେ ଯେଉଁ ପ୍ରଶଂସା କରିଥିଲା, ସେଥିରେ ସାଗରିକାର ଦୁଇ ଆଖି ଗଭୀର ଲଜ୍ଜା, ଆକଣ୍ଠ ତୃପ୍ତିରେ ଛଳଛଳ ହୋଇ ଉଠିଥିଲା । କିନ୍ତୁ ସେଦିନ ମିଷ୍ଟର୍‍ ମହାପାତ୍ରଙ୍କ ଘରୁ ଫେରି ବିନୋଦର ସୁନିଦ୍ରା ହୋଇ ନଥିଲା । ନିଜ ମନକୁ ବୁଝାଇବା ପାଇଁ ଚେଷ୍ଟା କରି ସୁଦ୍ଧା ସେ ବୁଝାଇପାରି ନଥିଲା । ପ୍ରଣତିକୁ ସବୁ ଦୋଷ ଦିଆଯାଇପାରେନା । ତା’ ନିଜର ମଧ୍ୟ କେଉଁଠି କେଉଁଠି କେମିତି ତ୍ରୁଟି ରହିଯାଇଥିଲା । ସେ କଥା ଅନ୍ୟ କାହାକୁ କହି ନଥିଲେବି ସେ ନିଜେ ତାହା ଜାଣେ । ସୀତାନାଥ, କୃପାମୟ, ମଦନ ଭଳି ତା’ ପାଖକୁ ମଧ୍ୟ ପ୍ରଣତି ପୂର୍ବରୁ ଅନେକ ଝିଅ ପ୍ରଣୟର ପୁଷ୍ପାଞ୍ଜଳି ନେଇ ଆସିଥିଲେ । ସେମାନଙ୍କୁ ଯଦି ସେ ଏଡ଼ାଇ ଯାଇ ପାରିଲା, ପ୍ରଣତିକୁ ସେ ପାରିଲା ନାହିଁ କାହିଁକି ? କି ଆର୍କଷଣ ତା’ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଥିଲା ଯେ ବିବାହ ପୂର୍ବରୁ ପ୍ରଣତି ଭଳି ଏକ ଶରୀର-ସୁନ୍ଦରୀ ଝିଅ ପାଖରେ ସେ ନିଜର ବ୍ୟକ୍ତିତ୍ୱ, ଚରିତ୍ର, ପୌରୁଷକୁ ବିନା ସର୍ତ୍ତରେ ସମର୍ପଣ କରି ଦେଇଥିଲା ? ନିଜ ମନ ଭିତରେ ସେହି ଅନ୍ଧକାର ଗିରି ଗୁହାକୁ ପରିଣତ ଚିନ୍ତାର ଆଲୋକିତ ସେ ଯେତେ ଯେତେ ନିରୀକ୍ଷଣ କଲା, ସେତେ ନିଜ ଉପରେ ତା’ର ତୁଚ୍ଛଭାବ ସୃଷ୍ଟି ହେବାକୁ ଲାଗିଲା । ବିବାହ ପୂର୍ବରୁ ସୀତାନାଥ, କୃପାମୟ, ମଦନ–ଏମାନେ ମଧ୍ୟ ଅନେକ ଝିଅଙ୍କୁ ପ୍ରେମ କରୁଥିଲେ । ପ୍ରେମ କରୁଥିବା ଝିଅମାନଙ୍କୁ ମଦବୋତଲଠାରୁ ଭିନ୍ନ ଦୃଷ୍ଟିରେ ସେମାନେ ଦେଖି ନଥିଲେ । ସେଥିପାଇଁ ପ୍ରଣୟର ମଦ୍ୟପାନ ପରେ ଖାଲି ବୋତଲକୁ ପରିତ୍ୟକ୍ତ ପଦାର୍ଥ ଭଳି ଫିଙ୍ଗିଦେଇ ନୂଆ ବୋତଲର ସନ୍ଧାନରେ ସେମାନେ ବାହାରିଗଲାବେଳେ ବିବେକ ନାମକ ବିଷଧର ସେମାନଙ୍କୁ ପଛକୁ କାମୁଡ଼ି ନାହିଁ, ନୈତିକତାର ଦଂଶନ ଜ୍ୱାଳାରେ ତା’ ଭଳି ସେମାନଙ୍କ ଶିରାପ୍ରଶିରା ନୀଳ ହୋଇ ଉଠି ନାହିଁ । ସେଥିପାଇଁ ସମାଜରେ ସେମାନଙ୍କର ସମ୍ମାନ, ମର୍ଯ୍ୟାଦା କିଛି ହ୍ରାସ ପାଇନାହିଁ । ସୀତାନାଥ ଅଫିସ୍‍କୁ ଗଲାବେଳେ ଶହ ଶହ ଯୁକ୍ତକର କପାଳରେ ଲାଗୁଛି, ମଦନ ଗୀତ ଶୁଣି ସହସ୍ର ସହସ୍ର ଯୁଗ୍ମ-ହସ୍ତର ତାଳି ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଛି । କୃପାମୟ ପାଖରୁ ଚାନ୍ଦା ନେଲାବେଳେ ବହୁ ବ୍ୟକ୍ତି, ଅନୁଷ୍ଠାନ କୃତଜ୍ଞତାବୋଧରେ ଗଦଗଦ ହେଉଛନ୍ତି । ସେମାନେହିଁ ପ୍ରଣତିର ପ୍ରଣୟୀ ହେବାର ଯୋଗ୍ୟ ପାତ୍ର । ତା’ ହୋଇଥିଲେ ତା’ ଭଳି ସେମାନେ ବିନ୍ଦୁଏବି ଦୁଃଖ କରି ନଥାନ୍ତେ, ପ୍ରଣତି ଓ ତା’ର ଅଭିଭାବକମାନେ ତାକୁ ନେଇ ଯେପରି ସତ୍ୟ ପ୍ରକାଶ ପାଇଯିବାର ଭୟରେ ଅନୁତପ୍ତ ହେଉଛନ୍ତି, ସେ ଆଶଙ୍କାରୁ ମୁକ୍ତି ପାଇଯାଇ ଥାଆନ୍ତେ । ବିନୋଦ ନିଜ ମୁଣ୍ଡର କେଶକୁ ନିଜ ହାତ ଆଙ୍ଗୁଠିରେ ଆକର୍ଷଣ କରିବାକୁ ଲାଗିଲା । ଭାବିଲା, ପ୍ରଣତି ନୁହେଁ, ଏ ନକଲି ସଭ୍ୟତା, କୀଟଦ୍ରଂଷ୍ଟ ସମାଜପାଇଁ ସେ ନିଜେହିଁ ହେଉଛନ୍ତି ଏକ ଅଯୋଗ୍ୟ ବ୍ୟକ୍ତି । ସୀତାନାଥ ଠିକ୍ କହୁଥିଲା, ‘‘ତୋ ଭଳି ବେକୁବ୍‍କୁ ପ୍ରେମ କରି ପ୍ରଣତିର ପ୍ରେମ ଅପାତ୍ରରେ ପଡ଼ିଗଲା । ଯଦି ମୋ ଭଳି ପ୍ରେମିକକୁ ସେ ପ୍ରେମ କରି ଥାଆନ୍ତା ନା, ତା’ ବାହାଘରକୁ ମୁଁ ପାଞ୍ଚହଜାର ଟଙ୍କା ଖର୍ଚ୍ଚ କରି ଥାଆନ୍ତି । ତା’ ବାପାବି ଖୁସିହୋଇ ମୋର ପ୍ରଶଂସା କରିଥାଆନ୍ତେ, ଆଉ ପ୍ରଣତିବି ତା’ ଅନ୍ୟ ସୁନ୍ଦରୀ ସମ୍ପର୍କୀୟମାନଙ୍କୁ ମୋ ସହିତ ବନ୍ଧୁତ୍ୱ କରିବାକୁ ବୁଝାଇ ଥାଆନ୍ତା-। ଆଉ ତୁ ବେକୁବ୍ ନିଜେତ ଝୁରିହୋଇ ମରୁଛୁ, ତୋ ସହିତ ତା’ର ସମ୍ପର୍କକୁ ମଧ୍ୟ ପଦାରେ ପକାଇ ତା’ ଅଭିଭାବକମାନଙ୍କ ଗର୍ବୋନ୍ନତ ମସ୍ତକକୁ ଅବନତ କରୁଛୁ । ଛି...ଛି...ତୁ ଇଡ଼ିୟଟ୍ ଆମ ସମ୍ପ୍ରଦାୟର ପ୍ରଧାନ ଶତ୍ରୁ–ପ୍ରେମିକମାନେ ଯଦି ପ୍ରେମିକାର ବିବାହ ପରେ ଏମିତି ସେମାନଙ୍କ ଅତୀତର କୀର୍ତ୍ତିକଥା କହୁଛନ୍ତି ବୋଲି ଜାଣିଯିବେ, ଶଳା ଆଉ କେଉଁ ଝିଅ ବିବାହ ପୂର୍ବରୁ ପ୍ରେମ କରିବ... ? ମୋ ସୁନା ଭାଇଟା ପରା, କୃପାମୟ, ମୁଁ, ମଦନ–ତିନିହେଁ ମିଶି ପଛେ ତୋ ପାଦ ଧରୁଛୁ, ଆଉ ତୁ ଆମ ଦାନାପାଣିରେ ଧୂଳି ଦେବାପାଇଁ ପ୍ରଣତି କଥା କାହାକୁ କହନାଇଁ...ତୁ ପଛେ ବାଡ଼ୁଅ ରହି ଭୂତ ହଅ, ପ୍ରଣତି ଯେପରି ବିବାହିତା ଜୀବନରେ ଅସୁଖୀ ହୁଏ, ସେମିତି କିଛି କାମ କରନାହିଁ...ଅନ୍ୟ ସୁନ୍ଦରୀ ଝିଅମାନଙ୍କୁ ପ୍ରଣତି ଭଳି ପାପ କରିବାକୁ ଉତ୍ସାହିତ କରିବା ଲାଗି ତୁ ପ୍ରଣତି ବାପାଙ୍କ ଶେଷ ଅନୁରୋଧ ରଖ–ତାକୁ ଭୁଲି ଯାଆ-ଆ– ।’’ ବିନୋଦ ଭାବିଥିଲା, ନିଶା ଜୋରରେ ସୀତାନାଥ ଏଣୁତେଣୁ କଥା ସବୁ କହିଯାଉଛି । କିନ୍ତୁ ତା’ କଥା ଶେଷ ହେଉ ହେଉ କୃପାମୟ କହିଲା, ‘‘ତୁ ଜାଣୁ ସରକାରୀ କାମ ବନ୍ଦ ହୋଇଗଲା ପରେ ମୁଁ କି ଆର୍ଥିକ ଅସୁବିଧାରେ ପଡ଼ିଛି...ତଥାପି ମୋ ଏକାଦଶ ପ୍ରେମିକା ବାହାଘରକୁ ମୁଁ ତିନିହଜାର ଟଙ୍କା ଖର୍ଚ୍ଚକଲି-। ଖାଲି ସେତିକି ନୁହେଁ, ଅଣ୍ଟାରେ ଗାମୁଛା ଭିଡ଼ି ପ୍ରେମିକାର ବରଯାତ୍ରୀମାନଙ୍କୁ ପରଷିବାକୁବି ମତେ ହେଲା... ।’’ ତା’ପରେ ଟିକିଏ ଦମ୍ ନେଇ ସେ କହିଲା, ‘‘ଆଉ ସବୁଠାରୁ କମାଲ୍ ହେଲା ଯେତେବେଳେ ବିଦାବିଦିବେଳେ ନିଜ ଶଶୁରଙ୍କ ଆଗରେ ଭାଇ ବୋଲି ସମ୍ବୋଧନ କରି ସେ ଝିଅ ମତେ ଧରି ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲା...ଆଉ ତୁ ଜାଣୁ ! ଆଗେ ମୋ ପ୍ରେମିକାର ବାପା ମୋ ଉପରେ ସାମାନ୍ୟ ବିରକ୍ତ ହେଉଥିଲେ, ଝିଅ ବାହାଘରକୁ ମୁଁ ତିନିହଜାର ଟଙ୍କା ଖର୍ଚ୍ଚକରି ସାରିଲା ପରେ ଏବେ ଯେଉଁଠି ରାସ୍ତାରେ ଦେଖା ହୋଇଯାଉଛି, ସ୍ନେହରେ ଅଧୀର ହୋଇ କହୁଛନ୍ତି, ବାପା କୃପାମୟ ! ଆଉ କାହିଁକି ଆମ ଘରଆଡ଼େ ଆସୁନାହଁ ? ଆସିବ...ଆସିବ ବାପା...-। ...କାଥା ଶେଷ କରି ପରିତୃପ୍ତିରେ ମୃଦୁ ମୃଦୁ ହସିଥିଲା କୃପାମୟ । ସେଦିନ ନିଜ ବନ୍ଧୁମାନଙ୍କୁ ତାତ୍ସଲ୍ୟ କରି ବିନୋଦ ଉତ୍ତର ଦେଇଥିଲା, ‘‘ତମେ ଫୋର୍-ଟୋଣ୍ଟି ସମ୍ପ୍ରଦାୟ ଏ ସମାଜଟାକୁ ନଷ୍ଟ କରିଦେଲ...ପ୍ରଣୟ ତମପାଇଁ ସାମୟିକ ସୁଖଲାଭର ଏକ ଉପାୟ ମାତ୍ର, ସେଥିରେ ଗଭୀରତା ନାହିଁ–ପ୍ରାଣର ସ୍ପର୍ଶ ନାହିଁ– ।’’ ତାକୁ ଆଉ କଥା ଶେଷ କରିବାକୁ ସୁଯୋଗ ଦେଇ ନଥିଲା ମଦନ-। ଚିତ୍କାର କରିଥିଲା, ‘‘ଷ୍ଟପ୍...ଷ୍ଟପ୍ ପ୍ଲିଜ୍ ଷ୍ଟପ୍...ଦାର୍ଶନିକ ଭଳି ତୁ ସବୁ ଯେଉଁ ତତ୍ତ୍ୱ ମତେ ଶୁଣାଉଛୁ ନା, ଆମେ ସବୁ ଶଳା ସନ୍ନ୍ୟାସୀ ହୋଇଯିବୁ । କେତେକଅଣ କରି ଲୋକ ମନ୍ତ୍ରୀ ହେଉଛନ୍ତି...ନେତା ହେଉଛନ୍ତି...ଆଉ ଆମରିପାଇଁ ସମାଜଟା ନଷ୍ଟ ହୋଇଗଲା-? ଆଉ ଯଦିବା ଏ ସମାଜଟା ନଷ୍ଟ ହୋଇଯାଏ, କ୍ଷତି କ’ଣ ? ଆମେ କ’ଣ ସମାଜଟାକୁ ଭଲ କରିବାକୁ ଠିକା ନେଉଛୁ ?’’ ଏ ସବୁ ଯୁକ୍ତିର ଉତ୍ତର ନାହିଁ । ସେଦିନ ନିଜ ବନ୍ଧୁମାନଙ୍କୁ ମଧ୍ୟ ଯୁକ୍ତିକରି ନିଜର ମତ ବୁଝାଇ ପାରି ନଥିଲା ବିନୋଦ । କେବଳ କ୍ଷୋଭରେ ସେ ଆଡ଼୍ଡ଼ା ଛାଡ଼ି ଚାଲି ଆସିଥିଲା-। ନୀରବ ପ୍ରତିବାଦ । କିନ୍ତୁ ଆଜି ତା’ର ମନେ ହେଉଛି ମଦନ, ସୀତାନାଥ, କୃପାମୟ–ଯାହା କହୁଥିଲେ, ତାହା ସମ୍ଭବତଃ ସମ୍ପୂର୍ଣ୍ଣ ମିଥ୍ୟା ନୁହେଁ । ଏ ସମାଜରେ ସେ ନିଜେହିଁ ଏକ ଅସାମାଜିକ ଲୋକ; କାରଣ ପୋଷାକ ପିନ୍ଧି ସଭ୍ୟ ହେବାର ଆଦବକାଇଦା ସେ ଏପର୍ଯ୍ୟନ୍ତ ସୁଦ୍ଧା ଶିଖିଲାନାହିଁ-। ମିଥ୍ୟା ସବୁବେଳେ ମଧୁର । ଅପ୍ରିୟ-ସତ୍ୟ କହି ସଂସାରରେ ଏକୁଟିଆ ହୋଇଯିବା ଅପେକ୍ଷା, ସମାଜରେ ଚାଲିବାପାଇଁ ସୀତାନାଥ-କୃପାମୟଙ୍କ ଭଳି ମିଥ୍ୟାକୁ ସତ୍ୟ ଭଳି କହିବାର ମନ୍ତ୍ର ତା’ର ଶିଖିବା ଉଚିତ ଥିଲା । ବିନୋଦ ଆଇନା ଆଗରେ ଠିଆହୋଇ ନିଜ ମୁହଁ ନିଜେ ଆଉଥରେ ଦେଖିଲା-। ଦର୍ପଣ କାଚରେ ତା’ ମୁହଁଟା ଯେ ତାକୁ ଠିକ୍ ଆଗଭଳି ଦେଖାଯାଉଛି, ଏ କଥା ଲକ୍ଷ୍ୟ କରି ବିସ୍ମୟରେ ତା’ ମୁହଁରୁ ଅତଡ଼ାଏ ଆତଙ୍କର ନିଆଁ ଝୁଲ ଖସି ପଡ଼ିଲା !

 

।। ଷୋଳ ।।

 

ପ୍ରଣତି ! ମୁଁ ବିନୋଦ କହୁଛି ।

 

ହାଲୋ...କିଏ ବିନୋଦ ? ହଁ–କ’ଣ କୁହ । ନା–ସ୍ୱାମୀ ନାହାନ୍ତି...

 

ଇନ୍‍ସୁରାନ୍‍ସ କରିବା କଥା ହେଲା ? ନା–ନା–ଥଟା ନୁହେଁ...ସତରେ କହୁଛି । ତମକୁ ଦିନେ ଭଲପାଇଥିବାର ଭୁଲ୍ କରିଥିଲି...ତମପାଇଁ ଜୀବନଟା ନଷ୍ଟ ହୋଇଗଲା–ତା’ର ପ୍ରତିଦାନରେ ଅନ୍ତତଃ କିଛି ଇନ୍‍ସୁରାନ୍‍ସ ଟଙ୍କାର କମିଶନ୍ ମିଳୁ... !

 

ତାହାହେଲେ କେତେ ଟଙ୍କା ଦରକାର କୁହ, ମୁଁ ଟଙ୍କାଟା ଦେଇ ଦେବି । ସେଥିପାଇଁ ଇନ୍‍ସୁରାନ୍‍ସ କରି ଲାଭ କ’ଣ ? ବିନୋଦ ! ତମେ ଜାଣ ମୋ ସ୍ୱାମୀ ଗୋଟିଏ କାର୍ କିଣିବେ ବୋଲି ସ୍ଥିର କରିଛନ୍ତି ।

 

କ’ଣ ଆମ୍ବାସାଡ଼ର !

 

ଆମ୍ବାସାଡ଼ର କଥା କହୁଥିଲେ । ତମ ଗାଡ଼ିଟା ଆମ୍ବାସାଡ଼ର ନା ! ସେଥିପାଇଁ ମୁଁ ମନାକଲି । ସମ୍ଭବତଃ ସେ ଆଉ ଗୋଟାଏ ଫିଏଟ୍ ଗାଡ଼ି କିଣିବେ ।

 

ତାହାହେଲେ ତ ନୂଆ ଗାଡ଼ିଟା ଇନ୍‍ସୁରାନ୍‍ସ ହେବା ଦରକାର ! ନା–ଜ୍ୟୋତିଷବି କହିଛି ଗାଡ଼ିର କିଛି ଦୁର୍ଘଟଣା ହେବ ନାଇଁ ।

କିନ୍ତୁ ଯଦିବା ଇନ୍‍ସୁରାନ୍‍ସ ହୁଏ ଇନ୍‍ସୁରାନ୍‍ସ ଏଜେଣ୍ଟ କ’ଣ ଆଉ ନାହାନ୍ତି ଯେ ତମରି ପାଖରେହିଁ ଆମକୁ ଇନ୍‍ସୁରାନ୍‍ସ କରିବାକୁ ହେବ ?

ତମ ସ୍ୱାମୀ କ’ଣ ଏଡ଼େ ହୃଦୟହୀନ ! ନିଜ ସ୍ତ୍ରୀର ପ୍ରେମରୁ ମତେ କିଛି ଭାଗ ଦେଲେନାହିଁ ବୋଲି ଇନ୍‍ସୁରାନ୍‍ସ ଟଙ୍କାର କନିଶନ୍‍ଟା ମତେ ଦେବାପାଇଁ ତାଙ୍କର ଆପତ୍ତି !

ଶୁଣ ! ଆଉ ଯାହା କୁହ କି ନ କୁହ, ମୋ ସ୍ୱାମୀଙ୍କ ନିନ୍ଦା ମୋ ଆଗରେ କେବେ କରିବ ନାହିଁ । ମୋର ନିନ୍ଦା ଅନେକ କରିଛ, ମୁଁ ତାକୁ ହସି ହସି ସହିଛି । କିନ୍ତୁ ମୋର ସ୍ୱାମୀଙ୍କ ନିନ୍ଦା କରିବ, ଏ କଥା ମୁଁ ମୁହୂର୍ତ୍ତେ ହେଲେ ସହିବି ନାଇଁ ।

ପ୍ରଣତି ! ଫୋନ୍ ଛାଡ଼ିଦେଲ ନା କ’ଣ ? ଦେଖୁଛି, ତମେ ଆଗ ଭଳି ସେମିତି ପିଲା ଅଛି । ମନେ ଅଛି ନା ଆଗେ କଲେଜ ହଷ୍ଟେଲ୍‍ରୁ ମତେ ଭେଟିବାକୁ ଆସୁଥିବାବେଳେ ତମକୁ ଯଦି ମୁଁ କେବଳ ଟିକିଏ ପରିହାସ କରିଦିଏ, ତମ ନାକପୁଡ଼ା କିପରି ଫୁଲି ଉଠେ ! ତମର ସେ ଅଭିମାନ ଭାଙ୍ଗିବାକୁ ତମ କମ୍ପିତ ଓଠକୁ ମୁଁ କେତେଥର ନିଜ ଓଠରେ ଓଦା କରି ନ ଦେଇଛି ସତେ !

ତମେ କ’ଣ ଭାବୁଛ, ତମଠାରୁ ଏଇ ସବୁ ବାଜେ କଥା ଶୁଣିବାକୁ ମୁଁ ଫୋନ୍ ରିସିଭର୍ ଧରି ବସିଥିବି ?

ନା–ନା–ତମେ ଯଦି ସେ ଅତୀତର କଥା ଶୁଣିବାକୁ ଲଜ୍ଜା ପାଉଛ, ମୁଁ ଆଉ ସେ କଥା ଉଠାଇବି ନାହିଁ । କିନ୍ତୁ ପ୍ରଣତି ! ଯେତେ ଭୁଲିବାକୁ ଚେଷ୍ଟା କଲେବି ସେ ସ୍ମୃତି ସବୁ ମୋ ମନରୁ ଲିଭୁନାହିଁ । ତମର ସେ ଓଠ କେଡ଼େ ମିଠା... ।

 

କ’ଣ ଚିନି ଭଳି ନା ମହୁ ଭଳି ମିଠା ?

 

ଚିନି ଭଳି ନୁହେଁ, ମହୁ ଭଳି ନୁହେଁ । କେମିତି ମିଠା କହିବି ? ପିଲାଦିନେ ଆମେ ସବୁ ଆମ ବାରିରେ ଯେଉଁ କୁଞ୍ଜଲତା ମାଡ଼ିଥାଏ, ସେ କୁଞ୍ଜଲତା ଫୁଲ ଛିଣ୍ତାଇ ଆଣି ତା’ ଡେମ୍ଫକୁ ଶୋଷି ନେଉ...ଆଃ, ସେ ଛୋଟ ଛୋଟ ଫୁଲର ଡେମ୍ଫ କି ମିଠା ! ତମ ଓଠ ଠିକ୍...ଠିକ୍ ସେମିତି ମିଠା ଲାଗେ ପ୍ରଣତି ।

 

ପ୍ରେମରେ ହତାଶ ହେଲେ ଲୋକେ କବି ହୁଅନ୍ତି ବୋଲି ଶୁଣିଛି, ତମେ କ’ଣ ଆଜିକାଲି କବିତା ଲେଖୁଛ ବିନୋଦ !

 

ମୁଁ କ’ଣ ପ୍ରେମରେ ହତାଶ ହୋଇଛି ବୋଲି ତମେ ଭାବୁଛ ? ଦେହଭୋଗ କ’ଣ କେବଳ ପ୍ରଣୟ ! ତମର ପ୍ରେମ କ’ଣ କେବେହେଲେ ଦେହଭୋଗ ଲାଳସାର ଊର୍ଦ୍ଧ୍ୱକୁ ଉଠି ପାରିବ ନାହିଁ ! ମୋର ତ ଆଜିବି ମନେ ହୁଏ, ତମେ ମୋ ପାଖରେ ଅଛ...ଗେହ୍ଲେଇ ହୋଇ କଥା କହୁଛ...ଭୋଗ ଖୁଆଇ ଦେଉଛ... ।

 

ବିନୋଦ ! ବିନୋଦ ! ମୋ ରାଣଟି, ସେ କଥା ସବୁ ଆଉ ମନେ ପକାଅ ନାହିଁ । ଆଉ ଜଣେ ପୁରୁଷର ସନ୍ତାନକୁ କୋଳରେ ଧରି ଏସବୁ କଥା ଶୁଣିବା ପାପ...ଘୋର ପାପ...ମତେ ତମେ ଦୟାକର...ମତେ ତମେ ଭୁଲିଯାଅ...

 

ଜାଣିଛ ନା...ଆଜି ଗୋଟାଏ ମୁଁ ସ୍ୱପ୍ନ ଦେଖିଲି...

 

ସ୍ୱପ୍ନ କଥା ସତ୍ୟ ହୁଏ ନାହିଁ । ଅସତ୍ୟ କଥାକୁ ବିଶ୍ୱାସ କରି କିଛି ଲାଭ ନାହିଁ... ।

 

କିନ୍ତୁ ସ୍ୱପ୍ନଟା କ’ଣ ଜାଣ ?

 

ନ ଜାଣିଲେବି ଅନୁମାନ କରି ପାରୁଛି । ମତେ ନେଇ ହୁଏତ କିଛି ଅସମ୍ଭବ କଥା...ଏଇ ତ !

 

ମୋର ମନ ଆଜିକାଲି ଭୀଷଣ କଷ୍ଟ ହୁଏ, କାରଣ ତମକୁ ନେଇ ତମ ବିବାହ ପରେ ଥରେ ହେଲେ ସୁଦ୍ଧା ସ୍ୱପ୍ନ ଦେଖିଲି ନାହିଁ...ତମେ କ’ଣ ସ୍ୱପ୍ନରେ ସୁଦ୍ଧା ମୋ ପାଖକୁ ଆସିବାକୁ ଚାହଁ ନାହିଁ... ?

 

ମୋ ବିଷୟରେ ସ୍ୱପ୍ନ ଦେଖି ନାହଁ ! ତେବେ କି ସ୍ୱପ୍ନ ଦେଖି ତମେ ଏତେ ଖୁସି ହେଲ ?

 

ସ୍ୱପ୍ନ ଦେଖିଲି, ମୁଁ ବିବାହ କରିଛି...ଏକ ଅପୂର୍ବ ସୁନ୍ଦରୀ ରାଜକନ୍ୟା...ତା’ର ସମୁଦ୍ର ନୀଳ ଆଖି, ତା’ର ପାନପତ୍ର ଭଳି ମୁହଁ, ତା’ର ରାଶି ରାଶି କେଶ...ସର୍ବୋପରି ତା’ର ହୃଦୟଭରା ସ୍ନେହ...ଅବଶ୍ୟ ତମ କଥା ସତ୍ୟ, ସ୍ୱପ୍ନ କେବେ ସତ୍ୟ ହୁଏ ନାହିଁ... ।

 

କିନ୍ତୁ ବିନୋଦ ! ମୋର ଦୃଢ଼ ଧାରଣା ତମେ ଦିନେ ନା ଦିନେ ବିବାହ କରିବ...ହୁଏତ ସୁଖୀ ମଧ୍ୟ ହେବ...ମତେ ଭୁଲିଯିବ...କାରଣ ବିବାହ ନ କରିବାର ଭୀଷ୍ମ ପ୍ରତିଜ୍ଞା କରିଥିବା ବହୁ ପୁରୁଷ କିପରି ଶେଷରେ ବ୍ୟାକୁଳ ହୋଇ ବିବାହ କରିଛନ୍ତି, ମୁଁ ନିଜେ ଆଖିରେ ଦେଖିଛି... ।

 

ଆଚ୍ଛା ସତରେ ଯଦି ମୁଁ କେବେ ବିବାହ କରେ ତମେ କ’ଣ ସୁଖୀ ହେବ ?

 

(କିଛି ସମୟ ଆରପଟୁ କିଛି ଉତ୍ତର ଆସିଲା ନାହିଁ । ବିନୋଦ କହିଲା, ହାଲୋ...ହାଲୋ...ଫୋନ୍ ଛାଡ଼ି ଦେଲ କି ?)

 

ନା–ତମେ ବିବାହ କଲେ ମୁଁ ସବୁଠୁ ବଳି ସୁଖୀ ହେବି । ତମ ବିବାହରେ ଗୋଟିଏ ଚମତ୍କାର ଉପହାର ଦେବି ବୋଲି ଆଜିଠାରୁ ଭାବି ରଖିଛି...ଆଚ୍ଛା ବିନୋଦ ! ତମେ ପରା ଜ୍ୟୋତିଷ ଶିଖିଛ...ସେଦିନ ତ ମୁଁ ଗୋଟାଏ ଫୁଲର ନାମ କହିଲି...ତମେ ତ ଭବିଷ୍ୟତ କଥା କିଛି କହିଲ ନାହିଁ... !

 

କହିବି...ଆଜି ନୁହେଁ–ଆଉ ଦିନେ–କିନ୍ତୁ ତମେ ତ କହୁଥିଲ ନାରୀ ନିଜ ହାତରେ ତା’ର ଭବିଷ୍ୟତ୍ ନିଜେ ଗଢ଼େ... !

 

କିନ୍ତୁ ଅପଦେବତାର ଅଭିଶାପ ଯୋଗୁଁ ଅନେକ ଘଟଣା ତ ଦୁର୍ଘଟଣାରେ ପରିଣତ ହୁଏ-! ବିନୋଦ ! ଆଜିକାଲି ଟିକିଏ କଥାରେ କାହିଁକି ମୁଁ ଭାରି ଭୟଭୀତ ହୋଇ ପଡ଼ୁଛି । ମୋର ମନେ ହେଉଛି, ସତେ ଯେପରି ମୋ ଜୀବନରେ କିଛି କେଉଁଠି ଦୁର୍ଘଟଣା ଘଟିଯିବ... ।

 

ପ୍ରଣତି ! ମନେ ଅଛି ଥରେ ତେମେ କହୁଥିଲ ତମେ ଆତ୍ମହତ୍ୟା କରିବାକୁ ଚାହଁ ! ମତେ ପ୍ରତ୍ୟାଖ୍ୟାନ କରି ଅବିବାହିତ ରହିବାକୁ ଯେତେବେଳେ ପଣ କରିଥିଲ, ଅବଶ୍ୟ ସେଇ ଦିନଗୁଡ଼ିକରେ...ନା ! ମନେ ଅଛି, ମୁଁ ତମକୁ କେତେ ଅନୁନୟ କରି ଅନୁରୋଧ କରିଥିଲି ଆତ୍ମହତ୍ୟା ନ କରିବାକୁ... !

 

ମନେ ଅଛି । ସେ ସବୁତ ଏତେ ସହଜରେ ଭୁଲି ହେବାର କଥା ନୁହେଁ ! ମନର ପାଣ୍ଡୁଲିପି ଅଲିଭା ଅକ୍ଷରରେ ସେ ସବୁ ଲେଖା ହୋଇ ରହିଛି ।

 

ସେଦିନ ତମକୁ ଆତ୍ମହତ୍ୟା କରିବାକୁ କାହିଁକି ବାରଣ କରିଥିଲି ଜାଣ ?

 

ନା–ସେ କଥା କେବେ ପଚାରିନି...ତମେ ମଧ୍ୟ କେବେ ନିଜ ତରଫରୁ ତା’ର କାରଣ କହିନାହଁ । କାହିଁକି ?

 

ସେଦିନ ତମକୁ ଆତ୍ମହତ୍ୟା ନ କରିବାକୁ ବିନୀତ ଅନୁରୋଧ କରିଥିଲି, କାରଣ ବଞ୍ଚି ରହିବାପାଇଁ ସେଦିନ ମୋ ମନରେ ପ୍ରବଳ ବାସନା ଭରି ରହିଥିଲା । ଆଉ ତମେ ଆତ୍ମହତ୍ୟା କରିବ ମୁଁ ବଞ୍ଚି ରହିବି, ଏକଥା ଚିନ୍ତା କରିବାମାତ୍ରେ ମୋ ମସ୍ତିଷ୍କର ସମସ୍ତ ଚିନ୍ତାଧାରା ଅଡ଼ୁଆ ହୋଇ ଯାଇଥିଲା ।

 

ସତରେ ସେଦିନ ମୁଁ ଏପରି ଭାବପ୍ରବଣ ହୋଇ ପଡ଼ିଥିଲି ଯେ ତମ ଚିଠି ପାଇ ନଥିଲେ ମୁଁ ନିଶ୍ଚୟ ଆତ୍ମହତ୍ୟା କରି ବସି ଥାଆନ୍ତି...

 

ତମକୁ ମୁଁ ଗୋଟିଏ ଅନୁରୋଧ କରିବି । ରଖିବ ?

 

କୁହ ।

 

ଚାଲ–ଆମେ ଦୁହେଁଯାକ ଏକ ସମୟରେ ଆତ୍ମହତ୍ୟା କରିବା । ଦୁହେଁଯାକ ଗୋଟିଏ ରାତ୍ରିରେ ଯଦି ବାସର ଶଯ୍ୟା ରଚନା କରି ନ ପାରିଲେ, ଅନ୍ତତଃ ଗୋଟିଏ ଶ୍ମଶାନରେ ଦୁହେଁ ମିଳି ମରଣ ଶଯ୍ୟା ରଚନା କରିବା...ସ୍ୱାର୍ଥପର ଭାବରେ ଏକା ତମକୁ ଆତ୍ମହତ୍ୟା କରିବାକୁ କହୁନାହିଁ, ମତେ ଭୁଲ୍ ବୁଝନାହିଁ । ମୁଁ ମଧ୍ୟ ତମ ସହ ଆତ୍ମହତ୍ୟା କରିବି...ଅନ୍ତତଃ ମୋର ଏ ଶେଷ ଅନୁରୋଧ... ।

 

ବିନୋଦ ! ବିନୋଦ ! ପ୍ଲିଜ୍ ହୋଲ୍ଡ଼ ଅନ୍...ପୁଅଟା ସଦ୍ୟ ନିଦରୁ ଉଠି କାନ୍ଦୁଛି ଯେ, ତାକୁ ଟିକିଏ ବୁଝାଇ ଦେଇ ଆସେ...

 

(ବିନୋଦ ଫୋନ୍ ରିସିଭର୍‍ଟା ଟେବୁଲ ଉପରେ ରଖି ମନେମନେ ହସିଲା ।)

 

କିଏ ବିନୋଦ ! ହଁ...ମୁଁ କହୁଛି । ଏ କଥାଟା କହିବି କହିବି ବୋଲି ଅନେକଥର ଚେଷ୍ଟାକରି କହିପାରେ ନାହିଁ । କିନ୍ତୁ ତମ ପ୍ରତି ମୋର ସକଳ ବିତୃଷ୍ଣାସତ୍ତ୍ୱେବି ତମର ମୋ ପ୍ରତି ଭଲ ପାଇବାଟା ଯେତେବେଳେ ରୀତିମତ ଏକ ପାଗଳାମୀରେ ପରିଣତି ହୋଇଗଲାଣି ମୋର ଶେଷକଥା ତମକୁ ମୁଁ କହି ରଖେ... ।

 

ତମର ପୁଣି ଆହୁରି କିଛି ଶେଷକଥା ଅଛି ?

 

ଅଛି–ନାରୀ ଯାହାକୁ ଭଲ ପାଇବ ତାକୁ ବିବାହ କରିବ, ଏ କଥାରେ ମୁଁ ମୂଳରୁ ବିଶ୍ୱାସ କରେ ନାହିଁ । ସେମିତି ସେ ଯାହାକୁ ବିବାହ କରିବ, ତାକୁ ମଧ୍ୟ ଭଲ ପାଇବ, ଏମିତି କିଛି ବାଧ୍ୟବାଧକତା ମଧ୍ୟ ନାହିଁ । ନାରୀ ଯେପରି ବିବାହ ନ କରି ମଧ୍ୟ ଜଣେ ପୁରୁଷକୁ ପ୍ରେମ କରିପାରେ, ସେହିପରି ଆଉ ଜଣେ ପୁରୁଷକୁ ଭଲ ନ ପାଇ ମଧ୍ୟ ତା’ ସନ୍ତାନର ଜନନୀ ହୋଇପାରେ ! ଏକଥା ତମକୁ ବୁଝାଇ ପାରି ନଥିଲେ ମଧ୍ୟ ମୁଁ ନିଜକୁ ବେଶ୍ ଭଲ ଭାବରେ ବୁଝାଇ ଦେଇ ପାରିଛି । ସେଥିପାଇଁ ମୋ ମନରେ କିଛି ଦ୍ଵନ୍ଦ୍ଵ ନାହିଁ, କୌଣସି ଅପରାଧବୋଧରେ ମୁଁ ଘାଣ୍ଟି ହେଉନାହିଁ । ତମେ ମତେ ସ୍ୱୈରିଣୀ ବୋଲି ଘୃଣା କରିପାର...ମୋର ଅଭିଭାବକମାନଙ୍କୁ ଆକ୍ଷେପ କରିପାର, କିନ୍ତୁ ତାହା କାହାରି ମନରେ କିଛି ପ୍ରଭାବ ପକାଇବ ନାହିଁ... ।

 

କାହାରି ଉପରେ ପ୍ରଭାବ ପକାଇବାକୁ ମୁଁ କିଛି କହୁ ନାହିଁ, କରୁ ନାହିଁ । ପ୍ରେମ କୁହ, ବିରହ କୁହ, ଏହା ମଣିଷର ଏକ ନିଜସ୍ୱ ବ୍ୟକ୍ତିଗତ ଭାବାବେଗ, ଅନୁଭୂତିର କଥା, ସେଥିରେ ଅନ୍ୟ କାହା ଉପରେ କ’ଣ ପ୍ରଭାବ ପଡ଼ିଲା ନ ପଡ଼ିଲା ମୁଁ ସେକଥା ଭାବିବି କାହିଁକି ? ଆଉ ମୁଁ ଯେତେବେଳେ ତମ ମନ ଉପରେ ପ୍ରଭାବ ପକାଇ ନ ପାରିଲି, ଅନ୍ୟ କାହା ମନକୁ ପ୍ରଭାବିତ କରି ଲାଭ... ?

 

ବିନୋଦ ! ଫୋନ୍‍ଟା ଟିକିଏ ଛାଡ଼ିଦିଅ । ଭୁବନେଶ୍ୱରରୁ ସ୍ୱାମୀ ଟ୍ରଙ୍କ୍‍କଲ୍ କରୁଛନ୍ତି... ।

 

ଫୋନ୍ ଛାଡ଼ିଦେଇ ନିସ୍ତବ୍ଧ ଭାବରେ ବସି ରହିଲା ବିନୋଦ; ପ୍ରଣତି ଓ ତା’ର ସ୍ୱାମୀଙ୍କ କଥାବାର୍ତ୍ତା ଭିତରେ ହସ୍ତକ୍ଷେପ କରିବାକୁ ଯେହେତୁ ତା’ର ଆକଣ୍ଠ ଘୃଣା !

 

।। ସତର ।।

 

ଫୁର୍‍ଫୁର୍ ପବନରେ ମନଫୁଲାଣିଆ ଗୀତର ସ୍ୱର ଉଡ଼ି ବୁଲୁଛି । ସାଇଁସାଇଁ ପବନର (୭୫)ସାନାଇରେ ଅନୁରଣିତ ହେଉଛି ସକାଳର ସଙ୍ଗୀତ । ଆଉଟା ସୁନା ରଙ୍ଗର ଚିକ୍‍ଚିକ୍ ଖରା ରାସ୍ତା ପାଖ ଖୋଲା ପଡ଼ିଆରେ ବିଞ୍ଚିହୋଇ ପଡ଼ୁଛି ।

 

ଭାରି, ଭାରି ଭଲ ଲାଗୁଛି ମନ ।

 

କାର୍ ଆକ୍‍ସିଲେଟର୍ ଉପରେ ଜୋରରେ ଡାହାଣ ପାଦରଚାପ ଦେଲା ବିନୋଦ । ଯେକୌଣସି ମୁହୂର୍ତ୍ତରେ ଆକ୍‍ସିଡ଼େଣ୍ଟ୍ କରି ପାରିବାର ଏକ ଅହେତୁକ ସମ୍ଭାବନାକୁ ସେ ମନେମନେ ସଞ୍ଚୟ କରି ଖୁବ୍ ଜୋରରେ ଗାଡ଼ି ଦୌଡ଼ାଇ ଦେଇଥିଲା... ।

 

ଆଗରେ ଖାଲି ରାସ୍ତା...ଜନଶୂନ୍ୟ ରାସ୍ତା... ।

 

ବାଟ ମଝିରେ ଗାଡ଼ି ବନ୍ଦ କରି ବିନୋଦ ଠିଆ ହେଲା ।

 

ଇଚ୍ଛା ହେଉଥିଲା, ତା’ର ଏଇ ପ୍ରିୟ ଗାଡ଼ିକୁ ସେ ଟିକିଏ ଗେଲ କରନ୍ତା । ତା’ ଜୀବନର ଦୁର୍ଦ୍ଦିନରେ ଏ ଗାଡ଼ି ତା’ର କେତେ ପ୍ରିୟ...କେତେ ଆପଣାର !

 

ନିଜ ଜୀବନର ଗତି ପ୍ରବାହ ପ୍ରଣତିର ପ୍ରତାରଣାଦ୍ୱାରା ଶିଥିଳ ହୋଇଗଲା ପରେ ଏଇ କାର୍‍ର ଗତିରେ ସେ ନିଜ ଜୀବନର ବେଗ ସଞ୍ଚାରର ଉନ୍ମାଦନା ଅନୁଭବ କରିବାକୁ ଚେଷ୍ଟା କରିଛି-। ସମସ୍ତେ ତା’ର ଅବାଧ୍ୟ ହୋଇଛନ୍ତି; ଅବାଧ୍ୟ ହୋଇ ନାହିଁ କେବଳ ଏଇ ଆମ୍ବାସାଡ଼ର କାର୍...-!

 

ରମେଶ ସହିତ କାଲି ହଠାତ୍ ସାକ୍ଷାତ ହୋଇଗଲା ପରେ ତା’ ମନଟା ଭୀଷଣ ଭାବରେ ଭାରାକ୍ରାନ୍ତ ହୋଇ ଉଠିଥିଲା । ପ୍ରଣତିର ପ୍ରତ୍ୟାଖ୍ୟାନ ପରେ ଏପରି ଆଘାତ ସେ ଆଉ କେବେ ଅନୁଭବ କରି ନଥିଲା । ମି: ମହାପାତ୍ର ଏ ଆଘାତକୁ କିପରି ଭାବରେ ଗ୍ରହଣ କରିବେ କିଏ ଜାଣେ ?

 

ରମେଶ ଇଞ୍ଜିନିୟର୍‍ର ବିବାହ ସାଗରିକା ସହିତ ସ୍ଥିର ହୋଇଗଲା ପରେ ତା’ ସହିତ ଯେଉଁଠି ଦେଖା ହେଲେବି ଅଧଘଣ୍ଟାଏ ଗପ ନ କରି ସେ ତାକୁ ଛାଡ଼ୁ ନଥିଲା । ଅବଶ୍ୟ ତା’ର ସେ ସମସ୍ତ ଜିଜ୍ଞାସା, ସମସ୍ତ କଥା ତା’ର ଭାବୀ ପତ୍ନୀ ସାଗରିକାକୁ ନେଇ । ବେଳେବେଳେ ଗୋଟିଏ ସନ୍ଦିଗ୍ଧ ପ୍ରଶ୍ନ, ମି: ମହାପାତ୍ର ସତରେ ତାଙ୍କ ଝିଅକୁ ମତେ ବିବାହ ଦେବେଟି !

 

କାଲି କିନ୍ତୁ ଭୁବନେଶ୍ୱର ସେକ୍ରେଟେରିଏଟ୍ ପାଖରେ ଦେଖା ହୋଇଯିବାମାତ୍ରେ ତାକୁ ଦେଖି ସୁଦ୍ଧା ନ ଦେଖିଲା ଭଳି ଏଡ଼େଇ ଯିବାକୁ ଚେଷ୍ଟା କରୁଥିଲା ରମେଶ ।

 

ତା’ ଡାହାଣ ହାତ ବାହା ଧରି ଅଟକାଇ ଦେଇଥିଲା ବିନୋଦ ।

 

କିରେ, ଦେଖି ସୁଦ୍ଧା ନ ଦେଖିଲା ଭଳି ଚାଲିଯାଉଛୁ କୁଆଡ଼େ ? –ବିନୋଦ ଖୁବ୍ ମଜା କଲାଭଳି ପ୍ରଶ୍ନ କରିଥିଲା ।

 

ଭାରି ବ୍ୟସ୍ତ ଅଛି ଭାଇ ! –ତାକୁ ଏଡ଼ାଇ ଯିବାପାଇଁ ଗୋଟିଏ ଉପରଦେଖାଣିଆ ଉତ୍ତର ଦେଇ ପୁଣି ଖସିଯିବାକୁ ଉଦ୍ୟମ କରୁଥିଲା ରମେଶ ।

 

କ’ଣ ପାଇଁ ଏତେ ବ୍ୟସ୍ତ ? ବାହାଘର ତ ଆହୁରି ଅନେକ ଦିନ ଡେରି ଅଛି ! –ରମେଶ କୌତୂହଳକୁ ବହୁଗୁଣିତ କରିବାପାଇଁ ବିନୋଦ କଥା ପଦକ କହି ରମେଶର ମୁଖଭଙ୍ଗୀ ଲକ୍ଷ୍ୟ କରିଥିଲା ।

 

ଅନ୍ୟ ଆଡ଼କୁ ମୁହଁ ବୁଲାଇ ନେଇ ଅଳ୍ପ ହସି ଉତ୍ତର ଦେଇଥିଲା ରମେଶ, ବିଳମ୍ବପାଇଁ ମୁଁ ମଧ୍ୟ ଭାରି ଦୁଃଖିତ । ହଠାତ୍ ଯେତେବେଳେ ଚାନ୍‍ସଟା ପାଇଗଲି...

 

କି ଚାନ୍‍ସ ! –ବିନୋଦ କୌତୂହଳୀ ହୋଇ ପ୍ରଶ୍ନ କରିଥିଲା ।

 

ଏଇ ପଶ୍ଚିମ ଜର୍ମାନୀରୁ ଗୋଟିଏ ସ୍କଲାର୍‍ସିପ୍ ଚାରିବର୍ଷ ପାଇଁ ମୁଁ ଭାରତ ଛାଡ଼ି ଚାଲି ଯାଉଛି । ଖୁବ୍ ଅଳ୍ପ ସମୟ ମଧ୍ୟରେ ପାସ୍‍ପୋଟ୍ ଇତ୍ୟାଦି ଯୋଗାଡ଼ କରିବାକୁ ହେଉଛି–ଆସନ୍ତା ସୋମବାର ମୁଁ ଭାରତ ଛାଡ଼ୁଛି...

 

ଚାରିବର୍ଷ ପାଇଁ ତୁ ପଶ୍ଚିମ ଜର୍ମାନୀ ଯିବୁ, ଆଉ ସାଗରିକା ସହ ବାହାଘର !

 

ବିନୋଦ ପ୍ରଶ୍ନର ଯେଉଁ ଉତ୍ତର ଦେଇଥିଲା ରମେଶ, ସେକଥା ଶୁଣିବା ପରେ ଆଉ ତା’ ସହିତ କଥାବାର୍ତ୍ତା କରିବାକୁ ତା’ର ଇଚ୍ଛା ହୋଇ ନଥିଲା । ଏପରି ଏକ ଆଘାତ ଆକସ୍ମିକ ଭାବରେ ପାଇବ ବୋଲି ସେ ଆଶା ମଧ୍ୟ କରି ନଥିଲା ।

 

ତା’ ପରଠାରୁ ତା’ ମନର ସମସ୍ତ ଭାରସାମ୍ୟ ଗଣ୍ଡଗୋଳ ହୋଇ ଯାଇଥିଲା ।

 

ନିଜେ ବାହା ହୋଇପାରି ନଥିଲେବି ଆଉ ଗୋଟିଏ ଅନାତ୍ମୀୟା ଝିଅର ବିବାହ ସେ କରାଏ ଦେଇ ପାରୁଛି, ଏଇ ଆନନ୍ଦରେ ସେ ନିଜେ ଅବିବାହିତ ଜୀବନରେ ଦୁର୍ଘଟଣା କଥା ଅନେକ ପରିମାଣରେ ବିସ୍ମୃତ ହୋଇ ଯାଇଥିଲା ।

 

ରମେଶ ସେ ମନସ୍ତାପ ତାକୁ ପୁଣି ଫେରାଇ ଦେଲା ।

 

ମିଷ୍ଟର୍‍ ମହାପାତ୍ରଙ୍କୁ ସେ କିପରି ସମଗ୍ର ଘଟଣା ବୁଝାଇ ଦାୟିତ୍ୱମୁକ୍ତ ହେବ, ସେ କଥା କଳ୍ପନା କଲାମାତ୍ରେ ତା’ ମନ ଯନ୍ତ୍ରଣାରେ ଭରି ଯାଉଥିଲା ।

 

ଝିଅ ବାଡ଼ୁଅ ଥିଲେ ଅନେକ ପ୍ରସ୍ତାବ ପଡ଼େ, ଅନେକ ପ୍ରସ୍ତାବ ଭାଙ୍ଗେ । କିନ୍ତୁ ରମେଶ ଯେଉଁପରି ଭାବରେ ସାଗରିକା ସହ ନିଜର ବିବାହ ପ୍ରସ୍ତାବ ଭାଙ୍ଗିଲା, ସେପରି ପ୍ରସ୍ତାବ କେଉଁଠି ଭାଙ୍ଗିଯାଏ କି ?

 

କାର୍‍କୁ ରାସ୍ତାର ଗୋଟିଏ କୋଣରେ ରଖି ରାସ୍ତା ପାଖର ପ୍ରାନ୍ତରରେ ବସିପଡ଼ିଲା ବିନୋଦ । ନା–ଆଜିର ଏକୁଟିଆ ପ୍ରାନ୍ତର, ଝିର୍‍ଝିର୍ ପବନରେ ମନର ସମସ୍ତ ଗ୍ଳାନି ଦୂର ହୋଇ ଯାଉଛି । ଆଉ ସେ ମି: ମହାପାତ୍ର ଘରକୁ ଯିବ ନାହିଁ । ଖବର ପଠାଇ ଦେବ ବୃତ୍ତି ପାଇ ଚାରିବର୍ଷ ପାଇଁ ରମେଶ ପଶ୍ଚିମ ଜର୍ମାନ୍ ଯାଉଛି । ସାଗରିକାର ବିବାହ ଅନ୍ୟତ୍ର ସ୍ଥିର କରିବେ । ପ୍ରଣତିପାଇଁ ବର ମିଳିଲେ, ସାଗରିକାକୁ ମିଳିବେ ନାହିଁ !

 

କୃପାମୟ ଠିକ୍ କହୁଥିଲା, ଯେ ନିଜେ ବିବାହ କରି ପାରିଲା ନାହିଁ, ସେ ଅନ୍ୟ କାହାର ବିବାହ ମଧ୍ୟ କରାଇ ଦେବା ସହଜ ନୁହେଁ । ଗୋଟିଏ କ୍ଷେତ୍ରର ଅଯୋଗ୍ୟତା ଅନ୍ୟ କ୍ଷେତ୍ରରେ ଯୋଗ୍ୟତା ହୋଇଯାଏ ନାହିଁ ।

 

ଜୀବନରେ କାହାରିକୁ କେବେହେଲେ ଈର୍ଷା କରିନାହିଁ ବିନୋଦ ।

 

ଆଜି କିନ୍ତୁ ତା’ର ତିନି ପ୍ରିୟବନ୍ଧୁଙ୍କ ଉପରେ ଭୀଷଣ ଈର୍ଷା ହେଲା ।

 

ସୀତାନାଥ, କୃପାମୟ, ମଦନ–ତମେ ସବୁ ଯୁଗର ମହାମାନବ । ବନ୍ଧୁ ନ କରି ତମ ତିନି ଜଣଙ୍କୁ ମୁଁ ଯଦି ଗୁରୁ କରି ଥାଆନ୍ତି, ଜୀବନଟା ମୋର ଏମିତି ଦୁର୍ବିସହ ହୋଇ ନଥାନ୍ତା । ମୁଁ ତମର ବନ୍ଧୁ ହେଲି, କିନ୍ତୁ ତମର ଆଦର୍ଶ ଗ୍ରହଣ କରିପାରିଲି ନାହିଁ !

 

କୃପାମୟ ସେଦିନ ଅବାକ୍ ହୋଇ ପ୍ରଶ୍ନ କରିଥିଲା, କ’ଣ ପାଇଁ ତୁ ଆଉ ଗୋଟାଏ ଲୋକର ସ୍ତ୍ରୀକୁ ମନ ଭିତରେ ଫୁଲ ଚନ୍ଦନ ଦେଇ ଦେବୀ ଭଳି ପୂଜା କରୁଛୁ, ଆଉ ନିଜେ ଏକ ଧୂପକାଠି ଭଳି କୁହୁଳୁଛୁ ! ପ୍ରଣତି ଭଳି ଝିଅମାନଙ୍କୁ କିଛିଦିନ ପାଇଁ ବ୍ୟବହାର କରାଯାଏ, ପ୍ରେମ କରାଯାଏ ନାହିଁ । ସେଭଳି ଝିଅ ପ୍ରେମିକର ନୁହନ୍ତି, ସ୍ୱାମୀର ନୁହନ୍ତି, କାହାରି ମଧ୍ୟ କିଛି ହୁଅନ୍ତି ନାହିଁ-। ସେମାନଙ୍କର ଦେହ ଅଛି, ହୃଦୟ ନାହିଁ । ମୁଁ ବହୁ ଝିଅଙ୍କୁ ଦେହ ଦେଇ ଭଲପାଏ । ହୃଦୟ ଦେଇ ପ୍ରେମ କରେ ଏକ ମୋର ପତ୍ନୀଙ୍କୁ...ସେ ଅସୁନ୍ଦରୀ ହୁଅନ୍ତୁ, ରୋଗିଣୀ ହୁଅନ୍ତୁ... !

 

ବିନୋଦ ନିର୍ବୋଧ ଭଳି ଉତ୍ତର ଦେଇଥିଲା, ତମେ ସବୁ ଯାହା ହୋଇ ପାରିଲ, ମୁଁ ତାହା କାହିଁକି ହୋଇ ପାରିଲି ନାହିଁ କହିପାରିବି ନାହିଁ । ବିଶ୍ୱାସ କର, ଅନ୍ୟ ଏକ ପୁରୁଷର ସନ୍ତାନକୁ କୋଳରେ ଧରି ପ୍ରଣତି ଜନନୀ ହେବାପରେବି ପ୍ରଣୟିନୀ ଭାବରେ ତା’ର ସେ ପ୍ରତିମା ମୋ ମନରେ ଆଜି ସୁଦ୍ଧା ଆମ୍ଳାନ ରହିଛି... ।

 

ସୀତାନାଥ ଚିତ୍କାର କରିଥିଲା, ନିର୍ବୋଧ...ଏକଦମ୍ ନିର୍ବୋଧ ! ତୋଦ୍ୱାରା କିଛି ହେବ ନାହିଁ । ଆମେ ଯାହା ପାରିଲୁ, ତୁ ତାହା ପାରୁନାହୁଁ, କାରଣ ଆମେ ଆଖିମାରି ପ୍ରେମ କରୁଥିଲୁ, ତୁ ହୃଦୟ ଦେଇ ପ୍ରେମ କରୁଛୁ । ଆମେ ଜାଣୁ, ଆମେ ସବୁ ଭଲଲୋକ ନୁହ । ତୋ ଭାଷାରେ ଆମେ ସବୁ ଫୋର୍ ଟୋଣ୍ଟି...ବଜାରୀ ! କିନ୍ତୁ ଆମେହିଁ ଏ ସଂସାରକୁ ଜିତୁଛୁ, ଆମେହିଁ ବେଶି ଦିନ ବଞ୍ଚି ରହିବୁ । ଆମ ରକ୍ତରେ ଆଲ୍‍କହଲ ମିଶିଛି । ଆମ ସନ୍ତାନ ଅଭିମନ୍ୟୁ ଭଳି ସପ୍ତରଥୀଙ୍କ ସହ ଏକାକୀ ଲଢ଼େଇ କରିବ । ବିସ୍ମୃତିର ଅରଣ୍ୟରେ ଆମେ ଅନେକ ଚିତ୍ରାଙ୍ଗଦା ଛାଡ଼ି ଆସିଛୁ...କିନ୍ତୁ ସେଥିପାଇଁ ତୋ ଭଳି, ବିଧବା ସ୍ତ୍ରୀଲୋକଙ୍କ ପରି ବାହୁନି ବାହୁନି କାନ୍ଦୁନାହୁଁ...ତୁ ଗୋଟିଏ ବୋକା...ଇଡ଼ିୟଟ୍...ହ୍ୱାଟ୍ ନଟ୍ !

 

ହଁ; ଗୋଟି ଗୋଟି ହୋଇ ସବୁ କଥା ମନେ ପଡ଼ିଯାଉଛି ବିନୋଦର ।

 

ସେମାନେ କେହି ବର୍ତ୍ତମାନ ତା’ ପାଖରେ ନାହାନ୍ତି; ତଥାପି ସେମାନଙ୍କର ଜୟଗାନ କରିବାପାଇଁ ବିନୋଦର ପ୍ରବଳ ଇଚ୍ଛା ହେଉଛି ।

 

ଆଉ ରମେଶ... !

 

ରମେଶ ମଧ୍ୟ ଦୀର୍ଘଜୀବୀ ହେବ ।

 

କାରଣ ଅବଶେଷରେ ସେ ମଧ୍ୟ ସୀତାନାଥ–ମଦନ–କୃପାମୟ ସମ୍ପ୍ରଦାୟ ସହିତ ଯୋଗ ଦେଇଛି ।

 

ସେ ଆଜି ନିଃସଙ୍ଗ । ଆଦର୍ଶ ଦୃଷ୍ଟିରୁ, ଜୀବନଧାରଣର ପ୍ରଣାଳୀ ଦୃଷ୍ଟିରୁ ମଧ୍ୟ ।

 

ଏକ ନିଃସଙ୍ଗ ହାହାକାର ତା’ ମନରେ ବିଦ୍ୟୁତ୍-ପ୍ରବାହ ଭଳି ସଞ୍ଚାରିତ ହେଉଛି । ଏକ ସର୍ବବ୍ୟାପୀ ଯନ୍ତ୍ରଣାରେ ତା’ ମନର ସମସ୍ତ କୋଣ-ଅନୁକୋଣ ଆଚ୍ଛନ୍ନ ହୋଇ ଆସୁଛି । ତା’ର ମନେ ହେଉଛି, ସେ ନିଜେ ହୁଏତ ଖୁବ୍ ବେଶି ଦିନ ବଞ୍ଚିବ ନାହିଁ ।

 

।। ଅଠର ।।

 

ସମ୍ବାଦଟା ଶୁଣି ସାଗରିକା ଯେପରି ଚମକି ପଡ଼ିବ ବୋଲି ସେ ଭାବିଥିଲା, ସେପରି କିଛି ଘଟିଲା ନାହିଁ ।

 

ଗୋଟିଏ ଧଳା ଶାଢ଼ି ପିନ୍ଧି ଏକ ଗୁଚ୍ଛ ମଲ୍ଲିଫୁଲ ଭଳି ସାଗରିକା ହସୁଥିଲା । ରମେଶର ବିବାହ ପ୍ରତ୍ୟାଖ୍ୟାନ କଥା ଶୁଣି ତା’ର ସେ ହସ ମଉଳିଲା ନାହିଁ । ସେ କହିଲା, ମତେ ଯେ ସେ ବିବାହ କରିବେ ନାହିଁ, ସେକଥା ମୁଁ ଅନୁମାନ କରିଥିଲି । କାରଣ ବିବାହ ପୂର୍ବରୁ ସେ ଯେତେଥର ମୋ ସହିତ ମିଶିବାକୁ ସୁଯୋଗ ପାଇଥିଲେ, ସେତେବେଳେ ସେତେଥର ସ୍ୱାମୀର ଅଧିକାରରେ ଅନେକ କଥା ଦାବି କରୁଥିଲେ । ମୁଁ ସେ ଅନ୍ୟାୟ ଦାବିକୁ ପ୍ରଶ୍ରୟ ଦେଇନାହିଁ...

 

ବିନୋଦ ମନରେ ବିସ୍ମୟ ଓ କୌତୂହଳ ତୀବ୍ରତର ହେଲା । ଅତି ସ୍ପଷ୍ଟ ଅଥଚ ନିଃସଙ୍କୋଚ ଭାବରେ ସାଗରିକା ରମେଶ ଚରିତ୍ରର ଏକ କୃଷ୍ଣକାୟ ଦିଗ ତା’ ଆଖି ଆଗରେ ତୋଳି ଧରିଥିଲା । କଥା କହିଲାବେଳେ କୌଣସି ଘୃଣା, ରାଗ, କ୍ରୋଧ କିମ୍ବା ଅସଂଯତ ଭଙ୍ଗୀ ନଥିଲା ତା' ମୁହଁରେ । ଆଗ ଭଳି ଧୀର କଥା, ନିର୍ଲିପ୍ତ ଭାବ ।

 

ତମ ସହିତ ଏପରି ଇତର ବ୍ୟବହାର କରୁଥିଲା ରମେଶ !–ବିନୋଦ ବିଚଳିତ ଭାବରେ ପ୍ରଶ୍ନ କରିଥିଲା ।

 

ଦୃଷ୍ଟି ଆନତ କରି ସାଗରିକା ଉତ୍ତର ଦେଇଥିଲା, ମୁଁ ତାଙ୍କୁ ବୁଝାଇ ଦେଇଥିଲି, ବାପା ତାଙ୍କୁ ଚର୍ଚ୍ଚା କରିବାର ଦାୟିତ୍ୱ ମତେ ଦେଇଛନ୍ତି । ତାଙ୍କ ସହିତ ପ୍ରେମ କରିବାକୁ ନୁହ । ପାଖରେ ବସିଥିବାବେଳେ ସେଥିପାଇଁ ଅକାରଣରେ ମତେ ସେ ସ୍ପର୍ଶକରିବାକୁ ଚେଷ୍ଟା କରିବା ଉଚିତ ନୁହେଁ; କିମ୍ବା ସିନେମା, ପିକ୍‍ନିକ୍ ଯିବାକୁ ଆମନ୍ତ୍ରଣ କରି ତା’ର ଅକ୍ଷମତା ପାଇଁ ତାକୁ ଲଜ୍ଜା ଦେବା ଭଲ ନୁହେଁ । ବିବାହ ପୂର୍ବରୁ ସେ ବାପାଙ୍କର ଝିଅ, ବିବାହ ପରେ ତାକୁ ସେ ଯାହା କହିବେ ସେ ମାନିବ-। ଏଥିରେ ଭଦ୍ରଲୋକ କ୍ଷୁଣ୍ଣ ହୋଇଥିବା ମୁଁ ଜାଣେ ।

 

ବିନୋଦ ରମେଶର ଜର୍ମାନ ଯିବା ସମ୍ବାଦଟା ଦେଇ ଦାୟିତ୍ୱମୁକ୍ତ ହେବାକୁ ଆସିଥିଲା । କିନ୍ତୁ ସାଗରିକାର କଥାରେ ସେ ଆଉ ଏକ ନୂତନ ରହସ୍ୟର ଉପଗଳିରେ ପ୍ରବେଶ କରିଗଲା । ସାଗରିକାର କଥା, ଯେଉଁ କାରଣରୁ ବିବାହ କରିବ ନାହିଁ ବୋଲି ରମେଶ ତାକୁ କହି ଯାଇଛି, ସେ କଥା ଏକାଠି ମିଶାଇ ଭାବିବାମାତ୍ରେ ତା’ର ମନେ ହେଉଥିଲା, ମଣିଷ ଚରିତ୍ର ବିଚିତ୍ର, ସେ ରହସ୍ୟ ଭେଦ କରିବାକୁ ଚେଷ୍ଟା କରିବା ତା’ ପକ୍ଷରେ ଭଲ ନୁହେଁ ।

 

କ୍ଳାନ୍ତ ଭାବରେ ସେ କହିଲା, ରମେଶର ବ୍ୟବହାର ପାଇଁ ମୁଁ ନିଜେ ଲଜ୍ଜିତ ସାଗରିକା ! କାରଣ ଭଲକରି ନ ଜାଣି ସୁଦ୍ଧା ତା’ ସହିତ ବିବାହ ପ୍ରସ୍ତାବ ମୁଁ ଆଣିଥିଲି । ତମେ ଯେଉଁ କଥା ବୁଝିପାରିଲ, ମି: ମହାପାତ୍ରଙ୍କୁ ସେ କଥା ମୁଁ କିପରି ବୁଝାଇ ପାରିବି ?

 

ଚାକର ହାତରୁ ଚା' କପ୍‍ଟା ଆଣି ସାଗରିକା ବିନୋଦ ଆଗରେ ରଖିଲା ।

 

ବିନୋଦର ଚିନ୍ତିତ ମୁହଁକୁ ଚାହିଁ କହିଲା, ରମେଶବାବୁ ଖରାପ ଲୋକ, ସେ କଥା ମୁଁ କହୁନାହିଁ । ବିବାହ ଦିନେ ଭାଗ୍ୟର କଥା ଥିଲା, ଆଜିକାଲି ଯୋଗାଡ଼ଯନ୍ତ୍ରର କଥା । ଭଲ ବର ପାଇବାପାଇଁ କନ୍ୟାର ଅଭିଭାବକଙ୍କୁ ଅନେକ ନ କହିବା କଥା କହିବାକୁ ହୁଏ, କନ୍ୟାକୁ ମଧ୍ୟ ସେହିପରି ଅନେକ ନ କରିବା କଥା କରିବାକୁ ପଡ଼େ । ବିବାହ ପରେ ସେସବୁ ଖାଲଢିପ ମିଶି ସମତୁଲ ହୋଇଯାଏ । ମୁଁ ପାରିଲି ନାହିଁ ବୋଲି ରମେଶବାବୁଙ୍କୁ ଦୋଷ ଦେବି କାହିଁକି ? ଆଉ ବାପାଙ୍କ କଥା ! ହୁଁ–ସବୁ କନ୍ୟାଦାୟଗ୍ରସ୍ତ ପିତାଙ୍କ ଭଳି ସ୍ଥିର ହୋଇ ଯାଇଥିବା ପ୍ରସ୍ତାବଟା ଭାଙ୍ଗିଯିବା କଥା ଶୁଣି ସେ ଦୁଃଖିତ ହେବେ–କିନ୍ତୁ ବ୍ୟଥିତ ହେବେ ବୋଲି ମୁଁ ଭାବୁନାହିଁ । ବାପା ସେପରି ଭାଙ୍ଗିପଡ଼ିବା ଭଳି ବ୍ୟକ୍ତି ନୁହଁନ୍ତି–

 

ବିନୋଦ ଆଶ୍ୱସ୍ତ ହେଲା ।

 

କହିଲା, ରୂପ, ଗୁଣ, ଆଭିଜାତ୍ୟ, ଶିକ୍ଷା, ଚରିତ୍ର–ସବୁ ଦିଗରୁ ତମେ ଏ ସହରର ଦୁର୍ଲ୍ଲଭ ବ୍ୟକ୍ତିତ୍ୱସମ୍ପନ୍ନା ଝିଅ–ତମପାଇଁ ଯେ ବହୁ ସତ୍‍ପାତ୍ର ଆଗେଇ ଆସିବେ–ଏ ବିଷୟରେ ମୋର ତିଳେହେଲେ ସନ୍ଦେହ ନାହିଁ । ମୋର ଦୁଃଖ ଯେ ବାପାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ସେ ପ୍ରତିଶ୍ରୁତି ମୁଁ ରଖିପାରିଲି ନାହିଁ । ମୋର ସ୍ନେହ ଓ ଶୁଭେଚ୍ଛା ରହିଲା । ଜୀବନରେ ତମେ ସୁଖୀ ହୁଅ ମୋର ଏତିକି ମାତ୍ର କାମନା ।

 

ଆରେ–ଆପଣ ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ? ସତ କହୁଛି, ଏ ବିବାହ ହୋଇଥିଲେ ମୁଁ ଆଦୌ ସୁଖୀ ହୋଇ ନଥାନ୍ତି । –ସାଗରିକା ଈଷତ୍ ବିବ୍ରତ ଓ ବହୁ ପରିମାଣରେ ଆଶ୍ୱସ୍ତ ହୋଇଥିବା ଭଳି ଶବ୍ଦଗୁଡ଼ାକ ଉଚ୍ଚାରଣ କଲା ।

 

ଦ୍ୱିଧାଗ୍ରସ୍ତ ଭାବରେ ବିନୋଦ ପ୍ରଶ୍ନ କଲା, କିନ୍ତୁ ଏ ବିବାହ ପ୍ରସ୍ତାବ ଚାଲିଥିବାବେଳେ ମୁଁ ତ ତମଠାରେ କୌଣସି ଦିନ ସାମାନ୍ୟ ହେଲେ ଅତୃପ୍ତି, ଅସନ୍ତୋଷ ଲକ୍ଷ୍ୟ କରିନାହିଁ ! ସାଗରିକା ଏଥର ବହୁ କଷ୍ଟରେ ହସିଲା ।

 

କହିଲା, ନାରୀର ମନକଥା ସବୁବେଳେ ତା’ର ମୁହଁର ରେଖାରେ ପ୍ରତିଫଳିତ ହୁଏ ନାହିଁ-। ମୋ ମୁହଁର ହସ ଦେଖି ଆପଣ ମୋ ମନକଥା ଜାଣିବାପାଇଁ ଚେଷ୍ଟା କରିଥିବାରୁ ମୋ ମନକଥା ଜାଣିପାରି ନଥିଲେ । ବାପା ଯେତେବେଳେ ମୋ ବିବାହପାଇଁ ରୀତିମତ ବ୍ୟସ୍ତ, ଆପଣ ଯେତେବେଳେ ନିଜେ ନିଜ ବନ୍ଧୁଙ୍କ ବିଷୟରେ ବିବାହ ପ୍ରସ୍ତାବ ଆଣିଥିଲେ, ଆପଣମାନଙ୍କ ଆଗରେ ସେ ବିବାହ ସମ୍ପର୍କରେ ଆଗ୍ରହ ପ୍ରକାଶ ନ କରିଥିଲେ ମୁଁ ଆପଣମାନଙ୍କ ପ୍ରତି ଅବିଚାର କରିଥାଆନ୍ତି । କିନ୍ତୁ ଅନେକ ରାତିରେ ସେଥିପାଇଁ ମୁଁ ଶୋଇପାରୁ ନଥିଲି । ବିବାହ କରିଥିଲେ ହୁଏତ ଆପଣ ପୂର୍ବଭଳି ମୋ ମୁହଁରେ ହସ ଦେଖିଥାଆନ୍ତେ, କୋଳରେ ସନ୍ତାନ ଦେଖିଥାଆନ୍ତେ, କିନ୍ତୁ ମୋର ସୁଖ ଦେଖି ନଥାନ୍ତେ !

 

ପ୍ରଚଣ୍ଡ ଏକ ଗଳାଧକ୍କା ଖାଇଲା ଭଳି ଚିହିଁକିଉଠିଲା ବିନୋଦ ।

 

ପୁଣି ସେଇ ନାରୀ, ନାରୀର ସେହି ରହସ୍ୟମୟ ମନର ଅରଣ୍ୟ, ସେଇ ଜଟିଳତା !

 

ନା–ନା–ଆଉ ଗହନ ଅରଣ୍ୟରେ ସେ ପ୍ରବେଶ କରିବାକୁ ଚେଷ୍ଟା କରିବ ନାହିଁ । ଅଯଥାରେ ନିଜର ଭାରମୁକ୍ତ ମନକୁ ଜଟିଳ କରିବ ନାହିଁ । ସେ ମୁକ୍ତି ଚାହେଁ ଏ ବନ୍ଧନର ମାୟାଜାଲରୁ । ଆଉ ଏ ବନ୍ଧନ, ରହସ୍ୟଭେଦ ତାକୁ ଭଲ ଲାଗୁନାହିଁ ।

 

ସେ କହିଲା, ଏ ବିବାହ-ଭଙ୍ଗରେ ତମେ ସୁଖୀ ହୋଇଛ, ମୋପାଇଁ ନାନା କାରଣରୁ ଏହା ଆଶ୍ୱାସନାର କଥା । କାରଣ ଏହି କେତେ ଦିନ ହେଲା ଏହାର ପରିଣତି କଥା ଭାବି ମୁଁ ଚିନ୍ତିତ ହୋଇ ପଡ଼ିଥିଲି । ବାପାଙ୍କୁ ତମେ ମୋ ତରଫରୁ ସବୁ କଥା ବୁଝାଇ କହିଦେବ ।

 

ଆପଣ କ’ଣ ଯିବାକୁ ବାହାରିଲେଣି ?

 

ଚାହା ତ ଖାଇ ସାରିଲି । ଆଉ କାମ କ’ଣ ?

 

ଆଉ ତା’ ମାନେ ଆପଣ ଆସିବେ ନାହିଁ ?

 

ଆସିବି–ବିବାହ ପ୍ରସ୍ତାବ ନେଇ ନୁହେଁ–ଇନ୍‍ସୁରାନ୍‍ସ କରିବାପାଇଁ ବାପାଙ୍କୁ ଆଉଥରେ ବୁଝାଇବା ଲାଗି । କିନ୍ତୁ ଏ ଘଟଣା ପରେ ସାଙ୍ଗେ ସାଙ୍ଗେ ସେ ପ୍ରସଙ୍ଗ ଉଠାଇଲେ ମି: ମହାପାତ୍ର ହୁଏତ ଭୁଲ୍ ବୁଝିବେ । ତେଣୁ ଯଦି ଆସିବାର କଥା ହୁଏ, ଆଉ କିଛିଦିନ ପରେ ।–ବିନୋଦ ନିଜର ବକ୍ତବ୍ୟ ବୁଝାଇ କହିଲା ।

 

ତା’ର ସେ କଥା ଶୁଣି ଖଳଖଳ ହୋଇ ହସି ଉଠିଲା ସାଗରିକା । ମୁକ୍ତ, ସ୍ୱଚ୍ଛନ୍ଦ ପ୍ରାଣ ଖୋଲା ହସ । ଏତେ ଦିନର ମିଳାମିଶା ଭିତରେ ସାଗରିକା ମୁହଁରେ ଏପରି ମନଖୋଲା ହସ ଏହି ପ୍ରଥମ ଦେଖିଲା ବିନୋଦ । ପାହାଡ଼ ଭିତରେ ଆତ୍ମଗୋପନ କଲାପରେ ସତେ ଯେପରି ହସର ସେ ବନ୍ୟ ଝରଣା ଏଇ ପ୍ରଥମ ସମତଳ ଭୂମିରେ ଝରଝର ହୋଇ ଝରିଯାଉଛି !

 

ହସି ହସି ସାଗରିକା କହିଲା, ଆପଣ ତ ଏକା, ଟଙ୍କାପାଇଁ ଏତେ ବ୍ୟଗ୍ରତା କାହିଁକି ? ମୁଁ ତ ଶୁଣିଛି, ଆପଣ ଯେତେ ଟଙ୍କାର ଇନ୍‍ସୁରାନ୍‍ସ କରିଛନ୍ତି, ସେଥିରୁହିଁ ଆପଣ ମାସକୁ ସହସ୍ରଧିକ ଟଙ୍କା କନିଶନ୍ ପାଆନ୍ତି । ଏ ବର୍ଷ କୁଆଡ଼େ ସହରରେ ସବୁ ଏଜେଣ୍ଟଙ୍କଠାରୁ ଆପଣଙ୍କ ବିଜିନେସ୍ ଭଲ ହୋଇଛି ।

 

ଗୃହର ଚତୁଃସୀମା ଅତିକ୍ରମ କରି ବାହାରକୁ ବିଶେଷ ଯାଉ ନଥିବା ଝିଅଟି ତା’ ସମ୍ପର୍କରେ ଏତେ ଟିକିନିଖି ସମ୍ବାଦ ସଂଗ୍ରହ କରିଛି କିପରି ?

 

ସେ ହସିବାକୁ ଚେଷ୍ଟା କରି କହିଲା, ସତ କହିବାକୁ ଗଲେ ନିଃସଙ୍ଗ ଜୀବନରେ ଅବସର ସମୟଟାହିଁ ସବୁଠାରୁ ବଳି ବଡ଼ ଶତ୍ରୁ । ଟଙ୍କା ରୋଜଗାର କରିବାକୁ ନୁହେଁ, ସମୟ କଟାଇବାକୁହିଁ ଇନ୍‍ସୁରାନ୍‍ସ ଏଜେନ୍‍ସି ମୋର ପ୍ରଧାନ ଅସ୍ତ୍ର । ଆଉ ଟଙ୍କାର ଆବଶ୍ୟକତା ଥାଏ ଟଙ୍କା ଅର୍ଜ୍ଜନ କରିବାକୁ ଚେଷ୍ଟା କଲେ ତାହା କୃଚ୍ଛ୍ର ସାଧନା କଲା ଭଳି ବୋଧହୁଏ, କିନ୍ତୁ ଆବଶ୍ୟକତା ନଥାଇ ଟଙ୍କା ରୋଜଗାର ଚେଷ୍ଟାରେ ଥାଏ ଅପ୍ରକାଶ୍ୟ ଏକ ଆନନ୍ଦ, ଅକାରଣ ଅହଂକାର ।

 

ସେ କଥା ମୁଁ ଜାଣେ । ଆପଣଙ୍କ ବ୍ୟକ୍ତିତ୍ୱର ଏହି ଦିଗଟା ଯୋଗୁଁ ତ ମତେ ଆପଣ ଏତେ ଭଲ ଲାଗନ୍ତି । –କଥା ଶେଷ କରିବା ଆଗରୁ ବିନୋଦ ମୁହଁକୁ ନ ଚାହିଁ ଦୃଷ୍ଟି ତଳକୁ କଲା ସାଗରିକା ।

 

ବିନୋଦ ଉଲ୍ଲସିତ ହେଲା, ଉଚ୍ଚକିତ ହେଲା ସାଗରିକା ସେ ଅଯାଚିତ, ଅପ୍ରତ୍ୟାଶିତ ପ୍ରଶଂସା ଶୁଣି । ତା’ ସାଙ୍ଗେ ସାଙ୍ଗେ ମଧ୍ୟ ଏକ ଅଜ୍ଞାତ ଭୟ ହଠାତ୍ ତା’ ମନକୁ ଗ୍ରାସ କରିଗଲା ।

 

ଆଉ କିଛି ନ କହି ନିଃଶବ୍ଦରେ ସେ ଉଠି ଠିଆହେଲା ।

 

କହିଲା, ବାହାଘର ଭାଙ୍ଗିଗଲେବି ବାହାଘର ଭୋଜି ଖାଇବାର ଲୋଭଟା ମନରୁ ଯାଇନାହିଁ । ମତେ ତମ ବିବାହକୁ ନିମନ୍ତ୍ରଣ କରିବ ନିଶ୍ଚୟ ।

 

ମୁହୂର୍ତ୍ତକ ପାଇଁ ଦୃଷ୍ଟି ଉତ୍ତୋଳନ କରି ପୁଣି ଦୃଷ୍ଟି ଆନତ କରି ନେବା ମଧ୍ୟରେ ସାଗରିକା ଚଟ୍‍କିନା କହିଦେଲା, ମୂଳରୁ ମୋର ବିବାହ ମଧ୍ୟ ନ ହୋଇପାରେ । ବାପାଙ୍କୁ ସେ କଥା ମୁଁ କହିଦେବି ବୋଲି ସ୍ଥିର କରିଛି ।

 

ମାନେ ! –ଦୁର୍ବୋଧ୍ୟ ବିସ୍ମୟରେ ଶବ୍ଦଟି ଉଚ୍ଚାରଣ କଲା ବିନୋଦ ।

 

ସାଗରିକା ତଳୁ ମୁହଁ ନ ଉଠାଇ ଉତ୍ତର ଦେଲା, ଆପଣ ତ ପୁଣି ବିବାହ ନ କରି ଆଜୀବନକୁମାର ରହିବେ ବୋଲି ସ୍ଥିର କରିଛନ୍ତି । ମୁଁ ଯଦି ଆଜୀବନ କୁମାରୀ ରହିବାପାଇଁ ସ୍ଥିର କରିଥାଏ, ଆପଣ ସେଥିରେ ଚମକି ଉଠୁଛନ୍ତି କାହିଁକି ?

 

କକ୍ଷ ନିର୍ଜ୍ଜନ । ସାଗରିକା ଆଉ ତାକୁ ଛାଡ଼ିଦେଲେ ଅନ୍ୟ କେହି ନାହାନ୍ତି । ଅପରାହ୍ନ ଅତୀତ ହୋଇ ଯାଇ ଆସନ୍ନ ସନ୍ଧ୍ୟାର ମ୍ଳାନ ଆଲୋକ ପରିବେଶକୁ ଆହୁରି ଧୂସର, ଆହୁରି ମଳିନ କରିଦେଇଛି ।

 

ବିନୋଦ ଲକ୍ଷ୍ୟକଲା, କଥା କହିଲାବେଳେ କେବଳ ସାଗରିକାର କଣ୍ଠସ୍ୱର ନୁହେଁ, କଥା କହି ସାରିବା ପରେ ଆଖିପତା ଦୁଇଟା ମଧ୍ୟ ଭାରି ଭାରି ହୋଇଉଠିଛି । ଏ ଯୁଗର ଜଟିଳ ଯନ୍ତ୍ରଣା ଯେପରି ମଲ୍ଲିଫୁଲର ଗୁଚ୍ଛ ଭଳି ସାଗରିକାର ସେହି ସୁରଭିତ ଶୁଭ୍ର ମନର ଅଭ୍ୟନ୍ତରରେ କେତେବେଳେ ପ୍ରସ୍ଫୁଟିତ ହୋଇ ଯାଇଛି !

 

ସେ କମ୍ପିତ କଣ୍ଠରେ କହିଲା, ତମେ ଏ କ’ଣ କହୁଛ ସାଗରିକା !

 

ମୁଁ ମୋର ହୃଦୟର କଥା କହିଛି, ମୁହଁର କଥା ନୁହେଁ । ଆପଣ ଯଦି ବୁଝିପାରୁନାହାନ୍ତି, ମୁଁ ଆପଣଙ୍କୁ ବୁଝାଇବାକୁ ଚାହେଁ ନାହିଁ ।

 

କଥା ଶେଷ କରି ଉତ୍ତର ଶୁଣିବାକୁ ଅପେକ୍ଷା କଲା ନାହିଁ ସାଗରିକା ।

 

ଶରତ୍ ଆକାଶର ମେଘଖଣ୍ଡ ଭଳି ଲଘୁ ପଦକ୍ଷେପରେ ସେ କକ୍ଷ ଛାଡ଼ି ଚାଲିଗଲା, ପିଞ୍ଜରା ଛାଡ଼ି ସବୁଜ ଅରଣ୍ୟଆଡ଼େ ଉଡ଼ିଯାଉଥିବା ଅରଣ୍ୟ-ମରାଳୀ ଭଳି ନୁହେଁ; ଚଞ୍ଚୁରେ ଆହାର ନେଇ ପୁଣି ଫେରି ଆସିବାପାଇଁ ଉଡ଼ି ଯାଉଥିବା ଗୃହ-କପୋତୀ ଭଳି !

 

ମୁହଁ ଖୋଲି କହିପାରି ନଥିଲେବି ବିନୋଦ କେବଳ ମନେମନେ ଉଚ୍ଚାରଣ କଲା, ସାଗରିକା ! ତମର ଏ କ’ଣ ହେଲା ?

 

।। ଊଣେଇଶି ।।

 

ତା’ର ଏ କ’ଣ ହେଲା ? ଯାହା ସ୍ୱପ୍ନରେ ଦିନେ ସେ ଭାବି ନଥିଲା, ସେ ସବୁ ହଠାତ୍ ସତ୍ୟ ହୋଇଗଲା କିପରି ? ମୁହଁଖୋଲି ତାକୁ ଭଲପାଏ ବୋଲି କହିନାହିଁ ସାଗରିକା, ଯେମିତି ପ୍ରଣତି ଥରେ ନୁହେଁ, ସହସ୍ରଥର କହିଥିଲା, କିନ୍ତୁ ଏଥିମଧ୍ୟରେ ସେ ଯେ ତାକୁ ନିବିଡ଼ ଭାବରେ ଭଲ ପାଇବାକୁ ଆରମ୍ଭ କରିଛି, କେବଳ ସେଥିପାଇଁହିଁ ରମେଶ ଇଞ୍ଜିନିୟର୍ ସହ ବିବାହ ପ୍ରସ୍ତାବ ଭାଙ୍ଗିଯିବା ପରେ ସେ ଅପର୍ଯ୍ୟାପ୍ତ ଭାବରେ ଖୁସି ହୋଉଛି, ସେ ତା’ର ମୁହଁର ଭଙ୍ଗୀ, କଥା କହିବାର ଢଙ୍ଗ ଭିତରେ ବେଶ୍ ପରିଷ୍କାର ଭାବରେ ଫୁଟାଇ ଦେଇଛି । କେବଳ ସେହି କାରଣରୁ କାଳେ ସତରେ ରମେଶ ସହିତ ତା’ର ବିବାହ ହୋଇଯିବ, ସେହି ଭୟରେ ଅନେକ ନିଶୁନ ରାତିରେ ତାକୁ ନିଦହୋଇ ନାହିଁ । କିନ୍ତୁ ଏଥିପୂର୍ବରୁ ସାଗରିକା ପାଇଁ ତା’ ମନରେ କେବେ କୌଣସି ଦୁର୍ବଳତା ପ୍ରବେଶ କରିଥିଲା କି ? ନା–ନା–ନା– ।

 

ସାଗରିକାକୁ ନୁହେଁ, କୌଣସି ଝିଅକୁ ମଧ୍ୟ ସେ ଆଉ କେବେ ଭଲପାଇବ ବୋଲି ଚିନ୍ତା ସୁଦ୍ଧା କରିନାହିଁ । ଅଥଚ ରମେଶ ତାକୁ ସେଦିନ କି ଇତର ଭାବରେ କହିଗଲା, ‘‘ନିଜର ପାପକୁ ମୋ ମୁଣ୍ଡରେ ଲଦିଦେବାକୁ ଚେଷ୍ଟା ନ କରି ତୁ ସାଗରିକାକୁ ବିବାହ କରିଯିବା ଉଚିତ ବିନୋଦ ! ଯେଉଁ କାରଣରୁ ପ୍ରଣତି ନାମକ ଝିଅ ତତେ ପ୍ରତ୍ୟାଖ୍ୟାନ କରିଥିଲା, ସାଗରିକାକୁ ମଧ୍ୟ ମୁଁ ଠିକ୍ ସେଇ କାରଣରୁ ପ୍ରତ୍ୟାଖ୍ୟାନ କରି ଯାଉଛି । ପଶ୍ଚିମ-ଜର୍ମାନୀର ଏ ସ୍କଲାର୍‍ସିପ୍ ମତେ ବଞ୍ଚାଇ ଦେଇଛି । ନହେଲେ ତୋର ଭୁକ୍ତାବଶେଷକୁ ନିର୍ମାଲ୍ୟ ଭଳି ମୁଁ ପାଇ କୃତାର୍ଥ ହୋଇଥାଆନ୍ତି..." କେବଳ ରମେଶ ଇଞ୍ଜିନିୟର୍ କଥା ନୁହେଁ; କଥା କହିଲାବେଳେ ତା’ ମୁହଁର ଅଶ୍ଳୀଳ ଭଙ୍ଗୀ ଦେଖି ତା’ ପ୍ରତି ଅସହ୍ୟ ଘୃଣାରେ ମନ ତା’ର ଭରି ଉଠିଥିଲା । କିନ୍ତୁ ରମେଶ ଯାହା ସନ୍ଦେହ କରୁଥିଲା, ତା’ ସତ୍ୟ ବୋଲି ମୁହୂର୍ତ୍ତ କେତୋଟି ମଧ୍ୟରେ ତାକୁ ସାଗରିକା ବୁଝାଇଦେଇ ପାରିଲା କିପରି ? ବିନୋଦ ଜାଣେ, ରମେଶପାଇଁ ଯେଉଁ ସାଗରିକା ଦିନେ ଦୁର୍ଲ୍ଲଭ ବସ୍ତୁ ହୋଇ ଉଠିଥିଲା, ପଶ୍ଚିମ ଜର୍ମାନର ସ୍କଲାର୍‍ସିପ୍ ପାଇଲା ପରେ ସେଇ ସାଗରିକା ତା’ପାଇଁ ସୁଲଭ୍ୟା ହୋଇଗଲା । ବିଦେଶୀ ବୃତ୍ତିର ମାପକାଠି ଜୀବନର ଭୂମିକୁ ଜରିବ କରି ଶିଖିଛି ରମେଶ ଇଞ୍ଜିନିୟର୍ । ତାକୁ ଦୋଷ ଦେଇ ଲାଭ ନାହିଁ । କିନ୍ତୁ ସାଗରିକା ! ନା, ବିନୋଦ ଭୁଲିନାହିଁ । କାଲି ଅପରାହ୍ନର ସବୁ କଥା ତା’ର ଗୋଟି ଗୋଟି ହୋଇ ମନେଅଛି । ଆୟତ ଆଖିରେ ତା’ର ସେଇ ଆତ୍ମସମର୍ପଣର ଇଙ୍ଗିତ, ଓଠର କଥାରେ ହୃଦୟର ସେହି ଆକୁଳ ଆମନ୍ତ୍ରଣ... ! ସାଗରିକା ତମର ଏ କ’ଣ ହେଲା... ! ପ୍ରଣତିର ପ୍ରତାରଣା ପରେ ଝିଅ ନାମକ ସେହି ରହସ୍ୟମୟୀ ପ୍ରାଣୀମାନଙ୍କଠାରୁ ସେ ନିଜକୁ ନିରାପଦ ଦୂରତ୍ୱରେ ରଖି ଆସିଥିଲା । ସାଗରିକା ସହ ତା’ର ପରିଚୟ ଭିନ୍ନ ସୂତ୍ରରେ...ଅନ୍ୟ ଜଣେ ପ୍ରସ୍ତାବିତ-ସ୍ୱାମୀର ବାକ୍‍ଦତ୍ତ ପତ୍ନୀ ଭାବରେ...ଅଥଚ... ।

 

ବିନୋଦ ମନେମନେ ସ୍ୱଗତୋକ୍ତି କଲା, ସାଗରିକା ! ତମେ ମତେ ଭଲ କରି ଜାଣ ନାହିଁ । ଯେଉଁ ଭଳି ପୁରୁଷ ନାରୀକୁ ସୁଖ ଦେଇ ପାରନ୍ତି, ଯେଉଁମାନଙ୍କୁ ନେଇ ଯେକୌଣସି ନାରୀ ସ୍ୱଚ୍ଛନ୍ଦରେ ଘରସଂସାର କରିପାରେ, ମୁଁ ସେପରି ପୁରୁଷ ନୁହେଁ । ମୋ ହୃଦୟରେ ଉଦାରତା ନାହିଁ, ସହିଷ୍ଣୁତା ନାହିଁ । ସ୍ନେହ, ପ୍ରେମର ସେ ଚଳଚଞ୍ଚଳ ଜଳଧାରା ଅନେକ ଦିନୁ ଶୁଖି ରୁକ୍ଷ ମରୁରେ ହଜି ଯାଇଛି । ମୁଁ ଏକ ହିଂସ୍ର ପୁରୁଷ...ନିଜର ଜ୍ୱାଳାରେ ମୁଁ ନିଜେ ଜଳୁଛି । ତମେ ସେ ଜ୍ୱାଳାକୁ ବହୁଗୁଣିତ କର ନାହିଁ...ଗୋଟିଏ ନାରୀ ତା’ର ପ୍ରତାରଣାର ବିଷରେ ମୋ ଦେହର ସମସ୍ତ ଶିରାପ୍ରଶିରାକୁ ନୀଳ କରି ଦେଇ ଯାଇଛି...ଭଲ ପାଇ ସେ ବିଷକୁ ତମେ ନିଜ ଦେହରେ ସଂଚାରିତ କର ନାହିଁ...

 

କିନ୍ତୁ ଯଦି ବା ଏ ସବୁ କଥା ସେ ସାଗରିକାକୁ ବୁଝାଇ କୁହେ, ସେ କ’ଣ କେବେହେଲେ ତା’ର ଏ କଥା ବିଶ୍ୱାସ କରିବ ?

 

ବିନୋଦ ଜାଣେ, କୌଣସି ଝିଅବି ତା’ର ସେ କଥାକୁ ବିଶ୍ୱାସ କରିବେ ନାହିଁ । ଏହି କଥା ସେ ମଧ୍ୟ ଦିନେ ବୁଝାଇଥିଲା ପ୍ରଣତିକୁ । ସେ ଦିନ ସେ ପ୍ରଣୟ କ’ଣ ଜାଣି ନଥିଲା । ପ୍ରେମ କହିଲେ କେବଳ ଅନେକଗୁଡ଼ାଏ ବହି ପଢ଼ା କଥା, ଆନୁମାନିକ ସ୍ୱପ୍ନ ତା’ ମନକୁ ଚଞ୍ଚଳ କରିଥିଲା । କିନ୍ତୁ ସେଦିନବି ପ୍ରଣତି ତା’ର ସେ କଥାରେ କାନ ଦେଇ ନଥିଲା । ତା’ପରେ କେତେ ଚିଠି, କେତେ ପ୍ରତିଶ୍ରୁତି, କେତେ ହସ, କେତେ ଲୁହ ! ତା’ର ସେ ସବୁ କଥାରେ ଭୁଲି ନିଜ ଜୀବନକୁ ତିଳତିଳ କରି ସେ ନିଜ ହାତରେ ହତ୍ୟା କରିଛି...ଚରିତ୍ରହୀନ ବୋଲି ସମସ୍ତଙ୍କ ପାଖରେ ଅପମାନିତ ହେଉଛି... !

 

ପୁଣି ସେ ସାଗରିକାକୁ ବିଶ୍ୱାସ କରିବ ?

 

ନୀରବରେ ଆଉ ଶୋଇପାରିଲା ନାହିଁ ବିନୋଦ ।

 

କାନ୍ଥରେ ଝୁଲୁଥିବା ପ୍ରଣତିର ଫଟୋ ପାଖରେ ଯାଇ ଠିଆ ହେଲା ।

 

ସେଇ ସ୍ନିଗ୍ଧ-ମଧୁର ହସ, ଆଖିକୋଣରେ ମମତାଭରା ଚାହାଣି...ମିଥ୍ୟା, ଛଳନା, ପ୍ରତାରଣା ସେଇ ଆଦିମ ଅମୋଘ-ଅସ୍ତ୍ର !

 

ତା’ପରେ ଛୋଟପିଲାଙ୍କ ଭଳି ଝରଝର ହୋଇ କାନ୍ଦିଉଠିଲା ବିନୋଦ ।

 

ବାହାରପଟ ଘରର ଦରଜା ବନ୍ଦ କରିଦେଇ ସେ ଚିତ୍କାର କଲା, ତମର ରୂପ ଥିଲା ପ୍ରଣତି...ତମ ବାପାଙ୍କରବି ମିଛକଥା କହି ଯୋଗ୍ୟ ବର ଯୋଗାଡ଼ କରିବାର କ୍ଷମତା ଥିଲା...ଛାତ୍ରୀଜୀବନରେ ଅବସର ମୁହୂର୍ତ୍ତଗୁଡ଼ିକ ତମେ ଯଦି ଉଷ୍ମ କରିବାପାଇଁ କେବଳ ପ୍ରେମ କରିବାକୁ ଚାହୁଁଥିଲ, ତାହାହେଲେ ସୀତାନାଥ ଭଳି ଆଇ.ଏ.ଏସ୍., କୃପାମୟ ଭଳି 'ଏ' କ୍ଲାସ୍ କଣ୍ଟ୍ରାକ୍ଟର କିମ୍ବା ମଦନ ଭଳି କଣ୍ଠଶିଳ୍ପୀକୁ ତମେ ପ୍ରେମ କରିପାରି ଥାଆନ୍ତ...ତା’ପରେ ଛାତ୍ରୀଜୀବନ ଶେଷରେ ନିଜ ପ୍ରଣୟୀର ଭୁକ୍ତାବଶେଷ ଯୌବନକୁ ନେଇ ନିଜ ବାପା ବୋଉଙ୍କୁ ଖୁସି କରିବାକୁ ଚୁପ୍‍କିନି ଆଉ କେଉଁ ପୁରୁଷର ସତୀ, ସାଧ୍ୱୀ ପତ୍ନୀ ହୋଇପାରି ଥାଆନ୍ତ...ତା’ ନ କରି ମୋ ଭଳି ଲୋକ, ଯାହାପାଇଁ ତା’ର ଚରିତ୍ର ଏକମାତ୍ର ଐଶ୍ୱର୍ଯ୍ୟ, ତା’ ଜୀବନକୁ ଛଳନାର ଦଂଶନରେ ବିଷାକ୍ତ କରିଦେଲ କାହିଁକି ?

 

ପ୍ରଣତି ନାହିଁ, ସାଗରିକା ମଧ୍ୟ ନାହିଁ । ଅବଶେଷରେ ନିଜ ଆଖିର ଲୁହ ନିଜ ହାତରେ ପୋଛି ନେଇ ନିଜକୁ ସାନ୍ତ୍ୱନା ଦେଲା ବିନୋଦ ।

 

।। କୋଡ଼ିଏ ।।

 

ଆପଣ ଯେଉଁ ନିୟମ ଦେବେ ସେ ନିୟମ କରିବାକୁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ବିଶ୍ୱାସ କରନ୍ତୁ, ବାପା, ଭାଇଙ୍କୁ ଛାଡ଼ିଦେଲେ ଆପଣ ହେଉଛନ୍ତି ପ୍ରଥମ ପୁରୁଷ, ଯାହାକୁ ମୋ ହେତୁ ପାଇଲା ପରେ ମୁଁ ଏପରି ଚିଠି ଲେଖୁଛି । ଏ ଚିଠି ଲେଖି ନଥାନ୍ତି, ଯଦି ଏ ଚିଠିର କଥା ମୁହଁରେ କହିବାର ସାହସ, ସାମର୍ଥ ମୋର ଥାଆନ୍ତା । ଆପଣ ସେଦିନ ଅନେକ ପ୍ରଶ୍ନ କରିଗଲେ, ମୁଁ କୌଣସି ଉତ୍ତର ଦେଇପାରିଲି ନାହିଁ, କିନ୍ତୁ ସେ ଉତ୍ତର ସବୁ ମୋ ମନରେ ଖୁଜୁବୁଝୁ ହେଉଥିଲା । ସେଇ ସବୁ କଥାଗୁଡ଼ିକ ଅପ୍ରକାଶ୍ୟ ରଖି ଶାନ୍ତିରେ ରହିବା ସହଜ ହେଉ ନାହିଁ ବୋଲି ମୋର ଏ ଚିଠି ।

 

ଆପଣଙ୍କୁ ମୁଁ ଭଲପାଇଛି, ଏ କଥାକୁ ବାରମ୍ବାର କହିବାକୁ ମତେ ଭଲ ଲାଗୁନାହିଁ । ମୋର ଇଚ୍ଛା ହେଉଛି, ଏ କଥା ଆପଣ ଆପେଆପେ ବୁଝି ଯାଆନ୍ତେ–ମତେ ତା’ର କାରଣ ପଚାରନ୍ତେ ନାହିଁ, ତା’ପରେ ମତେ କ’ଣ କରିବାକୁ ହେବ ସେ କଥା ଜିଜ୍ଞାସା କରନ୍ତେ ନାହିଁ !

 

ମୋ ଭଲପାଇବାକୁ ଆପଣ ସନ୍ଦେହ କରୁଛନ୍ତି, ତା’ର କାରଣ, ଖୁବ୍ ଅଳ୍ପ ଦିନର ପରିଚୟରେ ମୋ ମନ ଭିତରେ ଭଲପାଇବା ଭଳି ଏକ ଶକ୍ତି କିପରି ସଂଚାରିତ ହେଲା, ତାହା ଭାବି ଭାବି । ବେଶି ଦିନର ପରିଚୟ ହେଲେ ଯେ ମଣିଷକୁ ଚିହ୍ନିହୁଏ, ଅଳ୍ପ ଦିନରେ ହୁଏ ନାହିଁ, ଏହା ଏକ ଭୁଲ ଧାରଣା । ସେ ଧାରଣା ସତ୍ୟ ହୋଇଥିଲେ ପ୍ରଣତି ଆପଣଙ୍କୁ ପ୍ରତ୍ୟାଖ୍ୟାନ କରି ନଥାନ୍ତେ, କାରଣ ସେ ତ ଅନେକ ଦିନ ଧରି ଆପଣଙ୍କ ସହିତ ଘନିଷ୍ଠ ହୋଇଥିଲେ !

 

ରମେଶବାବୁଙ୍କ ସହ ବିବାହ ପ୍ରସ୍ତାବ ପଡ଼ିବା ଆଗରୁ, ମୁଁ କେଉଁପରି ଜଣେ ପୁରୁଷକୁ ସ୍ୱାମୀ ଭାବରେ ଚାହୁଁଥିଲି, ତାହା ନିଜେ ଜାଣି ନଥିଲି । ଯେଉଁ ଦିନ ଜାଣିଲି ଯେ ରମେଶବାବୁଙ୍କୁ ବିବାହ କରି ମୁଁ ସୁଖୀ ହେବି ନାହିଁ, ସେଦିନ ମତେ ବୁଝିବାକୁ ଆଉ ବିଳମ୍ବ ହେଲା ନାହିଁ ଯେ ଆପଣଙ୍କୁହିଁ ମୁଁ ପାଇଲେ ସବୁଠୁ ବଳି ସୁଖୀ ହେବି । ଗୋଟିଏ ନେତିବାଚକ କଥାରୁ ଆଉ ଗୋଟିଏହିଁ ଧର୍ମୀ ଉତ୍ତର ମୋ ମନରୁ ଆପେଆପେ ବାହାରି ଆସିଲା । ଯେହେତୁ ମତେ ପ୍ରେମ କରିବା କିମ୍ବା ବିବାହ କରିବା କଥା ଆପଣ କେବେହେଲେ ଭାବି ନଥିଲେ; ସେଥିପାଇଁ ସମ୍ଭବତଃ ମୋ ପାଖରେ ନିଜକୁ ଗୋପନ କରିବାକୁ ଚେଷ୍ଟା କରି ନଥିଲେ । ସେହି ସୁଯୋଗରେ ଆପଣଙ୍କୁ ସଠିକ ଭାବରେ ଚିହ୍ନିବାପାଇଁ ମତେ ସୁବିଧା ହେଲା । ଆପଣ ତ କହନ୍ତି, ନାରୀ ଜୀବନରେ ପ୍ରଥମ ପ୍ରଣୟ ହଠାତ୍ ବସନ୍ତର ହାୱା ଭଳି ! ହଁ, ସେ ଦିନହିଁ ମୋ ମନ ଭିତରେ ହଠାତ୍ ବସନ୍ତର ସମାରୋହ ମୁଁ ଲକ୍ଷ୍ୟ କରିଥିଲି । ମୋ ମନର ଜୀର୍ଣ୍ଣ ତରୁ ହଠାତ୍ ପଲ୍ଲବିତ ହେଲା......ମଳୟର ମୃଦୁ ଆଲୋଡ଼ନରେ ମନର ସୂକ୍ଷ୍ମ ତନ୍ତ୍ରୀ ସବୁ ଆନ୍ଦୋଳିତ ହେଲା–ଚନ୍ଦନର ବାସରେ ମହକି ଉଠିଲା ମୋର ମନ... ।

 

ରମେଶବାବୁ ମତେ ଯେ ବିବାହ କରିବାକୁ ମନା କଲେ, ସେଥିପାଇଁ ଏକୁଟିଆ ତାଙ୍କୁ ଦୋଷ ଦେଇ ଲାଭ ନାହିଁ । ଆପଣ ମୋ ମନରେ ଏକଛତ୍ରାଧିପତି ସମ୍ରାଟ ହୋଇଗଲା ପରେ, ସତରେ ମୁଁ ତାଙ୍କପାଇଁ ରୁଷ ହୋଇ ଉଠିଥିଲି ।

 

ଆପଣଙ୍କୁ ଭଲପାଇ ସାରିଲା ପରେ ମୋର କର୍ତ୍ତବ୍ୟ ସରିଯାଇଛି । ତା’ପରେ କ’ଣ ହେବ ନ ହେବ, ସେଥିପାଇଁ ମୁଁ ଚିନ୍ତିତ ନୁହେଁ । ମୁଁ ଜାଣେ, ଅନେକ ନାରୀ ବିବାହ କରି, ନାତି, ନାତୁଣୀ ଦେଖି ଇହଲୀଳା ତ୍ୟାଗକରନ୍ତି; କିନ୍ତୁ ଜୀବନରେ ଜଣେ କାହାକୁ ଭଲପାଇ ପାରନ୍ତି ନାହିଁ । ଆପଣ ଏହାକୁ mental frigidity ବୋଲି କହି ପାରନ୍ତି, କିନ୍ତୁ ଏହା ଅନେକ ବହୁ ସନ୍ତାନର ଜନନୀଙ୍କ ପାଇ ସତ୍ୟ । ଭାରତବର୍ଷରେ ସ୍ୱାଧୀନତାର ଏତେଗୁଡ଼ାଏ ବର୍ଷ ପରେବି ନାରୀର ଲଜ୍ଜା ଏତେ ବେଶି ଯେ ସେ ଏ ସତ୍ୟକୁ ସହଜରେ ପ୍ରକାଶ କରିପାରେ ନାହିଁ । ଭଲ ପାଇବା ମନର ଏକ ଦୁର୍ବଳତା ନୁହେଁ; କାରଣ ଭଲପାଇବା ଭଳି କାମନା-ଲାଳସାହୀନ ପବିତ୍ର ଶକ୍ତି ହୃଦୟର ଦୃଢ଼ତାରୁହିଁ କେବଳ ଜନ୍ମନିଏ । ଯେଉଁ ନାରୀ’’ Strong in mind and louely in body" ସେମାନେ ପ୍ରଣତିଙ୍କ ଭଳି ଆତ୍ମପ୍ରତାରଣା କରି ନିଜକୁ ଅବଶେଷରେ ବୁଝାଇ ବସନ୍ତି ଯେ ତ୍ୟାଗ ନୁହେଁ, ସମ୍ଭୋଗହିଁ ଭଲପାଇବା ! ଈଶ୍ୱର କରନ୍ତୁ ସେ ଦୁର୍ବଳତା, ସୁଖୀ ହେବାର କାମନା ମୋତେ ଗ୍ରାସ ନ କରୁ ।

 

ପ୍ରଣତିଙ୍କ ପ୍ରସଙ୍ଗ ଉତ୍ଥାପନ କଲି ବୋଲି ସେ ମୋ ଉପରେ ରାଗନ୍ତୁ ନାହିଁ ।

 

ତାଙ୍କ ପ୍ରତି ମୋ ମନରେ କିଛି ହେୟ ଭାବ ନାହିଁ । ଆପଣ ଆଜି ସୁଦ୍ଧା ପ୍ରଣତିଙ୍କୁ ଭଲ ପାଆନ୍ତି, ଏହା ଆପଣଙ୍କ ଚରିତ୍ରର ଏକ ଉଜ୍ଜ୍ଵଳ ଦିଗ; ଚରିତ୍ରହୀନତା ନୁହେଁ । ପ୍ରଣତି ଯେଉଁ ପରିବାରର ଝିଅ, ନାରୀତ୍ୱ ଅପେକ୍ଷା ମାତୃତ୍ୱ ସେଠାରେ ନାରୀର ସର୍ବଶ୍ରେଷ୍ଠ ସମ୍ପଦ । ଏଭଳି ପରିବାର ଆମ ଦେଶରେ ଏକ ନୁହେଁ, ଅନେକ । ସେଭଳି ପରିବାରରେ ହୃଦୟର ଆବେଦନ ନେଇ ଝିଅ ଯଦି ବିବାହ ପୂର୍ବରୁ ପ୍ରେମ କରେ ପରିବାର ଚାପରେ ଅବଶେଷରେ ତାକୁ ଦେହର ଆବେଦନ ନେଇ ଅନ୍ୟତ୍ର ବିବାହ କରି ପତିତା ହେବାକୁ ପଡ଼େ । କିନ୍ତୁ ଯେହେତୁ ସେମାନେ ସୀମନ୍ତରେ ସିନ୍ଦୁର ପିନ୍ଧି ଅନ୍ୟ ଏକ ପରିବାରର ବଧୂ ହୁଅନ୍ତି, ସେଥିପାଇଁ ସେମାନଙ୍କର ଛଦ୍ମବେଶ ସହଜରେ ଧରା ପଡ଼େ ନାହିଁ । ପ୍ରଣତିଙ୍କୁ ଦୋଷ ଦେଇ ଆପଣ ନିଜ ଉପରେ ଅଭିମାନ କରନ୍ତୁ ନାହିଁ । ଆତ୍ମରକ୍ଷା ପାଇଁ ସେ କେବଳ ଆତ୍ମପ୍ରତାରଣା କରିଛନ୍ତି । ଆତ୍ମା ଯେଉଁଠାରେ ବିକ୍ରିତ, ଆତ୍ମପ୍ରତାରଣାହିଁ ସେଠାରେ ଏକମାତ୍ର ଛଦ୍ମବେଶ । ରମେଶବାବୁଙ୍କୁ ବିବାହ କରିଥିଲେ ମୁଁ ମଧ୍ୟ ଠିକ୍ ତାହାହିଁ କରିଥାଆନ୍ତି । ମୁଣ୍ଡରେ ଓଢ଼ଣା ଦେଇ, ସୀମନ୍ତରେ ସିନ୍ଦୁର ପିନ୍ଧି, ମତେବି ପ୍ରଣତିଙ୍କ ଭଳି ସ୍ୱାମୀର ସଂସାରରେ ଅଭିନୟ କରିବାକୁ ହୋଇ ଥାଆନ୍ତା । ଏଥିପାଇଁ ନାରୀ ନିଜେ ଯେତେ ଦାୟୀ ନୁହେଁ, ଦାୟୀ ଆମର ସମାଜ, ଆମର ଅଭିଭାବକଗଣ । ପ୍ରତାରଣା କରି ନଷ୍ଟ ଆତ୍ମା ହୋଇ ସୁଦ୍ଧା ବିବାହ ନାମରେ ସୀମନ୍ତରେ ସିନ୍ଦୁର ପିନ୍ଧିଲେ ଯଦି ଏ ସମାଜ ସ୍ୱୈରିଣୀ ନାରୀକୁ ବଧୂର ସମ୍ମାନ ଦିଏ, ସେ ସହଜ ସମ୍ମାନ ଲୋଭରେ ସମାଜରେ ଅଗ୍ନିକାଣ୍ଡ ଘଟାଇବା କ’ଣ ନାରୀର ଦୋଷ ?

 

ଆପଣଙ୍କ ସ୍ୱୀକୃତି ଲାଭ ନ କରି ସୁଦ୍ଧା ମୁଁ ଆପଣଙ୍କୁ ଭଲପାଇଛି । କାରଣ ଭଲପାଇବା ମୋର ଏକାନ୍ତ ଏକ ବ୍ୟକ୍ତିଗତ ଅନୁଭୂତି । ସେଥିପାଇଁ ମୋ ଜୀବନରେ କୌଣସି ପରିଣତି ଲାଗି ମୁଁ ଆପଣଙ୍କୁ ଦାୟୀ କରିବାକୁ ଚାହେଁ ନାହିଁ । ମତେ ସୁଖୀ କରିବାପାଇଁ ଆପଣ ମତେ ବିବାହ କରନ୍ତୁ ବୋଲି ମୁଁ କେବେ ଆପଣଙ୍କୁ କହିବି ନାହିଁ, କିମ୍ବା ନିଜ ଦେହର କ୍ଷୁଧା ଶାନ୍ତ କରିବାକୁ, ବାପା-ଭାଇଙ୍କୁ ସୁଖୀ କରିବାକୁ ମୁଁ ଅନ୍ୟ କେଉଁଠି ବିବାହ କରିବିନାହିଁ ।

 

ଆପଣ କହୁଥିଲେ, ପ୍ରେମିକ ଦୀର୍ଘଦିନ ଦୃଷ୍ଟି ଉଢ଼ୁଆଳରେ ରହିଗଲେ ନାରୀର ମନରୁ ତା’ ଆକର୍ଷଣ କମି ଆସେ । ମୁଁ ଚେଷ୍ଟା କରି ଦେଖିଛି । ଆପଣଙ୍କ କଥା ମିଛ ! ମୁଁ ଆପଣଙ୍କୁ କେବେ ଆଖିଖୋଲି ଏଥିଭିତରେ ଦେଖିବାକୁ ଚେଷ୍ଟା କରିନାହିଁ । ଯେତେ ଥର କେବଳ ଆଖି ବୁଜିଛି, ସେତେଥର ଆପଣହିଁ ଦେଖାଯାଇଛନ୍ତି । ମୁଁ ନିଶ୍ଚିତ ହୋଇଛି, ଭଲ ପାଇବାର ମୋହରେ ମୁଁ ଯଦି କେବେ ଅନ୍ଧ ହୋଇଯାଏ, ଆପଣଙ୍କୁ ପ୍ରତି ମୁହୂର୍ତ୍ତରେ ଦେଖିପାରୁଥିବାର ସୁଯୋଗରୁ ମୁଁ କେବେ ବଞ୍ଚିତ ହେବି ନାହିଁ ।

 

ଆପଣ ସେଦିନ ପଚାରିଥିଲେ, ପ୍ରେମ କହିଲେ ମୁଁ କ’ଣ ବୁଝୁଛି ? ଆପଣ ଗଲା ପରେ ସେ ପ୍ରଶ୍ନ ମୋ ନିଜ ମନକୁ ମୁଁ ଥରେ ନୁହେଁ, ବାରମ୍ବାର ପଚାରିଛି । ମୋପାଇଁ ପ୍ରେମର ଗୋଟିଏ ସଂଜ୍ଞା, ତ୍ୟାଗ । ଆପଣଙ୍କ ପାଇଁ ମୁଁ ଯେତେ ତ୍ୟାଗ କରି ପାରିବି, ଯେତେ କଷ୍ଟ ସହିପାରିବି, ସେତେ ଆପଣଙ୍କୁ ମୁଁ ନିଜ ପାଖରେ ପାଇ ପାରିବି । ଏଥିପାଇଁ ସାମାଜିକ ବାଧ୍ୟବାଧକତା ନାହିଁ, ନିଜର ସଂକୀର୍ଣ୍ଣ ସ୍ୱାର୍ଥର ବନ୍ଧନ ମଧ୍ୟ ନାହିଁ । ଏହି ତ୍ୟାଗ, କଷ୍ଟ ସହିବାର ଇଚ୍ଛା ମଧ୍ୟ ମନ ଭିତରର ଅପୂର୍ବ ଅନୁଭୂତିରୁହିଁ ଜନ୍ମ ।

 

ଯେହେତୁ ପାଇବାର ଆଶା ମୁଁ କିଛି କରୁ ନାହିଁ, ନ ପାଇବାର ହତାଶା ମଧ୍ୟ ମତେ କେବେ ଦଗ୍ଧ କରିବ ନାହିଁ ଏବଂ ଯେହେତୁ ଆପଣଙ୍କୁ କିଛି ଦେବାର ପ୍ରତିଶ୍ରୁତି ମୁଁ ଦେଇ ନାହିଁ, ଆପଣଙ୍କ ସହ ପ୍ରତାରଣା କରିବାର ଭୟ ମଧ୍ୟ ମନକୁ ମୋର ଆଚ୍ଛନ୍ନ କରୁନାହିଁ ।

 

ଆପଣଙ୍କ ପାଦତଳେ ମୋର ଗୋଟିଏ ଅଳି, ଆପଣଙ୍କୁ ପ୍ରେମ କରିବାର, ଆପଣଙ୍କ ପାଇଁ ତ୍ୟାଗ କରିବାର ସୁଯୋଗ ମତେ ଆପଣ ଥରେ ମାତ୍ର ଦେବେ । ଆପଣଙ୍କ ପାଇଁ ସବୁ କିଛି ତ୍ୟାଗ କରି ଆପଣଙ୍କର କୌଣସି ଦାନ ଗ୍ରହଣ ନ କରି, ମୁଁ ମୋ ନିଜ ପ୍ରେମକୁ ପରୀକ୍ଷା କରି ଦେଖିବାକୁ ଚାହେଁ । ସୀତା ନିଶ୍ଚୟ ସତୀ ଥିଲେ; କିନ୍ତୁ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେହିଁ ନିଜ ସତୀତ୍ୱ ସମ୍ପର୍କରେ ସେ ନିଃସନ୍ଦେହ ହୋଇଥିଲେ । ନିଜ ମନର ସେଇ ନିଃସନ୍ଦେହ ଭାବ, ତାଙ୍କୁ ସବୁ ଯନ୍ତ୍ରଣା ମଧ୍ୟରେ ଅମୃତର ଆସ୍ଵାଦନ ଆଣି ଦେଇଥିଲା । ମତେ କ’ଣ ସେ ସୁଯୋଗ ଆପଣ ଥରେ ହେଲେ ଦେବେ ନାହିଁ ?

 

–ସାଗରିକା

 

ଚିଠିଟା ପଢ଼ି ସାରିବା ପରେ ବିନୋଦ ଅନୁଭବ କଲା, ତା’ ନିଜ ଅନିଚ୍ଛା ସତ୍ତ୍ୱେ ତା’ ଦୁଇ ଆଖିପତା ସଜଳ ହୋଇ ଯାଇଛି । ପ୍ରଣତିର ପ୍ରେମ ଓ ପ୍ରତାରଣାର ଉତ୍ତାପରେ ଦଗ୍ଧ ହୋଇ ଯଦି ସଂସାରର ଗୋଟିଏ ପଟର ଦୃଶ୍ୟ, ଜୀବନର ଗୋଟିଏ ମାତ୍ର ପାଖ ସେ ଦେଖିଥିଲା, ସାଗରିକାର ସେ ଚିଠି ପଢ଼ିବା ପ୍ରଣୟର ଅମୃତ ସ୍ପର୍ଶରେ ସଂଜୀବୀତ ହୋଇ ଜୀବନର ଅନ୍ୟ ଏକ ଉଜ୍ଜ୍ଵଳ ପାଖ, ସଂସାରର ଆଉ ଏକ ସୁବର୍ଣ୍ଣ ଚେହେରା ଆଖି ଆଗରେ ତା’ର ନାଚିଉଠିଲା ।

 

ମୁଣ୍ଡରେ ହାତ ମାରି ବାହୁନି କାନ୍ଦିଲା ଭଳି ସେ ସ୍ୱଗତୋକ୍ତି କଲା, ସାଗରିକା ! ତମେ ଯଦି ଆଉ ଟିକିଏ ଆଗରୁ ମୋ ଜୀବନ ଭିତରକୁ ଆସିଥାଆନ୍ତ...ପ୍ରଣତି ଯଦି ମୋ ଜୀବନରେ ସର୍ବନାଶ କରିଯିବା ଆଗରୁ ତମ ସହ ମୋର ପରିଚୟ ହୋଇଥାଆନ୍ତା... !

 

।। ଏକୋଇଶି ।।

 

ବିଜୁଳି ଆଲୁଅ ବଦଳରେ ଜଳୁଥିଲା ଗୋଟିଏ ମହମବତୀ ।

 

ମଦନ ବିଜୁଳିବତୀ ଜାଳିବାକୁ ଗଲାବେଳେ, ସୀତାନାଥ ପ୍ରତିବାଦ କଲା ।

 

ନା-ନା–ଆଲୁଅ ବେଶି ହେଲେ ଆମ ସମସ୍ତଙ୍କ ମୁହଁ ସମସ୍ତଙ୍କୁ ଭଲ ଭାବରେ ଦେଖାଯିବ । କିନ୍ତୁ ଆମେ ଯେ ଆଉ କେହି କାହାରି ମୁହଁ ଦେଖିବାକୁ ଖୁବ୍ ବ୍ୟାକୁଳ ନୋହୁଁ, ଆମେ ସେ କଥା ଜାଣୁ । ଅନେକ ବର୍ଷ ହେଲା ଆମେ କେବଳ ପରସ୍ପରର ମୁହଁଗୁଡ଼ାକ ଦେଖି ଆସୁଛୁ । ବାରମ୍ବାର ଦେଖା ମୁହଁଗୁଡ଼ାକ ଦେଖି ଦେଖି ବିରକ୍ତି ଆସିଗଲାଣି । ନା !

 

ସୀତାନାଥ କଥାର ପ୍ରତିବାଦ କରିବାକୁ କାହାରି ଉତ୍ସାହ ନଥିଲା । ସେମାନେ ସମସ୍ତେ କ୍ଳାନ୍ତ । ସେମାନେ ସେଥିପାଇଁ କିଛି ସମୟ ଚୁପ୍‍ଚାପ୍ ଆରାମରେ ବସିବାକୁ ଚାହାନ୍ତି । ମଦନ ସୁଇଚ୍ ବୋଡ଼୍‍ ପାଖରୁ ନିଜ ହାତଟା ଫେରାଇଆଣି ପକେଟରେ ଭର୍ତ୍ତିକଲା ।

 

ମହମବତୀ ଆଲୋକରେ କକ୍ଷଟି ସାମାନ୍ୟ ଆଲୋକିତ ହୋଇଥିଲା କିନ୍ତୁ ସେହି ସ୍ୱଳ୍ପପରିମିତ ଆଲୋକରେ ଚାରି ବନ୍ଧୁ କେହି କାହାରି ମୁହଁ ପରିଷ୍କାର ଭାବରେ ଦେଖିପାରୁ ନଥିଲେ-

 

ସୀତାନାଥ ବିଅର୍ ଗ୍ଲାସ୍‍ଟାକୁ ସଶବ୍ଦରେ ଟେବୁଲ ଉପରେ ଥୋଇଦେଲା କହିଲା, କାହିଁ...କାହିଁ... ?

 

ସୀତାନାଥ ଗ୍ଲାସ୍‍ଟା ଜୋରରେ ଥୋଇଦେଲାବେଳେ ସେ ପାନ ପାତ୍ରରୁ ଉଛୁଳିଉଠି କିଛି ପାନୀୟ ବିନୋଦର ବାମହାତ ପାପୁଲି ଉପରେ ଢାଳି ହୋଇଗଲା । କିନ୍ତୁ ଅନ୍ୟଦିନ ଭଳି ଉଠିଯାଇ ସେ ହାତ ଧୋଇ ପକାଇବାକୁ ବ୍ୟଗ୍ରତା ପ୍ରକାଶ କଲା ନାହିଁ ।

 

କୃପାମୟ ପଚାରିଲା, କ’ଣ ଖୋଜୁଛୁ ?

 

ସୀତାନାଥ ଦୁଇ ହାତ ପାପୁଲିରେ ନିଜ ମୁଣ୍ଡକୁ ଚାପି ଧରି କହିଲା, କାହିଁ...କାହିଁ...excitment...ଉତ୍ତେଜନା... ! ହୁଇସ୍କି, ବିଅର୍, ସାମ୍ପେନ୍, ଏପରି କି ଦେଶୀ ତାଡ଼ି...ସବୁ ତ ପରୀକ୍ଷା କରାଗଲା । କିନ୍ତୁ ଉତ୍ତେଜନା କାହିଁ...where is excitement ? ଜୀବନରେ ଉତ୍ତେଜନା ନଥିଲେ ଜୀବନଟାକୁ ସାଙ୍ଗରେ ଧରି ବୁଲିବା କି ବିରକ୍ତିକର... !

 

ମଦନ କହିଲା, ନା–ସେ ଦୁର୍ଲ୍ଲଭ ପଦାର୍ଥ କେବଳ ବିଦେଶୀ ପାନୀୟ ନୁହେଁ–ଆଜିକାଲି କେଉଁଥିରେବି ମିଳୁ ନାହିଁ । ତୁ ଜାଣୁ ସୀତାନାଥ ! ମୋ ଜୀବନରେ ମୁଁ ସବୁଠାରୁ ବଳି ପରିପୂର୍ଣ୍ଣ ଉତ୍ତେଜନା...absolute excitement ଅନୁଭବ କରିଥିଲି ଯେଉଁଦିନ ପତ୍ନୀ ମୋର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ...ସେ ଯେ କି ଅବର୍ଣ୍ଣନୀୟ ଆନନ୍ଦ...ସେ ଯେ କି ଅପ୍ରକାଶ୍ୟ ଉତ୍ତେଜନା...ତମେ ଶଳା କେହି ସେ କଥା ବୁଝି ପାରିବ ନାହିଁ...କିନ୍ତୁ ଦିନ ସାତୋଟି ତଳେ ଯେଉଁଦିନ ଖବର ଆସି ପହଞ୍ଚିଲା; ପତ୍ନୀ ମୋର ଚତୁର୍ଥ ସନ୍ତାନର ଜନନୀ ହୋଇଛନ୍ତି...ଆଃ, ସେ ସମ୍ବାଦ ଶୁଣି ମୁଁ କି ହତାଶ, ବିରକ୍ତି ଅନୁଭବ କଲି...ସେ କଥା ଅନୁମାନ କରିପାରିବ ନାହିଁ...ଲାଇଫ୍‍ଟା ବୋର୍ ହୋଇଗଲା...No excitement...No satisfaction in anything.

 

ଧ୍ୟାନୀ ବୁଦ୍ଧ ମୂର୍ତ୍ତି ଭଳି ବସି ରହି କୃପାମୟ ପେଗ୍ ପରେ ପେଗ୍ ନିଃଶେଷ କରି ଯାଉଥିଲା । ଜୁଳୁଜୁଳୁ କରି ସମସ୍ତଙ୍କୁ ଚାହୁଁଥିଲା, କିଛି କଥା କହୁ ନଥିଲା । ପାଖରେ ପଡ଼ିଥିବା ଗୋଟିଏ ଇଂରାଜୀ ମାଗାଜିନ୍ ଉଠାଇ ନେଇ ମହମବତୀର ଆଲୁଅରେ ବିନୋଦ ସେଥିରୁ କେତୋଟି ପୃଷ୍ଠା ପଢ଼ିବାକୁ ଚେଷ୍ଟା କଲା ।

 

ତୋର ତ ଗୋଟିଏ କ’ଣ ପ୍ରମୋସନ୍ ହେଲା ସୀତାନାଥ ! ଗୋଟିଏ କ’ଣ ସେକ୍ରେଟେରି ନା ଡେପୁଟି ସେକ୍ରେଟେରି ହେଲୁ ପରା ! ସେଥିରେବି କିଛି ସନ୍ତୋଷ...ଉତ୍ତେଜନା ତୁ ଅନୁଭବ କଲୁନାହିଁ ! –ଅନେକ ସମୟ ପରେ ସୀତାନାଥକୁ ଲକ୍ଷ୍ୟ କରି ଅନ୍ୟମନସ୍କ ଭାବରେ କୃପାମୟ ପ୍ରଶ୍ନଟା ଫିଙ୍ଗି ଦେଲା ।

 

ପ୍ରଶ୍ନଟା ତଳେ ପଡ଼ିଯିବା ଆଗରୁ ନିପୁଣ ଖେଳାଳି ଭଳି ହାତରେ ଧରି ନେଇ ସୀତାନାଥ କହିଲା, ହୋପ୍‍ଲେସ୍...ଚାକିରିରେ ପ୍ରମୋସନ୍ ହେଲେ ସନ୍ତୋଷ ମିଳେ...ମନ ଉତ୍ତେଜିତ ହୁଏ ? ତୁ ଗୋଟିଏ ମସ୍ତ ଇଡ଼ିୟଟ ! Promotion means more pay; more responsibility, more income tax, more boredom ଚାକିରି ମୋ ଭଳି ଲୋକପାଇଁ ଜୀବିକା ହୋଇପାରେ, କିନ୍ତୁ ଜୀବନ ନୁହେଁ । ତା’ ହୋଇଥିଲେ ମୋ ସରକାରୀ କ୍ଵାଟର୍...ଅଫିସ୍‍ଘର ସୀମା ଲଙ୍ଘନ କରି ମୁଁ ଶଳା ତମମାନଙ୍କ ସାଙ୍ଗରେ ଏଠାରେ କାହିଁକି ବସିଥାଆନ୍ତି !

 

ସୀତାନାଥ ଆଉ କୃପାମୟର କଥୋପକଥନରେ କୌଣସି ଆଗ୍ରହ ପ୍ରକାଶ ନ କରି ମଦନ ତା’ର ପିଆନୋରେ ସ୍ୱର ସଂଯୋଜନା କଲା । ଆଉ ଅନ୍ୟ ତିନି ବନ୍ଧୁ ଯେତେବେଳେ ତା’ର ସେ ଯନ୍ତ୍ରସଙ୍ଗୀତ ଆଡ଼କୁ ଉଦ୍‍ଗ୍ରୀବ ଭାବରେ କାନ ଡେରିଥିଲେ, ସେତେବେଳେ ହଠାତ୍ ବିରକ୍ତ ହୋଇ ପିଆନୋ ଦୂରକୁ ଠେଲି ଦେଇ ଉଠିଆସିଲା ମଦନ । ବିରକ୍ତିରେ ମୁଖ ବିକୃତ କରି କହିଲା, ନା–ଏ ସ୍ୱରରେ ଆଉ ପ୍ରାଣ ନାହିଁ । ଏ ସ୍ୱରରେ ଶ୍ରବଣେନ୍ଦ୍ରିୟ କେବଳ ଶବ୍ଦାୟିତ ହୁଏ, ହୃଦୟ ସ୍ପନ୍ଦିତ ହୁଏ ନାହିଁ...

 

ଏ ହତାଶା, ହାହାକାର ସର୍ବବ୍ୟାପୀ !

 

Women, Wine, Wealth...ନା, କିଛି ହେଲେ ଜୀବନର ଏ ସର୍ବବ୍ୟାପୀ ହତାଶାକୁ ଦୂର କରିପାରିବ ନାହିଁ । ଏ ବିରକ୍ତିକର ବ୍ୟର୍ଥତାବୋଧରୁ ମୁକ୍ତିର କ’ଣ କୌଣସି ଗଳି ରାସ୍ତା ସୁଦ୍ଧା ନାହିଁ ।

 

ସୀତାନାଥ ପଚାରିଲା, କ’ଣ ପଢ଼ୁଛୁ ବସି ବିନୋଦ ! ତୋର ତ ଜୀବନଟାବି ଆରମ୍ଭ ସୁଦ୍ଧା ହେଲା ନାହିଁ; ଅଥଚ ଆମେ ସବୁ ନିଃଶେଷ ହୋଇଗଲୁ !

 

ବିନୋଦ କହିଲା, ମାଗାଜିନ୍‍ରୁ ଗୋଟାଏ ଲେଖା ପଢ଼ୁଥିଲି । ମାଛମାନେ କିପରି ଦଳବଦ୍ଧ ଭାବରେ ମାଛଧରା କେଉଟର ଡଙ୍ଗା ଭିତରକୁ ଲମ୍ଫ ଦେଉଛନ୍ତି, ତା’ର ଏକ ଚମତ୍କାର ବିବରଣୀ । ସମୁଦ୍ର ମାଛମାନଙ୍କର ସାମୂହିକ ଆତ୍ମହତ୍ୟାର ଚେଷ୍ଟା... !

 

ମଦନ କହିଲା, କିଛିଦିନ ତଳେ ସମ୍ବାଦପତ୍ରରେ ପଢ଼ିଥିଲି, ଜଳ ଭିତରୁ ଲମ୍ଫ ଦେଇ ମ୍ୟାନ୍‍ଗ୍ରୋଭ୍ ଜାତୀୟ ଏକ କଣ୍ଟାବୁଦାରେ ଦଳବଦ୍ଧ ଭାବରେ ପଞ୍ଝାଏ ବେଙ୍ଗ ଆତ୍ମହତ୍ୟା କରିଥିଲେ-। ଜୀବଜଗତରେ ଆତ୍ମହତ୍ୟା ପାଇଁ ଏକ ପ୍ରବୃତ୍ତି ବୋଧହୁଏ ବର୍ତ୍ତମାନ ଦେଖା ଯାଉଛି ।

 

କୃପାମୟ କହିଲା, ଅବଶ୍ୟ ଏ ସବୁ କଥା ବୈଜ୍ଞାନିକମାନେ ଠିକ୍ କହିପାରିବେ, କିନ୍ତୁ ଖୁବ୍ ସମ୍ଭବତଃ ଯେଉଁ ଜୈବିକ ପ୍ରବୃତ୍ତି ଜୀବକୁ ବଞ୍ଚିରହିବାକୁ ପ୍ରେରଣା ଦିଏ, ବଂଶବୃଦ୍ଧି ପାଇଁ କଷ୍ଟ ସହିବାକୁ ଶକ୍ତି ଯୋଗାଏ, ସେ ପ୍ରେରଣା, ପ୍ରବୃତ୍ତି ଜୀବଜଗତରୁ ଆସ୍ତେ ଆସ୍ତେ ଲୋପ ପାଇଯାଉଛି-। ଆଉ ଆମେ ଯେଉଁମାନେ ‘‘ସବୁ ଥାଇ କିଛି ନଥିବା’’ର ବ୍ୟାଧି ଭୋଗ କରୁଛୁ, କିଏ ଜାଣେ, ଏହା ହେଉଛି ସେହି ପ୍ରକୃତିର ଏକ ସ୍ୱାଭାବିକ ପରିଣତି ହୋଇ ନଥିବ !

 

ସୀତାନାଥ ସିଗାରେଟ ପିଉଥିଲା ।

 

ଏ ଆଲୋଚନା ଫଳରେ ତା’ଠାରେ ବେଶ୍ ଏକ ଚାଞ୍ଚଲ୍ୟ ଦେଖାଗଲା ।

 

ଟେବୁଲ୍ ଉପରେ ହାତ ବାଡ଼େଇ ସେ କହିଲା, ଆତ୍ମହତ୍ୟା କରିବା ଭଳି ଆଉ ବୋଧହୁଏ ଉତ୍ତେଜନାମୟ, ସନ୍ତୋଷଜନକ କାର୍ଯ୍ୟ ମଣିଷପାଇଁ କିଛି ନାହିଁ । ମନେ ନାହିଁ, ଭିକ୍ଟର ହ୍ୟୁଗୋ ନାମକ ସେ ଫ୍ରାନ୍‍ସ ବୁଦ୍ଧିଜୀବୀ ଜଣକ ହତ୍ୟା–ଆତ୍ମହତ୍ୟା ମଧ୍ୟରେ ସୃଷ୍ଟିର ମହାନ୍ ଶକ୍ତିର ପରିଚୟ ପାଇଥିଲେ ବୋଲି କହୁଥିଲେ... !

 

ମଦ ଭଳି ବହିପଢ଼ା ମଧ୍ୟ ସୀତାନାଥର ଏକ ଆଦିମ ନିଶା । ପୃଥିବୀର ବହୁ ବୁଦ୍ଧିଜୀବୀଙ୍କ ଲେଖା ସମ୍ପର୍କରେ ସେ ଅନେକ କଥା ଜାଣେ । ମଦନ, କୃପାମୟ ତା’ ମଦ ନିଶାର ସମଭାଗୀ ହୁଅନ୍ତି, ବିନୋଦ ଏକା ତା’ ବହିପଢ଼ା ନିଶାର ସତୀର୍ଥ ।

 

ସେ ଖୁବ୍ ଧୀରେ ଧୀରେ କହିଲା, ଜୀବନଟା ଯାହାପାଇଁ ହତାଶା, ବ୍ୟର୍ଥତାର ବୋଝ ଭଳି ମନେହୁଏ, ଆତ୍ମହତ୍ୟା ତା’ପାଇଁ ଏକମାତ୍ର exciting, satisactory way out, କିନ୍ତୁ ସେଥିପାଇଁ ଦିଲ୍ ଦରକାର...ଆମର ସେ ଦିଲ୍ ଅଛି ତ !

 

ବିନୋଦ କଥାର କେହି କିଛି ଉତ୍ତର ଦେଲେ ନାହିଁ ।

 

ମହମବତୀର ଆଲୋକ ଜଳି ଜଳି ଲିଭିଗଲା ।

 

ଅନ୍ଧକାର । କୋମଳ, ଶୀତଳ, ଘନ, ସ୍ନିଗ୍ଧ ଅନ୍ଧକାର !

 

ଆଲୁଅ ଜାଳିବାପାଇଁ କାହାରିଠାରେ କିଛି ଉତ୍କଣ୍ଠା, ଅସ୍ଥିରତା ନାହିଁ । ସମସ୍ତେ ଚୁପ୍‍ଚାପ୍ ବସି ରହିଛନ୍ତି ।

 

କିଛି ସମୟ ପରେ ନିଜ ବାମ ହାତର ପାପୁଲିକୁ ବିନୋଦ ନିଜ ଜିଭରେ ଚାଟିବାକୁ ଆରମ୍ଭ କଲା, ଯେଉଁ ପାପୁଲି ଉପରେ ସୀତାନାଥର ଉଚ୍ଛିଷ୍ଟ ବିଅର୍ ବୋତଲରୁ କିଛି ଅଂଶ ଢାଳି ହୋଇ ଯାଇଥିଲା !

 

ଜୀବନରେ ତା’ର ଏଇ ପ୍ରଥମ ମଦ ସ୍ପର୍ଶ ! ଇସ୍, କି ଆବେଗ, କି ଉତ୍ତେଜନା !

 

ତା’ପରେ ସେ ସ୍ତବ୍ଧ ହୋଇ ଶୁଣିଲା, କୃପାମୟ ଶୂନ୍ୟ ଗ୍ଲାସ୍‍ଟାକୁ ଛାତିରେ ଚାପିଧରି ସୁଁ ସୁଁ ହୋଇ କାନ୍ଦୁଛି ଏବଂ କହୁଛି, ଆମ ସମସ୍ତଙ୍କ ଜନ୍ମ ସେଇ ଯଦୁବଂଶରେ–ଆମ ଦେହରେ ରକ୍ତ ନାହିଁ, କେବଳ ସୋମରସ ! ଆମେ ଧ୍ୱଂସ ହୋଇଗଲେରେ ସୀତାନାଥ–ଆମେ ଶେଷ ହୋଇଗଲେ– !

 

ବିନୋଦ ନିଜ ଛାତି ଉପରେ ହାତ ରଖିଲା । ନା, ସେ ଧକ୍‍ଧକ୍ ଶବ୍ଦ ସେ ଅନୁଭବ କରିପାରୁଛି । ସେ ବଞ୍ଚିଛି । ସୋମରସ କେବଳ ତା’ ଜିଭରେ ଲାଗିଛି, ପାକସ୍ଥଳୀକୁ ଯାଇନାହିଁ ।

 

ସେ ଭୟଭୀତ ହେବା ଭଳି କମ୍ପିତ କଣ୍ଠରେ ପଚାରିଲା, ମୁଁ ତ ବଞ୍ଚିଛି, ତମେସବୁ ବଞ୍ଚିଛ ତ ! ମୁଁ ଅନ୍ଧାରରେ କିଛି ଦେଖି ପାରୁନାହିଁ । କୁହ–ଜବାବ୍ ଦିଅ–ସୀତାନାଥ, ମଦନ, କୃପାମୟ–ତମେ ସବୁ ବଞ୍ଚିଛ ତ !

 

ନା–କାହାରି କଣ୍ଠରୁ କିଛି ଉତ୍ତର ନାହିଁ ।

 

ହିମ-ଶୀତଳ ନିସ୍ତବ୍ଧ ଅନ୍ଧକାର ଏକ ଭୌତିକ ପରିବେଶ ସୃଷ୍ଟି କରିଛି ସାରା କକ୍ଷରେ । ନିଜ ନିଃଶ୍ୱାସର ଶବ୍ଦ ନିଜ କାନକୁ ବିନୋଦର ଭୟଙ୍କର ଶୁଭୁଛି । ସେ ସମସ୍ତଙ୍କ ଦେହରେ ହାତମାରି ଦେଖିବ କି, ସେମାନେ ଜୀବିତ ଅଛନ୍ତି କି ନାହିଁ ! ନା-ନା । ସେ ଖୁବ୍ ଆସ୍ତେ ଆସ୍ତେ ଉଠି ସୁଇଚ୍ ବୋଡ଼୍‍ ପାଖକୁ ଗଲା । ଆଲୁଅ ଜାଳି ଦେବାପାଇଁ ଚେଷ୍ଟା କଲା । ତା’ପରେ ଏକ ଅଜ୍ଞାତ ଭୟର ଆଶଙ୍କାରେ ଶଙ୍କିତ ହୋଇ ସେ ପୁଣି ଫେରିଆସିଲା ନିଜ ଚେୟାରକୁ । ସେମାନଙ୍କ ଭଳି ନିଜ ଦୁଇହାତ ପାପୁଲିରେ ସେ ମଧ୍ୟ ନିଜ ମୁହଁକୁ ଘୋଡ଼ାଇ ନିଃଶବ୍ଦରେ ବସି ରହିଲା ।

 

।। ବାଇଶି ।।

 

ହାଲୋ ! କିଏ ? ବିନୋଦ ! ଆରେ ମୁଁ ତମକୁ ଏଇ କେତେ ଦିନ ହେଲା ଫୋନ୍ କରିବି ବୋଲି କରି ପାରି ନାହିଁ । ଅନେକ ଦିନ ହେଲା ତ ତମେବି ଫୋନ୍ କରି ନଥିଲ–

 

ତମେ କ’ଣ କରୁଛ ବର୍ତ୍ତମାନ ?

 

ମୁଁ–ଏଇ ପୁଅକୁ କୋଳରେ ଧରି ତମକୁ ତ ଫୋନ୍ କରୁଛି । ପୁଅ ଭାରି ଦୁଷ୍ଟ ହୋଇଛି–ଜାଣିଛନା–କ’ଣ କହିଲ ? ସବୁ ପୁଅ ଦୁଷ୍ଟ ହୁଅନ୍ତି... !

 

ଆଚ୍ଛା, ସେ ଇନ୍‍ସୁରାନ୍‍ସ କରିବା କଥା କ’ଣ ହେଲା ? ତମେ ତମ ସ୍ୱାମୀଙ୍କୁ ସେ କଥା କହିଥିଲ ପରା... !

 

ନା-ଜାଣି ଜାଣି ମୁଁ କହିନାହିଁ । ମୁଁ କହିଲେ ସେ ରଖିବେ ନାହିଁ–ଏମିତି କଥା ବୋଧହୁଏ ସଂସାରରେ କିଛି ନାହିଁ । କିନ୍ତୁ ଇନ୍‍ସୁରାନ୍‍ସ ବିଷୟରେ ତମେ ତ ତାଙ୍କ ମତାମତ ଜାଣ–ସେ ଯାହା ବୁଝିଥିବେ ସେଇଆ...

 

ତମେ ତମ ସ୍ୱାମୀଙ୍କୁ ଖୁବ୍ ଭଲ ପାଅ । ନା !

 

ମୁଁ ଏକା ନୁହେଁ; ସଂସାରରେ ସବୁ ସ୍ତ୍ରୀମାନେ ତାଙ୍କ ସ୍ୱାମୀମାନଙ୍କୁ ଖୁବ୍ ଭଲ ପାଆନ୍ତି । ତମେବି ବିବାହ କର–ଦେଖିବ ତମ ସ୍ତ୍ରୀବି ତମକୁ–

 

ଆଚ୍ଛା, ମୁଁ ଯଦି କେବେ ହଠାତ୍ ମରିଯାଏ ତମ ମନଦୁଃଖ ହେବ ?

 

କ’ଣ କହିଲ ? ମୁଁ ଶୁଣି ପାରୁନି–ଇସ୍, ଏ ପିଲାଟା କି ଦୁଷ୍ଟ ହୋଇଛି ବାବା ! ବର୍ତ୍ତମାନ ତ କ୍ଷୀର ପିଇ ଆସିଲା, ପୁଣି ଦୁଷ୍ଟାମି... !

 

ହଁ–କ’ଣ କହୁଥିଲ ବିନୋଦ !

 

ଯାହା କହୁଥିଲି ଶୁଣି ପାରିଲ ନାହିଁ । ଏଇ ମନେକର ଯଦି ହଠାତ୍ ମୁଁ ମରିଯାଏ, ତମ ମନ କ’ଣ ଦୁଃଖ ହେବ ?

 

ଏ ସବୁ ବାଜେ କଥା କେମିତି ତମ ମୁଣ୍ଡରେ ପଶେ ! ଏ ସବୁ ପ୍ରଶ୍ନ କ’ଣ କରାଯାଏ, ନା ଏପରି ସବୁ ପ୍ରଶ୍ନ ଉତ୍ତର ଦେଇ ହୁଏ ! ତମେ ମୋର ଅନେକ କ୍ଷତି କରିଛ...ମୋର ଏ ସୁନାର ସଂସାର ଭାଙ୍ଗିବାପାଇଁ ଅନେକ ଗୋପନ ସତ୍ୟକୁ ତମେ ପ୍ରକାଶ କରିଛ–କିନ୍ତୁ ମୁଁ ତମର କେବେ ଅମଙ୍ଗଳ କାମନା କରିଛି ?

 

ପ୍ରଣତି !

 

କ’ଣ କହିବ ଚଞ୍ଚଳ କୁହ–ପିଲାଟା ଏଡ଼େ ଦୁଷ୍ଟ ହୋଇଛି ଯେ... !

 

ମୋ ସହିତ ତମର ଘନିଷ୍ଠ ସମ୍ପର୍କ ଜାଣି ସୁଦ୍ଧା ବାପା ତମର କାହିଁକି ଅନ୍ୟ ଜଣକ ସହ ବିବାହ ଦେଇ ଦେଲେ ତମେ ଜାଣ ?

 

ଏ ସବୁ ବାଜେ କଥା ଜାଣି ବା ଲାଭ କ’ଣ ?

 

କିନ୍ତୁ ମୁଁ ତା’ର କାରଣ ଜାଣେ । ତମ ବାପା କେବଳ ଜଣେ ଅଭିଜ୍ଞ, ଜ୍ଞାନୀ ପୁରୁଷ ନୁହନ୍ତି, ସେ ଜଣେ ବିଚକ୍ଷଣ ବୁଦ୍ଧିମାନ ବ୍ୟକ୍ତି...

 

ତମକୁ କେତେଥର କହିଛି, ବାପାଙ୍କ ବିଷୟରେ ଆଲୋଚନା କରିବ ନାହିଁ ବୋଲି !

 

ରାଗୁଛ ! କିନ୍ତୁ ଦିନେ ତ ତମେ କହୁଥିଲ ସେ କେବଳ ତମର ବାପା ନୁହନ୍ତି, ମୋର ବାପା ମଧ୍ୟ ! ତମ ବାପାଙ୍କୁ ମୁଁ ଅନ୍ୟ କିଛି ସମ୍ବୋଧନ କଲେ ତ ଆଖିର ଲୁହରେ ତମେ ପୃଷ୍ଠା ପୃଷ୍ଠା ଚିଠି ଓଦା କରି ଦେଉଥିଲ... ! ତମର ଶଯ୍ୟା-ବଦଳ ସହିତ ମୋର କ’ଣ ତାଙ୍କ ସହ ସାଙ୍ଗେ ସାଙ୍ଗେ ସମ୍ପର୍କ ବଦଳ ହୋଇଗଲା !

 

ଫୋନ୍ ଛାଡ଼ି ଦେଉଛି...

 

ଆରେ-ଆରେ ମୋରାଣ ଫୋନ୍ ଛାଡ଼ନି...

 

କ’ଣ କହିବ କୁହ–

 

ବାପା ମୋ ସହିତ ବିବାହ ନ ଦେଇ ବିବାହ ତମର ଅନ୍ୟତ୍ର ଦେଲେ; କାରଣ ଆମ ଦୁଇଜଣଙ୍କ ଭିତରୁ ଜଣେ କେହି ଜୀବିତ ଥିଲେବି ତମେ କେବେ ବିଧବା ହେବ ନାହିଁ । ତମର ବାପା ସତରେ ଭାରି ବୁଦ୍ଧିମାନ୍...ମୁଁ ଯଦି ତାଙ୍କୁ କେବେ ସରଳ, ନିରୀହ ବ୍ୟକ୍ତି ଭାବି ଅପରାଧ କରିଥାଏ, ତାହାହେଲେ ମତେ କ୍ଷମା କରିବାକୁ ତାଙ୍କୁ କହିବ...

 

ତମର ଆଜି କ’ଣ ହୋଇଛି ! ତମେ କେବଳ ଏ ସବୁ ବାଜେ କଥା କହୁଛ ଯେ ! ଏହି ସବୁ କଥା କହିବାକୁ ଫୋନ୍ କରୁଛ... !

 

ନା–ନା–ଗୋଟାଏ ଅତି ଜରୁରୀ କଥା ଅଛି–

 

କୁହ–

 

ତମ ସ୍ୱାମୀ ତମପାଇଁ ନିଜ ନାମରେ ଟଙ୍କା କେତେ ହଜାର ଇନ୍‍ସୁରାନ୍‍ସ କରିବାକୁ ଯଦି ରାଜି ନହେଲେ, ମୁଁ ତମପାଇଁ ମୋ ନାମରେ ପଚାଶ ହଜାର ଟଙ୍କାର ଗୋଟିଏ ଇନ୍‍ସୁରାନ୍‍ସ କିଛିଦିନ ତଳେ କରି ଦେଇଛି–ତିନିଟା ପ୍ରିମିୟମ୍ ମଧ୍ୟ ଦେଇ ଦେଇଛି–

 

ମୋପାଇଁ ତମେ ଇନ୍‍ସୁରାନ୍‍ସ କରିଛ ନିଜ ନାମରେ ! ପୁଣି ଅଳ୍ପ ନୁହେଁ–ପଚାଶ ହଜାର ଟଙ୍କା ! ତମେ ଭାବୁଛ, ମୁଁ ସେଦିନ ଭଳି ଆଜିବି ଛୋଟ ଝିଅ ଅଛି ଯେ ଏ କାହାଣୀକୁ ସତ୍ୟ ବୋଲି ବିଶ୍ୱାସ କରିଯିବି !

 

ଜୀବନରେ ତମେ ମତେ କେବେହେଲେ ବିଶ୍ୱାସ କରିନାହଁ–ମୋର ଏକଥାକୁ ବିଶ୍ୱାସ କର ବୋଲି ମୁଁ କହୁନାହିଁ । ତମକୁ ସେ ଦିନ ପ୍ରେମ କରୁଥିଲି ଏ କଥା ଯେମିତି ସତ୍ୟ, ତମକୁ ମୋ ଇନ୍‍ସୁରାନ୍‍ସର ଉତ୍ତରାଧିକାରୀରୂପେ ଉଲ୍ଲେଖ କରି ପଚାଶ ହଜାର ଟଙ୍କାର ବୀମା କରିଥିବା ମଧ୍ୟ ମୋପାଇଁ ସେମିତି ସତ୍ୟ । ଏ ସମ୍ପର୍କୀୟ ସମସ୍ତ କାଗଜପତ୍ର ମୁଁ ଆଜି ରେଜିଷ୍ଟ୍ରି ଡାକରେ ତମ ପାଖକୁ ପଠାଇ ଦେଇଛି...

 

କିନ୍ତୁ କାହିଁକି ତମେ ଏ ସବୁ କରିଛ ? ମୁଁ ତମର କିଏ ?

 

ତମେ ତ ସ୍ୱାମୀଙ୍କର କ’ଣ, ସେକଥା ବାପା ବେଦି ଉପରେ ବସି କନ୍ୟାଦାନ କରି ସ୍ଥିର କରି ଦେଇଛନ୍ତି । କିନ୍ତୁ ତମେ ମୋର କିଏ, ସେ କଥା ତମ ବ୍ୟତୀତ, ମୋ ବ୍ୟତୀତ ଆଉ କେହି ଠିକ୍ ଜାଣିନାହାନ୍ତି, ଜାଣି ପାରିବେ ନାହିଁ । ସେଦିନ ମୁଁ ତମକୁ ଦେହ ଦେଇଥିଲି, ମନ ଦେଇଥିଲି । ସେହ ଦେଇଥିଲି, ପ୍ରେମ ଦେଇଥିଲି, କିନ୍ତୁ ମୋଠାରୁ ତମ ମନର ବନ୍ଧନ ତୁଟି ଯାଇଥିଲା କେବଳ ମୋର ଟଙ୍କା ନଥିଲା ବୋଲି । ଆଜି କିଛି ପାଇବାର ଆଶା ନରଖି ମୁଁ ତମକୁ ଏ ଟଙ୍କାତକ ଦେଇଯିବି, ଏଇ ଆଶାରେ, ଦିନେ ମୁହୂର୍ତ୍ତକ ପାଇଁ ହେଲେ ସୁଦ୍ଧା ତମେ ଭାବିବ, ମୁଁ ତମକୁ ପ୍ରକୃତରେ ହୃଦୟ ଦେଇ ଭଲ ପାଇଥିଲି, ସେଥିରେ କୌଣସି ଭେଜାଲ ନଥିଲା ।

 

ବିନୋଦ ! ତମେ କ’ଣ କହୁଛ ମୁଁ ବୁଝିପାରୁନାହିଁ ।

 

ନା–ଏଥିରେ ଦୁର୍ବୋଧ୍ୟ କିଛି ନାହିଁ । ଦିନେ ତମେ ନିଜ କୁମାରୀ ଜୀବନର ପ୍ରଥମ ପ୍ରଣୟ ମୋ ପାଖରେ ଅର୍ପଣ କରି ଦେଇଥିଲ । ଅନ୍ୟ ଏକ ପୁରୁଷର ପତ୍ନୀ ହେବାପାଇଁ ସେ ପ୍ରଣୟର ମୂଲ୍ୟ ତମେ ମୋଠାରୁ କେବେ ଦାବି କରିନାହଁ । କିନ୍ତୁ ତମକୁ ଉତ୍ତରାଧିକାରିଣୀ ଉଲ୍ଲେଖ କରି ମୁଁ ଯେଉଁ ଅର୍ଦ୍ଧଲକ୍ଷ ଟଙ୍କା ଇନ୍‍ସୁରାନ୍‍ସ କରି ଯାଉଛି ତମେ କିନ୍ତୁ ତାକୁ ଯେପରି ଦାବି କର...ଏ ମୋର ଶେଷ ଅନୁରୋଧ ।

 

କିନ୍ତୁ ସେ ଇନ୍‍ସୁରାନ୍‍ସ ପଲିସି ଟଙ୍କା ମିଳିବାକୁ ତ ଅନେକ ବର୍ଷ ସମୟ ଥିବ ! କେତେ ବର୍ଷପାଇଁ ଇନ୍‍ସୁରାନ୍‍ସ କରିଛ ! ଏକବାରେ ପଚାଶ ହଜାର ଟଙ୍କା ! ପ୍ରିମିୟମ୍ ଅନେକଗୁଡ଼ାଏ ଦେବାକୁ ପଡ଼ୁଥିବ...

 

ନା–ନା–ସେଥିପାଇଁ ଭାବ ନାହିଁ । ମୁଁ ଶେଷ ପ୍ରିମିୟମ୍ ଦେଇ ଦେଇଛି...ଯେତେବର୍ଷ ପାଇଁ ପଲିସି କରାଯାଇଥିଲେବି ତମେ ଆଉ ଗୋଟିଏ ସପ୍ତାହ ପରେ claim କଲେବି ଟଙ୍କା ପାଇଯିବ...ପ୍ରଣତି ! ବିଶ୍ୱାସ କର, ତମର ପ୍ରତାରଣା ପରେବି ମୁଁ ତମକୁ ଆଜି ପ୍ରାଣଠାରୁ ବଳି ଭଲପାଏ... !

 

ବିନୋଦ ! ଆରେ–ତମେ ଫୋନ୍ ଛାଡ଼ିଦେଲ ନା' କ’ଣ ? ତମେ କ’ଣ କହୁଛ ମୁଁ ବୁଝି ପାରୁନାହିଁ...ଶେଷ ପ୍ରିମିୟମ୍ ଦେଇ ଦେଇଛ ମାନେ ! ବିନୋଦ–ବିନୋଦ–ବିନୋଦ– ।

 

ଫୋନ୍ ମାଉଥ୍‍ପିସ୍‍ଟାକୁ ଥୋଇ ଦେଇ ବିନୋଦ ହସୁଥିଲା । ମୁହଁରେ ବିନ୍ଦୁ ବିନ୍ଦୁ ଝାଳ । ଓଠରେ ପରିତୃପ୍ତିର ହସ । ଭଙ୍ଗା ଭଙ୍ଗା ସ୍ମୃତି ସବୁ ନୀତିଦିନ ତା’ର ଯେଉଁ ମନର ଆକାଶକୁ ଏତେଦିନ ଧରି ଆଚ୍ଛନ୍ନ କରୁଥିଲେ, ସେ ଆକାଶୀ-ମନ ତା’ର ଆଜି ନିର୍ମଳ ।

 

ସେ ଖୋଲା ଝରକା ବାଟେ ଆକାଶକୁ ଚାହିଁଲା ଏବଂ ସ୍ୱଗତୋକ୍ତି କରି ଉଠିଲା, ପ୍ରେମର ସୀମାନ୍ତରେ ପ୍ରହରୀ ଲାଗେ ନାହିଁ; କିନ୍ତୁ ମନର ସୀମାନ୍ତରେ ! ପ୍ରଣତି ! ତମର ସେ ସ୍ୱାମୀ ନାମକ ନିର୍ବୋଧ ପୁରୁଷ କ’ଣ ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ ତମ ମନର ସୀମାନ୍ତରେ କାନ୍ଧରେ ଠେଙ୍ଗା ପକାଇ ପହରା ଦିଅନ୍ତି... ? ପ୍ରେମିକ ନାମକ ସେ ଭାଗ୍ୟ-ହତ ପୁରୁଷ କ’ଣ କେବେହେଲେ ତମ ମନର ନିଷିଦ୍ଧ ଅଞ୍ଚଳରେ ପ୍ରବେଶ କରେ ନାହିଁ... !

 

।। ଶେଷ ।।

 

ଅନେକ, ଅନେକ ଦିନ ପରେ ପୁଣି ଥରେ ଜଣେ ଲାବଣ୍ୟମୟୀ ତରୁଣୀକୁ ଏକାକୀ କାର୍‍ରେ ଘେନି ଗାଡ଼ି ଚଳାଉଛି ବିନୋଦ । ଏପରି ଚଳମାନ ଗାଡ଼ିରେ ଗୋଟିଏ ତରୁଣୀର ଉଷ୍ମ ସାନ୍ନିଧ୍ୟ ସେ ଲାଭ କରିଥିଲା ପ୍ରଥମ ପ୍ରଣତିଠାରୁ । ଥରେ ନୁହେଁ, ଅନେକ ଥର ସେମାନେ ବିହଙ୍ଗ-ବିହଙ୍ଗୀ ଭଳି ଏଇ କାର୍ ଭିତରେ ବସି ସହରର ସୀମାନ୍ତ ଛାଡ଼ି ଚାଲି ଯାଉଥିଲେ ନିର୍ଜ୍ଜନ ନଦୀକୂଳ, ନହେଲେ ଷ୍ଟେସନ୍‍ର ଶୂନ୍ୟ ବେଞ୍ଚ୍ ପାଖକୁ ।

 

ସେ ସବୁ ସ୍ମୃତି କଣ୍ଟା ହୋଇ ଆଜିବି ବିଦ୍ଧ ହୁଏ ବିନୋଦର ସାରା ଦେହରେ ।

 

ଆଜି ସ୍ୱେଚ୍ଛାରେ ସାଗରିକା ଆସିଛି ତା’ର କାର୍ ଭିତରକୁ । ସେମାନେ କୁଆଡ଼େ ଯିବେ ସେ କଥା ପଚାରି ନାହିଁ ସାଗରିକା । ହୃଦୟର ବ୍ୟାକୁଳତା ନେଇ ବିନୋଦ ସହିତ ବାହାରି ଆସିବାକୁ ତା’ର ଏତେ ଆଗ୍ରହ ଯେ ଗନ୍ତବ୍ୟ ସ୍ଥଳ ଜାଣିବାର ଇଚ୍ଛା ତା’ର ମନକୁ ଆସି ନାହିଁ ।

 

ବିନୋଦ ପଚାରିଥିଲା, ବାପାଙ୍କୁ ନ କହି ତମେ ଚାଲି ଆସିଲ ?

 

ସାଗରିକା ହସିଥିଲା । ଉତ୍ତର ଦେଇଥିଲା, ନାରୀକୁ ଦିନେ ବାପ ଘରର ମମତା ତୁଟାଇ ଏକ ନୂତନ ସଂସାରର ସନ୍ଧାନରେ ବାହାରି ଆସିବାକୁ ହୁଏ । ଯେତେଦିନ ମୁଁ ବାପଘରେ ଥିଲି ବାପାଙ୍କୁ ନ ପଚାରି ପଦାକୁ ବାହାରି ନାହିଁ; ଆଉ ଯେଉଁଦିନ ବାପଘର ଛାଡ଼ି ନୂଆ ଏକ ସଂସାରରେ ସ୍ୱପ୍ନ ଦେଖିଲି, ସେଦିନ ବାପାଙ୍କୁ ସେ କଥା ପଚାରିବା କଥା ଭାବି ନାହିଁ ।

 

ତା’ପରେ ଆଉ କୌଣସି ପ୍ରଶ୍ନ ପଚାରି ନଥିଲା ବିନୋଦ । ଗୋଟାଏ ବଙ୍କା ରାସ୍ତାରେ ଗାଡ଼ି ବୁଲାଇବା ପାଇଁ ସେ କେବଳ କାର୍‍ର ଗିଅର୍ ଚେଞ୍ଜ୍ କରିବା ଲାଗି ଚେଷ୍ଟା କରିଥିଲା । ସାଗରିକାର ଉତ୍ତର ଶୁଣି ନିଃସନ୍ଦେହରେ ଖୁସି ହୋଇଥିଲା ବିନୋଦ ।

ସେ ଏପରି ଏକ ଝିଅ ଚାହୁଁଥିଲା, ଯେ ବାପାଙ୍କୁ ସୁଖୀ କରିବାପାଇଁ ତାକୁ ବିବାହ କରିବ ନାହିଁ । ତାକୁ ସୁଖୀ କରିବାପାଇଁ ବାପ ଘରର ମମତା ଛାଡ଼ି ଆସିବ ।

କିଛି ସମୟ ପରେ ସେ କହିଲା, ସାଗରିକା ! ତମେ ମୋ ସାଙ୍ଗରେ ଆସି ଭୁଲ୍ କରିଛ-। ହୁଏତ ତମେ ମତେ ପାଇବ, ସଂସାର ପାଇବ ନାହିଁ । ମୁଁ ଏକ ସୃଷ୍ଟିଛଡ଼ା ଲୋକ । କାର୍‍ଟା ପୁଣି ତମ ଘର ଆଡ଼େ ଫେରାଇ ନେବି କି ?

ସାଗରିକା ଗମ୍ଭୀର କଣ୍ଠରେ କହିଲା, ସେ ଭୟ ଆପଣ ମତେ ଦେଖାଇ ପାରିବେ ନାହିଁ-। ଫେରିବାର ଆଶା ନେଇ ମୁଁ ଆପଣଙ୍କ ସାଥିରେ ଆସି ନାହିଁ । ଆପଣଙ୍କଠାରୁ ମତେ କେହି ବିଚ୍ଛିନ୍ନ କରି ପାରିବ ନାହିଁ ।

ବିନୋଦ ଲକ୍ଷ୍ୟ କରୁଥିଲା କଥା କହିଲାବେଳେ ସାଗରିକାର ମୁହଁରେ ଦୃଢ଼ ଆତ୍ମ-ପ୍ରତ୍ୟୟର ଭାବ ଫୁଟି ଉଠିଛି । ଏ ଅଳ୍ପ କେତୋଟି ଦିନର ପରିଚୟ ମଧ୍ୟରେ ତା’ପାଇଁ ସାଗରିକା ମନରେ ଏତେ ବିଶ୍ୱାସ ଠୁଳ ହୋଇଗଲା କିପରି ?

ସାଗରିକା ଆଡ଼କୁ ସାମାନ୍ୟ ଝୁଙ୍କି ପଡ଼ି ବିନୋଦ କହିଲା, ତମେ ଜାଣ ମୁଁ ପୁରୁଷ । ପ୍ରତାରଣା କରିବା ଆମ ପକ୍ଷରେ ସହଜ । ସାଗରିକା ! ମୁଁ ଯଦି ତମ ସରଳ ବିଶ୍ୱାସର ସୁଯୋଗରେ ତମ ସହ ବିଶ୍ୱାସଘାତକତା କରେ ।

ସେଥିରେ ମୋର କିଛି କ୍ଷତି ହେବ ନାହିଁ । ନାରୀ ନିଜର ଦେହ ଅନେକଙ୍କୁ ଦେଇପାରେ; ମନ ଦିଏ ମାତ୍ର ଜଣକୁ । ଦେଇଥିବା ମନ ଫେରାଇ ନେଇ ହୁଏ ନାହିଁ । ମୋ ନିଜର ବିଶ୍ୱାସ ମୋ ପାଖରେ ସବୁଠାରୁ ବଡ଼ । ଆପଣ କ’ଣ କରିବେ ନ କରିବେ, ମୁଁ ସେ କଥା ଭାବିବି କାହିଁକି ? ସାଗରିକା ଦ୍ଵିଧାହୀନ କଣ୍ଠରେ କହିଲା ।

ତମେ ଯେ ମତେ ଭଲପାଅ, ମୋପାଇଁ ସବୁ କିଛି ତ୍ୟାଗ କରିପାରେ, ସେ କଥା ପ୍ରଣତି ମୋ ଜୀବନ ଭିତରକୁ ଆସିବା ଆଗରୁ କହିଥିଲେ ମୁଁ ତାକୁ ବିଶ୍ୱାସ କରି ଆନନ୍ଦରେ ଉଚ୍ଛ୍ୱସିତ, ଆବେଗରେ ଶିହରିତ ହୋଇ ଥାଆନ୍ତି । କିନ୍ତୁ ତମେ ଆଜି ଏକଥା ଅନେକ ବିଳମ୍ବରେ କହୁଛ । ସାଗରିକା ! ପ୍ରଣତି ନାମକ ସେ ଝିଅଟି ମୋ ମନରେ ସନ୍ଦେହ ଅବିଶ୍ୱାସର ମାରାତ୍ମକ ଜୀବାଣୁ ଛାଡ଼ି ଦେଇ ଯାଇଛି । ବିନୋଦ ଖୁବ୍ ଅସୁସ୍ଥ ହୋଇ ପଡ଼ିଥିବା ଭଳି କଥାଗୁଡ଼ାକ କହିଲା ।

ସାଗରିକା ଏ ସବୁ ନ ଶୁଣିଲା ଭଳି କାର୍‍ର କାଚ ଝରକା ବାଟେ ବାହାରର ଦୃଶ୍ୟ ଦେଖିଲା ।

କିଛି ସମୟ ପରେ ବିନୋଦ ପଚାରିଲା, ମତେ ପାଇଲେ ତମେ ଖୁବ୍ ସୁଖୀ ହେବ ବୋଲି କହୁଛ । ଆଚ୍ଛା, ମୁଁ ସେ କଥା ବିଶ୍ୱାସ କରୁଛି, ତାହାହେଲେ ନିଜେ ଅଯାଚିତ ଭାବରେ ନିଜ ତରଫରୁ ଭଲପାଇ ଶେଷରେ ପ୍ରଣତି କାହିଁକି ଅନୁଭବ କଲା ଯେ ମତେ ବିବାହ କଲେ ତା’ ସୁନ୍ଦର ଜୀବନଟା ନଷ୍ଟ ହୋଇଯିବ !

 

ସାଗରିକାର ଦୁଇ ଆଖିରେ ଆଲୋକ ଝଲସି ଉଠିଲା ।

 

ସେ କହିଲା, ତରୁଣୀ ବୟସରେ ସବୁ ଝିଅଙ୍କ ଦେହ ସୁନ୍ଦର ଦେଖାଯାଏ; କିନ୍ତୁ ସଂସାରରେ ଏପରି ଜଣେ ଜଣେ ଝିଅ ଅଛନ୍ତି, ଯେଉଁମାନେ ଭାବନ୍ତି, ସେମାନଙ୍କ ଦେହ ସମସ୍ତଙ୍କଠାରୁ ସୁନ୍ଦର । ସେମାନେ ସେଥିପାଇଁ କେବଳ ନିଜ ଦେହକୁ ସୁଖୀ କରିବାପାଇଁ ଅନେକ କଥା ଭାବନ୍ତି, ଯାହା ସମାଜରେ ବହୁ ବିଭ୍ରାଟ ସୃଷ୍ଟିକରେ । ଆପଣ ବିଶ୍ୱାସ କରନ୍ତୁ, ପ୍ରଣତି ନିଜର ଯୌବନପୁଷ୍ଟ ଦେହ ଦାନ କରି ନିଜ ସ୍ୱାମୀଙ୍କୁ ଜୟ କରି ପାରିଥାଏ; କିନ୍ତୁ ସଂସାରକୁ ଜୟ କରିପାରିବ ନାହିଁ । କାରଣ ତା’ ସ୍ୱାମୀଙ୍କର ଦୁଇଟି ଆଖି, ସଂସାରର ଆଖି ଅସଂଖ୍ୟ ।

 

ଚିନ୍ତିତ ହେବା ଭଳି ବିନୋଦ କହିଲା, ମୋର କିନ୍ତୁ ଧାରଣା ନିଜର ଏ ସର୍ବନାଶୀ ନିଶାପାଇଁ ପ୍ରଣତି ନୁହେଁ, ଦାୟୀ ତା’ର ଅଭିଭାବକମାନେ, ଯିଏ ସବୁ କଥା ଜାଣି ସୁଦ୍ଧା ତା’ର ଏ ବ୍ୟଭିଚାରର ପୃଷ୍ଠପୋଷକତା କଲେ ।

 

ସାଗରିକାର ଆଖି ଦୁଇଟି ହଠାତ୍ କରୁଣ ହୋଇ ଉଠିଲା ।

 

ସେ କହିଲା, ଆପଣ ସେମାନଙ୍କ ଦୋଷ ଦିଅନ୍ତୁ ନାହିଁ । ସେମାନେ ଝିଅକୁ ଜନ୍ମ ଦେଇଥିଲେ, କର୍ମ ଦେଇ ନଥିଲେ । କନ୍ୟା ଯଦି ବନ୍ୟା ହୁଏ କୌଣସି ଅଭିଭାବକ ନଦୀବନ୍ଧ ହୋଇ ସେ ବନ୍ୟାର ଗତିରୋଧ କରିପାରେ ନାହିଁ... ।

 

ସାଗରିକା ହୁଏତ ନିଜ ବାପା-ବୋଉଙ୍କ କଥା ସ୍ମରଣ କରି ହଠାତ୍ ଭାବପ୍ରବଣ ହୋଇ ପଡ଼ିଥିଲା ।

 

ତଥାପି ବିନୋଦ ମନର ଉତ୍ତେଜନା ଶାନ୍ତ ହୋଇପାରିଲା ନାହିଁ ।

 

ସେ ଯୁକ୍ତି କଲା, କିନ୍ତୁ ଯଦି ଝିଅର ଅଭିଭାବକମାନେ ତା’ର ଦେହ-ଲୋଭର ଅଗ୍ନିରେ ଘତ ସଂଯୋଗ କରନ୍ତି, ତାହାହେଲେ ଏ ସମାଜ ରହିବ କିପରି ? ସାଗରିକା ! ମୋର ଏ ସମାଜ ଉପରେ ତିଳେହେଲେ ଆସ୍ଥା ନାହିଁ...କାରଣ ଏ ସମାଜରେ ପ୍ରଣତି ଭଳି ଝିଅମାନେ ସତୀ-ସାଧ୍ୱୀ ଗୃହବଧୂ...ସେମାନଙ୍କ ଜଣକ, ଅଭିଭାବକ ଏ ସମାଜର ମାନନୀୟ ଭଦ୍ରବ୍ୟକ୍ତି...ଆଉ ମୁଁ ଚରିତ୍ରହୀନ... !

 

ସାଗରିକା ବିନୋଦର ନିକଟକୁ ଘୁଞ୍ଚି ଆସି ଘନିଷ୍ଠ ହେବାକୁ ଚେଷ୍ଟାକଲା । ତା’ର ଗୋଟିଏ ହାତ ନିଜ ଉଷ୍ମ ପାପୁଲିରେ ଚାପି ଧରି କହିଲା, ଆପଣଙ୍କୁ ମୋ ରାଣ ! ଅତୀତର ସେ ଦୁଃସ୍ୱପ୍ନକୁ ଆପଣ ଭୁଲି ଯାଆନ୍ତୁ । ପ୍ରଣତିକୁ ଆପଣ କ୍ଷମାକରନ୍ତୁ । ସ୍ୱାମୀ, ସନ୍ତାନ ନେଇ ସେ ଘର କରିଛି । ତା’ର ପାପ ଯୋଗୁଁ ସେ ନିର୍ଦ୍ଦୋଷ ଲୋକେ ଯେପରି ଶାସ୍ତି ନ ପାଆନ୍ତି, ସେଥିପାଇଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରନ୍ତୁ ।

 

କେଉଁ ତପସ୍ୱିନୀର କଣ୍ଠସ୍ୱର ଭଳି ସାଗରିକାର କଥାଗୁଡ଼ାକ ବିନୋଦର ମନେହେଲା । ସେ କମ୍ପିତ କଣ୍ଠରେ କହିଲା, ମୁଁ କାହାରିକୁ ଭୁଲ୍ ବୁଝେନି, ପ୍ରଣତିକୁ ନୁହେଁ, ତା’ର ବାପାଙ୍କୁ ମଧ୍ୟ ନୁହେଁ । ମଣିଷ ପାପ କରେ, ପ୍ରତାରଣା କରେ, ଅନ୍ୟର ଜୀବନକୁ କଳଙ୍କିତ କରେ–କାରଣ ସେ ଚାହେଁ, ଯେକୌଣସି ଭାବରେ ସେ ବଞ୍ଚିରହିବ । ଏହି ଯେକୌଣସି ପ୍ରକାରେ ଜବରଦସ୍ତ ବଞ୍ଚି ରହିବାକୁ ଇଚ୍ଛା ଯୋଗୁଁ ପ୍ରଣତି ମୋ ସହିତ ପ୍ରତାରଣା କରି ଆଉ ଜଣେ ପୁରୁଷର ସ୍ତ୍ରୀ ଭାବରେ ସୀମନ୍ତରେ ସିନ୍ଦୁର ପିନ୍ଧୁଛି...ବୃଦ୍ଧ ବୟସରେବି ତା’ର ଜନକ ମୋ ସହିତ ତା’ର ସମସ୍ତ ସମ୍ପର୍କ ଜାଣି ବେଦିରେ ବସି ଅନ୍ୟ ଏକ ଲୋକକୁ କନ୍ୟାଦାନ କରିଛନ୍ତି... !

 

ବିନୋଦ ମୁହଁକୁ ନିର୍ବାକ୍ ଆଖିରେ କେବଳ ଚାହିଁ ରହିଥିଲା ସାଗରିକା । ମାଇଲ ମାଇଲ ପରିଚିତ ପଥ ପଛରେ ଛାଡ଼ି ସମ୍ପୂର୍ଣ୍ଣ ଅପରିଚିତ ପଥରେ ତୂଣୀରର ନିକ୍ଷିପ୍ତ ତୀରବେଗରେ ଗତି କରୁଥିଲା କାର୍ ।

 

ମନର ଉତ୍ତେଜନା ଶାନ୍ତ ହେଲାପରେ ବିନୋଦ ଶୀତଳ କଣ୍ଠରେ କହିଲା, ସାଗରିକା ! ମୋ ଆଖିରେ ଯେଉଁ ପୃଥିବୀ ଦିନେ ଥିଲା ସବୁଜ, ସୁନ୍ଦର; ପ୍ରଣତିର ପ୍ରତାରଣା ପରେ ସେ ପୃଥିବୀ ମୋ ଆଖିରେ ଦଗ୍ଧ, ଧୂସର ଦେଖାଯାଉଛି । ପ୍ରଣତି ଓ ତା’ର ସ୍ୱାମୀ, ସନ୍ତାନଙ୍କ ପାଇଁ ଯେପରି ମୋ ମନରେ କିଛି ଅମଙ୍ଗଳ କାମନା ନାହିଁ, ତା’ର ଅଭିଭାବକମାନଙ୍କ ପାଇଁ ସେହିପରି ମୋ ମନରେ ମଧ୍ୟ କିଛି ସମ୍ମାନବୋଧର ଅଭାବ ନାହିଁ ।

 

ତା’ପରେ ସେ ହଠାତ୍ ଚୁପ୍ ହୋଇଗଲା ଏବଂ ଢୋକ ଗିଳିଲା । ଷ୍ଟିଅରିଂ ଉପରେ ଦୃଷ୍ଟିନିବଦ୍ଧ କରି ସେ ଅନୁନୟ କଲା ଭଳି କହିଲା, ତମେ ଯେପରି ପ୍ରଣତି ଓ ତା’ ପରିବାରର ମଙ୍ଗଳପାଇଁ ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କରୁଛ, ସେହିପରି ଭଗବାନଙ୍କ ପାଖରେ କାମନା କର, ଯେକୌଣସି ଉପାୟରେ ବଞ୍ଚିରହିବା ପାଇଁ ମୋ ମନ ଭିତରେ ସେ ଯେପରି ଅଯଥା ପ୍ରଲୋଭନ ଭରି ନ ଦିଅନ୍ତି... ।

 

ସହର ଛାଡ଼ି ଆମ୍ବାସାଡ଼ର କାର୍‍ଟା ସେତେବେଳକୁ ଏକ ନିର୍ଜ୍ଜନ ପାହାଡ଼ ରାସ୍ତାରେ ଗତି କରୁଥିଲା । ଦୀର୍ଘସମୟ ଧରି ଗାଡ଼ି ଚଳାଇଲା ପରେବି ବିନୋଦଠାରେ କୌଣସି କ୍ଳାନ୍ତିର ଚିହ୍ନ ଦେଖୁ ନଥିଲା ସାଗରିକା । ଗାଡ଼ିର ବେଗ ମଧ୍ୟ ହ୍ରାସ ପାଇଲା ଭଳି ତା’ର ମନେ ହେଉ ନଥିଲା ।

 

ଶାଣିତ ତରବାରି ଭଳି କିଛି ସମୟ ଆଗରୁ ଯେଉଁ ଖରା କାର୍‍ର କାଚରେ ଘଷି ହେଉଥିଲା, ସେ ଖରା କ୍ରମେ ମହଳଣ ପଡ଼ି ଆସୁଥିବା ଭଳି ସାଗରିକାର ମନେହେଲା । ବାଟରେ ଯାହା ସେମାନେ ତିନି ଘଣ୍ଟା ଆଗରୁ ଜଳଖିଆ ଖାଇଥିଲେ, ସେତିକି । ତାକୁ ଭୋକ ନାହିଁ । କିନ୍ତୁ ବିନୋଦ... !

 

ଆମେ କେଉଁ ସ୍ଥାନକୁ ଯାଉଛୁ ?–ସାଗରିକା ପ୍ରଶ୍ନ କଲା ।

 

ବିନୋଦର ମୁହଁ ରେଖାଗୁଡ଼ିକ ସେତେବେଳକୁ କୁଞ୍ଚିତ । ବିନ୍ଦୁ ବିନ୍ଦୁ ଝାଳ ସେହି ମୁହଁ ରେଖା ଉପରେ ଝଲସୁଥିଲା ।

 

ସେ ପଚାରିଲା, ତମେ କେବେ ଅରଣ୍ୟ ଦେଖିଛ ?

 

ଦେଖିଛି । କେବଳ ବହିର ଚିତ୍ରରେ...ସିନେମାର ଫଟୋଗ୍ରାଫିରେ । କେବଳ ଓଡ଼ିଶାର ବଣଜଙ୍ଗଲ ନୁହେଁ, ଆଫ୍ରିକାର ଦୁର୍ଗମ ଅରଣ୍ୟ ମଧ୍ୟ । କାହିଁକି ?–ସାଗରିକା କଥୋପକଥନରେ ରସ ସଞ୍ଚାର କରିବାକୁ ଚେଷ୍ଟାକଲା ।

 

ମୃଦୁ ହସି ବିନୋଦ କହିଲା, ବୁକୁ ଭରି ନିଃଶ୍ୱାସ ନେବାକୁ, ମନ ଭରି ଆନନ୍ଦ କରିବାକୁ, ଆଉ ହୃଦୟ ଉଜାଡ଼ି ପ୍ରେମ କରିବାକୁ ଅରଣ୍ୟ ଭଳି ସୁନ୍ଦର, ପବିତ୍ର ସ୍ଥାନ ଆଉ କିଛି ନାହିଁ । ଆଦିମାନବ ମାନବୀ ଆଦମ୍ ଆଉ ଇଭ୍ ଏଇ ଅରଣ୍ୟରେ ତ ପ୍ରଣୟର ପ୍ରଥମ ଶ୍ଳୋକ ଆବୃତ୍ତି କରିଥିଲେ ! ସାଗରିକା ! ମୁଁ ତମକୁ ସେଇ ଭଳି ଏକ ସୁନ୍ଦର ଅରଣ୍ୟକୁ ନେଇଯାଉଛି...ସେଠାରେ ଝରଣା ଜଳର ଆରିଶିରେ ଆମେ ଦୁହେଁ ଦେଖିବା ନିଜର ମୁହଁ...ବଣଫୁଲରେ କରିବା ପ୍ରେମଦେବତାର ନିରାଜନା...

 

ସାଗରିକାର ଆଖିରେ ଅରଣ୍ୟର ନୀଳିମା ନିଘଞ୍ଚ ହୋଇ ଆସିଲା । ବିନୋଦର କାନ୍ଧ ଉପରେ ମଥା ରଖି ସେ ଭାବପ୍ରବଣ ଭାବରେ କହିଲା, ଆପଣ ମତେ ସତରେ ଏତେ ଭଲପାଆନ୍ତି-!

 

ଡାହାଣ ହାତରେ ଷ୍ଟିଅରିଂ ଧରି ବାମ ବାହୁରେ ନିଜ ଆଡ଼କୁ ସେ ଆଉଜାଇନେଲା ସାଗରିକାକୁ ।

 

ଚୁପ୍‍ଚାପ୍ କାନ ପାଖରେ କହିଲା, ତମକୁ ମୁଁ ଭଲପାଏ ବୋଲି ତ ମୋ ମନରେ ଆଜି ଏତେ ଭୟ ! ଦିନେ ଥିଲ ତମେ ମୋ ପାଖରେ ରକ୍ତମାଂସର ଏକ ପ୍ରତିମା...ଆଜି ତମେ ମୋ ପାଖରେ ସର୍ତ୍ତହୀନ ଭାବରେ ଆତ୍ମସମର୍ପଣ କରି ହୋଇଗଲା ଏକ ଅମୂଲ୍ୟ ଐଶ୍ୱର୍ଯ୍ୟ । ତମକୁ ହରାଇବାର ଭୟରେ ମୁଁ ଆଜି ସନ୍ତ୍ରସ୍ତ ।

 

ମତେ ହରାଇବାର ଭୟ ଆପଣଙ୍କ ମନକୁ ଅବା ଆସୁଛି କାହିଁକି ? –ବିନୋଦର କାନ୍ଧ ଉପରେ ନିଜର ମୁହଁ ଘଷିଲା ସାଗରିକା ।

 

ମ୍ଳାନ ହସି ବିନୋଦ କହିଲା, କିଛି ନଥିଲାବେଳେ ହରାଇବାର ଭୟ ମଧ୍ୟ ନଥିଲା । କିନ୍ତୁ ତମକୁ ପାଇବା ପରେ ହରାଇବାର ଭୟ କେବଳ ମୋ ମନକୁ ଆନ୍ଦୋଳିତ କରୁଛି । ଏ ନୃଶଂସ, ବ୍ୟଭିଚାରୀ ସମାଜକୁ ମୋର ଭାରିଭୟ । ସେଥିପାଇଁ ତ ତମକୁ ମୁଁ ସେ ସମାଜଠାରୁ ଦୂରକୁ ନେଇଆସିଛି । ସାଗରିକା ! ତମେଜାଣ, ଆମେ ଯେଉଁ ଅରଣ୍ୟକୁ ଯାଉଛୁ, ସେଠାରେ ଏକ ସୁନ୍ଦର ଜଳପ୍ରପାତ ଅଛି...ସେ ଜଳପ୍ରପାତ ପାଖ ଜଳକୁଣ୍ଡରେ ପଡ଼ି ଭାସିଯାଏ ମହୁଲ, ପଲାଶ ଫୁଲ...ତମେ ବୋଧହୁଏ ଜାଣ ନାହିଁ ସେହି ଜଳପ୍ରପାତ ପାଖରେ କିଛିଦିନ ତଳେ ଗୋଟିଏ ଜିପ୍‍ ଦୁର୍ଘଟଣା ଘଟିଥିଲା...

 

ଗୋଟିଏ ଗଳ୍ପର ବାସ୍ନା ପାଇ ଉଚ୍ଚକିତା ହେଲା ସାଗରିକା ।

 

କୌତୂହଳୀ ହୋଇ ସେ ପ୍ରଶ୍ନ କଲା, ଦୁର୍ଘଟଣା ଘଟିଲା କିପରି ?

 

ବିନୋଦ ଜଣେ ଦାର୍ଶନିକ ଭଳି ଗମ୍ଭୀର ହୋଇଗଲା । ମୁହଁର ରେଖାଗୁଡ଼ିକ ତା’ର କଠିନ ହୋଇଗଲା ।

 

ସେ କହିଲା, ଦୁର୍ଘଟଣା ନଥିଲେ ଜୀବନର ଗତି ସମତଳ, ବୈଚିତ୍ର୍ୟହୀନ ହୋଇ ପଡ଼େ-। ତମେ ଦୁର୍ଘଟଣା କଥା ଶୁଣି ଭୟ ପାଉଛ କାହିଁକି ?

 

ଭୟ ! ନା–ବରଂ କୌତୂହଳ ଅନୁଭବ କରୁଛି । –ସାଗରିକା ହସି ହସି ଉତ୍ତର ଦେଲା ।

 

ବଣମଲ୍ଲୀର ବାସ୍ନା ଆସୁଛି । ଏକ ସ୍ନାୟୁ-ଉତ୍ତେଜକ ମଧୁର ବାସ୍ନା ।

 

ସନ୍ଧ୍ୟା ଆସୁଛି, ପାତଳ ଅନ୍ଧକାରର ଓଢ଼ଣା ଢାଙ୍କି ।

 

ସାଗରିକା ପ୍ରଶ୍ନ କଲା, ଏ ଯେ ସନ୍ଧ୍ୟା ହେଲା ! ଆମେ କୁଆଡ଼େ ଯାଉଛୁ ?

 

ରହସ୍ୟମୟ ଭାବରେ ହସି ବିନୋଦ ଉତ୍ତର ଦେଲା, ଆମେ ଯାଉଛୁ ଏପରି ଏକ ନିର୍ଜ୍ଜନ ସ୍ଥାନକୁ, ଯେଉଁଠି ନାରୀର ପ୍ରେମ ପ୍ରତ୍ୟାଖ୍ୟାନରେ ଶେଷ ହୁଏ ନାହିଁ, ଯୌବନ କେବଳ ଏକ ସମ୍ଭୋଗ ସାମଗ୍ରୀ ନୁହେଁ...ସେହି ନୀଳ ପରୀର ଦେଶ...ସବୁଜ ସ୍ୱପ୍ନର ଅରଣ୍ୟ ।

 

ଚାରିଆଡ଼େ ନିଘଞ୍ଚ ତରୁଲତା । ଅନ୍ଧକାର । କାର୍‍ର ହେଡ଼୍‍ ଲାଇଟ୍‍ରେ କେବଳ ସମ୍ମୁଖପଥ ଆଲୋକିତ । ଅରଣ୍ୟର ତିଖ-ସରୁ-ସର୍ପିଳ ରାସ୍ତାରେ କାର୍ ଗତି କରି ଚାଲିଛି ।

 

ସାଗରିକା ଅନୁଭବ କଲା, ବିନୋଦ ଦେହର ଉତ୍ତାପ ତା’ ଦେହରେ ସଂଚାରିତ ହୋଇ ତାକୁ କିପରି ନିଶାଗ୍ରସ୍ତ କରି ଦେଇଛି । ତା’ର ମନେହେଉଛି, ଆଗରେ କେବଳ ପାହାଚେ ପାହାଚେ ଘନ ଅନ୍ଧକାର । ସେହି ଅନ୍ଧାର-ସିଡ଼ିରେ ପାହାଚେ ପାହାଚେ ପାଦ ରଖି ସେମାନେ ଯେପରି ତଳକୁ ଓହ୍ଲାଇ ଯାଉଛନ୍ତି... । ତା’ର ଇଚ୍ଛା ହେଉଥିଲା, ସେ ବିନୋଦକୁ କହିବ, ତଳକୁ ଓହ୍ଲାଇ ନ ଯାଇ ସ୍ୱପ୍ନର-ସ୍ୱର୍ଗକୁ ଯିବାପାଇଁ ଉପରକୁ ଉଠିବା ଚାଲ; କିନ୍ତୁ ଉପରକୁ ଅନାଇ ମଧ୍ୟ ସେ ହତାଶ ହେଲା । ଉପରେ, ତଳେ, ଚାରିଆଡ଼େ କେବଳ ଅନ୍ଧକାର । ଆରୋହଣ, ଅବରୋହଣ ପାଇଁ ସେହି ଗୋଟିଏ ମାତ୍ର ବାଟ...ସ୍ତର ସ୍ତର ଅନ୍ଧକାରର ସିଡ଼ି !

 

ବିନୋଦ ହଠାତ୍ ଉତ୍ତେଜିତ ଭାବରେ ପ୍ରଶ୍ନ କଲା, ତମେ କହୁଥିଲ ନା ମୋପାଇଁ ତମେ ପ୍ରାଣ ଦେବାକୁ ସୁଦ୍ଧା ପ୍ରସ୍ତୁତ ! ଏ କ’ଣ ତମ ମନର କଥା ?

 

ସାଗରିକା ସେତେବେଳକୁ ସ୍ୱପ୍ନବଳୟିତ ଏକ କଳ୍ପଲୋକରେ ବିଚରଣ କରୁଥିଲା । ସେ ନୟନ ଅର୍ଦ୍ଧମୁଦ୍ରିତ କରି ଉତ୍ତର ଦେଲା, ସେ ମୋର ମନର କଥା ନୁହେଁ, ପ୍ରାଣର କଥା, ଶେଷ କଥା-। ଆକ୍‍ସିଲେଟର ଉପରେ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ପାଦଚାପ ଦେଲା ବିନୋଦ-। ମୁହଁର ମାଂସପେଶି ତା’ର ଫାଟି ରୁଧିରାକ୍ତ ହୋଇ ଯାଇଥିବା ଭଳି ସେ ଅନୁଭବ କରୁଥିଲା ।

 

ନିଦ ଭାଙ୍ଗି ଉଠିଲା ଭଳି ଚମକି ସାଗରିକା ଲକ୍ଷ୍ୟକଲା, ଗାଡ଼ିଟା ଏତେ ଜୋରରେ ଚାଲିଛି ଯେ ମାଇଲ ମିଟର୍‍ କଣ୍ଟା ଅସ୍ଥିର ଭାବରେ ଏ ମୁଣ୍ଡ ସେମୁଣ୍ଡ ଘୂରୁଛି । ତା’ର ସନ୍ଦେହ ହେଲା, ମାଇଲ ମିଟର୍‍ର ବୋଧହୁଏ ଚିଡ଼ିଗଲା !

 

ସନ୍ଦିଗ୍ଧ କଣ୍ଠରେ ସେ ପ୍ରଶ୍ନ କଲା; ଦୁର୍ଘଟଣା ଘଟିଥିଲା ବୋଲି ଯେଉଁ ଜଳପ୍ରପାତ କଥା କହୁଥିଲ, ସେ ଜଳପ୍ରପାତ କେଉଁଠି ?

 

"ଏଇ ଆଗରେ... ।’’

 

ଆକ୍‍ସିଲେଟର୍ ଉପରେ ପାଦର ଚାପ, ଆହୁରି ତୀବ୍ରତର କରି ଷ୍ଟିଅରିଂ ଉପରୁ ହାତ ଛାଡ଼ିଦେଲା ବିନୋଦ ଏବଂ ଦୁଇ ବାହୁରେ ସାଗରିକାକୁ ସେ ନିଜ ଛାତିରେ ଏପରି ଘନିଷ୍ଠ ଭାବରେ ଯାକିଧରିଲା, ବହୁ ତପସ୍ୟା ଫଳରେ ପାଇଥିବା ଐଶ୍ୱର୍ଯ୍ୟକୁ ସେ ଯେପରି ହରାଇ ନ ବସେ !

 

ତା ୬ । ୩ । ୬୮

କାଳିଗଳି, କଟକ-୨

Image